କଟକରୁ ସିଂହ ଚିହ୍ନରେ ଲଢ଼ିଥିଲେ ଖୋକାଭାଇ

ସ୍ବରାଜ ମିଶ୍ର

‘ତମେ ମତେ ଦିଅ ଭୋଟ୍, ମୁଁ ତମକୁ ଦେବି ଭୋଟ୍’ । ଓଡ଼ିଶାର ଚିରସବୁଜ ଗାୟକ ଅକ୍ଷୟ ମହାନ୍ତିଙ୍କ ଏଇ ଗୀତଟା ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଘୂରି ବୁଲୁଛି। ନିର୍ବାଚନ ପରିବେଶକୁ ନେଇ ରଚିତ ଏଇ ଗୀତଟିରେ ସାହିର ପିଲାମାନେ ଅଜା ଓ ଆଈଙ୍କୁ ତମେ କାହାକୁ ଦବ ଭୋଟ୍‌ ବୋଲି ପଚାରିବାରେ ବୁଢ଼ାବୁଢ଼ୀ କିଛି ଉତ୍ତର ଦେଇନପାରି ଘାବରେଇ ଯାଉଛନ୍ତି। ଗୀତ ଶେଷରେ ଆଈ ଅଜାଙ୍କୁ କହୁଛି- ‘ତମେ ମତେ ଦିଅ ଭୋଟ୍, ମୁଁ ତମକୁ ଦେବି ଭୋଟ୍’। ସତରେ, ଆଜିକାଲି ସାଧାରଣ ଭୋଟରଟିର ଅବସ୍ଥା ବି ସେୟା। ବ୍ୟୟବହୁଳ ନିର୍ବାଚନ ପ୍ରଚାର ଓ ଭଳିଭଳି ଶୋଭାଯାତ୍ରାର ଆଖିଝଲସା ଆଲୁଅରୋଶଣି ଭିତରେ ସବୁ ନେତା ଦିଶୁଛନ୍ତି ଆକର୍ଷଣୀୟ। ଭାଷଣ, ଇସ୍ତାହାର ଓ ଗ୍ୟାରେଣ୍ଟି ଦେବାରେ ଏକରୁ ଆରେକ ବଳି। ଏ ଭିତରେ, ସରଳ ସାଧାରଣ ଭୋଟରଟିର ମଥା ଘୂରିଯାଉଛି- ସେ ବାଛିବ କାହାକୁ?

ଏଭଳି ଏକ ଗହନ ସମସ୍ୟାକୁ ଅତି ସରଳ ବ୍ୟଙ୍ଗାତ୍ମକ ଶୈଳୀରେ ଗୀତରେ ଫୁଟାଇଛନ୍ତି ଅକ୍ଷୟ ମହାନ୍ତି। କିନ୍ତୁ ଅନେକେ ହୁଏତ ଜାଣି ନଥିବେ ଯେ ଅକ୍ଷୟ ମହାନ୍ତି ନିଜେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ, ଅତି ଅପ୍ରତ୍ୟାଶିତ ଭାବରେ। ୧୯୭୧ ମସିହା ଲୋକସଭା ନିର୍ବାଚନର ସମୟ। ସହସ୍ରାବ୍ଦୀର ସହର କଟକରେ ନିର୍ବାଚନ ପରିବେଶ ଖୁବ୍ ସରଗରମ ଥାଏ। କାରଣ ସେଥର ଇନ୍ଦିରା କଂଗ୍ରେସ ପକ୍ଷରୁ ମଇଦାନରେ ଥାଆନ୍ତି ଜାନକୀ ବଲ୍ଲଭ ପଟ୍ଟନାୟକ। ତାଙ୍କ ବିରୁଦ୍ଧରେ ଥାଆନ୍ତି ଉତ୍କଳ କଂଗ୍ରେସ ତରଫରୁ କଟକର ଘରେ ଘରେ ପରିଚିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର, ପ୍ରଜା ସୋସାଲିଷ୍ଟ ପାର୍ଟି ତରଫରୁ ଶ୍ରମିକ ନେତା ବିଶ୍ବନାଥ ପଣ୍ଡିତ ଓ ସଙ୍ଗଠନ କଂଗ୍ରେସ ପ୍ରାର୍ଥୀ ସତ୍ୟବାଦୀ ମିଶ୍ର। ଦିଗ୍‌ଗଜମାନଙ୍କର ଏଇ ଲଢ଼େଇ ମଇଦାନ ଭିତରକୁ ହଠାତ୍ ପଶି ଆସିଥିଲା ଗୋଟାଏ ସ୍ବାଭିମାନୀ ସିଂହଛୁଅ‌ା। ଗାୟକ-ଗୀତିକାର-ସଙ୍ଗୀତକାର ଅକ୍ଷୟ ମହାନ୍ତି। ସମସ୍ତଙ୍କର ଅତି ଆଦରର ଖୋକାଭାଇ। ତାଙ୍କର ନିର୍ବାଚନ ଚିହ୍ନ ଥିଲା ‘ସିଂହ’।

ଆଗରୁ ସେଭଳି କୌଣସି ଯୋଜନା ନଥାଇ ଲୋକସଭା ପାଇଁ ସ୍ବାଧୀନ ପ୍ରାର୍ଥୀ ହିସାବରେ ଅକ୍ଷୟ ମହାନ୍ତି ନିର୍ବାଚନ ଲଢ଼ିବା ସମସ୍ତଙ୍କୁ ବିସ୍ମିତ କରିଥିଲା। କିନ୍ତୁ ଓଡ଼ିଆ ଯୁବପ୍ରାଣରେ ଦୀର୍ଘଦିନ ଧରି ରାଜ୍‌ କରୁଥିବା ଖିଆଲି ଖୋକାଭାଇ ଥିଲେ ସବୁଦିନ ଭଳି ବିନ୍ଦାସ୍। ଏମିତି ବି ୧୯୭୧ ମସିହାର ନିର୍ବାଚନ ରାଜନୈତିକ ଦୃଷ୍ଟିରୁ ବେଶ୍ ରୋମାଞ୍ଚକର ଥିଲା। କେନ୍ଦ୍ରରେ କଂଗ୍ରେସ ଦଳ ଦୁଇଭାଗ ହୋଇସାରିଥାଏ। ଇନ୍ଦିରା ଗାନ୍ଧୀ ତାଙ୍କ ନେତୃତ୍ବର ଅଗ୍ନିପରୀକ୍ଷା ଦେଉଥାନ୍ତି କଂଗ୍ରେସର ଯୁବଗୋଷ୍ଠୀଙ୍କୁ ସାଥିରେ ନେଇ। ତାଙ୍କ ବିରୁଦ୍ଧରେ ଥାଆନ୍ତି ଅଧିକାଂଶ ବରିଷ୍ଠ କଂଗ୍ରେସ ନେତା। ସେମାନେ ଲଢୁଥାନ୍ତି ‘ସଙ୍ଗଠନ କଂଗ୍ରେସ’ ଦଳ ତରଫରୁ। ତେଣେ ଓଡ଼ିଶାରେ ବିଜୁ ପଟ୍ଟନାୟକ ‘ଉତ୍କଳ କଂଗ୍ରେସ’ ନାମରେ ନିଜର ନୂଆ ଆଞ୍ଚଳିକ ଦଳ ଗଢ଼ିଥାନ୍ତି ଏବଂ କଂଗ୍ରେସକୁ କଡ଼ା ଟକ୍କର ଦେଉଥାନ୍ତି। କଟକ ଲୋକସଭା ଆସନ ଜିଣିବା ଥିଲା ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ। ତେଣୁ ଅକ୍ଷୟ ମହାନ୍ତିଙ୍କର ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଲଢ଼ିବା ନିଷ୍ପତ୍ତି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ସାରା ଓଡ଼ିଶାର ଲୋକେ ଚାହିଁ ବସିଥିଲେ ଏଇ ନିର୍ବାଚନର ଫଳାଫଳ କ’ଣ ହେବ ଦେଖିବା ପାଇଁ।

ଅକ୍ଷୟ ମହାନ୍ତିଙ୍କ ବୟସ ସେତେବେଳେ ମାତ୍ର ୩୪। ସେ ଜଣେ ଅତ୍ୟନ୍ତ ପ୍ରତିଭାବାନ କଥାକାର, ଗୀତିକାର ଓ ସଙ୍ଗୀତକାର ହିସାବରେ ନିଜକୁ ପ୍ରତିଷ୍ଠିତ କରିସାରିଥାନ୍ତି ସେତେବେଳକୁ। ତାଙ୍କ କଣ୍ଠର ଯାଦୁ ସାରା ଓଡ଼ିଶାକୁ ମତୁଆଲା କରିଥାଏ। କିନ୍ତୁ ରାଜନୀତି କ୍ଷେତ୍ରରେ ସେ ସମ୍ପୂର୍ଣ୍ଣ ନୂଆ। ବିଶେଷ କରି ନିର୍ବାଚନ ପ୍ରଚାର ପାଇଁ ଆବଶ୍ୟକ ଅର୍ଥବଳ ତଥା ରାଜନୈତିକ ସଂଗଠନର ଅଭାବ ତାଙ୍କ ପାଇଁ ବାଧକ ସାଜିଥାଏ। ତଥାପି ସେ ଯେଉଁଠାକୁ ଯାଉଥାନ୍ତି, ସବୁଠି ପ୍ରଶଂସକଙ୍କର ଅପର୍ଯ୍ୟାପ୍ତ ଭିଡ଼। ଲୋକଙ୍କର କିନ୍ତୁ ଗୋଟାଏ ଜିଦ୍, ସେମାନେ ଭାଷଣ ନୁହେଁ, ଗୀତ ଶୁଣିବେ। ଅକ୍ଷୟ ମହାନ୍ତିଙ୍କର ଘନିଷ୍ଠ ବନ୍ଧୁମାନେ କହନ୍ତି, ସେ ଅନେକ ସମୟରେ ଏଇ ନିର୍ବାଚନ କଥା ମନେପକାଇ ଖୁବ୍ ହସୁଥିଲେ। ପ୍ରଚାର ସମୟରେ ଗୀତ ଗାଇ ଗାଇ ସେ ଖୁବ୍ ଥକିଯାଉଥିଲେ। କିନ୍ତୁ ନିର୍ବାଚନ ଏକ ଅଦ୍ଭୁତ ନିଶା। ବିଶେଷକରି ସମର୍ଥକମାନଙ୍କର ଉତ୍ସାହ ଦେଖିଲେ ସବୁ ଭୁଲି ହୋଇଯାଏ। ଅକ୍ଷୟ ମହାନ୍ତି ତାଙ୍କର ‘ମନ୍ତ୍ରୀଙ୍କ ପାଖଲୋକ’ ଗଳ୍ପରେ ତା’ର କିଛି ଆଭାସ ଦେଇଛନ୍ତି। ‘‘ଦୀନବନ୍ଧୁ ଯେତେବେଳେ ବେକରେ ଫୁଲମାଳ ପକେଇ ଏସ୍‌ଡିଓ ଅଫିସରୁ ଆସିଲା, ସେତେବେଳେ ମୋ ଗର୍ବ କହିଲେ ନସରେ। ଭୋଟ୍‌ ଜୁଆ ଖେଳର ଏତିକି ତ ଆନନ୍ଦ- ନିଜ ପ୍ରାର୍ଥୀ ବେକରେ ଫୁଲମାଳ ପଡ଼ିଲେ ନିଜକୁ ଗୋଟେ ଦେବତା ପରି ମନେହୁଏ।’’

କଟକ ଲୋକସଭା ଆସନର ନିର୍ବାଚନ ଫଳାଫଳ ଅବଶ୍ୟ ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ଏଠାରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବୀରେନ୍‌ ମିତ୍ରଙ୍କ ଭିତରେ ଏବଂ ଜାନକୀବାବୁ ୮୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ବିଶ୍ବନାଥ ପଣ୍ଡିତ ଓ ସତ୍ୟବାଦୀ ମିଶ୍ର ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ବେଳେ ଅକ୍ଷୟ ମହାନ୍ତି ୮୨୨୭ଟି ଭୋଟ ପାଇ ପଞ୍ଚମ ସ୍ଥାନରେ ରହିଥିଲେ।
କୌଣସି କ୍ଷେତ୍ରରେ ସହଜରେ ହାର ମାନି ପାରୁନଥିବା ଅକ୍ଷୟ ମହାନ୍ତି କିନ୍ତୁ ଏହାପରେ ଆଉ ନିର୍ବାଚନ ଲଢ଼ି ନାହାନ୍ତି। ଯେହେତୁ ତାଙ୍କର ଖାସ୍ କୌଣସି ରାଜନୈତିକ ଉଚ୍ଚାଭିଳାଷ ନଥିଲା, ସେ କାହିଁକି ଓ କେଉଁ ପରିସ୍ଥିତିରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସେ ବିଷୟଟି ଆଜି ବି ଅନେକଙ୍କ ମନରେ ପ୍ରଶ୍ନବାଚୀ ହୋଇ ରହିଛି। ତେବେ ସବୁବେଳେ ବେପରୁଆ ଓ ବିନ୍ଦାସ୍‌୍ ଜୀବନ ଜିଇଥିବା ଖୋକାଭାଇ ଏ ସଂପର୍କରେ ସାମାନ୍ୟ ସୂଚନା ଦେଇଛନ୍ତି ତାଙ୍କର ଆତ୍ମଜୀବନୀମୂଳକ ଉପନ୍ୟାସ ‘ଆର୍ଯ୍ୟଦାସର ଶେଷଲିପି’ରେ। ସମ୍ଭବତଃ କିଛି ଗୋଟାଏ ଚାପରେ ଥିଲେ ସେ। ତାଙ୍କ ଭାଷାରେ- ‘‘ଏଇସବୁ ଝାମେଲା ଭିତରୁ ମୁଣ୍ଡକୁ ଟିକେ ଥଣ୍ଡା କରିବାକୁ ମୁଁ ପଶିଗଲି ରାଜନୀତି ଭିତରକୁ।’’

ସମ୍ବନ୍ଧିତ ଖବର