ଭୁବନେଶ୍ବର: ରାଜଧାନୀରେ ଏବେ ଜମି ଜବରଦଖଲ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ଅନେକ ସାଧାରଣ ଜାଗା ଏବେ ବ୍ୟକ୍ତିଗତ ଜାଗାରେ ପରିଣତ ହୋଇଗଲାଣି। ନଦୀ ଓ ନାଳଠାରୁ ଏକ ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ କୌଣସି ନିର୍ମାଣ ହେବନାହିଁ ବୋଲି ସରକାରୀ କଟକଣା ରହିଛି। ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି) ମଧ୍ୟ ବିଭିନ୍ନ ସମୟରେ ଏ ବାବଦରେ ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି। ହେଲେ ଏସବୁ ନୀତିନିୟମ କେବଳ କାଗଜକଲମରେ ରହିଯାଉଛି। ରାଜଧାନୀ ମଧ୍ୟ ଦେଇ ପ୍ରବାହିତ ହୋଇଥିବା ଗଙ୍ଗୁଆ (ପୁରାତନ ଗନ୍ଧବତୀ) ନଦୀର ଉଭୟ ପାର୍ଶ୍ବ ସମେତ ଶଯ୍ୟାକୁ ବି ମାଡ଼ି ବସିଲେଣି ଲୋକେ। ଏପରିକି ଯେଉଁଠି ସେତୁ ଅଛି ସେତୁ ତଳ ମଧ୍ୟ ଜବରଦଖଲ ହୋଇ କଂକ୍ରିଟ୍ ନିର୍ମାଣ ଚାଲିଛି। ଏବେ ସାମନ୍ତରାପୁର ଗଙ୍ଗୁଆ ଛକରୁ ନୂଆଗାଁ ବିଜୟ ବିହାରକୁ ଯାଇଥିବା ରାସ୍ତା କଡ଼ରେ ଅବାଧ ପୋତା ଚାଲିଛି ଗଙ୍ଗୁଆ ନଦୀକୁ। ସେଠାରେଗଙ୍ଗୁଆ ବ୍ରିଜ୍ ତଳେ ପ୍ରାୟ ୫୦ ଫୁଟ୍ ଚଉଡ଼ାରେ ପୋତା ହୋଇ ଜବରଦଖଲ ହୋଇଥିବା ଦେଖିବାକୁ ମିଳିଛି। ନାଲି ମାଟି ପକାଯାଇବ୍ରିଜ୍ତଳ ପୋତା ଚାଲିଛି। ସେହିପରି ନଦୀ ପାର୍ଶ୍ବ ରାସ୍ତାକୁ ମଧ୍ୟ ପୋତା ହୋଇ ଜବରଦଖଲ ଚାଲିଛି। ରାତି ବେଳା ଟ୍ରକ୍ ଟ୍ରକ୍ ଆବର୍ଜନା ଗଙ୍ଗୁଆ କୂଳରେ ଗଦା ହେଉଛି। ଜାଗା ପୋତା ହେବା ପରେ ଗ୍ୟାରେଜ୍ ଗାଡ଼ି ଓ ଭଙ୍ଗା ସାମଗ୍ରୀ ରଖା ଯାଉଛି। ଏହାର କିଛି ଦିନ ପରେ ସେଠାରେଛାମୁଣ୍ଡିଆ ତିଆରି ହୋଇଯାଉଛି। ଆଉ କିଛି ସପ୍ତାହ ଗଡ଼ି ଗଲେ ଘର ତିଆରି ହେଉଛି। ବ୍ରିଜ୍ ଆରମ୍ଭରୁ ପ୍ରାୟ ୫୦ଫୁଟ୍ ଗଙ୍ଗୁଆକୁ ପୋତା ଯାଇଛି। ବିଏମ୍ସି ୱାର୍ଡ ନମ୍ବର ୫୯ରେ ଏହି ପରିସ୍ଥିତି ଦେଖିବାକୁ ମିଳିଛି। କିଛି ଗୃହନିର୍ମାଣକାରୀ ସଂସ୍ଥା ଓ କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ମେଣ୍ଟ ଏହି ଜବରଦଖଲରେ ବେଶ୍ ସକ୍ରୀୟ ଥିବା ସ୍ଥାନୀୟ ଲୋକେ କହିଛନ୍ତି।
Solo travel: ନିର୍ଜନତାରେ ନିଆରା ଆନନ୍ଦ: ସୋଲୋ ଟ୍ରିପ୍
Gadgets in Focus: ଫୋକସ୍ରେ ଗ୍ୟାଜେଟ୍: ଆଇଫୋନ୍ ଭଳି ଦାମୀ ଚୀନା ଫୋନ୍
ଗଙ୍ଗୁଆ ପୂର୍ବ ପାର୍ଶ୍ବରେ ଶିଶୁପାଳଗଡ଼ପଞ୍ଚାୟତ ଅଞ୍ଚଳରେ ମଧ୍ୟ ନଦୀ ଶଯ୍ୟା ପୋତା ହୋଇ ଘର ଓ ରାସ୍ତା ତିଆରି ହୋଇଛି। ବିଏମ୍ସି ୱାର୍ଡ ୧୯ ଅଧୀନ ପାଣ୍ଡରା ଛକରେ ଗଙ୍ଗୁଆ ପଠା ପୋତି ମନ୍ଦିର ତିଆରି ହୋଇଥିଲା। ଏବେ ସେଠାରେ ଘର ଓ ଦୋକାନ ଘର ଗଢ଼ି ଉଠିଲାଣି। ଗଙ୍ଗୁଆ ଶଯ୍ୟାରେ ପିଲର୍ ପକାଇ ଜବରଦଖଲ ହୋଇଛି। ସ୍ଥାନୀୟ ଅଧିବାସୀ ତଥା ଆଇନଜୀବୀ ଅନ୍ତର୍ଯ୍ୟାମୀ ବିଶ୍ବାଳ କହନ୍ତି ଗଙ୍ଗୁଆ ନଦୀର ଉଭୟପାର୍ଶ୍ୱ ପଠା ଜବରଦଖଲ ହୋଇସାରିଛି। ଗଙ୍ଗୁଆ ଜବରଦଖଲ ନେଇ ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ କହନ୍ତି ଏନେଇ ସାଧାରଣ ପ୍ରଶାସନ ବିଭାଗକୁ ଜଣାଇବୁ। ତେବେ ଘଟଣା ସମ୍ପର୍କରେ ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/04/untitled-5-2025-12-04-07-26-58.jpg)