ବାଲିଅନ୍ତା: ବର୍ଷାଦିନେ ଖୁବ୍‌ ବିରକ୍ତ କରୁଥିଲା କାଦୁଅ ପଚପଚ ଗାଁ ଦାଣ୍ଡ। ମଇଳା ପାଣି ବହିଯାଉଥିଲା। ଘରୁ ଗୋଡ଼ କାଢ଼ିବାକୁ ଇଚ୍ଛା ହେଉ ନଥିଲା। କିନ୍ତୁ କୁନି ପିଲାମାନଙ୍କର ସେଥିପ୍ରତି ନିଘା ନଥିଲା। କିଏ କାଗଜଡଙ୍ଗା ଭସାଇ ଖୁସିରେ ନାଚି ଉଠୁଥିଲା ତ କିଏ ବାଲିରେ ଗୋଡ଼ ପୂରାଇ ବାଲିଘର ଗଢ଼ିଦେଉଥିଲା। ଜଣେ ଦୁଷ୍ଟ ପିଲା ବାଲିଘର ଭାଙ୍ଗିଦେବାରୁ କାନ୍ଦୁଥିଲା ପିଲାଟା। ବାପାମାଆ ଆକଟ କରି ଡାକ ପକାଉଥିଲେ, ‘ଆ, ଆଉ ଓଦା ହ ନା, ଜରରେ ପଡ଼ିବୁ।’ କିନ୍ତୁ କିଏ ଶୁଣୁଛି! ସେମିତି କାଦୁଅ ସରସର ହୋଇ ଚାଲିଥିଲା ଗାଁ ଦାଣ୍ଡରେ ଏମୁଣ୍ଡରୁ ସେମୁଣ୍ଡ ଯାଏଁ ନାନା ପ୍ରକାରର ପିଲାଙ୍କ ଖେଳ। ବର୍ଷାଦିନ ପରେ ସବୁ ଅପରାହ୍ଣରେ ଗାଁ ଦାଣ୍ଡରେ ବସୁଥିଲା ପିଲାଙ୍କ ମେଳା। କୋଉଠି କିତିକିତି, କୋଉଠି ବୋହୂଚୋରି, କୋଉଠି ଡାବଳପୁଆ, କୋଉଠି ଝିଅପିଲାଙ୍କ ଖୁଣ୍ଟେଇ ଓ ଖପରା ଡିଆଁ ଖେଳ ଚାଲୁଥିଲା। କିନ୍ତୁ ଆଜିର ଚିତ୍ର ପୂରା ଅଲଗା। ଗାଁ ଦାଣ୍ଡ ଏମୁଣ୍ଡରୁ ସେମୁଣ୍ଡ କଂକ୍ରିଟ୍‌। ଆଉ କାଦୁଅ ନାହିଁ। ସହରର ଗଳିକନ୍ଦିରେ ଯେମିତି ପକ୍କା କି ପିଚୁ ରାସ୍ତା, ଗାଁରେ ସେମିତି। ରାତି ହେଲେ ବି ଅନ୍ଧାର ନାହିଁ, ସହରର ଷ୍ଟ୍ରିଟ୍‌ ଲାଇଟ୍‌ ଭଳି ଗାଁ ଦାଣ୍ଡରେ ଜଳୁଛି ଏଲ୍‌ଇଡି ବିଜୁଳିବତି। ମାତ୍ର ପରିତାପର କଥା, ବାଲିଘର ଓ ବାଲିଖେଳର ମୃତ୍ୟୁ ହୋଇଯାଇଛି। କଂକ୍ରିଟ୍‌ ଦାଣ୍ଡରେ ବାଲିଖେଳ ଓ ବାଲିଘର ଶେଷନିଃଶ୍ବାସ ଛାଡ଼ିସାରିଛନ୍ତି। ସେହିଭଳି ସ୍ମାର୍ଟଫୋନ୍‌ ତଥା ଡିଜିଟାଲ ଜଗତ ପିଲାମାନଙ୍କ ନୂଆ ସାଙ୍ଗ ପାଲଟିଛି ଏବଂ ଗାଁ ଓ ସାହିର ସାଙ୍ଗସାଥୀମାନେ ଦୂରେଇ ଯାଇଛନ୍ତି। ଏହା କେବଳ ପିଲାଙ୍କ କଥା ନୁହେଁ, ବୟସ୍କ ପୁରୁଷ ଓ ମହିଳାମାନଙ୍କ କ୍ଷେତ୍ରରେ ବି ଏମିତି ଅବସ୍ଥା। ପୁରୁଷମାନଙ୍କ ପଶାଖେଳ ନାହିଁ କି ମହିଳାମାନଙ୍କ କଉଡ଼ିଖେଳ ନାହିଁ।

Advertisment

Doctor Advice: ଶ୍ବାସ ରୋଗ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ, ଏ ନେଇ କ’ଣ କୁହନ୍ତି ଡାକ୍ତର...

    
ଆଜିକାଲି ଗାଁ ବାଳିକାମାନେ ବେଶି ପ୍ରଭାବିତ। ସେମାନଙ୍କ ପୁରୁଣା ଖେଳ ଆଉ ନାହିଁ। ପୁଅ ପିଲାମାନେ କ୍ରିକେଟ୍‌ ଖେଳରେ ମାତିଯାଉଛନ୍ତି। ମାତ୍ର ଗାଁ ଝିଅମାନଙ୍କ ଖେଳ ଆଉ ନାହିଁ। ସେତେବେଳେ ଗାଁ ଦାଣ୍ଡରେ ଝିଅପିଲାଙ୍କ ଖପରାଡିଆଁ ଓ ଖୁଣ୍ଟେଇ ଖେଳ ବେଶ୍‌ ଜମୁଥିଲା। ବାଲି ଉପରେ ଖପରାରେ ଗାର କାଟି ଘର କରାଯାଉଥିଲା ଏବଂ ଝିଅଟିଏ ଗୋଟିଏ ଗୋଡ଼ରେ ଡେଇଁ ଖପରାକୁ ଏଘରରୁ ସେଘରକୁ ନେଉଥିଲା। ସେଥିରେ ପୁଣି ରାହାଧରି କିତିକିତି ହେଉଥିଲା। କୋଉଠି କୋଉଠି ଆଞ୍ଚୁ ଆଞ୍ଚୁ ଭଳି ରାହା ବି ଥିଲା। ରାହା ସରିଗଲେ କି ଖପରାଟି ଗାର ଉପରେ ରହିଗଲେ, ଡେଉଁଥିବା କୁନି ଝିଅଟି ଆଉଟ ହୋଇଯାଉଥିଲା। ଅନ୍ୟଝିଅମାନେ ତାଳିମାରି ନାଚି ଉଠୁଥିଲେ। ସେମିତି କୁନିକୁନି ପିଲାଙ୍କ ଷଢ଼େଇ ଖେଳ ବି କିଛି କମ୍‌ ମଜାଦାର ନଥିଲା। ବାଲିରେ ଚୁଲି ହେଉଥିଲା ଏବଂ ଷଢ଼େଇ ହାଣ୍ଡିରେ ବାଲି ରଖି ତାକୁ ଭାତ, ତରକାରୀ କରାଯାଉଥିଲା। ଅନାବନା ପତ୍ରରେ ବାଲିଭାତ ଓ ବାଲି ତରକାରୀ ବଢ଼ାହେଉଥିଲା। ବୋହୂଚୋରି ଖେଳ ବି ଖୁବ୍ ଜମୁଥିଲା। ଦାଣ୍ଡରେ ଧୂଳି ବାଲି ଉପରେ ଗାର କଟା ହୋଇ ଘର କରାଯାଉଥିଲା। ଗୋଟିଏ ଘରେ ବୋହୂ ରହୁଥିଲା। ଆର ଘରେ କିଛି ପିଲା ବୋହୂକୁ ଜଗି ରହୁଥିଲେ। ଘର ବାହାରେ ଅନ୍ୟପିଲାମାନେ ବୋହୂକୁ ଛୁଇଁଦେବା ପାଇଁ ଛକି ରହୁଥିଲେ। ବୋହୂ ଘର ଭିତରୁ ବାହାରି ଆର ଘର ଭିତରକୁ ଗଲାବେଳେ ଛକିଥିବା ଖେଳାଳି ଛୁଇଁ ଦେବାକୁ ଉଦ୍ୟମ କରୁଥିଲେ। କେହି ଛୁଇଁଦେଲା ତ ବୋହୂ ଦଳ ବୋଝ ଖାଉଥିଲେ। ସେହିଭଳି ମହିଳାମାନଙ୍କ ଖେଳର କଥା। ଢୁ ଢୁ ବର୍ଷଣମୁଖର ଦିପହର ହେଉ କି ମୁଣ୍ଡଫଟା ଖରାଦିନର ଅପରାହ୍ଣ ହେଉ, ଘର ପିଣ୍ଡାରେ ମହିଳା ଓ ଯୁବତୀମାନେ ବାଘ ବଜାରି ଓ କଉଡ଼ି ଖେଳରେ ମାତି ଯାଉଥିଲେ। ସେମିତି କିଶୋର ବୟସର ବାଳକମାନଙ୍କ ଚୋର ପୁଲିସ ଖେଳ ବି କିଛି କମ୍‌ ମଜାଦାର ନଥିଲା। ବର୍ଷା ସରୁସରୁ ଗାଁରେ ଘୂରିବୁଲୁଥିଲା ନଟୁ ଓ ଗଡ଼ୁଥିଲା ବାଟି। ବାଟି ଖେଳରେ ପଛରେ ପଡ଼ିଯାଉଥିିବା ପିଲାଟି କହୁଣୀ ଖାଇ କାନ୍ଦି ପକାଉଥିଲା। ଜରି ଓ କାଗଜଗୁଡ଼ା ବଲ୍‌ରେ ଉପରକୁ ଉପର ଖଞ୍ଜା ହୋଇଥିବା ଷଢ଼େଇ ଟାୱାର୍‌କୁ ଭାଙ୍ଗି ନିଆରା ପ୍ରକାରର ବାସ୍କେଟ୍‌ବଲ୍‌ ଖେଳ ହେଉଥିଲା। ଡାଗରପୁଆ ଖେଳର ମଜା ନିଆରା। ଗୋଟିଏ ଛୋଟ କାଠିର ଦୁଇମୁଣ୍ଡକୁ ମୁନିଆ କରି ପୁଆ ତିଆରି ହେଉଥିଲା। ଆଉ ଗୋଟିଏ ଫୁଟିକିଆ(ଏକଫୁଟ୍‌ ଲମ୍ବର) କାଠିରେ ପୁଆକୁ ବାଡ଼େଇ ଖେଳ ହେଉଥିଲା। ଏକଲ ଏକା, ଦୁକୁଲୁ ଦୁକା, ତିକିଲି ତିକା ଭଳି ଡାକ ଶୁଭୁଥିଲା ଡାବଳକାଠିରେ ପୁଆକୁ ମାରୁଥିବା ଖେଳାଳି ମୁହଁରୁ। ଏମିତି ବହୁ ବେନାମୀ ଖେଳ ଆଜି ଗାଁ ଦାଣ୍ଡରୁ ହଜିଯାଇଛି। ଗାଁ ଦାଣ୍ଡରୁ ଧୂଳି ବାଲି ହଜିଯିବା ପରେ ସେଦିନର ପିଲାଙ୍କ ଖେଳ ସବୁର ଅନ୍ତ ହୋଇଯାଇଛି।

Gokhibaba's immense: ଗୋଖିବାବାଙ୍କ ଅପାର ମହିମା, ନଡ଼ିଆ ଯାଚିଦେଲେ ମିଳିଯାଏ ହଜିଥିବା ଜିନିଷ

 
ଏବେ ପିଲାଙ୍କ ସାଥୀ ସ୍ମାର୍ଟଫୋନ୍‌ ହିଁ ସବୁ କିଛି। ସେତେବେଳେ ଜଣେ ସ୍କୁଲ୍‌ରୁ ଫେରୁଫେରୁ ଘରେ ବ୍ୟାଗ୍‌ ବସ୍ତାନି ଫୋପାଡ଼ି ଗାଁ ଦାଣ୍ଡକୁ କି ଖେଳପଡ଼ିଆକୁ ଧାଇଁ ଯାଉଥିଲା। କିନ୍ତୁ ଏବେ ପିଲାଟି ଟ୍ୟୁସନ୍‌କୁ ଧାଉଁଛି, କିମ୍ବା ସ୍ମାର୍ଟଫୋନ୍‌ ଧରି ବସିପଡ଼ୁଛି ସଂଜ ବୁଡ଼ିବା ପର୍ଯ୍ୟନ୍ତ। ସେମିତି ବୟସ୍କ ମହିଳାମାନଙ୍କ ଭିତରେ ବି ଆଉ ସେଦିନର ଆପଣାପଣ ନାହିଁ। ଯିଏ ଯାହା ଘରେ ବସି ମୋବାଇଲ୍‌ରେ ବ୍ୟସ୍ତ। ଟିଭି ଦେଖା ବି କମିଯାଇଛି। ୟୁଟ୍ୟୁବ୍‌ରେ ପାଲା, ଦାସକାଠିଆ ସାଙ୍ଗକୁ କମେଡି ଦେଖାହେଉଛି। ରିଲ୍‌ସ ନ ଦେଖିଲେ ତ ନିଦ ହେଉନି।