ଖଣ୍ଡଗିରି: ଅଗ୍ନିଶମ କର୍ମଚାରୀମାନଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ତାଲିମ୍‌ ପ୍ରଦାନ କରାଯିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ପାଣିରେ ଘଟୁଥିବା ଦୁର୍ଘଟଣାରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏବେ ଏକ ସ୍ୱତନ୍ତ୍ର ତାଲିମ୍‌ କାର୍ଯ୍ୟକ୍ରମ (ଅଣ୍ଡର ଓ୍ଵାଟର୍‌ ଟ୍ରେନିଂ) ଆରମ୍ଭ ହେବ। ସେହିଭଳି ଅଗ୍ନି ନିର୍ବାପକ ବ୍ୟବସ୍ଥା ଉପରେ ଜାଣିବାକୁ ବା ଶିକ୍ଷା ଗ୍ରହଣ କରିବାକୁ ଆଗ୍ରହୀ ଯୁବକମାନଙ୍କ ପାଇଁ ମଧ୍ୟ ବିଭାଗ ପକ୍ଷରୁ ସ୍ୱଳ୍ପ ଖର୍ଚ୍ଚରେ ଏକ ମାସିକିଆ ତାଲିମ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ତାଲିମ୍‌ପ୍ରାପ୍ତ ଯୁବକମାନେ ବିଭିନ୍ନ ବଡ଼ ବଡ଼ ସଂସ୍ଥାରେ ଫାୟାର୍‌ ସେଫ୍‌ଟି ସୁପରଭାଇଜରଭାବେ ନିଯୁକ୍ତି ପାଇପାରିବେ। ଆଜି ବରମୁଣ୍ଡାସ୍ଥିତ ଫାୟାର୍‌ ଆଣ୍ଡ ଡିଜାଷ୍ଟାର ରେସପନ୍‌ସ ଏକାଡେମିରେ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ଅବସରରେ ଡିଜିପି (ଫାୟାର) ବିଜୟ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି।

Advertisment

ପ୍ରତିବର୍ଷ ଏପ୍ରିଲ୍‌ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ଅଗ୍ନିଶମ ସୁରକ୍ଷା ସପ୍ତାହ ଅବସରରେ ଆଜି ପ୍ରଥମ ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଇଥିଲା। ୨୦୧୭-୧୮ ବର୍ଷରେ ଏହି ବିଭାଗର ସହିଦ ହୋଇଥିବା ୨୦ ଜଣଙ୍କ ସ୍ମୃତିରେ ଆଜି ଡିଜିପି ଶ୍ରୀ ର୍ଶମା ସହିଦ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଓ ଏଥିପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର ପରେଡ୍‌ରେ ସେ ଅଭିବାଦନ ଗ୍ରହଣ କରିଥିଲେ। ପୁଲଗାଁସ୍ଥିତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟର ୧୩ ଜଣ ଅଗ୍ନିକ ସହିଦଙ୍କ ସମେତ ଝାଡ଼ଖଣ୍ଡର ୩ ଓ ଦିଲ୍ଲୀର ୪ଜଣଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହି ଅବସରରେ ବିଭାଗ ପକ୍ଷରୁ ନିଆଯାଉଥିବା କିଛି ସଂସ୍କାରମୂଳକ ପଦକ୍ଷେପ ଉପରେ ଡିଜିପି ଶ୍ରୀ ଶର୍ମା କହିଲେ ଯେ ଖୁବ୍‌ ଶୀଘ୍ର ଅଣ୍ଡର ଓ୍ଵାଟର ଟେନିଂ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଏକ ସ୍ୱତନ୍ତ୍ର ପୁଷ୍କରିଣୀ ଖନନ କରାଯିବ ଓ ସେଠାରେ ଅଗ୍ନିକମାନଙ୍କୁ ପାଣିରେ ଘଟୁଥିବା ଦୁର୍ଘଟଣାଜନିତ ସୁରକ୍ଷା ଉପରେ ତାଲିମ୍‌ ପ୍ରଦାନ କରାଯିବ। ସେହିଭଳି ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ୧୦୦ ରୁମ୍‌ ବିଶିଷ୍ଟ ହୋଟେଲ୍‌, ବଡ଼ ବଡ଼ ମଲ୍‌ ଓ ୩୦/୪୦ ମିଟର ଉଚ୍ଚ ବିଶିଷ୍ଟ ଆପାର୍ଟମେଣ୍ଟର ଅଗ୍ନିକାଣ୍ଡ ଜନିତ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ତାଲିମ୍‌ କାର୍ଯ୍ୟକ୍ରମ(ଫାୟାର୍‌ ସେଫ୍‌ଟି ସୁପରଭାଇଜର ଟ୍ରେନିଂ) ଆୟୋଜନ କରାଯିବ। ଇଛୁକ ଯୁବକମାନେ କମ୍‌ ଖର୍ଚରେ ଏକ ମାସିକିଆ ବା ତଦୁର୍ଦ୍ଧ୍ୱ ତାଲିମ୍‌ ନେଇ ପ୍ରମାଣପତ୍ର ପାଇବେ ଓ ସେମାନେ ବିଭିନ୍ନ ବଡ଼ ବଡ଼ ସଂସ୍ଥାରେ ଫାୟାର୍‌ ସେଫ୍‌ଟି ସୁପରଭାଇଜର୍‌ ଭାବେ ନିଯୁକ୍ତି ପାଇପାରିବେ। ନଚେତ୍‌ ଫାୟାର୍‌ ସେଫ୍‌ଟି ସୁପରଭାଇଜର ନଥିବା ସଂସ୍ଥାମାନଙ୍କୁ ଏଣିକି ଫାୟାର୍‌ ସେଫ୍‌ଟି ପ୍ରମାଣପତ୍ର ଦିଆଯିବ ନାହିଁ ବୋଲି ସେ ସୂଚନା ଦେଇଥିଲେ।