ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ଗୁରୁବାର ପବିତ୍ର ଫଗୁ ଦଶମୀ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଫଗୁ ଲାଗି କରାଯିବ ଏବଂ ଆରମ୍ଭ ହେବ ଶ୍ରୀଲିଙ୍ଗରାଜଙ୍କ ଭୋଗଖିଆ ପର୍ବ। ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀଲିଙ୍ଗରାଜ ବିଭିନ୍ନ ମନ୍ଦିର ଓ ସାହି ବୁଲି ଭୋଗ ଖାଇବେ। ଦୋଳବିମାନରେ ପ୍ରଭୁ ପରିଭ୍ରମଣ କରିବା ଅବସରରେ ସବୁଠି ଫଗୁ ଲାଗି କରାଯିବ। ଏନେଇ ଏକ ପ୍ରସ୍ତୁତି ବୈଠକ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ମୋକ୍ଷ ପରେ ମହାପ୍ରଭୁ ରାତି ୮ଟାରେ ଦୋଳମଣ୍ଡପକୁ ବିଜେ କରିବେ ଓ ରାତି ୧୨ଟା ସୁଦ୍ଧା ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏଥିପାଇଁ ଦୋଳମଣ୍ଡପକୁ ରଙ୍ଗ କରାଯିବା ସହ ଲାଇଟ୍‌ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଠାକୁରଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ସମୟରେ ବଚନିକାରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଂଶଗ୍ରହଣ କରିବେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି।

Advertisment

Crypto: କ୍ରିପ୍ଟୋରେ ବିନିଯୋଗ ନାଁରେ ସାଢ଼େ ୩ କୋଟି ଠକେଇ: ଅଭିଯୁକ୍ତକୁ ବାନ୍ଧିଲା ଛେଣ୍ଡ ପୁଲିସ, ଦେଶରେ ରହିଛି ମୋଟ ୯୬ ମାମଲା

 
ଫଗୁ ଦଶମୀ ଅବସରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଫଗୁ ଲାଗି କରାଯିବା ସହ ମନ୍ଦିରରେ ପୂଜା ପାଉଥିବା ସମସ୍ତ ଦେବଦେବୀଙ୍କୁ ମଧ୍ୟ ଫଗୁ ଲାଗି କରାଯିବ। ଆସନ୍ତା ଶୁକ୍ରବାରଠାରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁ ମା’ ପାର୍ବତୀ, ମା’ ଦୁର୍ଗା, ଶ୍ରୀବସୁଦେବଙ୍କ ସଙ୍ଗେ ବିଭିନ୍ନ ସ୍ଥାନକୁ ଭୋଗ ଖାଇବାକୁ ଯିବେ। ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମାକୁ ଭଣ୍ଡାର ଘରୁ ଅଣାଯାଇ ପାଲିଙ୍କି ଓ ବିମାନରେ ଦେବଦେବୀଙ୍କୁ ବିରାଜମାନ କରାଯାଇ ବିଭିନ୍ନ ସ୍ଥାନରେ ଫଗୁ ଲାଗି କରାଯିବ। ଶୁକ୍ରବାର ଏକାଦଶୀ ତିଥିରେ ଶ୍ରୀଲିଙ୍ଗରାଜ ତାଙ୍କ ଭଉଣୀଘର ବଢ଼େଇବାଙ୍କ ନିକଟ ବଡ଼ମଠରେ ପୂଜା ପାଉଥିବା ମା’ କାମାକ୍ଷା ଠାକୁରାଣୀଙ୍କ ପାଖକୁ ଯିବେ।

Ignoring: କୀର୍ତ୍ତିରାଜିକୁ ଅଣଦେଖା

ଶନିବାର ଦ୍ୱାଦଶୀ ତିଥିରେ ଦେବଦେବୀ ତିନିମୁଣ୍ଡିଆ ଛକ ନିକଟ କପାଳୀ ଠାକୁରାଣୀଙ୍କ ପାଖକୁ ଯିବେ। ରବିବାର ତ୍ରୟୋଦଶୀ ତିଥିରେ ପରକରଣସାହି, ଜମ୍ଭେଶ୍ୱର ମନ୍ଦିର ନକଟକୁ ଯିବେ। ସେହିପରି ସୋମବାର ଚତୁର୍ଦଶୀ ତିଥିରେ ବାଟ କୂଅ ମୁହଁ ବଡ଼ୁସାହିକୁ ଭୋଗ ଖାଇବାକୁ ଯିବେ। ବାଟରେ ମହାଖଳା ନିକଟରେ ଅଗ୍ନି ଉତ୍ସବ ଅନୁଷ୍ଠିତ ହେବ। ମଙ୍ଗଳବାର ଦୋଳ ପୂର୍ଣ୍ଣିମା ତିଥିରେ ରଥଖଳାଠାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ସର୍ବସାଧାରଣଙ୍କ ଭୋଗ ଖାଇବେ। ସେଠାରେ ମହାପ୍ରଭୁ ଦୋଳିରେ ଝୁଲୁଥିବା ବେଳେ ଭକ୍ତମାନେ ଫଗୁ ଲାଗି କରିବେ।