ତୁଷାରପାତ କାଳ ସଙ୍କୁଚିତ କରି ଏବଂ କାଲୁଆ ଥଣ୍ଡାକୁ ଆହୁରି ଉତ୍ତରାଞ୍ଚଳ ଆଡ଼କୁ ଠେଲି ସମ୍ପ୍ରତି ଶୀତ ଋତୁରେ ଉତ୍ତାପ ପ୍ରଖର ବେଗରେ ବୃଦ୍ଧି ପାଉଥିବା କଥା ବୈଜ୍ଞାନିକମାନେ ଚେତାଇ ଦେଲେଣି। ସେମାନଙ୍କ କଥା ଯେ ସତ ତାହା ଇଟାଲୀୟ ନଗରୀ ମିଲାନ୍‌ ଓ କୋର୍ଟିନା ଡାମ୍ପେଜ୍ଜୋରେ ବାରିହୋଇ ପଡ଼ିଲାଣି। 
ଏଥର ଶୀତକାଳୀନ ଅଲିମ୍ପିକ୍‌ ଖେଳ ଆୟୋଜନ କରୁଥିବା ଇଟାଲି ପାଇଁ ସବୁଠୁ ବଡ଼ ଅସୁବିଧା ହେଉଛି କ୍ରମଶଃ ବିଶ୍ବରୁ ଅପସରି ଯାଉଥିବା ଶୀତ ଋତୁ। ଜଳବାୟୁ ପରିବର୍ତ୍ତନଜନିତ ଏ ଅସୁବିଧା ଏବେ ଶୀତକାଳୀନ ଅଲିମ୍ପିକ୍‌ସ କେଉଁ ସ୍ଥାନରେ ଆୟୋଜନ କରାଯାଇ ପାରିବ, କେମିତି ଆୟୋଜନ କରାଯାଇପାରିବ ଏବଂ ଏ ବିଶ୍ବ କ୍ରୀଡ଼ା ନିମନ୍ତେ ଆବଶ୍ୟକ ପ୍ରାକୃତିକ ତୁଷାର ଯଥେଷ୍ଟ କି ନାହିଁ ତା’ର ରୂପରେଖ ପୁନଃନିର୍ଦ୍ଧାରଣ କରୁଛି।

Advertisment

Explosion in Kabul, 7 dead: କାବୁଲରେ ବିସ୍ଫୋରଣ, ୭ ମୃତ

ବିଶ୍ବ ତାପମାତ୍ରା ନିରନ୍ତର ବୃଦ୍ଧି ପାଉଥିବା ବେଳେ ୨୦୨୫ ସବୁଠୁ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ କରିଛି ବୋଲି ବିଶ୍ବ ପାଣିପାଗ ସଂସ୍ଥାନର ଆକଳନରୁ ଜଣାପଡ଼ିଛି। ଫେବ୍ରୁଆରି ୬ରୁ ୨୨ ପର୍ଯ୍ୟନ୍ତ ଇଟାଲିରେ ଶୀତକାଳୀନ ଅଲିମ୍ପିକ୍‌ କ୍ରୀଡ଼ା ‘ମିଲାନୋ କୋର୍ଟିନା ୨୦୨୬’ ଚାଲିବ। ଅବଶ୍ୟ ମିଲାନ୍‌ ଏବଂ ଆଲ୍‌ପାଇନ୍‌ ଭଳି କ୍ରୀଡ଼ା କ୍ଷେତ୍ରରେ ତୁଷାରପାତ ପରିସ୍ଥିତିରେ ଉନ୍ନତି ଘଟିଛି। କିନ୍ତୁ, ତାହା ହୋଇ ନ ଥିଲେ ଆୟୋଜକମାନେ କୃତ୍ରିମ ଉପାୟରେ ତୁଷାର ପ୍ରସ୍ତୁତ କରି କ୍ରୀଡ଼ାକ୍ଷେତ୍ର ନିମନ୍ତେ ତାହାକୁ ଗଚ୍ଛିତ ରଖିଥାଆନ୍ତେ। ତା’ଛଡ଼ା ପରୀକ୍ଷାମୂଳକ ଭାବେ ସେମାନେ କୃତ୍ରିମ ତୁଷାର କ୍ଷେତ୍ରରେ ସ୍କି ସ୍ଲୋପ୍‌ ଆଦି ଖୋଲି ଫଳାଫଳ ପର୍ଯ୍ୟବେକ୍ଷଣ କରୁଛନ୍ତି। 
କେବଳ ଇଟାଲି କାହିଁକି, ହିମାଳୟ ସମେତ ବିଶ୍ବବ୍ୟାପୀ ଚାରିଆଡ଼େ ଏଭଳି ଉତ୍ତାପ ବୃଦ୍ଧି ଧାରା ଅବ୍ୟାହତ ରହିଛି।

ଏଥର ଶୀତକାଳୀନ ଅଲିମ୍ପିକ୍‌ ଖେଳ ଆୟୋଜନ କରୁଥିବା ଇଟାଲି ପାଇଁ ସବୁଠୁ ବଡ଼ ଅସୁବିଧା ହେଉଛି କ୍ରମଶଃ ବିଶ୍ବରୁ ଅପସରି ଯାଉଥିବା ଶୀତ ଋତୁ।

ସେସବୁ ଅଞ୍ଚଳରେ ତୁଷାରପାତ ହ୍ରାସ ପାଉଥିବାରୁ ଜଳ ନିରାପତ୍ତା ଏବଂ ଶୀତକାଳୀନ ପର୍ଯ୍ୟଟନ ବିପର୍ଯ୍ୟସ୍ତ ହୋଇପଡ଼ିବା ଆଶଙ୍କା ସୃଷ୍ଟି ହେଲାଣି। ୱାଟର୍‌ଲୁ ବିଶ୍ବବିଦ୍ୟାଳୟରେ ଗବେଷକମାନେ କରିଥିବା ଜଳବାୟୁ ମଡେଲ୍‌ ମଧ୍ୟ ଦର୍ଶାଉଛି ଯେ ଯଦି ବିଶ୍ବ ତାପମାତ୍ରା ମାତ୍ର ୨ ଡିଗ୍ରି ସେଣ୍ଟିଗ୍ରେଡ୍‌ ବୃଦ୍ଧି ପାଏ ତେବେ ପରିସ୍ଥିତି ବିଗିଡ଼ିଯିବ। ଫଳରେ ପୂର୍ବରୁ ଶୀତକାଳୀନ ଅଲିମ୍ପିକ୍‌ସ ଆୟୋଜନ କରୁଥିବା ନଗରୀଗୁଡ଼ିକରୁ ମାତ୍ର ଅର୍ଦ୍ଧେକ ଏହି କ୍ରୀଡ଼ା ପାଇଁ ଅନୁକୂଳ ରହିବ। ହଠାତ୍‌ ଯଦି ଉତ୍ତାପ ୩ ଡିଗ୍ରି ସେଣ୍ଟିଗ୍ରେଡ୍‌ ବୃଦ୍ଧି ପାଏ, ତା’ହେଲେ ଶୀତକାଳୀନ ଅଲିମ୍ପିକ୍‌ସ କେବଳ ସମୁଦ୍ର ପତ୍ତନଠାରୁ ସୁଉଚ୍ଚ କ୍ରୀଡ଼ାକ୍ଷେତ୍ର ଅଥବା ସୁଦୂର ଉତ୍ତରାଞ୍ଚଳରେ ଆୟୋଜନ କରାଯାଇପାରିବ। 

Sambalpur University won: ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ହକି: ସମ୍ବଲପୁର ବିଶ୍ବବିଦ୍ୟାଳୟ ବିଜେତା

ଏଭଳି ପରିସ୍ଥିତି ହେବାକୁ ଆଉ ବେଶୀ ବିଳମ୍ବ ନାହିଁ। ଆଗରୁ ଶୀତକାଳୀନ ଅଲିମ୍ପିକ୍‌ସ ଆୟୋଜନ କରୁଥିବା ସମଗ୍ର ଇଉରୋପ୍‌ ଏବଂ ପୂର୍ବ ଏସିଆର ନଗରୀଗୁଡ଼ିକରେ ସମ୍ପ୍ରତି ଘନ ଘନ ଶୀତକାଳୀନ ବୃଷ୍ଟି, ତୁଷାର କ୍ଷୟ ଏବଂ ଅପେକ୍ଷାକୃତ ସ୍ବଳ୍ପ ଜାଡ଼ ପ୍ରବାହ ଘଟୁଛି। ଏଥିଯୋଗୁଁ ପ୍ରାକୃତିକ ତୁଷାର ବିକୃତ ହୋଇଯାଉଛି। ଆଂଶିକ ତରଳ ତୁଷାର, ତୁଷାର ଜମାଟ ଓ ତରଳ କ୍ରିୟାରେ ଘଟୁଥିବା ଅନିୟମିତତା ଏବଂ ନିଟାଣୁଆ ବରଫ ଚଟାଣ ଯୋଗୁଁ ଖେଳାଳିମାନେ ଆହତ ହେବାର ଆଶଙ୍କା ରହୁଛି। ଆଉ ଯାହା ହେଉ କି ନ ହେଉ, ଏ ବିକୃତ ତୁଷାର କ୍ଷେତ୍ରରେ ଆଲ୍‌ପାଇନ୍‌ ସ୍କି, ସ୍କି ଜମ୍ପ୍‌ ଓ ବାୟାଥ୍ଲୋନ୍‌ କ୍ରୀଡ଼ା ନିଶ୍ଚୟ ପ୍ରଭାବିତ ହେବ।
ପ୍ରାକୃତିକ ତୁଷାର ଆଉ ନିର୍ଭରଯୋଗ୍ୟ ହୋଇ ପାରୁ ନ ଥିବାରୁ ଏ ଶୀତକାଳୀନ କ୍ରୀଡ଼ା ଉଜ୍ଜୀବିତ ରଖିବାକୁ ଏବେ କୃତ୍ରିମ ତୁଷାର ହିଁ ଏକମାତ୍ର ଭରସା। କିନ୍ତୁ, କୃତ୍ରିମ ତୁଷାର ତିଆରି କରିବା ଲାଗି ବିପୁଳ ଜଳ ଓ ବିଜୁଳି ଶକ୍ତି ଲୋଡ଼ା। ଏ ଦୁଇଟିଯାକ ଉପାଦାନ ଉପଯୋଗ କରାଗଲେ ତଜ୍ଜନିତ ଅସୁବିଧା ବି ସୃଷ୍ଟି ହେବ। ବିଶେଷଜ୍ଞମା‌ନେ ସାବଧାନ କରାଇଦେଇଛନ୍ତି ଯେ ବିପୁଳ ପରିମାଣର ତୁଷାର ଉତ୍ପାଦନ କରିବା ଦ୍ବାରା ପାର୍ବତ୍ୟ ପରିସଂସ୍ଥାନ, ବିଶେଷକରି ଜଳ ସଙ୍କଟ ଥିବା ଅଞ୍ଚଳ ଭାରାକ୍ରାନ୍ତ ହୋଇପଡ଼ିବ।