ଭୁବନେଶ୍ୱର: ବର୍ତ୍ତମାନର ସରକାର ହୁଅନ୍ତୁ ଅଥବା ସାଧାରଣ ଲୋକ ଏଭଳି କୌଣସି କାର୍ଯ୍ୟ ନକରନ୍ତୁ ଯାହାଦ୍ୱାରା ପ୍ରାକୃତିକ ସମ୍ୱଳ ନଷ୍ଟ ହେବ। ସମ୍ୱଳ ଅସରନ୍ତି ନୁହେଁ। ତେଣୁ ଏହା ଏପରି ଭାବରେ ବ୍ୟବହାର ହେବା ଦରକାର ଯେ ପରବର୍ତ୍ତୀ ପିଢ଼ି ମଧ୍ୟ ଏହାର ବିନିଯୋଗ କରିପାରିବେ। ଓଡ଼ିଶା ପରିବେଶ କଂଗ୍ରେସ ତରଫରୁ ତଥା ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟ ଓ ସକ୍ରେଟିସ୍ ଫାଉଣ୍ଡେସନର ସହଭାଗିତାରେ ଆୟୋଜିତ ‘ଓଡ଼ିଶା ଶିଶୁ ଓ ଯୁବ ପରିବେଶ କଂଗ୍ରେସ’ର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି କେରଳ ସରକାରଙ୍କ ପୂର୍ବତନ ମୁଖ୍ୟ ବନ୍ୟ ସଂରକ୍ଷକ ପ୍ରକୃତି ଶ୍ରୀବାସ୍ତବ ଏଭଳି କହିଛନ୍ତି।
Road Accident: ରାସ୍ତାରେ ମାଡ଼ିଗଲା ମୃତ୍ୟୁ... ଟ୍ରାକ୍ଟର ଦୁର୍ଘଟଣାରେ ୫ ବର୍ଷ ଶିଶୁର ଚାଲିଗଲା ଜୀବନ
ସମ୍ମାନିତ ଅତିଥି ତଥା ‘ସମ୍ୱାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ଜୀବନଧାରଣ ପାଇଁ ପୃଥିବୀ ଏକମାତ୍ର ଗ୍ରହ। ତେଣୁ ଏହାର ସୁରକ୍ଷା ପାଇଁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି କହିଥିଲେ। ପରିବେଶର ସୁରକ୍ଷା ପାଇଁ ଆମେ ସମସ୍ତେ ଯେ ବଡ଼ବଡ଼ କାମ କରିବା ତାହା ନୁହେଁ ବରଂ ଛୋଟ ଛୋଟ ଉଦ୍ୟମ ମଧ୍ୟ ବିରାଟ ପରିବର୍ତ୍ତନ ଆଣିପାରିବ ବୋଲି ସେ କହିଥିଲେ। ଶିଶୁମାନଙ୍କୁ ପରିବେଶ ସୁରକ୍ଷା ପାଇଁ ଉଦ୍ୟମ କରିବାକୁ ସେ ପ୍ରେରଣା ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ସିଵାଇଏସ୍ଡିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ନିଜର ପ୍ରିୟଜନଙ୍କୁ ଆମେ ଯେମିତି ସୁରକ୍ଷିତ ରଖିବାକୁ ଚାହୁଁ, ସେହିପରି ପ୍ରକୃତିକୁ ମଧ୍ୟ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି କହିଥିଲେ। ପରିବେଶବିତ୍ ସେବା ମହାପାତ୍ର ପରିବେଶ ସୁରକ୍ଷାରେ ସେମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ। ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ ଆଜିର ଯୁବପିଢ଼ି ହିଁ ଏହି ଗ୍ରହକୁ ସୁରକ୍ଷିତ ରଖିପାରିବେ ବୋଲି କହିଥିଲେ। ସକ୍ରେଟିସ୍ ଫାଉଣ୍ଡେସନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦେବଜିତ୍ ମିତ୍ର ଛୋଟପିଲା ଓ ଯୁବପିଢ଼ିଙ୍କୁ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ପରିବେଶ ମନସ୍କ କରାଇବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସଂଗ୍ରହାଳୟର ମୁଖ୍ୟ ବୈଜ୍ଞାନିକ ଗୌରବ ସଭାପତିତ୍ୱ କରି ପରିବେଶ ସୁରକ୍ଷା ପାଇଁ ପ୍ରଶ୍ନ ପଚାରିବାକୁ ହେବ ବୋଲି କହିଥିଲେ। ପରିବେଶ କଂଗ୍ରେସର କାର୍ଯ୍ୟକାରୀ ସମ୍ପାଦକ ସୁଦର୍ଶନ ଦାସ ଧନ୍ୟବାଦ ଦେଇଥିଲେ। ସଂଯୋଜକ ନିରଦ ବରଣ ଖୁଣ୍ଟିଆ ଓ ସଚ୍ଚିକାନ୍ତ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଚିତ୍ରାଙ୍କନ, ତର୍କ, ରଚନା ଆଦି ପ୍ରତିଯୋଗିତା ଓ ଗାର୍ଲସ ଜୁରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ଆସିଥିବା ୨୫ ଜଣ ଛାତ୍ରୀ ବିଚାରକ ଭାବେ ବିଶେଷଜ୍ଞମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ମାନବାଧିକାର କର୍ମୀ କସ୍ତୁରୀ ମହାପାତ୍ର, ଅନୁଷ୍ଠାନର ଅଧ୍ୟକ୍ଷ ଅରବିନ୍ଦ ବେହେରା, ରୀନା ରାଉତରାୟ ପ୍ରମୁଖ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ।
ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆଜି ଚାରିଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଜଳବାୟୁ ପରିବର୍ତ୍ତନ ଓ ଲିଙ୍ଗଗତ ସମସ୍ୟା ସମ୍ପର୍କିତ ଅଧିବେଶନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, ଆଇଏଫ୍ଏସ୍ ଅଫିସର ପଦ୍ମା ମହାନ୍ତି, ପ୍ରଫେସର ଲୁନା ସାମନ୍ତ, ନାଓର ସଭାପତି ବିଶାଖା ଭଞ୍ଜ ପ୍ରମୁଖ ଭାଗ ନେଇଥିଲେ। ‘ମହିଳାଙ୍କ ଅଧିକାର ଓ ପରିବେଶ ନ୍ୟାୟ’ ବିଷୟ ଉପରେ ଅନୁଷ୍ଠିତ ଅଧିବେଶନରେ ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ମୀତାଲି ଚିନାରା, ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ, ପ୍ରଫେସର ଶକ୍ତିକାନ୍ତ ରଥ, ସୁପ୍ରଭା ପଟ୍ଟନାୟକ, ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ‘ଗ୍ରିନ୍ ଜବ୍ ଓ ମହିଳାଙ୍କ ଯୋଗଦାନ’ ଶୀର୍ଷକ ଅଧିବେଶନରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କୁଳପତି ସୁପ୍ରିୟା ପଟ୍ଟନାୟକ, ଜୟକୃଷ୍ଣ ପାଣିଗ୍ରାହୀ, ରଶ୍ମି ଅଦେଲେଖ, ପ୍ରଫେସର ରାଜ କୁମାର ଯୋଶୀ ପ୍ରମୁଖ ଭାଗ ନେଇଥିଲେ। ‘ଆଦିବାସୀ ମହିଳା ଓ ପରିବେଶ ସଂରକ୍ଷଣ’ ସମ୍ପର୍କିତ ଅଧିବେଶନରେ ସାବରମତି, ‘ସମ୍ୱାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ, ପ୍ରଫେସର ତତ୍ତ୍ୱମାସୀ ପାଲଟାସିଂହ, ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ।
Follow Us