Jibana ra Jalachhabi: ଜୀବନର ଜଳଛବି: ଆଶ୍ରୟ

Advertisment

ରଣପୁର ପଞ୍ଚୁଦୋଳ ମେଲଣ ପଡ଼ିଆ ପାଖ ପବିତ୍ର ପୁଷ୍କରିଣୀ। ତା’ କୋଳରେ ଫୁଟିଥିବା ଦୁଇ ସଜ ନାଲିକଇଁ ଯେପରି ଅଦୂରର ମଣିନାଗ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଭେଟି ଦେଉଥିଲା। ତା’ର ସ୍ଥିର ଜଳରାଶିରେ ପ୍ରତିଫଳିତ ହେଉଥିଲା ପାହାଡ଼, ପାହାଡ଼ ପାଦଦେଶରେ ରାଜବାଟୀ ଏବଂ ପ୍ରାଚୀନ ଶ୍ରୀଜଗନ୍ନାଥ ମନ୍ଦିର।

ରଣପୁର ପଞ୍ଚୁଦୋଳ ମେଲଣ ପଡ଼ିଆ ପାଖ ପବିତ୍ର ପୁଷ୍କରିଣୀ। ତା’ କୋଳରେ ଫୁଟିଥିବା ଦୁଇ ସଜ ନାଲିକଇଁ ଯେପରି ଅଦୂରର ମଣିନାଗ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଭେଟି ଦେଉଥିଲା। ତା’ର ସ୍ଥିର ଜଳରାଶିରେ ପ୍ରତିଫଳିତ ହେଉଥିଲା ପାହାଡ଼, ପାହାଡ଼ ପାଦଦେଶରେ ରାଜବାଟୀ ଏବଂ ପ୍ରାଚୀନ ଶ୍ରୀଜଗନ୍ନାଥ ମନ୍ଦିର।

pp

Photograph: (sambad.in)

ଆଶ୍ରୟ

ଗୌରହରି ଦାସ

ରଣପୁର ପଞ୍ଚୁଦୋଳ ମେଲଣ ପଡ଼ିଆ ପାଖ ପବିତ୍ର ପୁଷ୍କରିଣୀ। ତା’ କୋଳରେ ଫୁଟିଥିବା ଦୁଇ ସଜ ନାଲିକଇଁ ଯେପରି ଅଦୂରର ମଣିନାଗ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଭେଟି ଦେଉଥିଲା। ତା’ର ସ୍ଥିର ଜଳରାଶିରେ ପ୍ରତିଫଳିତ ହେଉଥିଲା ପାହାଡ଼, ପାହାଡ଼ ପାଦଦେଶରେ ରାଜବାଟୀ ଏବଂ ପ୍ରାଚୀନ ଶ୍ରୀଜଗନ୍ନାଥ ମନ୍ଦିର। ଓକିଲ ଶ୍ରୀକାନ୍ତ କହୁଥିଲେ ରଣପୁରଗଡ଼ର ଜଗନ୍ନାଥ ମନ୍ଦିର କାଳେ ଓଡ଼ିଶାର ଦ୍ବିତୀୟ ପୁରାତନ ଜଗନ୍ନାଥ ମନ୍ଦିର। ମେଲଣ ପଡ଼ିଆର ମଝାମଝି ତିଆରି ହେଇଛି ସହିଦ ରଘୁଦିବାକରଙ୍କ ସ୍ମୃତିପୀଠ। ଚାରିପଟେ ବୁଲାବିକାଳିଙ୍କ କୋଳାହଳ। ମେଲଣ ପଡ଼ିଆରେ ଇତିହାସ ଆଉ ବର୍ତ୍ତମାନ ଯେପରି ପରସ୍ପରର କରମର୍ଦ୍ଦନ କରୁଥିଲେ।

ସିଦ୍ଧାର୍ଥ ପରିଡ଼ା ଜଣେ ସଂପର୍କୀୟଙ୍କର ଖଣ୍ଡେ ଜମିର ରେଜିଷ୍ଟ୍ରେସନ୍‌ ଲାଗି ରଣପୁର ଯାଇଥିଲେ। ସବ୍‌ରେଜିଷ୍ଟ୍ରାରଙ୍କ ଅଫିସ୍‌ ବାରନ୍ଦାରେ ବସିବାକୁ ଜାଗା ନାହିଁ। କର୍ମଚାରୀମାନଙ୍କର ମୋଟର ସାଇକେଲ୍‌, ସ୍କୁଟର ଓ ସାଇକେଲ୍‌ ବାରନ୍ଦାର ଜାଗାତକ ଦଖଲ କରିନେଇଛନ୍ତି। ଭଙ୍ଗା ବେଞ୍ଚ ଓ ହାତ ନ ଥିବା ଦିଇଟି ଚୌକି ଅବଶ୍ୟ ସେଠାରେ ପ୍ରାଗୈତିହାସିକ ଯୁଗର ଆସବାବପତ୍ର ପରି ପଡ଼ିଛି, ମାତ୍ର ତା’ ଉପରେ ପଡ଼ିଥିବା ଝାଡୁ, ପହଁରା ଓ ମଇଳା କନା ବସିବାକୁ ଚାହୁଥିବା ଲୋକଙ୍କୁ ବସିବାଲାଗି ବାରଣ କରନ୍ତି। ଓଡ଼ିଶାର ସବୁ ସରକାରୀ ଦପ୍ତରରେ ଊଣାଅଧିକେ ଏହି ଦଶା। ସେଠାରେ ରୁଚି କିମ୍ବା ସୌନ୍ଦର୍ଯ୍ୟବୋଧ ଖୋଜିବା ଅବା ଦପ୍ତରକୁ ଆସୁଥିବା ନାଗରିକମାନଙ୍କର ସ୍ବାଚ୍ଛନ୍ଦ୍ୟ ପ୍ରସଙ୍ଗ ଚିନ୍ତା କରିବା ଲଙ୍କାରେ ହରିଶବ୍ଦ।

ଆହୁରି ପଢ଼ନ୍ତୁ- 🔴 LIVE | News Updates 22th Dec 2025: ହାଦିଙ୍କ ହତ୍ୟାକୁ ନେଇ ହିଂସାତ୍ମକ ପ୍ରତିବାଦ ସମୟରେ ବାଂଲାଦେଶ ଛାତ୍ର ନେତାଙ୍କୁ ଗୁଳିମାଡ଼

ସିଦ୍ଧାର୍ଥ ପରିଡ଼ା ସବ୍‌ରେଜିଷ୍ଟ୍ରାର ଅଫିସ୍‌ ସାମ୍ନାରେ ନୋଇଁପଡ଼ିଥିବା ବରଗଛର ଗଣ୍ଡି ଉପରେ ବସି ଅପେକ୍ଷା କରୁଥିଲେ। ତାଙ୍କ ଆଗରେ ଦି’ ଚାରିଟି ଚା ଦୋକାନ। ସାମ୍ନା ପିଣ୍ଡି ଉପରେ ବୁଢ଼ାଲୋକଟିଏ ବସି ପଉଷର ଖରା ପୋଉଁଥାଏ। ସିଦ୍ଧାର୍ଥଙ୍କର ଦୃଷ୍ଟି ଲୋକଟି ବସିଥିବା ପିଣ୍ଡି ଦେହରେ ଲାଗିଥିବା ଫଳକଟି ଉପରେ ପଡ଼ିଲା। ଲେଖାଥିଲା- ଶ୍ରୀଦଣ୍ଡା ବାଲୁଙ୍କେଶ୍ବର ଦେବ, ରଣପୁରଗଡ଼। ତାଙ୍କ ଓଠରେ ହସ ଫୁଟିଉଠିଲା। ଏଇଠୁ ଉଧାର କରି ଦଣ୍ଡାବାଳୁଙ୍ଗା ସିନେମାର ପ୍ରଯୋଜକ ହୁଏତ ତାଙ୍କ ଓଡ଼ିଆ ଚିତ୍ରର ନାମକରଣ କରିଥିବେ! ସେ ଆଖପାଖକୁ ନଜର ପକେଇଲେ। ଚାରିପଟେ ଶତାଧିକ ପିଣ୍ଡି। ସବୁଥିରେ ଜଣେ ଜଣେ ଦେବତାଙ୍କର ନାମ ଲେଖାଥିଲା। ଆଗରୁ ଅନ୍ୟ କୋଉଠି ସେ ଏପ୍ରକାର ଦୃଶ୍ୟ ଦେଖି ନ ଥିବାରୁ ଓକିଲଙ୍କର ସହଯୋଗୀ ଦିବ୍ୟଲୋଚନଙ୍କୁ ପଚାରିଲେ। ସେ କହିଲେ, ଏସବୁ ବିମାନ ରଖିବାଲାଗି ତିଆରି ହୋଇଥିବା ମଣ୍ଡପ। ପଞ୍ଚୁଦୋଳ ବେଳକୁ ପାଖଆଖ ଗାଆଁରୁ ଶହେରୁ ଊର୍ଦ୍ଧ୍ବ ଦେବତା ବିମାନରେ ବସି ଏଠାକୁ ଆସନ୍ତି। ସମସ୍ତେ ତାଙ୍କ ନାମ ଲେଖା ଥିବା ପିଣ୍ଡି ଉପରେ ବିରାଜମାନ ହୁଅନ୍ତି। ସିଦ୍ଧାର୍ଥଙ୍କୁ ଏ କଥାଟି ବଡ଼ ବ୍ୟବସ୍ଥିତ ଲାଗିଲା। ଦିବ୍ୟଲୋଚନ ‌ଯୋଡ଼ିଲେ, ରାଜରାଜୁଡ଼ାମାନେ ଯେମିତି ଠାକୁରଠାକୁରାଣୀଙ୍କ ଭୋଗରାଗ, ଯାତ୍ରା ପରବ ଲାଗି ଜମିବାଡ଼ି ଖଞ୍ଜି ଦେଇଥିଲେ, ସେମିତି ସେମାନଙ୍କର ମେଳାମେଲଣ ଲାଗି ମଧ୍ୟ ଏପ୍ରକାର ବ୍ୟବସ୍ଥା କରିଦେଇଯାଇଥିଲେ। ସଭିଙ୍କୁ ତ ରହିବା ପାଇଁ କି ବସିବା ପାଇଁ ତାଙ୍କ ନିଜର ଥାନଟିଏ ଦରକାର। ଦିବ୍ୟଲୋଚନ ତାଙ୍କୁ ଆଉ କ’ଣ କହିଥାନ୍ତେ, ସେତିକିବେଳେ ସିଦ୍ଧାର୍ଥଙ୍କୁ ଡକରା ପଡ଼ିଲା- ‘ଆସନ୍ତୁ, ସାକ୍ଷୀ ହିସାବରେ ଫଟୋ ଉଠେଇବେ।’ ସିଦ୍ଧାର୍ଥ ଉଠିଯାଇ ସେଇ ମୋଟର ସାଇକେଲ୍‌, ସ୍କୁଟର ଥିବା ବାରନ୍ଦାରେ ଗୋଟେ ମାଟିଆ ପରଦା ଝୁଲୁଥିବା ଝରକା ପାଖେ ଛିଡ଼ାହେଲେ। କ୍ୟାମେରାରେ ତାଙ୍କର ଫଟୋ ଉଠିଗଲା। ଶ୍ରୀକାନ୍ତ କହିଲେ, ‘‘ଆପଣ ଅପେକ୍ଷା କରିଥାନ୍ତୁ, ଆଉ ଗୋଟେ ଦସ୍ତଖତ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଡାକିବି।’’ ସିଦ୍ଧାର୍ଥ ମୁଣ୍ଡ ହଲେଇଦେଇ ଆଉଥରେ ବରଗଛ ପାଖକୁ ଫେରିଆସୁଥିଲେ।

ସେତିକିବେଳେ ସବ୍‌ରେଜି‌ଷ୍ଟ୍ରାରଙ୍କ ପାଟି ଶୁଭିଲା। ଯୁବକ ଲୋକ, ସୁଦର୍ଶନ ଚେହେରା। ଦୂରରୁ ଦେଖିଲେ ଥଣ୍ଡା ମିଜାଜର ଲୋକ ବୋଲି ଜଣାପଡ଼ନ୍ତି। ସିଏ କାହିଁକି ବଡ଼ ପାଟି କରୁଥିଲେ, ଏକଥା ଚିନ୍ତା କରି ସିଦ୍ଧାର୍ଥ ଭାବିଲେ, ଜମିବାଡ଼ି କିଣାବିକା ଖୁବ୍‌ ଜଞ୍ଜାଳିଆ କାମ। ଏଥିରେ ଟିକିଏ ଅଣହୁସିଆର ହେଲେ ମଣିଷ ହଇରାଣରେ ପଡ଼ିବ। ସରକାର କେତେ କଟକଣା କଲେଣି, ତାହା ସତ୍ତ୍ବେ ଗୋଟିଏ ଜମିକୁ ଦଲାଲମାନେ ଦି’ ତିନିଥର ବିକିଦେଉଛନ୍ତି। କୋଉଠି ପରିବାର ଲୋକଙ୍କ ଭିତରେ ମନର ଅମେଳ ଲାଗି ପ୍ରୟୋଜନ ବେଳେ ମଧ୍ୟ ସଂପର୍କୀୟମାନେ ଜମି ବିକି ପାରୁନାହାନ୍ତି। ପଡ଼ି ପଡ଼ି ସେ ଜମି ଜବରଦଖଲକାରୀଙ୍କ ହାତକୁ ଚାଲିଯାଉଛି। ସେଥିପାଇଁ ଲୋକେ କହନ୍ତି, ସଂପତ୍ତି ଯୋଉଠି ବିପତ୍ତି ସେଇଠି। ତିନିଦିନ ତଳେ ଟେଲିଭିଜନ୍‌ରେ ଦେଖିଥିବା ଦୃଶ୍ୟଟିଏ ତାଙ୍କର ମନେପଡ଼ିଗଲା। ବୋହୂ ନଣନ୍ଦଙ୍କ ଭିତରେ କଳି ଯୋଗୁଁ ଜଣେ ବୁଢ଼ୀଙ୍କର ଶବ ପୂରା ଗୋଟାଏ ଦିନ ସେମିତି ବାସିମଡ଼ା ହୋଇ ପଡ଼ିରହିଲା। କେହି ସଂସ୍କାର ପାଇଁ ନେଲେନାହିଁ। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସାନଶାସନ ଗାଁରେ ଏ ଘଟଣା ଘଟିଥିଲା। ବୁଢ଼ୀଙ୍କର ସ୍ବାମୀ ଓ ଦି’ ପୁଅ ମରିଯାଇଥିଲେ। ବୋହୂ ଓ ତାଙ୍କ ଦି’ ଝିଅଙ୍କ ଭିତରେ ପଡୁ ନ ଥିଲା। ବୁଢ଼ୀଙ୍କ ନାମରେ ବ୍ୟାଙ୍କ୍‌ରେ ଥିବା କିଛି ଟଙ୍କା ପାଇବା ଲାଗି ତାଙ୍କ ଶବକୁ ପକେଇ ରଖି ଏମାନେ କଳି କରିଥିଲେ। ଘଟଣାଟା ସଂପୂର୍ଣ୍ଣ ଶୁଣିବାଲାଗି ସିଦ୍ଧାର୍ଥ ଆଉ ଅପେକ୍ଷା କରିପାରି ନ ଥିଲେ। ସେଠୁ ଉଠି ଚାଲିଯାଇଥିଲେ ପଦାକୁ।

ଆହୁରି ପଢ଼ନ୍ତୁ- CLAT 2026 Topper Reaction: ଟପ୍ପର ହେବା ପରେ ଏଭଳି ଥିଲା ଗୀତାଲିଙ୍କ ପ୍ରତିକ୍ରିୟା, ଭାଇରାଲ ହେଲା ଭିଡିଓ

ସବ୍‌ରେଜିଷ୍ଟ୍ରାରଙ୍କ ପାଟି ଶୁଣି ସିଦ୍ଧାର୍ଥ ପରିଡ଼ା ଓକିଲ ଶ୍ରୀକାନ୍ତଙ୍କୁ ପଚାରିଲେ, ‘‘କ’ଣ ହେଲା କି?’’
ଶ୍ରୀକାନ୍ତ କହିଲେ, ବୁଢ଼ୀଟିଏ ତା’ର ଘର ଜମି କବଲା କରିବାକୁ ଆସିଛି। ତାକୁ ସାଙ୍ଗରେ ଆସିଥିବା ଲୋକେ ବାଟସାରା କହି କହି ଆସିଥିଲେ, ହାକିମ ପଚାରିଲେ କହିବୁ ପନ୍ଦର ଲକ୍ଷ ଟଙ୍କା ନେଇ ଜମି ଘର କବଲା କରୁଛ। ବୁଢ଼ୀ ସେଇକଥାଟା ଘୋଷି ଘୋଷି ଆସିଥିଲା। କିନ୍ତୁ ହାକିମ ପଚାରିଲାବେଳକୁ କହିଲା...
: କ’ଣ କହିଲା?
: କହିଲା, ମୋତେ ମୋ ଝିଆରୀ ମଲାଯାଏ ଭାତ ଆଉ ଆଶ୍ରା ଦେବ କହିଛି। ସେଇଥିଲାଗି ମୁଁ ତା’ ନାଆଁରେ ଜମି କବଲା କରୁଛି। ଏଥିରେ ହାକିମ ରାଗିବେ ନାହିଁ?
ଅନ୍ୟ ଅନେକଙ୍କ ପରି ପରକଥାରେ ମୁଣ୍ଡ ପୂରେଇବାଲାଗି ସିଦ୍ଧାର୍ଥ ପରିଡ଼ାଙ୍କ ମନରେ ସବୁ‌ଦିନେ ଅସରନ୍ତି କୌତୂହଳ। ସେ ଉଠିଯାଇ ସେଇ ବୁଢ଼ୀ ଓ ତାଙ୍କ ସଂପର୍କୀୟଙ୍କ ପାଖକୁ ଗଲେ, କଥାଟା ବୁଝିବେ। ତେବେ ତାଙ୍କ ହାତରୁ ସେ ସୁଯୋଗଟା ଓକିଲ ଶ୍ରୀକାନ୍ତ ଛଡ଼େଇନେଲେ। କହିଲେ, ‘‘ଏ ବୁଢ଼ୀର ପୁଅ ବିଦେଶରେ। ସେ ଫେରିବ ନାହିଁ। ଝିଆରୀଟିଏ ଟାଙ୍ଗୀରେ ରହୁଛି। ବୁଢ଼ୀ ଚାକିରି କରୁଥିଲା। ସେ ବାବଦକୁ ପେନ୍‌ସନ୍‌ ଓ ଜମାଟଙ୍କା ଝିଆରୀକୁ ଦିଏ। ତା’ ପାଖେ ବୁଢ଼ୀ ରହେ। ମାତ୍ର ଝିଆରୀଜ୍ବାଇଁ ସେକଥା ପସନ୍ଦ କରେନାହିଁ। ବୁଢ଼ୀ ନାମରେ ଖଣ୍ଡିଏ ଜମି ଓ ଦି’ ବଖରା ଘର ଥିଲା। ସବୁବେଳେ ସେତକ ଉପରେ ଝିଆରୀଜ୍ବାଇଁର ଆଖି। ଦିନେ କହିଦେଲା, ବୁଢ଼ୀ ଯଦି ସେତକ ଆମ ନାଁରେ କବଲା କରିଦେବ ତାହାହେଲେ ଆମେ ତାକୁ ବଞ୍ଚିଲା ଯାଏ ରହିବାଲାଗି ଥାନ ଦେବୁ। ବୁଢ଼ୀ ଅବଶ୍ୟ ଝିଆରୀ ନାମରେ ଉଇଲ୍‌ କରିଦେଇଥିଲା। ମାତ୍ର ‘କାଳେ ତୁମ ପୁଅ ହଇରାଣ କରିବ’ କହି ଝିଆରୀଜ୍ବାଇଁ ବିକ୍ରି କବଲା ଲାଗି ଅଡ଼ିବସିଥିଲା। ‘ପନ୍ଦର ଲକ୍ଷ ଟଙ୍କା ଦେଇ ତୁମେ ଜମି ଘର ବିକୁଛ’ - ଏହି କଥା ବୁଢ଼ୀ କହିଥାନ୍ତା। ମାତ୍ର ଅସଲ ବେଳେ ବୁଢ଼ୀ କାନ୍ଦିପକେଇ ଏମିତି କହିଦେଲା।

ସିଦ୍ଧାର୍ଥ ପରିଡ଼ାଙ୍କ ଛାତି ଭିତରର ମଞ୍ଜ ଦୋହଲିଗଲା। ବିଦେଶକୁ ଯୋଉ ମାଆର ପୁଅ ମାଆକୁ ଅଦରକାରୀ ଜିନିଷଟେ ଭାବି ପଳେଇଗଲା, ତା’ ଦାୟିତ୍ବ ବିନା ଲାଭରେ କାହିଁକି ଆଉ କିଏ ନେବ? ମାତ୍ର ବୁଢ଼ୀ ତ ଉଇଲ୍‌ କରିସାରିଥିଲେ, ସେତିକିରେ ସନ୍ତୁଷ୍ଟ ନ ହୋଇ, ତାଙ୍କୁ ଏ ଚମ ଧୁଡୁଧୁଡୁ ଅବସ୍ଥାରେ ଟାଣିଘୋଷାରି ଏଠାକୁ ଆଣିବା କି ପ୍ରୟୋଜନ ଥିଲା?
: ପୁଣି କ’ଣ ହେଲା? - ସିଦ୍ଧାର୍ଥ ପଚାରିଲେ।
: ନା, କବଲା ହେଇଗଲା। ପାଖରେ ଓକିଲ ଥିଲେ। ସିଏ ବୁଢ଼ୀ ତରଫରୁ ସବ୍‌ରେଜିଷ୍ଟ୍ରାରଙ୍କୁ କହିଦେଲେ- ନିଜର ଚିକିତ୍ସା ଖର୍ଚ୍ଚ ପାଇଁ ବୁଢ଼ୀ ଜମି ବିକ୍ରୟ କରୁଛନ୍ତି।
ଗୋଟାଏ ଧଳା କାର୍‌ରେ ସେଇ ବୁଢ଼ୀଙ୍କୁ ଧରି ତାଙ୍କ ଝିଆରୀଜ୍ବାଇଁ, ଝିଆରୀ ଓ ସାକ୍ଷୀ ଦି’ଜଣ ଯିବାକୁ ବାହାରୁଥିଲେ। ଦେଖିଲେ, ସବ୍‌ରେଜିଷ୍ଟ୍ରାର ନିଜେ ବାହାରିଆସି ବୁଢ଼ୀଙ୍କୁ ଡାକୁଛନ୍ତି। ଉଠିବା ବସିବା ନେଇ ବୁଢ଼ୀଙ୍କର ସମସ୍ୟା ଥିଲା। ତଥାପି ହାକିମ ଡାକୁଥିବାରୁ ସେ ଗାଡ଼ି ଭିତରୁ ଓହ୍ଲେଇ ତାଙ୍କ ପାଖକୁ ଗଲେ।
ସିଦ୍ଧାର୍ଥ ମଧ୍ୟ କାନ ଡେରିଥିଲେ।

ଆହୁରି ପଢ଼ନ୍ତୁ- National Herald Case: ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ, ରାହୁଲଙ୍କୁ ହାଇକୋର୍ଟ ନୋଟିସ୍

ସବ୍‌ରେଜିଷ୍ଟ୍ରାର କହିଲେ, ‘‘ମାଉସୀ, ତୁମ ଉପରେ ରାଗିଲି ବୋଲି କିଛି ଭାବିବ ନାହିଁ। ତମେ କାହିଁକି ଜମି କବଲା କରୁଛ ମୁଁ ଜାଣେ। ସେଥିରେ ମୋର କିଛି କହିବାର ନାହିଁ। ମାତ୍ର ତୁମେ ଯେ ଅକୃତଜ୍ଞମାନଙ୍କ ପାଇଁ ଆଖିରୁ ଲୁହ ନିଗାଡ଼ିଲ, ସେଇଥିପାଇଁ ମୁଁ ବିରକ୍ତ ହେଲି। ସେ ଲୁହର ଅର୍ଥ ଏ ପୋଖରୀର ପାଣି ବୁଝିବ, ମାତ୍ର କବଲା କରିଦେବା ପାଇଁ ଜିଦ୍‌ କରୁଥିବା ସଂପର୍କୀୟମାନେ ବୁଝିବେ ନାହିଁ।’’

ସିଦ୍ଧାର୍ଥ ବୁଲିପଡ଼ିଲେ। ଆଉଥରେ ଚାହିଁଲେ ମନ୍ଦିର ଓ ପିଣ୍ଡିଗୁଡ଼ିକ ଆଡ଼େ। ରଣପୁର ରାଜାଙ୍କ ପରି ଶାସକମାନେ ମଣିଷର ଚେହେରା ଭଲ ଭାବେ ବୁଝିଥିଲେ। ସେଥିପାଇଁ ସେ ପଥର ପ୍ରତିମାମାନଙ୍କ ପାଇଁ ସୁଦ୍ଧା ଜମିବାଡ଼ି ଖଞ୍ଜିଦେଇଯାଇଥିଲେ। ଯେଉଁ ଉତ୍ତରାଧିକାରୀମାନେ ରକ୍ତମାଂସର ସଂପର୍କୀୟମାନଙ୍କ ଦୁଃଖସୁଖ ବୁଝନ୍ତି ନାହିଁ, ସେମାନେ କ’ଣ ପଥର ପ୍ରତିମାମାନଙ୍କ କଥା ବୁଝିପାରନ୍ତେ?

ମୋ: ୯୪୩୭୦୭୭୨୮୮

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe