ସବୁଠୁ ବଡ଼ ସାହିତ୍ୟିକ ଦୁର୍ଘଟଣା
ଅସିତ ମହାନ୍ତି
୨୦୨୫ ବିଦାୟୀ ବର୍ଷରେ, ଭାରତୀୟ ସାହିତ୍ୟର ସବୁଠୁ ବଡ଼ ଦୁର୍ଘଟଣା କ’ଣ?
ଏ ପ୍ରଶ୍ନର ଉତ୍ତର ହଠାତ୍ ହୁଏତ ଅନେକେ ଦେଇପାରିବେ ନାହିଁ। କାରଣ, ନିରବ ହୃଦ୍ଘାତ ପରି ଘଟଣାଟି ଏପରି ଭାବରେ ଘଟିଛି ଯେ ଅନେକେ ତାହାର ଗୁରୁତ୍ବ ଏଯାଏ ବୁଝିନାହାନ୍ତି।
ଘଟଣାଟି ଏମିତି।
ଡିସେମ୍ବର ୧୮ ତାରିଖ, ୨୦୨୫।
ସାହିତ୍ୟ ଅକାଦେମିର ନୂଆ ଭାରପ୍ରାପ୍ତ ସଚିବ ପଲ୍ଲବୀ ପ୍ରଶାନ୍ତ ହୋଲ୍କରଙ୍କ ସ୍ବାକ୍ଷରରେ, ସେଦିନ ଅପରାହ୍ଣ ୩ଟାରେ ଆହୂତ ହୋଇଥିଲା ଏକ ସାମ୍ବାଦିକ ସମ୍ମିଳନୀ। ସମ୍ମିଳନୀର ସ୍ଥାନ ଥିଲା ନୂଆଦିଲ୍ଲୀର ୩୫, ଫିରୋଜ ଶାହ ରୋଡ୍ସ୍ଥିତ ଅକାଦେମିର ମୁଖ୍ୟାଳୟ ‘ରବୀନ୍ଦ୍ର ଭବନ’ର ସମ୍ମିଳନୀ କକ୍ଷ। ସେଥି ନିମନ୍ତେ ୧୬ ଡିସେମ୍ବରରେ ଯେଉଁ ଚିଠି ଦିଆଯାଇଥିଲା, ତାହାର ବିଷୟ ଥିଲା- ‘ସାହିତ୍ୟ ଅକାଦେମି ପୁରସ୍କାର ୨୦୨୫- ସାମ୍ବାଦିକ ସମ୍ମିଳନୀ’। ସେହି ଚିଠିରେ ଉଲ୍ଲେଖ ଥିଲା- ସାହିତ୍ୟ ଅକାଦେମି ପ୍ରତି ବର୍ଷ ୨୪ଟି ଭାରତୀୟ ଭାଷାର ଶ୍ରେଷ୍ଠ ପୁସ୍ତକକୁ ସ୍ବୀକୃତିସୂଚକ ପୁରସ୍କାର ଦେଇଥାଏ। ୧୮ ଡିସେମ୍ବର ୨୦୨୫ରେ ଅକାଦେମିର କାର୍ଯ୍ୟନିର୍ବାହୀ ପରିଷଦର ବୈଠକ ଅନୁଷ୍ଠିତ ହୋଇ, ୨୦୨୫ ବର୍ଷର ପୁରସ୍କାର ଅନୁମୋଦିତ ହେବ। ଏଣୁ ସେହିଦିନ, ଅର୍ଥାତ୍ ୧୮ ଡିସେମ୍ବର, ଗୁରୁବାର ଅପରାହ୍ଣ ୩ଟା ବେଳେ, ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ପୁରସ୍କାର ଘୋଷଣା କରାଯିବ। ଏହି ଅବସରରେ ପୁରସ୍କୃତ ପୁସ୍ତକଗୁଡ଼ିକ ମଧ୍ୟ ପ୍ରଦର୍ଶିତ ହେବ। ସାହିତ୍ୟ ଅକାଦେମି ପୁରସ୍କାରର ସର୍ବଭାରତୀୟ ଗୁରୁତ୍ବ ଥିବାରୁ, ଏଥିରେ ଯୋଗଦେଇ ଆପଣଙ୍କର ସମ୍ବାଦପତ୍ର/ପତ୍ରିକା/ଚାନେଲ୍ରେ ଏହାର ପ୍ରକାଶନ ବା ପ୍ରସାରଣ କରି ଆମକୁ କୃତଜ୍ଞ କରିବାକୁ ଅନୁରୋଧ।
ଆହୁରି ପଢ଼ନ୍ତୁ- Bsf Constable Recruitment : ବିଏସଏଫରେ ନିଯୁକ୍ତି ସୁଯୋଗ; ୧୦ ଶ୍ରେଣୀ ପାସ୍ ପ୍ରାର୍ଥୀ ବି କରି ପାରିବେ ଆବେଦନ
ଅକାଦେମିର ଏହି ନିମନ୍ତ୍ରଣପତ୍ର ଅନୁଯାୟୀ, ନିର୍ଦ୍ଧାରିତ ସମୟ ପୂର୍ବରୁ ‘ରବୀନ୍ଦ୍ର ଭବନ’ର ତୃତୀୟ ମହଲାରେ ଥିବା ସମ୍ମିଳନୀ କକ୍ଷରେ ଗଣମାଧ୍ୟମ ପ୍ରତିନିଧିମାନେ ସମବେତ ହୋଇଥିଲେ। ଟେଲିଭିଜନ ଚାନେଲ୍ମାନେ ନିଜ ନିଜର କ୍ୟାମେରା ସଜାଇ ରଖିଥିଲେ। ସେମାନଙ୍କୁ ଝୋଟର ଏକ ବ୍ୟାଗ୍ ସହିତ ନୋଟ୍ ପ୍ୟାଡ୍ ଓ କଲମ ଆଦି ଯୋଗାଇ ଦିଆଯାଇଥିଲା। କକ୍ଷ ବାହାରେ ସିଙ୍ଗଡ଼ା, ଢୋକଲା ଓ ଚା’ ମଧ୍ୟ ପରିବେଷିତ ହୋଇଥିଲା। ମାତ୍ର ନିର୍ଦ୍ଧାରିତ ସମୟ ବିତିଗଲା ସିନା, ସାମ୍ବାଦିକ ସମ୍ମିଳନୀ ହେଲା ନାହିଁ। ଅକାଦେମି ପକ୍ଷରୁ କେହି ବରିଷ୍ଠ ଅଧିକାରୀ ବା ନିମନ୍ତ୍ରଣକାରିଣୀ ସଚିବ ଶ୍ରୀମତୀ ହୋଲ୍କର ଆସି ଦୁଃଖପ୍ରକାଶ କଲେ ନାହିଁ କି କୌଣସି ସୂଚନା ଦେଲେ ନାହିଁ। ଜଣେ କନିଷ୍ଠ କର୍ମଚାରୀ କେବଳ ଆସି କହିଲେ- ‘‘କ୍ୟାନ୍ସେଲ୍ ହୋ ଗୟା’’।
ସାହିତ୍ୟ ଅକାଦେମିର ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ବ ଇତିହାସରେ ଏପରି କେବେ ଘଟି ନ ଥିଲା। ଏ ସଂପର୍କରେ ସ୍ବାଭାବିକ ଭାବରେ ଦେଶର ସାହିତ୍ୟିକ ମହଲରେ ଆଲୋଡ଼ନ ପ୍ରକାଶ ପାଇଛି। ଓଡ଼ିଶା ବି ସେଥିରୁ ବାଦ୍ ପଡ଼ିନାହିଁ। କିନ୍ତୁ ସାହିତ୍ୟ ଅକାଦେମିର ୱେବ୍ସାଇଟ୍ରେ ଏ ବାବଦରେ କିଛି ତଥ୍ୟ ବା ସୂଚନା ନାହିଁ। ଅକାଦେମିର କର୍ତ୍ତୃପକ୍ଷଙ୍କଠାରୁ ବା କୌଣସି ଦାପ୍ତରିକ ସୂତ୍ରରୁ ମଧ୍ୟ ଏ ସଂପର୍କରେ କିଛି କୁହାଯାଇ ନାହିଁ। ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି ଯେ ଅକାଦେମିର ସଭାପତି ମାଧବ କୌଶିକ ହୁଏତ ନିଜର ଫୋନ୍ ବନ୍ଦ ରଖୁଛନ୍ତି, ନ ହେଲେ ଫୋନ୍ ଧରୁ ନାହାନ୍ତି।
ସ୍ବାଭାବିକ ଭାବରେ ଓଡ଼ିଶାର ସାହିତ୍ୟିକ ମହଲରେ ଏ ନେଇ କିଛି ଚର୍ଚ୍ଚା ହୋଇଥିଲା। ଜଣେ ବରିଷ୍ଠ କବି ଆଶଙ୍କା ପ୍ରକାଶ କରି କହିଥିଲେ ଯେ ଓଡ଼ିଆ ଭାଷାର ପୁରସ୍କାର ଚୟନରେ ଅନିୟମିତତା ବା ଚୟନର ଗୋପନୀୟତା ଭଙ୍ଗ ଏହି ଘଟଣାର ଏକ କାରଣ। ମାତ୍ର ଓଡ଼ିଆ ଭାଷାର ଆବାହକ ତଥା କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ସମସ୍ତଙ୍କୁ ଆଶ୍ବସ୍ତ କରି କହିଛନ୍ତି, ଯେ ଓଡ଼ିଆ ଭାଷାର ପୁରସ୍କାର ଚୟନ ନେଇ କୌଣସି ବିବାଦ ନାହିଁ।
ଏ ସଂପର୍କରେ ସେ ଯେଉଁ ସୂଚନା ଦେଇଛନ୍ତି, ତାହା ହେଉଛି- କେବଳ ଇଂଲିଶ୍ ଓ ଗୁଜୁରାଟୀ ଦୁଇଟି ଭାଷା ବ୍ୟତୀତ, ଓଡ଼ିଆ ସମେତ ଅନ୍ୟ ସବୁ ଭାଷାର ପୁରସ୍କାର ସେଦିନର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଅକାଦେମିର ଅଧ୍ୟକ୍ଷ ଘୋଷଣା କରିଛନ୍ତି। ଆନୁଷ୍ଠାନିକ ଭାବେ ସଂସ୍କୃତି ମନ୍ତ୍ରାଳୟ ତାହା ଯଥାଶୀଘ୍ର ଘୋଷଣା କରିବେ। ପରିବର୍ତ୍ତିତ ନିୟମ ଅନୁସାରେ, ଚଳିତ ବର୍ଷଠାରୁ ସବୁ ଅକାଦେମି, ଯଥା-ସାହିତ୍ୟ, ସଂଗୀତ ଓ ଲଳିତକଳା ଅକାଦେମିର ପୁରସ୍କାର ତାଲିକା ସଂସ୍କୃତି ମନ୍ତ୍ରୀ ବା ବିଭାଗୀୟ ସଚିବ ହିଁ ଘୋଷଣା କରିବେ।
କିନ୍ତୁ ଏହି ‘ପରିବର୍ତ୍ତିତ ନିୟମ’ କ’ଣ? ସାହିତ୍ୟ ଅକାଦେମିର ପ୍ରଚଳିତ ପୁରସ୍କାର ନିୟମରେ କିଛି ପରିବର୍ତ୍ତନ କରାହୋଇଛି କି? କରା ହୋଇଥିଲେ ତାହା କ’ଣ? ଏ ପ୍ରଶ୍ନର ଉତ୍ତର ନା ଅକାଦେମିର ୱେବ୍ସାଇଟ୍ରୁ ନା ଅକାଦେମିର କୌଣସି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିପାରୁନାହିଁ।
ଆହୁରି ପଢ଼ନ୍ତୁ- 30 Crore Idol: କିଏ ସେ ଭକ୍ତ? କାହାକୁ ନ ଜଣାଇ ମନ୍ଦିର ପାଇଁ ପଠାଇଲେ ୩୦ କୋଟିର ମୂର୍ତ୍ତି
କିନ୍ତୁ ଜାତୀୟସ୍ତରର ଗଣମାଧ୍ୟମମାନଙ୍କ ସୂତ୍ରରୁ ଯେଉଁସବୁ ତଥ୍ୟ ମିଳିଛି ଓ ମିଳୁଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ସାଂଘାତିକ।
ଏ ପ୍ରସଙ୍ଗରେ ‘ଦି ଟେଲିଗ୍ରାଫ୍-ଅନ୍ଲାଇନ୍’, ପରିଷଦର ଜଣେ ସଦସ୍ୟଙ୍କ ସୂତ୍ରରୁ ବିବାଦର କାରଣ ସୂଚାଇଛନ୍ତି। ସେ ଅତି ସ୍ପଷ୍ଟ ଭାବେ ଲେଖିଛନ୍ତି- କାର୍ଯ୍ୟନିର୍ବାହୀ ପରିଷଦର ଜଣେ ସଦସ୍ୟ ତଥା କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ପ୍ରତିନିଧି, ପୁରସ୍କାରପ୍ରାପ୍ତ ସାହିତ୍ୟିକମାନଙ୍କର ନାମ ତାଲିକାର ସମୀକ୍ଷା ବିଭାଗ କରିବ ବୋଲି ଚାହିଁଥିଲେ, ମାତ୍ର ପରିଷଦ ପକ୍ଷରୁ ତାହାକୁ ତୁରନ୍ତ ପ୍ରତ୍ୟାଖ୍ୟାନ କରିଦିଆଯାଇଥିଲା।
ଏ ସଂପର୍କରେ ନିର୍ଦ୍ଦିଷ୍ଟ ସୂଚନା ଦେଇ ‘ଦି ଟେଲିଗ୍ରାଫ୍-ଅନ୍ଲାଇନ୍’ ଲେଖିଛି, ପୁରସ୍କୃତ ପ୍ରତିଭାମାନଙ୍କର ତାଲିକା ଉପସ୍ଥାପିତ ହେବାବେଳେ ସଂସ୍କୃତି ମନ୍ତ୍ରାଳୟର ଅତିରିକ୍ତ ସଚିବ ଅମିତ ପ୍ରସାଦ ସରଭାଇ କହିଥିଲେ, ଯେ ସଂସ୍କୃତି ମନ୍ତ୍ରାଳୟ ପ୍ରଥମେ ନାମ ତାଲିକାର ସମୀକ୍ଷା କରିବ ଏବଂ ତାହା ପରେ ପୁରସ୍କାର ଘୋଷଣା କରିବ। ମାତ୍ର ଅନେକ ସଦସ୍ୟ କହିଥିଲେ- ପୁରସ୍କାର ଚୟନ ତାଲିକାର ସମୀକ୍ଷା ମନ୍ତ୍ରାଳୟର କ୍ଷମତାର ପରିସରଭୁକ୍ତ ନୁହେଁ। ନିୟମାନୁଯାୟୀ କାର୍ଯ୍ୟନିର୍ବାହୀ ପରିଷଦ ଏହା ଅନୁମୋଦନ କରିବା ପରେ ଅକାଦେମିର ସଚିବ ତାହା ଘୋଷଣା କରିପାରିବେ। ଅତିରିକ୍ତ ସଚିବ ସେଥିରେ ରାଜି ହୋଇଥିଲେ।
ମାତ୍ର ଏହା ସତ୍ତ୍ବେ, କାହିଁକି ପୁରସ୍କାର ଘୋଷଣା ହେଲା ନାହିଁ ଏବଂ କାହିଁକି ସାମ୍ବାଦିକ ସମ୍ମିଳନୀ ବାତିଲ ହେଲା?
ଏ ପ୍ରସଙ୍ଗରେ ନିଉଜ୍ ପୋର୍ଟାଲ୍ ‘ଦି ୱେୟାର.ଇନ୍’, ‘ଦି ଇଣ୍ଡିଆନ୍ ଏକ୍ସପ୍ରେସ୍’ର ‘ଏକ୍ସପ୍ରେସ୍ଓପିନିୟନ୍’ ଓ ‘ହିନ୍ଦୁସ୍ତାନଟାଇମ୍ସ.କମ୍’ର ରିପୋର୍ଟ ଗୁରୁତ୍ବପୂର୍ଣ୍ଣ। ‘ଦି ୱେୟାର’ରେ ଆଶୁତୋଷ ଭରଦ୍ବାଜ ଲେଖିଛନ୍ତି- ଏହି ନାଟକୀୟ ଘଟଣା ପଛର ମୂଳ କାରଣ ହେଉଛି-ଅକାଦେମିମାନଙ୍କ ସହିତ ସଂସ୍କୃତି ମନ୍ତ୍ରାଳୟର ଏକ ‘ଏମ୍.ଓ.ୟୁ.’। େକନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ପ୍ରକୃତରେ ଏପରି ସ୍ବୟଂଶାସିତ ଅନୁଷ୍ଠାନମାନଙ୍କର ଯେତିକି ସ୍ବୟଂଶାସନ କ୍ଷମତା ଅଛି, ତାହାକୁ ଛିନ୍ନ କରି ନେବାକୁ ଚାହାନ୍ତି।
ଏ ସଂପର୍କରେ ଅଧିକ ବିବରଣୀ ଦେଇ ଶ୍ରୀ ଭରଦ୍ବାଜ ଲେଖିଛନ୍ତି- ଯେତେବେଳେ ଅକାଦେମିର ସଚିବଙ୍କ ନିମନ୍ତ୍ରଣ ପାଇ ଆସି ଗଣମାଧ୍ୟମ ପ୍ରତିନିଧିମାନେ ସିଙ୍ଗଡ଼ା ଓ ଚା’ର ମଜା ନେଉଥିଲେ, ସେତେବେଳେ ସଂସ୍କୃତି ମନ୍ତ୍ରାଳୟରୁ ଏକ ତରବରିଆ ‘ସର୍କୁଲାର’ ଆସି ପହଞ୍ଚିଥିଲା। ‘ଲଳିତକଳା ଅକାଦେମି’, ‘ସଂଗୀତ ନାଟକ ଅକାଦେମି’, ‘ସାହିତ୍ୟ ଅକାଦେମି’ ଓ ‘ନେସନାଲ୍ ସ୍କୁଲ୍ ଅଫ୍ ଡ୍ରାମା’ର ମୁଖ୍ୟଙ୍କୁ ସମ୍ବୋଧିତ ସେହି ‘ସର୍କୁଲାର’ ଦ୍ବାରା ସେମାନଙ୍କୁ ଏକ ‘ଏମ୍.ଓ.ୟୁ.’ର କଥା ସ୍ମରଣ କରାଇ ଦିଆଯାଇଥିଲା। ସେଥିରେ ନିର୍ଦ୍ଦିଷ୍ଟ ଭାବେ ‘ଅନୁବଦ୍ଧ’ କରାଯାଇଥିଲା, ଯେ ସେମାନଙ୍କର ପୁରସ୍କାରଗୁଡ଼ିକର ‘ପୁନର୍ବିନ୍ୟାସ’ (ରି ଷ୍ଟ୍ରକ୍ଚରିଂ) ସଂସ୍କୃତି ମନ୍ତ୍ରାଳୟର ପରାମର୍ଶକ୍ରମେ କରାଯିବ। ଯେ ପର୍ଯ୍ୟନ୍ତ ତାହା ଯଥୋଚିତ ଭାବରେ ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ନ କରାଯାଇଛି, ଏବଂ ପୁରସ୍କାରର ଚୟନ ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ଅନୁମୋଦିତ ନ ହୋଇଛି, ସେ ପର୍ଯ୍ୟନ୍ତ କୌଣସି ପୁରସ୍କାରର ଘୋଷଣା ହୋଇପାରିବ ନାହିଁ। ଏ ସଂପର୍କରେ ‘ଦି ୱେୟାର’ ସ୍ପଷ୍ଟ ଭାବରେ ଲେଖିଛନ୍ତି- ତାହା ଫଳରେ ବୈଠକ କକ୍ଷରେ ପୁରସ୍କାର ପ୍ରାପକମାନଙ୍କ ସଂପର୍କରେ ଯେଉଁ ଘୋଷଣା କରାଯାଇଥିଲା, ତାହା ବାତିଲ ହୋଇଗଲା। ସେଥିରେ ଏକାଡେମୀ ଏବେ ହତବାକ୍।
ଆହୁରି ପଢ଼ନ୍ତୁ- Husband Kills Wife ପାରିବାରିକ କଳହ: ସ୍ବାମୀର ମାଡ଼ରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଗିରଫ
ଏ ସଂପର୍କରେ ‘ଏକ୍ସପ୍ରେସ୍ ଓପିନିଅନ୍’ରେ ଏମ୍.ଏ. ବେବୀ ସ୍ପଷ୍ଟ ଭାବେ ଲେଖିଛନ୍ତି- ସାହିତ୍ୟ ଅକାଦେମି ଉପରେ ଏ ‘ଭିଟୋ’ ବୌଦ୍ଧିକ ସ୍ବାଧୀନତା ଉପରେ ସରକାରଙ୍କର ହସ୍ତକ୍ଷେପ। ପୁରସ୍କାର ଘୋଷଣା ଉପରେ ଅଙ୍କୁଶ ଜାରି କରି କେନ୍ଦ୍ର ସରକାର ଅକାଦେମିର ଗୌରବମୟ ‘ସ୍ବୟଂଶାସନ’ ଐତିହ୍ୟ ଉପରେ ପଦାଘାତ କରିଛନ୍ତି। ତା’ ସହିତ ଅକାଦେମିର ହସ୍ତେକ୍ଷପହୀନ ଅଧ୍ୟାୟର ଅବସାନ ଘଟାଇଛନ୍ତି। ସାହିତ୍ୟ ଅକାଦେମିର ୭୦ ବର୍ଷରୁ ଊର୍ଦ୍ଧ୍ବ କାର୍ଯ୍ୟକାଳରେ ଏପରି କେବେ ବି ଘଟି ନ ଥିଲା।
ଏଣୁ ଏହା ହିଁ ବିଦାୟୀ ୨୦୨୫ ବର୍ଷରେ ଭାରତର ସାହିତ୍ୟ ଜଗତର ସବୁଠୁ ବଡ଼ ଦୁର୍ଘଟଣା। କେବଳ ୨୦୨୫ ବର୍ଷର ନୁହେଁ, ଏହାକୁ ଅକାଦେମି ଇତିହାସର ସବୁଠୁ ବଡ଼ ଦୁର୍ଘଟଣା ମଧ୍ୟ କୁହାଯାଇପାରିବ।
ସେହିପରି ‘ହିନ୍ଦୁସ୍ତାନ୍ ଟାଇମ୍ସ.କମ୍’ରେ ବ୍ରିନ୍ଦା ତୁଲସିଆନ୍ ଶ୍ରୀ ବେବୀଙ୍କୁ ସମର୍ଥନ କରି, ତାଙ୍କର ବକ୍ତବ୍ୟକୁ ‘ଏକ୍ସ’ରୁ ଉଦ୍ଧାର କରି ଲେଖିଛନ୍ତି- ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଯେ ସାହିତ୍ୟ ଅକାଦେମି ନିଜର ପୁରସ୍କାର ଚୟନର ତାଲିକା ସରକାରଙ୍କ ଅନୁମୋଦନ ପାଇଁ ପଠାଇବ। ଏହା ଅକାଦେମି ଇତିହାସରେ ପ୍ରଥମକରି ଘଟୁଛି ଏବଂ ଅକାଦେମି ପରି ଏକ ସ୍ବୟଂଶାସିତ ସଂସ୍ଥା ଏବେ ଶାସନତନ୍ତ୍ରର ସିଂହାସନ ଆଗରେ ନତଜାନୁ ହୋଇ ନିଜର ଚୟନର ଅନୁମୋଦନ ଚାହୁଁଛି।’’ ଏ ସଂପର୍କରେ ମଧ୍ୟ ନିଜର ମତ ଦେଇ ସେ ଲେଖିଛନ୍ତି- ‘‘ଏହା ଅତ୍ୟନ୍ତ ଲଜ୍ଜାଜନକ ଯେ ପୂର୍ବ ସଚିବଙ୍କ ଅବସର ପରେ, ଗତ ଅକ୍ଟୋବର ମାସଠାରୁ ସାହିତ୍ୟ ଅକାଦେମି ବିନା ସଚିବରେ ଚାଲିଛି। ଏବଂ ଜଣେ ଭାରପ୍ରାପ୍ତ ସଚିବଙ୍କ ମାଧ୍ୟମରେ ଅକାଦେମିକୁ ସରକାରଙ୍କ ନିକଟରେ ନତଜାନୁ କରିଦିଆଯାଇଛି। ଏହା କିନ୍ତୁ ଅକାଦେମିର ମହାନ୍ ପ୍ରତିଷ୍ଠାତାମାନଙ୍କର କଳ୍ପନାର ଅତୀତ ଥିଲା।’’ ବ୍ରିନ୍ଦା ତୁଲସିଆନ୍ଙ୍କ ଏ ଉକ୍ତିର ଲଜ୍ଜାଜନକ ପ୍ରତିଫଳନ ମଧ୍ୟ ଏବେ ଆମେ ଆମ ରାଜ୍ୟର ସାହିତ୍ୟ ଏକାଡେମୀ କ୍ଷେତ୍ରରେ ଦେଖୁଛୁ।
ଏହି ପରିପ୍ରେକ୍ଷୀରେ ସାହିତ୍ୟ ଅକାଦେମି ଓ ଅନ୍ୟ ଅକାଦେମିମାନଙ୍କର ପ୍ରତିଷ୍ଠା କାଳର କଥା ଆମେ ସ୍ମରଣ କରିପାରିବା। ସାହିତ୍ୟ ଅକାଦେମିର ପ୍ରତିଷ୍ଠା ସମୟରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ ପଣ୍ଡିତ ଜବାହରଲାଲ ନେହରୁ। ସେତେବେଳେ ସେ ମଧ୍ୟ ଥିଲେ ସାହିତ୍ୟ ଅକାଦେମିର ସଭାପତି। ସେତେବେଳେ ସେ କହିଥିଲେ- ‘‘ସାହିତ୍ୟ ଅକାଦେମିର ସଭାପତି ଭାବେ ମୁଁ କେବେବି ମୋର କାର୍ଯ୍ୟରେ ପ୍ରଧାନମନ୍ତ୍ରୀଙ୍କର ହସ୍ତକ୍ଷେପକୁ ବରଦାସ୍ତ କରିବି ନାହିଁ।’
ଆଜି ଦେଶର ସାହିତ୍ୟ ଜଗତର ଏହି ସବୁଠୁ ବଡ଼ ଦୁର୍ଘଟଣା ପ୍ରସଙ୍ଗରେ, ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ଥରୁଟିଏ ଅନ୍ତତଃ ନେହରୁଙ୍କର ସେଦିନର ଏହି ଉକ୍ତିଟିକୁ ମନେ ପକାନ୍ତୁ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2025/12/26/pp2-2025-12-26-15-46-13.jpg)