ବହି ଚର୍ଚ୍ଚା

ମୋ ମାଆ ମୋ ପ୍ରେରଣା
ଲେଖକ: ଅଚ୍ୟୁତ ସାମନ୍ତ
ପ୍ରକାଶକ: ବିଦ୍ୟାପୁରୀ
ବାଲୁବଜାର, କଟକ
ମୂଲ୍ୟ: ୩୫୦ ଟଙ୍କା, ପୃ‌ଷ୍ଠା: ୨୩୨

Advertisment

ଏକ ଟ୍ରେନ୍‌ ଦୁର୍ଘଟଣାରେ ନୀଳିମାରାଣୀ ନିଜ ସ୍ବାମୀଙ୍କୁ ହରାଇବା ପରେ ସାତଟି ପିଲାଙ୍କ ଦାୟିତ୍ବ ତାଙ୍କୁ ଏକାକୀ ନେବାକୁ ପଡ଼ିଥିଲା। ନିଜ ସୁଖ ସ୍ବାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ଅଭାବ ଅନଟନ ସହ ଯୁଝି ପିଲାମାନଙ୍କୁ ସେ ବଡ଼ କରିଛନ୍ତି। ସେ ବିପଦରେ ଭାଙ୍ଗି ପଡ଼ିନାହାନ୍ତି କି ସମ୍ପଦରେ ଆତ୍ମହରା ହେଇନାହାନ୍ତି। ମାଆଙ୍କର ଏହି ସ୍ଥିତପ୍ରଜ୍ଞ ସ୍ଥିତିକୁ ପ୍ରତ୍ୟକ୍ଷ କରିଛନ୍ତି ଲେଖକ। ଏହି ପୁସ୍ତକଟିରେ ଲେଖକ ମାଆ ନୀଳିମାରାଣୀଙ୍କ ବାଲ୍ୟଜୀବନରୁ ଆରମ୍ଭ କରି ତାଙ୍କର ସଂଘର୍ଷ, ସମାଜ ପ୍ରତି ଅବଦାନ ଏବଂ ଦେହାବସାନ ପର୍ଯ୍ୟନ୍ତ ଅନେକ ଘଟଣାକୁ ଉ‌େଲ୍ଲଖ କରିଛନ୍ତି। ‌ମାଆ କିପରି ତାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ତାହା ବର୍ଣ୍ଣନା କରିଛନ୍ତି। ଲେଖକ ମାଆ ନୀଳିମାରାଣୀଙ୍କ ପାଇଁ ଯେତେବେଳେ କିଛି କରିବାକୁ ଚାହିଛନ୍ତି ସେ କହିଛନ୍ତି, ‘‘ଯଦି ପାରୁଛୁ ଗାଁର ଉନ୍ନତି କର।’’ ଲେଖକ ‘ନିଜକଥା’ରେ ଉଲ୍ଲେଖ କରିଛନ୍ତି, ‘‘ସେତେ‌େବଳେ ଆଦର୍ଶ ଗ୍ରାମ, ସ୍ମାର୍ଟ ଗ୍ରାମ ବୋଲି କିଛି ନାଁ ନଥିଲା। ମା’ଙ୍କ ମାର୍ଗଦର୍ଶନରେ କଲରାବାଙ୍କର ସର୍ବାଙ୍ଗୀଣ ବିକାଶ ପାଇଁ ନୀଳନକ୍‌ସା ପ୍ରସ୍ତୁତ ହୋଇ କାମ ଦ୍ରୁତ ଗତିରେ ଚାଲିଲା। ଆଜି କଲରାବାଙ୍କ ଆଦର୍ଶ ଗ୍ରାମରୁ ସ୍ମାର୍ଟ ଗ୍ରାମର ମାନ୍ୟତା ପାଇଛି।’’ ଜଣେ ଶିକ୍ଷାବିତ୍‌, ସମାଜସେବୀ ଓ ସାମାଜିକ ଉଦ୍ୟୋଗୀ ଭାବେ ଲେଖକ ଆଜି ପ୍ରତିଷ୍ଠିତ। ତେବେ ସେ ନିଜ ସଫଳତାର ଶ୍ରେୟ ମାଆଙ୍କୁ ଦିଅନ୍ତି, ଯାହା ଏହି ପୁସ୍ତକଟି ପଢ଼ିବା ବେଳେ ପାଠକଟିଏ ଅନୁଭବ କରିପାରିବ। ନିଜର ଅନୁଭବକୁ ବେଶ୍‌ ସାବଲୀଳ ଭାବେ ଲେଖକ ପୁସ୍ତକଟିରେ ବାଢ଼ି ଦେଇଛନ୍ତି। 

ପାଉଁଜିର ପାଣ୍ଡୁଲିପି
କବି: ବିପିନ୍‌ ମହାନ୍ତି
ପ୍ରକାଶକ: ବର୍ଷା ପବ୍ଲିକେଶନ୍‌
ନୟାପଲ୍ଲୀ, ଭୁବନେଶ୍ବର
ମୂଲ୍ୟ: ୨୦୦ ଟଙ୍କା, ପୃଷ୍ଠା: ୧୦୮

‘ପାଉଁଜିର ପାଣ୍ଡୁଲିପି’ରେ ରହିଛି ଶହେଟି ମନୋଜ୍ଞ ସନେଟ୍‌। ଏହି ଚଉଦଧାଡ଼ିଆ କବିତାଗୁଡ଼ିକ ଭିତରେ ପ୍ରେମ ନେଇଛି ପ୍ରମୁଖ ସ୍ଥାନ। ‘‘ହଳେ ପାଉଁଜିରେ ହଜାରେ ସ୍ବପ୍ନ ହଜିଥିବା ଅଭିମାନ/ ନିଃଶବ୍ଦରେ ତୁମ ଆସିବା ଶବଦ ଡେରିଥାଏ ମୋର କାନ/ କିଏ ସେ ସୁନ୍ଦର ଜୋଛନା ନା ଜହ୍ନ ପାଉଁଜି ନା ତୁମ ପାଦ/ ପାଉଁଜିର ପାଇଁ ତୁମ ପାଦଦୁଇ ମୁଣ୍ଡେଇଛି ଅପବାଦ’’ (ମୋ ପ୍ରେମର ତାରକସି)। ପ୍ରେମ ଭିତରେ ଝୁରାପଣ ଓ ଅଭିମାନ ତ ରହିବ। ଦୂରେ ଥାଇ ନିକଟେଇ ଦେଖିବାର ମନୋଜ୍ଞ ବର୍ଣ୍ଣନା କବିଙ୍କ ‘ଆମ ଗାଆଁ ଗୋପପୁର’ କବିତାରେ ଦେଖିବାକୁ ମିଳେ। ‘‘ତୁମ ନଈପଠା ସୋରିଷ କିଆରି ପଉଷ ସକାଳ ଖରା/ ମୋ ଗାଆଁର ଯେତେ ମଧୁମକ୍ଷିଙ୍କର ସରାଗ ସେଥିରେ ଭରା/ ତୁମ ଗାଆଁ ଲଳନା କାଖରେ କଳସ ଅଳସ ଭାଙ୍ଗିଲେ ଗରା/ ମୋ ଗାଆଁର ଯେତେ ପ୍ରଜାପତି ଆଉ ହାତେ ନଦିଅନ୍ତି ଧରା।’’ କେବଳ ପ୍ରେମ ନୁହେଁ, ଜୀବନ ସଂଘର୍ଷ ଓ ବିବିଧ ଆବେଶକୁ ଭେଟିହୁଏ ସଂକଳନସ୍ଥ କବିତାଗୁଡ଼ିକ‌ରେ। ଯେମିତି ‘ଯୋଦ୍ଧା ମୁଁ ଯୁଝିଛି’ କବିତାରେ କବି କହନ୍ତି, ‘‘ଜୀବନ ଯୁଦ୍ଧରେ ହାରିନାହିଁ କେବେ କରିନାହିଁ ପଳାୟନ/ ଯୋଦ୍ଧା ମୁଁ ଯୁଝିଛି ଜୀବନର ସାଥେ ବରିନାହିଁ ନିର୍ବାସନ।’’ ସଂକଳନର କବିତାଗୁଡ଼ିକ ମନୋଜ୍ଞ।

ଆହୁରି ପଢ଼ନ୍ତୁ- 🔴 LIVE News Updates 2026 February 26: କଣ୍ଟାବାଞ୍ଜିରେ ଦୁର୍ଘଟଣା: ଶଳା-ଭିଣୋଇ ମୃତ; ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦୦ ନିୟୁତ ଫଲୋଅର୍ସ; ଆଜି ଲଢ଼ିବେ ଭାରତ-ଜିମ୍ବାୱେ; ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଛାଡ଼ିଗଲା ଯାତ୍ରୀବାହୀ ବସ୍‌

କଳଙ୍କିତ ଚାନ୍ଦ
ଲେଖିକା: ବିଜୟଲକ୍ଷ୍ମୀ ଦାସ 
ପ୍ରକାଶକ: ପେନ୍‌ ଇନ୍‌ ବୁକ୍‌ସ
ଆଚାର୍ଯ୍ୟ ବିହାର, ଭୁବନେଶ୍ବର
ମୂଲ୍ୟ: ୫୪୯ ଟଙ୍କା, ପୃଷ୍ଠା: ୩୫୮

ସୁନ୍ଦର ପରିବାରଟିଏ ଥିଲା ସ୍ମିତାର। ମାତ୍ର ସାଗରର ମନଭୁଲା କଥାରେ ଭାସିଯାଇ ସେ ପରିବାର ଛାଡ଼ି ତା’ ସାଥିରେ ଚାଲିଯାଇଥିଲା। ତାକୁ ବିବାହ କରିବାକୁ ଚାହିବାରୁ ସାଗରର ଉତ୍ତର ଥିଲା, ‘‘ଯେଉଁ ନାରୀ ନିଜ ସ୍ବାମୀକୁ ଛାଡ଼ି ଏକ ପରପୁରୁଷ ସାଙ୍ଗରେ ଆସିପାରେ ତା’ଠୁ ବଳି ବିଶ୍ବାସଘାତକ ଆଉ କେହି ଥାଇପାରେ।’’ ସ୍ମିତାର ସ୍ବପ୍ନଭଙ୍ଗ ଘଟେ। ଏହାପରେ କ’ଣ ହୁଏ ତା’ର ପରିଣତି ଏହାକୁ ନେଇ ଉପନ୍ୟାସଟିର କାହାଣୀ ଗତିଶୀଳ। ଉପନ୍ୟାସର ନାୟିକା ସାମ୍ନା କରିଥିବା ବିବାହୋତ୍ତର ଜୀବନର ବ୍ୟଥା, ବିଡ଼ମ୍ବନା, ସାହସିକତା ଓ ସ୍ବୀକୃତି ସମୟକ୍ରମେ କାହାଣୀଟିକୁ ଗତିଶୀଳ କରାଇଛି। କାହାଣୀ ଦେଇ ଲେଖିକା ସମାଜର ବିବିଧ ଚିତ୍ରକୁ ଅବିକଳ ଭାବେ ଚିତ୍ରିତ କରିଛନ୍ତି। ତେଣୁ ଉପନ୍ୟାସଟି ଆରମ୍ଭରୁ ଶେଷଯାଏ ପାଠକଙ୍କୁ ବାନ୍ଧିରଖିବ ବୋଲି ଅ‌ାଶା କରାଯାଏ। 

ସନ୍ଦେହର ସଳିତା
ଲେଖିକା: ଭୁବନେଶ୍ବରୀ ପଣ୍ଡା
ପ୍ରକାଶକ: ଟାଇମ୍‌ପାସ୍‌
ବରମୁଣ୍ଡା, ଭୁବନେଶ୍ବର
ମୂଲ୍ୟ: ୨୨୫ ଟଙ୍କା, ପୃଷ୍ଠା: ୧୪୮

ଯେଉଁଠି ସନ୍ଦେହ ଥାଏ ସେଠି ଉତ୍କଣ୍ଠା ଥାଏ। ଏହି ଉପନ୍ୟାସଟି ଆରମ୍ଭରୁ ପାଠକ ମନରେ ଉତ୍କଣ୍ଠା ସୃଷ୍ଟି କରେ। ଉପନ୍ୟାସର ମୁଖ୍ୟ ଚରିତ୍ର ମନୀଷାର ମନ‌େର ଉଠୁଥିବା ସନ୍ଦେହକୁ ବେଶ୍‌ ଚମତ୍କାର ଢଙ୍ଗରେ ଲେଖିକା କାହାଣୀର ରୂପ ଦେଇଛନ୍ତି। ଯେମିତି କି ଶ୍ବଶୁର ଅମରେଶଙ୍କୁ ନେଇ ତା’ ମନରେ ସୃଷ୍ଟି ହୋଇଛି ସନ୍ଦେହ। ଶାଶୂଙ୍କ ମୃତ୍ୟୁ ପରେ ଶ୍ବଶୁରଙ୍କ ରୁମ୍‌ରୁ ଚୁଡ଼ିର ରୁଣୁଝୁଣୁ, ପାଉଁଜିର ଝୁମଝୁମ ଶବ୍ଦ ତା’ ମନରେ ସନ୍ଦେହ ସୃ‌ଷ୍ଟି କରିଛି। ସେଥିପାଇଁ ସେ ବାହାନା କରି ସିସିଟିଭି ଲଗାଇଛି ଘଟଣା କ’ଣ ଜାଣିବା ପାଇଁ। କ’ଣ ହେଇପାରେ ଏହାର କାରଣ! ପାଠକ ମନରେ ବି ମନୀଷା ପରି ଉତ୍କଣ୍ଠା। ‘ମନୀଷା ଖୋଜୁଛି ଶାଢ଼ି’, ‘ପରକୀୟା ପ୍ରୀତିରେ ପହଁରୁଛନ୍ତି ଅମରେଶ’, ‘ସନ୍ଦେହର ସମୁଦ୍ରରେ ମନୀଷା’, ‘ସନ୍ଦେହର ବଳୟରେ ଅନୁ ମାଉସୀ’- ଏପରି କୋଡ଼ିଏଟି ପରିଚ୍ଛେଦ ରହିଛି ଉପନ୍ୟାସଟିରେ। ଉପନ୍ୟାସଟିର ସାବଲୀଳ ଭାଷା ମଧ୍ୟ ଏହାକୁ ସୁଖପାଠ୍ୟ କରିଛି। 

ଆହୁରି ପଢ଼ନ୍ତୁ- Hawkings Family: ଏପଷ୍ଟିନ ଫାଇଲରେ ଷ୍ଟିଫେନ ହକିଂଙ୍କ ନାଁ: ଯତ୍ନ ନେଉଥିବା ମହିଳାଙ୍କ ସହିତ ଆପତ୍ତିଜନକ ଫଟୋ

ସ୍ମୃତିର ଜୁଆର ଭଟ୍ଟା
ଲେଖକ: ରବୀନ୍ଦ୍ରନାଥ ସାହୁ 
ପ୍ରକାଶିକା: କାନନବାଳା ସାହୁ 
ମହାନଦୀ ବିହାର, କଟକ
ମୂଲ୍ୟ: ୨୫୦ ଟଙ୍କା, ପୃଷ୍ଠା: ୨୦୮

ଡିମେନ୍‌ସିଆ ଏକ ମସ୍ତିଷ୍କଜନିତ ରୋଗ। ଏହା ମଣି‌‌‌‌ଷର ମସ୍ତିଷ୍କକୁ ଆକ୍ରାନ୍ତ କରିଥାଏ। ଏହାଦ୍ବାରା ମଣିଷର ସ୍ମୃତିଶକ୍ତି ବେଳେବେଳେ ଲୁପ୍ତ ହୋଇଯାଇ କିଛି ସମୟ ପରେ ତାହା ଫେରିଆସିଥାଏ। ସ୍ମୃତିଶକ୍ତିର ଏଇ ଜୁଆର ଭଟ୍ଟାକୁ ଲେଖକ ବିଶ୍ଳେଷଣ କରିଛନ୍ତି ପୁସ୍ତକଟିରେ। ସମସ୍ୟା ସହ ସମାଧାନର ସୂତ୍ର ମଧ୍ୟ ପ୍ରଦାନ କରିଛନ୍ତି। ପୁସ୍ତକଟିରେ ମସ୍ତିଷ୍କର କାର୍ଯ୍ୟାବଳୀ, ବାର୍ଦ୍ଧକ୍ୟରେ ମସ୍ତିଷ୍କର ସ୍ଥିତି, ମସ୍ତି‌ଷ୍କ ସୁସ୍ଥ ରହିବାର ଉପ‌ାୟ, ଆଲଜାଇମର୍‌ସ ରୋଗ ଓ ନିରାକରଣ ପରି କୋଡ଼ିଏଟି ଉପାଦେୟ ପ୍ରସଙ୍ଗ ରହିଛି।