A poem by Chirashree Indrasingh: ଯାଃ.. ଧୂଳି ଛାଟିଦେଲି ମନ୍ତ୍ରକରି ଚିରଶ୍ରୀ ଇନ୍ଦ୍ରସିଂ

କବିତାଟି ଜୀବନର ତୀକ୍ଷ୍ଣ ପ୍ରଶ୍ନ ଓ ବେଦନାକୁ ପଛକୁ ଛାଡ଼ି ଦେଇ ଶାନ୍ତି, ଆଶା ଓ କବିତାର ସୁନ୍ଦରତାକୁ ପୁଣି ପ୍ରାପ୍ତ କରିବାର ଆକାଂକ୍ଷାକୁ କଥାହୁଏ। ବରଗଛ ତଳେ ପକ୍ଷୀମାନଙ୍କ କାକଳି ନୂତନ ସ୍ପନ୍ଦନର ପ୍ରତୀକ।

ଅଦ୍ୟତନ ହୋଇଛି
Importance_of_Affection_logo-fdd62796c31848419aa6415fd23e3272

Photograph: (internet)

ଯାଃ... ଧୂଳି ଛାଟିଦେଲି ମନ୍ତ୍ରକରି

ଚିରଶ୍ରୀ ଇନ୍ଦ୍ରସିଂ

କିଛି କିଛି ଧାରୁଆ ପ୍ରଶ୍ନ
ଓ ସେସବୁର ଆହୁରି ଧାରୁଆ ଉତ୍ତର
ଉପରେ ଚଢ଼େଇଦେଲି ପାଣି, ପବନ, ପ୍ରତ୍ୟାଖ୍ୟାନ
ଯାଉ, ଧାର ମରିଯାଉ, ଶୋକ ହାରିଯାଉ
ଫେରିଆସୁ କାହାଣୀର ଅଗଣାକୁ କବିତା
ଦୋଛକିରେ ଠିଆ ଯୋଉ ବରଗଛ
ପକ୍ଷୀମାନେ ପତ୍ରଗହଳକୁ ତା’ର
ଭରିଦିଅନ୍ତୁ କାକଳିରେ, କୋଳାହଳରେ।

ଆହୁରି ପଢ଼ନ୍ତୁ- Vigilance Raid: ଭିଜିଲାସନ୍ସ ଜାଲରେ ଗ୍ରହାଚାର୍ଯ୍ୟ, ୧୭ ହଜାର ଲାଞ୍ଚ ନେଇ ଫସିଗଲେ

ବିଶିଷ୍ଟ ବୋଲି କେହି ନ ଥାଏ
ନା ମୁଁ, ନା ସେ, ନା ତୁମେ, ନା ଅନ୍ୟ କିଏ
ଏତିକି ବୁଝିବା ପାଇଁ ଲୋଡ଼ା
ଯେଉଁ ତଳିତଳାନ୍ତ ଭଲପାଇବା
ସେତିକି ଝଟକୁଥାଉ ଚିବୁକରେ ମୋର, ତିଳଚିହ୍ନ ହୋଇ
ଲମ୍ବି ଲମ୍ବି ଯାଉ ପଛେ
କେଉଁଠି କାହା କାହାର ଅହଂକାରର ଛାଇ।

ମୁଁ ବାହାରି ଯାଉଛି
ନଦୀ ପରି ନଇଁଲା ବାଟରେ
ଶାଗୁଆ ଗୀତ ଲେଖି ଲେଖି ମାଟିରେ, ମସ୍ତିଷ୍କରେ।
ଭୁଲ୍ ବୁଝନାହିଁ, ଠିଆ ହୋଇଛି ବୋଲି ଏବେ ମଧ୍ୟ
ଶାଳ୍ମଳୀ ବୃକ୍ଷର ଶାଖା ତଳେ।

ଆହୁରି ପଢ଼ନ୍ତୁ- Cyclone : ତାମିଲନାଡୁ ଉପକୂଳ ସ୍ପର୍ଶ କରି ଗତି କରିବ ବାତ୍ୟା ଦିଟଓ୍ବା

ଏଇଠି ଛାଡ଼ିଦେଇ ଯିବି ଜହ୍ନଟିଏ, ଗଲାବେଳେ
ତମେ ଆଘାତ କରିବ ଶସ୍ତ୍ରରେ କି ଆଦର କରିବ ସ୍ପର୍ଶରେ
ଯାହା କର
ସେ କିନ୍ତୁ ଭରି ଦେଉଥିବ ଦିଗ୍‌ବିଦିଗ
ତିଥିମାନଙ୍କର ନିରପେକ୍ଷତାରେ।

ପାଖରେ ଅଛି, କିଛି କିଛି ଧାରୁଆ ପ୍ରଶ୍ନ
ଏବଂ ସେସବୁର ଆହୁରି ଧାରୁଆ ଉତ୍ତର,
ଯେ, ଯାଃ... ଧୂଳି ଛାଟିଦେଲି ମନ୍ତ୍ରକରି
ଫୁଲ ଫୁଟୁ, ପ୍ରକାଶ ଚହଟୁ
ଲୋଟୁଥା‌ଉ ମାଟିରେ ଫଳଭର୍ତ୍ତି ଲତା
କ୍ଷତିରେ ଚାଲୁଥିବା ସମୟର ଦେଣା
ଶୁଝିଦେବି, ନିଅ ଧର
ମୁଁ ବାଣ୍ଟିଦେଉଛି ହଳ ହଳ ଡେଣା।

ମୋ: ୮୦୧୮୪୨୦୫୧୭

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe