Photograph: (sambad)
ସୃଜନ ସପ୍ତପଦୀ
ଲେଖାଠାରୁ ଲେଖିବା ପ୍ରକ୍ରିୟାଟି ବେଶି ଗୁରୁତ୍ବପୂର୍ଣ୍ଣ
ଲେଖିବସିବା ବେଳେ ଆପଣଙ୍କୁ କଲମ ଚଳାଇ ନିଏ ନା ଆପଣ କଲମ ଚଳାନ୍ତି?
କୌଣସି ପ୍ରସଙ୍ଗ, ଘଟଣା କି ଚରିତ୍ର ମୋତେ ଆକ୍ରାନ୍ତ ଓ ଆଚ୍ଛନ୍ନ କଲେ ତାହା ମନ ଭିତରେ ଅନୁରଣିତ ହୋଇଚାଲେ ଅନବରତ। ଅସ୍ଥିର ଓ ଉଦ୍ବେଳିତ କରେ। ଧୀରେ ଧୀରେ ତାହା ଗପ ରୂପ ପାଉଥାଏ। ଉପଯୁକ୍ତ ମାଟି, ଚାପ, ତାପ, ପାଣି ଓ ପବନ ପାଇ ମଞ୍ଜିଟି ସ୍ବତଃ ଗଜା ହେଲା ପରି ଗପ ତା’ର ଭାଷା, ଭାବ, ଆବେଗ ଓ ଅନୁଭବ ନେଇ ଡାଳପତ୍ର ମେଲେ। ମନ ଭିତରେ ଗପର ଆକାର, ପ୍ରକାର ପ୍ରକ୍ରିୟା ଗୋଟିଏ ରୂପାନ୍ତର ପରି କାମ କରେ ଓ ଲେଖିବସିଲେ କଲମ ସେଥିରେ ସାମିଲ ହେଇଯାଏ। ଏ କ୍ଷେତ୍ରରେ ମୋର ଭୂମିକା ଗୌଣ। ମସ୍ତିଷ୍କଠାରୁ ହୃଦୟାବେଗର ପ୍ରାଧାନ୍ୟ ବେଶି। ଲେଖାଠାରୁ ଲେଖିବା ପ୍ରକ୍ରିୟାଟି ବେଶି ଗୁରୁତ୍ବପୂର୍ଣ୍ଣ। ତେବେ ଗପର ଚମକଟିଏ ଆସିବା ଓ ଗପହେଇ ଠିଆହେବାର ଅନ୍ତର୍ଯାତ୍ରା ଦୀର୍ଘ ହୋଇଥିବାରୁ ମୁଁ ବେଶି ଗପ ଲେଖିପାରେ ନାହିଁ।
ଆହୁରି ପଢ଼ନ୍ତୁ- 🔴 LIVE | News Updates 23 January 2026: ଦ୍ବିତୀୟ ଟି୨୦: ଭାରତର ବୋଲିଂ ନିଷ୍ପତ୍ତି; ସିନ୍ଧୁଙ୍କୁ ରେଡ୍କାର୍ଡ; ଭାରତର ଅଭିଯାନ ଶେଷ
କେଉଁ ବହିସବୁ ଆପଣ ଏକାଧିକବାର ପଢ଼ିଛନ୍ତି ଆଉ କାହିଁକି?
ନିର୍ଦ୍ଦିଷ୍ଟ ଭାବେ କେଉଁ ବହି କେତେଥର ପଢ଼ିଛି ତା’ର ପରିସଂଖ୍ୟାନ ଦେବା ସମ୍ଭବ ନୁହେଁ। ପଢ଼ାପଢ଼ିର ଆନନ୍ଦ ନେବାର ଆଗ୍ରହ ପିଲାବେଳୁ। ଲେଖାଲେଖି ପ୍ରକ୍ରିୟା ସହିତ ଜଡ଼ିତ ହେଲା ପରେ ବହି ପଢ଼ାର ଆନନ୍ଦ ଠାରୁ ଆକଳନ, ଆହରଣ ଓ ଆତ୍ମସମୀକ୍ଷଣ କରିବାର ପ୍ରବୃତ୍ତିଟି ବଢ଼ିଲା। ଫଳରେ କାବ୍ୟ କବିତା, ଗପ ଉପନ୍ୟାସ, ପ୍ରବନ୍ଧ ଆଲୋଚନା କି ଜୀବନୀ କି ଆତ୍ମଜୀବନୀ ଓଡ଼ିଆଠାରୁ ହିନ୍ଦୀ, ଇଂରାଜୀ ଭାଷାର କେେତକ ବହି ଏକାଧିକବାର ପଢ଼ିଛି ଓ ପଢୁଛି ମଧ୍ୟ, ଯାହା ସବୁ ମୋର ଚିନ୍ତା, ଚେତନା, ଜ୍ଞାନ ଓ ଉତ୍ତରଣରେ ସହାୟକ ହୋଇଥାଏ। ପଢ଼ିବା ହେଉଛି ନିଜକୁ ବାରମ୍ବାର ଆବିଷ୍କାର କରିବା।
କୁହାଯାଏ, ଲେଖକଟିଏ ହେବା ସହଜ କଥା ନୁେହଁ। ଆପଣ କ’ଣ ଭାବନ୍ତି?
ଏହା ବାସ୍ତବ ଅନୁଭବ। ଲେଖାଟିଏ କି ବହିଟିଏ ପାଠକ ପାଖରେ ପହଞ୍ଚିଲେ ସେ ତାକୁ ପଢ଼ି ତନ୍ମୟ ହୁଏ, ବିଭୋର ହୁଏ। ତା’ ଭିତରେ ଆବେଗଗତ କ୍ରିୟା-ପ୍ରତିକ୍ରିୟା ସୃଷ୍ଟି ହୁଏ। କିନ୍ତୁ ପାଠକଟିକୁ ଆହ୍ଲାଦିତ କରିବା ପାଇଁ ଲେଖା ପଛରେ ଲେଖକଟିର ଯେଉଁ ଆନ୍ଦୋଳିତ ହୃଦୟର ଅସହନୀୟ ପୀଡ଼ା, ଘର୍ମାକ୍ତ କାରୁଣ୍ୟ, ବେଦନାକ୍ତ ଅନୁଭବ ପୁଣି ଆୟାସପୂର୍ଣ୍ଣ ଅଧ୍ୟବସାୟ ଥାଏ, ତାହା ଲୁଚିଯାଏ। ଜଣେ ଅନୁଭବୀ ଲେଖକ କହିଥିଲେ, ମୃତ୍ୟୁ ପରେ ଲେଖକର ନର୍କ ଭୋଗ ନ ଥାଏ, ସେ ତା’ର ଜୀବନକାଳର ଲେଖାଲେଖି ଭିତରେ ସେତକ ଭୋଗ କରିସାରିଥାଏ।
ସାହିତ୍ୟ ନିଜେ ବଞ୍ଚୁଥିବା ସମୟର ପ୍ରତିଫଳନ ନା ସମୟକୁ ଅତିକ୍ରମ କରିଯିବା ତା’ର ଧର୍ମ ବୋଲି ଆପଣ ବିଚାର କରନ୍ତି?
ସମକାଳର କଥା କହୁଥିଲେ ବି ସମୟକୁ ଅତିକ୍ରମ କରି ନ ଗଲେ ତାହା ଉତ୍ତୀର୍ଣ୍ଣ ସାହିତ୍ୟ ହୋଇ ନ ଥାଏ। ସମକାଳୀନତା ଭିତରେ ସର୍ବକାଳୀନତାର ଆବେଦନ ସାହିତ୍ୟକୁ ଚିରକାଳୀନତା ପ୍ରଦାନ କରିଥାଏ। ସାହିତ୍ୟ ଚିତ୍ତର ଆନନ୍ଦ ହେବା ସଙ୍ଗେ ସଙ୍ଗେ ଚେତନା ଉତ୍ତରଣର ମାର୍ଗ ଉନ୍ମୋଚନ କରିବା ଜରୁରି, ଯାହା ଆଗାମୀ ସମୟ ଓ ସମାଜ ପାଇଁ ଏକ ପ୍ରେରକ ତତ୍ତ୍ବ ହୋଇ ରହିବ।
କେଉଁ ଗଳ୍ପ, କବିତା ବା ପୁସ୍ତକକୁ ଆପଣଙ୍କ ସଫଳତମ କୃତି ବୋଲି କହିବେ?
ନିଜ ଲେଖାକୁ ନିଜେ ସଫଳତମ କୃତି ବୋଲି ଘୋଷଣା କରିବା ଆଦୌ ବିଚାରଶୀଳ ନିରପେକ୍ଷତା ନୁହେଁ। ପାଠକୀୟତାକୁ ଆଧାର କରି ମୁଁ ହୁଏତ କହିପାରିବି ‘ଖରାରେ ଠିଆ ହୋଇଥିବା ଲୋକ’, ‘ଗଛ ଓ ଅନ୍ୟାନ୍ୟ ଗଳ୍ପ’, ‘କେମିତି ବଦଳିଯାଏ ମଣିଷ’, ‘ଶୋକର ଶିଳାଲିପି’ ଓ ‘ପୁନଶ୍ଚ ପୃଥିବୀ’ ଆଦି ପୁସ୍ତକରେ ଶୀର୍ଷକ ଗଳ୍ପ ସମେତ ମନଛୁଅଁା ଗଳ୍ପ ସବୁ ଅଛି। ଅନ୍ୟପକ୍ଷରେ କାଉ, ପାପ, ସନ୍ଧିକ୍ଷଣ, ଗାନ୍ଧୀବାଡ଼ି, ପାପର ହାତଗୋଡ଼, ଅସୁର, ଯାତ୍ରାର ପ୍ରଥମ ପାଦ, ଉଧାର ଜୀବନ, ଗପ ସରେନାହିଁ, ଅଧାଲେଖା ଗପ, ଦେବୀ, ଅନ୍ଧାରର ମୁହଁ, ଆତ୍ମ ବିସ୍ଥାପନ ଓ ନିଃଶବ୍ଦ କୋଳାହଳ ଆଦି ଗପକୁ ମୁଁ ମୋର ସଫଳତମ ଗପ ବୋଲି ନିଶ୍ଚୟ କହିବି।
ଆହୁରି ପଢ଼ନ୍ତୁ- Financial Independence: ସ୍ଥାୟୀ ଅଭ୍ୟାସରୁ ଆରମ୍ଭ ହୁଏ ଆର୍ଥିକ ସ୍ବାଧୀନତା
ସାମାଜିକ ଗଣମାଧ୍ୟମ ସାହିତ୍ୟର ଶତ୍ରୁ ବୋଲି ଆପଣ ଭାବୁଛନ୍ତି କି?
ଆଦୌ ନୁହେଁ। ସାମାଜିକ ଗଣମାଧ୍ୟମ ଏବେ ସାହିତ୍ୟସୃଜନ, ପ୍ରଚାର, ପ୍ରସାର କ୍ଷେତ୍ରରେ ଏକ ବିସ୍ତୃତ ଭୂଇଁ ପାଲଟିଛି। ଲେଖାର ଗୁଣଖୁଣ ତତ୍କାଳ ପରଖା ଯାଇପାରୁଛି। ଗଣମାଧ୍ୟମ ବହୁ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣୁଛି। ପ୍ରତିଦିନ ନୂଆ ଲେଖକ ଲେଖିକା ସାମ୍ନାକୁ ଆସୁଛନ୍ତି। ସେମାନଙ୍କର ସୃଜନାତ୍ମକତାର ଗଭୀରତାକୁ ମପା ଯାଇପାରୁଛି। ଏକଥା ବି ଜାଣି ହେଉଛି ଯେ ସାମାଜିକ ଗଣମାଧ୍ୟମରେ କାଉ, ବଗ ସହିତ ହଂସମାନେ ବି ଅଛନ୍ତି, ଅଛନ୍ତି ମାଛି ଓ ମହୁମାଛି। ସାମାଜିକ ଗଣମାଧ୍ୟମ ଏକ ସେନ୍ସର୍ରହିତ ସ୍ବାଧୀନ ପ୍ଲାଟ୍ଫର୍ମ। ଆପଣ ତାକୁ କିପରି ବ୍ୟବହାର କରିବେ ତାହା ଆପଣଙ୍କର ଚିନ୍ତା, ଚେତନା, ଭାବନା, ରୁଚି ଓ ମାନସିକତା ଉପରେ ନିର୍ଭର କରେ। ଆକାଶ ଓ ସମୁଦ୍ରକୁ ସମସ୍ତେ ଦେଖନ୍ତି, ସମସ୍ତେ କ’ଣ ଏକା କଥା କହନ୍ତି!
ଓଡ଼ିଆ ସାହିତ୍ୟର ପାଣିପାଗକୁ ନେଇ ଆପଣଙ୍କର କିଛି ଅଭିଯୋଗ ବା ପରାମର୍ଶ ରହିଛି କି?
ଓଡ଼ିଆ ସାହିତ୍ୟର ପାଣିପାଗ କିଞ୍ଚିତ୍ ଧୂମିଳ ଓ ତନ୍ଦ୍ରାକ୍ରାନ୍ତ ଥିଲେ ବି ସୃଜନର ସୂର୍ଯ୍ୟାଲୋକ ତଥାପି ଅବାରିତ ଅଛି। ଲିଖନ, ପ୍ରକାଶନ, ଉନ୍ମୋଚନ, ସମୀକ୍ଷଣ ଆଦି ସାହିତ୍ୟିକ କାର୍ଯ୍ୟକ୍ରମ ଧାରାବାହିକ ଭାବେ ଚାଲୁରହିଛି। ବିଶେଷକରି ନୂଆପିଢ଼ିର ଯୁବସ୍ରଷ୍ଟାମାନଙ୍କ ଆଗମନ ଓ ସେମାନଙ୍କ ଅଭିନବ ସୃଜନାତ୍ମକତା, ନୂଆଶୈଳୀର ପ୍ରୟୋଗ ଓଡ଼ିଆ ସାହିତ୍ୟର ଭବିଷ୍ୟତ ପାଇଁ ଆଶା ଓ ଆଶ୍ବାସନା ସଞ୍ଚାର କରିଛି। ସାମଗ୍ରିକ ଭାବେ ଦେଖିଲେ ଓଡ଼ିଆ ସାହିତ୍ୟର ରଚନାତ୍ମକ ଓ ସଂଗଠନାତ୍ମକ ପରିବେଶ ବେଶ୍ ଉଚ୍ଛଳ ଓ ଆଶାସଞ୍ଚାରୀ ଥିଲାବେଳେ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ମଧ୍ୟ ରହିଛି। ଏ ବାବଦରେ ବହୁ ଚିନ୍ତକ ଓ ଆଲୋଚକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଚାଲିଛନ୍ତି। ଏ ସଂପର୍କରେ ମୋର ଅଭିଯୋଗ କି ପରାମର୍ଶ କେତେ ଗ୍ରହଣୀୟ ହେବ, ମୁଁ ସନ୍ଦିହାନ। ତଥାପି ଆଶା ରଖିବି, ଖୁବ୍ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ ହେବ ଓ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତା’ର ଗୌରବପୂର୍ଣ୍ଣ ଯାତ୍ରାକୁ ଆହୁରି ମହିମାନ୍ବିତ କରିଚାଲିବ।
Follow Us