ଯାହା କହିବି ସତ କହିବି
ଜୟଶ୍ରୀ ମହାପାତ୍ର
ଦଶହରା ପାଖ ହେଇ ଆସିଲା ଶୁଣିକି ମନରେ କେମିତି ଗୋଟେ ଆଲୋଡ଼ନ ଖେଳିଗଲା। ମନ ଚାଲିଗଲା ବର୍ଷେ ତଳକୁ। କିଛି ପୁରୁଣା କଥା ଗୁଡ଼େଇ ତୁଡ଼େଇ ହେଲା ମନ ଭିତରେ।
ପ୍ରଥମ ଥର ଜେଲ୍ ତଦାରଖ କରିବାକୁ ଗଲାବେଳେ ଦେଖା ହେଇଥିଲା ସେଇ ସ୍ତ୍ରୀଲୋକଟି ସାଙ୍ଗରେ। ସମସ୍ତଙ୍କ ସାଙ୍ଗେ କଥା ହେଲାବେଳେ କାନ୍ଥକୁ ଆଉଜି ଛିଡ଼ାହେଇଥିଲା ସେ ସ୍ତ୍ରୀଲୋକଟି। ତା’ ଆଖି ଦି’ଟା ନିବଦ୍ଧ ଥିଲା କେବଳ ମୋ ଉପରେ। କିନ୍ତୁ ସେ ପାଖକୁ ଆସୁ ନଥିଲା। ମୋ ପାଖେ ଜେଲର୍ ବସିକି ଗୋଟେ ଗୋଟେ କଏଦୀଙ୍କର ନାଁ ସହିତ ଧାରା କହିଚାଲିଥାନ୍ତି। ମୁଁ ଫାଇଲ୍ ସବୁ ଦେଖିବା ଭିତରେ ଆଖି ଉଠେଇକି ଦେଖୁଥିଲି, ସେ ସ୍ତ୍ରୀ ଲୋକଟି ସେମିତି ଛିଡ଼ାହୋଇ ରହିଥିଲା। ନିରବରେ ଏକଲୟରେ ମୋତେ ଚାହିଁ ରହିଥିଲା।
ଜେଲର୍ ବାବୁଙ୍କୁ ପଚାରିଲି, ‘‘ଏଇ ସ୍ତ୍ରୀଲୋକଟିର କ’ଣ ହେଇଛି? ଆସିଲାବେଳୁ ସେଇଠି ସେମିତି ଛିଡ଼ାହେଇଛି, କିଛି କହୁନି କି ପାଖକୁ ଆସୁନି! ତାକୁ ଟିକେ ପାଖକୁ ଡାକନ୍ତୁ, ଆଉ ତା’ର ଫାଇଲ୍ଟା ବି ଆଣନ୍ତୁ।’’ ଏକଥା କହିଲି ସିନା ହେଲେ ମନ ବୁଝିଲାନି, ନିଜେ ଉଠିକି ଗଲି ସେ ସ୍ତ୍ରୀଲୋକଟି ପାଖକୁ। ତାକୁ ଟିକେ ଆଉଜେଇ ଆଣିଲି ମୋ ଆଡ଼କୁ। ଲୁହ ଝରିଆସିଲା ତା’ ଆଖିରୁ। ନିରବଚ୍ଛିନ୍ନ ଭାବରେ ବୋହୁଥିବା ଲୁହର ଯେ ଗୋଟେ ଭାଷା ଥାଏ ତାହା ପ୍ରଥମଥର ମୁଁ ଅନୁଭବ କଲି।
ବହୁତ ପଚାରିବା ପରେ ନିଜକୁ ସଂଯତ କରି କହିଲା, ‘‘ମ୍ୟାଡାମ୍ ମୋ ନାଁ ରୁପା। ମତେ ନେଇ ଆସିଲେ। ମୁଁ କିଛି ଜାଣିନି।’’ ଜେଲର୍ ବାବୁଙ୍କୁ ପଚାରିଲି, ‘‘ୟାର ଅଫେନ୍ସଟା କ’ଣ?’’ ସେ ୩୦୨, ୩୦୭ ଏମିତି ବିଭିନ୍ନ ଦଫା କହିଚାଲିଲେ। ସ୍ତ୍ରୀଲୋକଟି ପଚାରିଲା, ‘‘ମ୍ୟାଡାମ୍ ଏଗୁଡ଼ା କ’ଣ?’’ ଦିନ ସେତେବେଳକୁ ଗୋଟେ ବାଜିଲାଣି। ମୁଁ କିଛି ସିଦ୍ଧାନ୍ତରେ ପହଞ୍ଚିପାରିଲି ନାହିଁ।
ଅପେକ୍ଷା କଲି ସେମାନଙ୍କ ଖାଇବା ସରିବା ଯାଏ। ବହୁତ ବୁଝେଇ ଶୁଝେଇ ସେ ସ୍ତ୍ରୀଲୋକଟିକୁ ଖାଇବାକୁ ପଠେଇଲି। ସେଠି ସମସ୍ତେ କହିଲେ, ‘‘ମ୍ୟାଡାମ୍ ତିନିଦିନ ହେଲା ଯେତେ କହିଲେ ବି ସେ କିଛି ଖାଉନି। କାହା ସାଙ୍ଗେ କଥା ହେଉନାହିଁ, ଖାଲି କାନ୍ଦୁଛି।’’ ଜେଲର୍ଙ୍କୁ କହିଲି ମୁଁ ଅଫିସ୍କୁ ଯାଉଛି। ଆପଣ ତାକୁ ନେଇ ସେଇଠିକୁ ଆସନ୍ତୁ। ମୁଁ ତା’ ସାଙ୍ଗେ ଏକୁଟିଆ କଥା ହେବାକୁ ଚାହେ।’’
ସେଇଆ ହିଁ ହେଲା। ସ୍ତ୍ରୀଲୋକଟିର ବୟସ ୩୫ରୁ ୪୦ ବର୍ଷ ଭିତରେ ହେବ। ଖୁବ୍ ସୁନ୍ଦରୀ ନ ହେଲେ ବି ତା’ ମୁହଁରେ ଗୋଟେ ଆକର୍ଷଣ ରହିଛି। ଗୋରା ବେଶି ନୁହେଁ, କିନ୍ତୁ, ରଙ୍ଗ ଓ ସ୍ବରରେ ମାଧୁର୍ଯ୍ୟ ଅଛି। କଥାଭାଷାରୁ ଶାଳୀନ ପରିବାରର ଲାଗୁଛି।
ନାଁ ଧରି କହିଲି, ‘‘ରୁପା, କ’ଣ ହେଇଛି, ତୁମର ଭଉଣୀଟିଏ ଭାବି ମତେ କୁହ। କାହିଁକି ଜେଲ୍କୁ ଆସିଲ? ତୁମ ସ୍ବାମୀ କ’ଣ କରନ୍ତି? ପିଲା କେତୋଟି?’’
ରୁପା କହିଲା, ‘‘ମ୍ୟାଡାମ୍ ମୋର ଆଉ ଘର ବୋଲି କିଛି ନାହିଁ। ମୋର ଗୋଟିଏ ଝିଅ, ଗୋଟିଏ ପୁଅ। ବଡ଼ ଝିଅ ପ୍ଲସ୍ ଟୁ ପଢୁଛି, ପୁଅଟି ସାନ। ମୋର ଦୋଷ କ’ଣ ଜାଣିନି।’’ ପଚାରିଲି, ‘‘ଓକିଲ କାହାକୁ କହିଲଣି?’’ କହିଲା, ‘‘ନା ମ୍ୟାଡାମ୍, ମୋତେ ଏସବୁ ଜଣାନାହିଁ।’’
ମନେ ମନେ ଭାବିଲି- କ’ଣ ଜଣେ କିଛି ଦୋଷ ନ କରି ଜେଲ୍ ଦ୍ବାର ଦେଖେ! ନିଶ୍ଚୟ କିଛି ଦୋଷ ଥିବ, ରୁପା ମୋତେ ବୋଧେ କିଛି ଲୁଚାଉଛି। କହିଲି, ‘‘ରୁପା ମୋ ପାଖରେ ସତ କୁହ ମୁଁ ନିଶ୍ଚୟ କିଛି ଉପାୟ ବାହାର କରିବି।’’ ରୁପା କହିବସିଲା ତା’ର କଥା...
‘‘ମ୍ୟାଡାମ୍ ମୁଁ ବି.ଏ. ପାସ୍ କରିଛି। କମ୍ପ୍ୟୁଟର୍ ଟ୍ରେନିଂ ମଧ୍ୟ ନେଇଛି। ଆକାଉଣ୍ଟସ୍ ଉପରେ ବି କିଛି ଜାଣିଥିଲି। ଚାକିରିଟେ ପାଇଁ ମନ୍ତ୍ରୀଙ୍କୁ ଦେଖାକରି କହିଥିଲି। ମନ୍ତ୍ରୀଙ୍କ ସୁପାରିସରେ ଚାକିରି ଖଣ୍ଡେ ମଧ୍ୟ ମିଳିଲା। ସ୍ବାମୀ ମୋର କେବେଠୁ ସେପାରିକୁ ଚାଲିଗଲେଣି। ଛୁଆ ଦି’ଟାକୁ ମଣିଷ କରିବା ପାଇଁ ବହୁତ କଷ୍ଟ ହେଲା। କେତେ ଦିନ ବାପଘର ଚଳାଇବେ? ମୋ ସ୍ୱାମୀଙ୍କର ରାଜନେତାମାନଙ୍କ ସାଙ୍ଗେ ସମ୍ପର୍କ ଭଲଥିଲା। ସେମାନେ ମତେ ଆଶ୍ବାସନା ଦେଲେ ବ୍ୟସ୍ତ ନ ହେବା ପାଇଁ। ଚାକିରିଟିଏ ବି ଯୋଗାଡ଼ କରିଦେଲେ। ଭାବିଲି ପିଲାଙ୍କୁ ନେଇ ଚଳିବା ସହଜ ହେଇଯିବ। ରିସେପ୍ସନିଷ୍ଟ ଭାବରେ ଗୋଟେ ହୋଟେଲ୍ରେ ଚାକିରିଟିଏ ପାଇଲି। ମନ ଖୁସି ଥିଲା। ପିଲାମାନଙ୍କର ଆଉ ଅସୁବିଧା ହେବ ନାହିଁ। ସେମାନଙ୍କ କଥା ସବୁ ବୁଝିପାରିବି। ଅଧିକା ପାଠ ପଢ଼େଇ ପାରିବି। ଏସବୁ ଭିତରେ କିନ୍ତୁ ମୁଁ ଅନୁଭବ କରୁଥିଲି ସେଇ ହୋଟେଲ୍କୁ ଆସୁଥିବା ନେତାମାନଙ୍କୁ, ଆଉ ସେମାନଙ୍କର ଚାହାଣି ଓ ଇଙ୍ଗିତକୁ। ଭଲ ନ ଲାଗିଲେ ବି ନିରବରେ ମୋ କାମ କରୁଥିଲି।
କିନ୍ତୁ, ଦିନେ ମୋତେ ହୋଟେଲ୍ର ମ୍ୟାନେଜର କହିଲେ, ‘‘ତୁ ନେତାମାନଙ୍କ ସୁପାରିସରେ ଚାକିରି ପାଇଛୁ। ତାଙ୍କୁ ଖୁସି କରିବା ତୋର ଧର୍ମ। ତୁ ସୁନ୍ଦରୀ ଅଛୁ, ବୟସ ଅଛି, କାହିଁକି ଜୀବନଟାକୁ ନଷ୍ଟ କରୁଛୁ? କେତେ ପଇସା ରୋଜଗାର କରିବୁ। ଘର, ଗାଡ଼ି ସବୁକଛି ତୋର ହେଇଯିବ।’’ ଏତିକି କହି ରୁପା କାନ୍ଦିବାକୁ ଲାଗିଲା। ତା’ ଆଖିରୁ ଲୁହ ପୋଛିଦେଇ ତାକୁ କହିଲି, ‘‘କହ ରୁପା, ପୁଣି କ’ଣ ହେଲା?’’
ସେ କେମିତି କହିବ ସେକଥା ବୁଝିପାରୁନଥିଲା। ତା’ ପିଠିକୁ ଆଉଁଶିଦେଇ ମୁଁ କହିଲି, “ରୁପା ମୁଁ ବି ତମର ଗୋଟେ ଭଉଣୀ, ତୁମ କଥା ବୁଝିପାରୁଛି। ମତେ ମନଖୋଲି ସବୁ କୁହ।’’
ଆରମ୍ଭ କଲା ରୁପା, ‘‘ମ୍ୟାଡାମ୍, ହୋଟେଲ୍ରେ କିଛି ସମୟ ପାଇଁ ଲାଇଟ୍ ଚାଲିଗଲା। ଇନ୍ଭର୍ଟର ବି ଚାଲିଲାନି। ଉପରୁ ଜଣେ କଷ୍ଟମର୍ ଫୋନ୍ କଲେ, ‘‘ମ୍ୟାଡାମ୍ ରୁମ୍ରେ ଲାଇଟ୍ ନାହିଁ। ମୋ ପୁଅର ଆଜ୍ମା ଅଛି। ସଫୋକେଟେଡ୍ ହେଇଯାଉଛି। ପ୍ଲିଜ୍ ଟିକେ ହେଲ୍ପ କରନ୍ତୁ।’’ କଥାଟା ଗୋଟେ ସ୍ତ୍ରୀଲୋକର ଥିଲା। ମୁଁ ବ୍ୟସ୍ତହୋଇ ପ୍ରଥମ ମହଲାକୁ ଚାଲିଗଲି, ରୁମ୍ର କବାଟରେ ଆବାଜ ଦେଲି।
କବାଟ ଫିଟିଲା। ମୁଁ କହିଲି, ‘‘କ’ଣ ହେଲା ମ୍ୟାଡାମ୍, ମୁଁ କ’ଣ ସାହାଯ୍ୟ କରିପାରିବି?’’ ଏତିକି କହିବା ଭିତରେ ଭିତରପଟୁ କିଏ କବାଟ ବନ୍ଦ କରିଦେଲା। ତା’ପରେ ମ୍ୟାଡାମ୍ ମୁଁ କେତେ ଚିତ୍କାର କଲି, କେତେ ଡାକିଲି, କେହି ଶୁଣିଲେନି। ମୋ ସ୍ବର କାହା ପାଖରେ ପହଞ୍ଚିପାରିଲା ନାହିଁ। ମୁଁ ଅସହାୟ ହେଇଗଲି। ରାତି ସେତେବେଳକୁ ୧୧ଟା। ନିଜକୁ ବଞ୍ଚେଇବାକୁ ଯାଇ ଫୁଲଦାନିଟା ଫୋପାଡ଼ିଦେଲି ସେଇ ହିଂସ୍ର ଲୋକଟି ଉପରକୁ। ତା’ପରେ ମୋର କ’ଣ ହେଲା ମୁଁ ଜାଣିନି। ନିଜକୁ ଗୋଟେଇକି ଉଠିଲା ବେଳକୁ ଦେଖିଲି ପୁଲିସ ବହୁତ ଅଛନ୍ତି। ହୋଟେଲ୍ ଷ୍ଟାଫ୍ମାନେ ଛିଡ଼ା ହୋଇଛନ୍ତି। ଅର୍ଦ୍ଧ-ଉଲଗ୍ନ ଦେହଟା ମୋର ଶାଢ଼ି ଖୋଜୁଛି। ମୋର ଏହି ଅବସ୍ଥା ଦେଖି କିନ୍ତୁ କାହାକୁ ବ୍ୟସ୍ତ ଲାଗିଲାନି। ସବୁ ପୁରୁଷ ଲୋକ ମୋ ଶରୀରକୁ ତନଖି ଚାଲିଥାନ୍ତି। ଯେମିତି ମୁଁ ଗୋଟେ ପଣ୍ୟଦ୍ରବ୍ୟ! ପୁଲିସ ମୋତେ ହଠାତ୍ କଡ଼ା ପିନ୍ଧେଇଦେଲା। ଅଙ୍ଗବସ୍ତ୍ର ସବୁ ଚିରିଚାରି ଯାଇଥିଲା। ଭଲ ଶାଢ଼ି ଖଣ୍ଡେ ଦିଅ କହିଲି, କେହି ଶୁଣିଲେନି। ମତେ ଫରୱାର୍ଡ କରିଦେଲେ। ଏଇ କାରାଗାର ଭିତରକୁ। ଏଠି ଜେଲର୍ ସାହେବ ଭଲ ଶାଢ଼ି ଖଣ୍ଡେ ଦେଲେ। ମୁଁ ପିନ୍ଧିଛି। ଆଉ ଲଜ୍ଜା କ’ଣ ମ୍ୟାଡାମ୍। ସମସ୍ତଙ୍କ ଆଗରେ ଅର୍ଦ୍ଧଉଲଗ୍ନ ମୋର ଏ ଶରୀରଟା କ୍ଷୋଭରେ, ଘୃଣାରେ ଜୁଡୁବୁଡୁ ହୋଇଯାଇଥିଲା। କିନ୍ତୁ ସେ ଲୋକଟିକୁ ମୁଁ ମାରି ନ ଥିଲି ମ୍ୟାଡାମ୍। ନିଜକୁ ରକ୍ଷା କରିବାକୁ ଯାଇ ଫୁଲଦାନିରେ ଶକ୍ତ ଆଘାତ ଦେଇଥିଲି। ପରେ ତା’ର କ’ଣ ହେଲା ମୁଁ ଜାଣିନି। ସେ ଗୋଟେ ନେତା ଥିଲା। ନାରୀତ୍ବର ସମ୍ମାନଠାରୁ ତା’ ସମ୍ମାନ ବହୁତ ଉଚ୍ଚରେ ଥିଲା!’’
ସେ ପୁଣି କହିଲା, ‘‘ଏଇ ଜେଲ୍ ଭିତରେ ମୁଁ ଭଲରେ ଅଛି। ନିରାପଦରେ ଅଛି। ବାହାରକୁ ଗଲେ କେହି କ’ଣ ବୁଝିବେ ମୋ କଥା? ମତେ ନେଇକି ଧର୍ମଘଟ କରିବେ, ଅନଶନ କରିବେ, ମୋତେ ଦେଖିବାକୁ ଶହ ଶହ ଲୋକ ଆସିବେ। ମୁଁ ଗୋଟେ ଦର୍ଶନୀୟ ବସ୍ତୁ ହେବା ପାଇଁ ଚାହୁନି। ଟି.ଭି. କହିବ, ପେପର କହିବ, କିନ୍ତୁ ମୋ ସମ୍ମାନ ତ ମୁଁ ଆଉ ଫେରିପାଇବିନି ନା! ମୋ ପିଲାଙ୍କୁ ଟିକେ ମ୍ୟାଡାମ୍ ଦେଖନ୍ତୁ। ଘରେ ସେମାନେ ଦି’ଜଣ କାନ୍ଦୁଥିବେ। ସେତିକି ଦୟା କରନ୍ତୁ।’’
ଏତେ ସମୟ ରୁପା ପାଖରେ ରହି ତା’ କାହାଣୀ ଶୁଣି ମୁଁ ଚିନ୍ତା କରୁଥିଲି କ’ଣ ସାହାଯ୍ୟ କରିପାରିବି। ସଂକଳ୍ପ କଲି, ଯେମିତି ହେଲେ ସେ ନ୍ୟାୟ ପାଇବ। ସମାଜ ପାଇଁ ଗୋଟେ ଉଦାହରଣ ହେବ। ରୁପାକୁ କହିଲି, ‘‘ତୁମେ ଡରନି, ମୁଁ ତୁମ ସାଙ୍ଗରେ ଅଛି। ତୁମ କଥା ତୁମେ ଦିନେ ଉଚ୍ଚସ୍ବରରେ ଦୁନିଆକୁ କହିବ। ଯେଉଁ ମିଡିଆକୁ ତୁମେ ଭୟ କରୁଛ ସେ ଦିନେ ତୁମର ଜୟ ଜୟକାର କରିବ।’’ ହଠାତ୍ ଜେଲର୍ ବାବୁ କହିଲେ, ‘‘ମ୍ୟାଡାମ୍, କାଲି ତାଙ୍କର କୋର୍ଟରେ ଆପିଏରାନ୍ସ ଅଛି।’’
ଜେଲ୍ ଭିତରୁ ବାହାରିକି କୋର୍ଟ ଆସିଲି। ନିରବରେ କିଛି ସମୟ ରୁମ୍ରେ ବସିଲି। ତା’ ପରଦିନ ରୁପା କୋର୍ଟକୁ ଆସିବାକୁ ଥିଲା। ଅପେକ୍ଷା କଲି ଆଗାମୀ ଦିନକୁ।
ତା’ ପରଦିନ ସକାଳୁ ସକାଳୁ ଶୀଘ୍ର କୋର୍ଟ ବାହାରି ଆସିଲି। ରୁପା ପାଖରେ ଛିଡ଼ା ହେଇଗଲେ ତା’ର କେତେ ବଳ। ମୁଁ କିନ୍ତୁ ଆସିକି ଦେଖିଲି ରୁପା କାଲିଠାରୁ ଆଜି ଅଧିକ ସତେଜ ଅଛି, ଭୟ କଟିଯାଇଛି। ନିର୍ଭୀକ ହେଇଯାଇଛି, ଅଭିମାନ ସମାଜ ଉପରେ ଥାଇପାରେ, କିନ୍ତୁ ତା’ ମନରେ ତିଳେ ମାତ୍ର ଦ୍ବିଧା ନାହିଁ।
ପିଅନ ଗୀତା ଆଣି ଓଥ୍ ଦେଇ ଚାଲିଥାଏ। “କୁହ ମୁଁ ଯାହା କହିବି ସତ କହିବି...’’
ଆହୁରି ପଢ଼ନ୍ତୁ- Kalpana Lenka: ‘ଗ୍ରାଉଣ୍ଡ ଜିରୋରୁ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବି’: ରାଜ୍ୟ ବିଜେପିର ଜଣାଶୁଣା ନେତ୍ରୀ କଳ୍ପନା ଲେଙ୍କା
ବହୁତ ସମୟ ଧରି ଚାଲିଲା ସାକ୍ଷୀ ପ୍ରମାଣ। ଡିଫେନ୍ସ ଆଡଭୋକେଟ୍ କହିଚାଲିଥାନ୍ତି। ଯେମିତି ରୁପା କୋର୍ଟରେ ପୁଣିଥରେ ରେପ୍ ହୋଇଗଲା। ତାଙ୍କର ପ୍ରତ୍ୟେକଟି ଆକ୍ଷେପ ରୁପାର ଦେହ ଉପରେ ଥିଲା। କି ଲାଞ୍ଛନା, କି ଅସହାୟତା! ରୁପାର ଓକିଲ ତା’ କଥାରେ ହିଁ ଭରସା କରି ଆର୍ଗ୍ୟୁ କରିଚାଲିଥିଲେ। ରୁପା ହଠାତ୍ ଖୁବ୍ ଜୋର୍ରେ ଚିତ୍କାର କରିଉଠିଲା। ଅନର୍ଗଳ କହିଚାଲିଲା। ସମସ୍ତେ ସ୍ତବ୍ଧ ତଟସ୍ଥ ହୋଇଗଲେ। ସେଇଟା ତା’ର ଭାଷଣ ନ ଥିଲା, ଥିଲା ତା’ର ସତ୍ୟପାଠ। ‘‘ଜଜ୍ ସାହେବ୍, ଗୀତାରେ ହାତ ରଖିକି ମିଛକୁ କାହିଁକି ପ୍ରଶ୍ରୟ ଦେଉଛନ୍ତି? ନିଜର ଇଜ୍ଜତ ବଞ୍ଚେଇବା କ’ଣ ଗର୍ହିତ ଅପରାଧ?’’ ଏମିତି କେତେ କେତେ କଥା ସେ ଚିତ୍କାର କରି କହିଚାଲିଲା। ତା’ କଥାର ସତ୍ୟତା ତା’ ଲୁହରେ ବି ପ୍ରକାଶ ପାଇଥିଲା। ତା’ ଦେହର କ୍ଷତ ଚିହ୍ନ ଥିଲା ସବୁଠୁ ବଡ଼ ପ୍ରମାଣ। ଯାହା ସେ ଲଜ୍ଜା ନ କରି କହିପାରିଲା।
ଜଜ୍ ସାହେବ୍ ତାଙ୍କ ରାୟ ଶୁଣେଇଦେଲେ। ରୁପା ନିର୍ଦ୍ବନ୍ଦ୍ବରେ ଖଲାସ ହେଇଗଲା। ଦଶହରା ଛୁଟି ହବା ପ୍ରାୟ। ଷଷ୍ଠୀ ପୂଜା। ଦେବୀଙ୍କ ଘଟ ବସିଛି। ଯେମିତି ରୁପା ଦୁର୍ଗା ରୂପରେ ଆଜି ହିଁ ପଶୁତ୍ବର ବଳି ପକେଇଲା। ଦୂରରୁ ରୁପାର ମୁହଁଟାକୁ ମୁଁ ଦେଖୁଥିଲି। ଯେମିତି ସେହି ମୁହଁରୁ ଆହୁରି ତେଜ ବାହାରୁଛି। ଖୁବ୍ ସୁନ୍ଦର ଦିଶୁଛି ରୁପା, ନିଷ୍କଳଙ୍କ ପବିତ୍ର ମନଟା ତା’ର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଦେଇଥିଲା।
ବାହାରକୁ ଆସିଲା ମାତ୍ରେ ମିଡିଆ ପଚାରିଲା, ‘‘ମ୍ୟାଡାମ୍ ଆପଣ କ’ଣ କହିବାକୁ ଚାହିବେ?’’
ରୁପା କହିଲା, ଆପଣମାନେ ମୋଠୁ କ’ଣ ଶୁଣିବାକୁ ଚାହୁଛନ୍ତି? ତେବେ ଶୁଣନ୍ତୁ ମୁଁ କହୁଛି, “ଫୁଲଦାନିର ଆଘାତରେ ମୃତ୍ୟୁ ହେଇଗଲା ସେ ହିଂସ୍ର ଲୋକଟିର।” ସେଥିପାଇଁ ମୁଁ ଅନୁତାପ କରୁଥିଲି। କିନ୍ତୁ ମୁଁ ଦମ୍ଭ ସହକାରେ କହୁଛି ଯେ ଯାହା ହେଇଛି ଠିକ୍ ହେଇଛି। ନ ହେଲେ ଆଜି ସେହି ଲୋକଟି କେଉଁ ସଭାରେ ବକ୍ତୃତା ଦେଉଥାନ୍ତା ନାରୀର ମର୍ଯ୍ୟାଦା ଉପରେ। ନାରୀର ଶରୀରକୁ ନେଇ ଖେଳୁଥିବା ଲୋକଟି ନାରୀର ମର୍ଯ୍ୟାଦା ଉପରେ ଭାଷଣ ଦେବା ପୂର୍ବରୁ ତା’ର ଶେଷ ହୋଇଯାଇଛି। ଆସୁରିକ ଶକ୍ତିର ବିନାଶ ହୋଇଛି। ଠିକ୍ ଯେମିତି ମହିଷାସୁରକୁ ମା’ ଦୁର୍ଗା ବଧ କରିଥିଲେ।”
ଭଲଲାଗିଲା ତା’ର ଦମ୍ଭୋକ୍ତି। ମତେ ଦେଖି ଦଉଡ଼ିକି ଚାଲିଆସିଲା ମୋ ପାଖକୁ। ମତେ କୁଣ୍ଢେଇ ପକେଇଲା ସେ। ତା’ ଆଖିରୁ ସେମିତି ଲୁହ ବୋହିଚାଲିଥିଲା। ତେବେ ତାହା ଥିଲା ଆନନ୍ଦର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/01/13/bbbb-2026-01-13-17-48-08.jpg)