ଡଷ୍ଟବିନ୍
ଲଲାଟେନ୍ଦୁ ସାହୁ
(୧)
କେଲାନିର କାହାଘରେ କ’ଣ ଚାଲିଛି, କିଏ କେଉଁ ବ୍ୟାଧିରେ ପୀଡ଼ିତ, କାହାର ପଜିଟିଭ ଡିଟେକ୍ସନ ହେଲା, ସାହିର ଅଳିଆ ଉଠାଉଥିବା ମେହେନ୍ତରକୁ ଜଣା। କାରଣ କଲୋନିର ସବୁ ଘରର ଡଷ୍ଟବିନ୍କୁ ସେ ଚିହ୍ନେ ଓ ଘାଣ୍ଟେ। ସିଏ କଲୋନିର ଡାଟା ରଖାଯାଇଥିବା ହାର୍ଡଡିସ୍କ।
(୨)
ମ୍ୟୁନିସିପାଲିଟି ଅଧିକାରୀ ବସ୍ତିରେ ଘରପିଛା ଭିନ୍ନ ଭିନ୍ନ ରଙ୍ଗର ଓଦା-ଶୁଖିଲା ବର୍ଜ୍ୟବସ୍ତୁ ପାଇଁ ଦୁଇଟି ଲେଖାଁଏ ଡଷ୍ଟବିନ୍ ଦେଲେ। ସଚେତନତା ପାଇଁ ମାଇକ୍ ବଜେଇଲେ। ଅଳିଆ ତୋଳା ପାଇଁ ଯାଉଥିବା ସଫେଇବାଲା ଉପରେ ସାହେବ ଗର୍ଜିଲେ- କାହିଁକି ବସ୍ତିରୁ ଓଦା-ଶୁଖିଲା ଅଳିଆ ଅଲଗା କରି ଆଣୁନାହୁଁ। ବସ୍ତି ଲୋକେ ଗୋଟିଏ ଡଷ୍ଟବିନ୍କୁ ଅଳିଆ କାମରେ ଲଗେଇ ଅନ୍ୟଟିକୁ ଘରର ବାଲ୍ଟି ପରି ବ୍ୟବହାର କଲେ। ମେହେନ୍ତର ସାହେବଙ୍କୁ ଯେତେ ଏକଥା କହୁଥିଲା, ସାହେବ ତା’ ଉପରେ ସେତେ ରାଗୁଥିଲେ। ଗାଳିଖାଇ ସେ ଭାବୁଥିଲା, ତା’ ଜୀବନଟା ଡଷ୍ଟବିନ୍ ପରି- ସେପଟେ ବସ୍ତିବାଲା, ଆଉ ଏପଟେ ଅଫିସର ତା’ ଉପରକୁ ଗାଳି ଫୋପାଡ଼ିବେ।
(୩)
ବନ୍ଧାପଡ଼ିଥିବା ଚାଷ ଜମିକୁ ସାହୁକାରଠୁ ମୁକୁଳେଇବା ଯାହା, ବାଘ ମୁହଁରୁ ଛେଳିକୁ ଟାଣିଆଣିବା ତାହା। ସନାତନ ଯେଉଁ ଜମିରେ ଗୀତ ଗାଇଗାଇ ଚାଷ କରୁଥିଲା ଏବେ ସେଇଠି ମୂଲ ଲାଗୁଛି। ବୋଧେ ଭଗବାନ ତା’ ଭାଗ୍ୟଲେଖା ଦସ୍ତାବିଜଟାକୁ ଚିରି ଡଷ୍ଟବିନ୍ରେ ଫିଙ୍ଗିଦେଲେ।
(୪)
ଘରର ଛାତ/ମୁରବି- ମାନେ ବାପା, ତାଙ୍କ ପୁଅ ରବିର ରଫ୍ଖାତା ଓ ତାଙ୍କ ଘରର ଡଷ୍ଟବିନ୍- ଏମାନେ ସବୁ ଗୋଟେ ଜାତିର। ଯିଏ ଏମାନଙ୍କୁ ଯେମିତି ବ୍ୟବହାର କଲେ ଚଳିବ!
(୫)
ଶହକୁ ପାଞ୍ଚ ଟଙ୍କା ହାରରେ ମହାଜନୀ ସୁଧ ଆଣେ ସନାତନ। ବର୍ଷ କେଇଟାରେ କରଜ ତା’ ଆକାର ବହୁଗୁଣରେ ବଢ଼େଇ ମୋଟା ଅଜଗରର ରୂପ ନିଏ ଓ ସନାତନର ବେକରେ ଗୁଡ଼େଇ ହୁଏ। ନା ଏଥର କରଜ ଶୁଝିହେବ, ନା ନୂଆକରି ଆଉ କେଉଁଠୁ କେହି କରଜ ଦେବ। ଏଥର ଗଭୀର ଖାଇରେ ପଶିବାର ବାଟ ଉନ୍ମୁକ୍ତ ହୁଏ। ତା’ ଘରଡ଼ିହ ଖଣ୍ଡଟା ବନ୍ଧାପଡ଼େ। କିଛିଦିନର ଅପେକ୍ଷାରେ ସାହୁକାରର ପେଟରେ ପଶେ- ଠିକ୍ ଯେମିତି ସର୍ବଗ୍ରାସୀ ଡଷ୍ଟବିନ୍ ତା’ ଭିତରକୁ କିଛି ବି ଭିଡ଼ି ନେଇ ଯାଇପାରେ।
(୬)
ସାହେବଙ୍କ ଘରେ ରେଡ୍ ହେଲା। ମ୍ୟାଡାମ୍ଙ୍କ ମେଞ୍ଚେ ଅଳଙ୍କାର ତାଙ୍କ ଘରର ଡଷ୍ଟବିନ୍ରୁ ବାହାରିଥିଲା। ସେବେଠୁ ଭିଜିଲାନ୍ସ ଚଢ଼ଉ କରିବାକୁ ଆସିଥିବା ଅଫିସର ପ୍ରଥମେ ଘରର ଡଷ୍ଟବିନ୍ଗୁଡ଼ିକୁ ସିଜ୍ କରନ୍ତି।
(୭)
ଆଗରୁ ମୂଲ ଲାଗୁଥିବା ଲୋକଙ୍କର ବାର୍ଷିକ ଗୋଟେ ଦର ଛିଣ୍ଡାଯାଏ। ମାଲିକ ଘରେ ରହେ, ଖଟେ, ଯାହା ମିଳେ ଖାଏ, ନିହାତି ଅସୁବିଧା ହେଲେ ଥରେ ଅଧେ ନିଜ ଗାଁକୁ ଯାଏ, ବର୍ଷ ସରିଲେ ପାଉଣା ପାଏ। ସେମାନଙ୍କ ପାଇଁ ବି ଗୋଟେ ନୂଆବର୍ଷର ବ୍ୟବସ୍ଥା ଅଛି- ଯେଉଁଦିନଠାରୁ ଖାଉନ୍ଦ ସହ ଆଉ ଗୋଟେ ବର୍ଷ ପାଇଁ କିଛି ଅଗ୍ରିମ ଧରି ଚୁକ୍ତିବଦ୍ଧ ଜୀବନ କାଟିବେ। ତାଙ୍କୁ ଲାଗିବ ଦିନକ ପାଇଁ ହେଲେ ବି ସେ ସେଦିନର ଜ୍ୱାଇଁପୁଅ। ଯେମିତି ମଇଳା ଡଷ୍ଟବିନ୍ଟିକୁ ଧୋଇ-ପୋଛି ନୂଆ ରକମ କରି ପୁନଃ ବ୍ୟବହାର-କ୍ଷମ କରାଯାଇଥାଏ।
ଆହୁରି ପଢ଼ନ୍ତୁ- Odia Girl: ବିଶ୍ବ ତୀରନ୍ଦାଜି ପାରା ସିରିଜ୍ରେ ଭାଗନେବେ ଓଡ଼ିଆ ଝିଅ ପାୟଲ
(୮)
ଗାଁ ଚାନ୍ଦିନୀରେ ପଉଷ ଖରା ପୋଉଁ ପୋଉଁ ବୁଢ଼ୀମାନେ ନିଜ ନିଜ ବୋହୂମାନଙ୍କର (ଅପ) ଗୁଣ କୀର୍ତ୍ତନ କରୁଥିଲେ। କାହା ବୋହୂ ଖାଇବାକୁ ନ ଦେବା, ଦେହପା’ ଖରାପ ହେଲେ ଯତ୍ନ ନ ନେବା, ବାର କଥା କହି ଗାଳିଦେବା ଇତ୍ୟାଦି କହି କହି ନିଜ ନିଜର ମନ ହାଲୁକା କରୁଥିଲେ- ଠିକ୍ ଯେମିତି ପୂର୍ଣ୍ଣ ହୋଇଯାଇଥିବା ଡଷ୍ଟବିନ୍ ତା’ ଦିହରୁ ମଇଳାତକ କାଢ଼ି, ଆଉଥରେ ପୂର୍ଣ୍ଣ ହେବା ପାଇଁ ନିଜକୁ ସମର୍ଥ କରୁଛି।
(୯)
ଡଷ୍ଟବିନ୍ର ଗୋଟେ ବଡ଼ ଅଭିମାନ- ଘରେ ଯେବେ ଯେବେ କିଛି ଗନ୍ଧ ହୁଏ ସେ ଦାୟୀ (ସଫା ହୋଇ ଢାଙ୍କୁଣୀ ଦିଆଯାଇଥିଲେ ବି), ଠିକ୍ ସେମିତି ବାଳୁଙ୍ଗା ରାମ ଉପରେ ଉତ୍ତମ-ମଧ୍ୟମ ବସୁଥିଲା, ଘରେ ଯିଏ ଯେବେ ଦୋଷ କଲେ ବି। ଡଷ୍ଟବିନ୍କୁ ଦେଖି ରାମ ନିଜକୁ ନିଜେ ବୁଝେଇଦିଏ ଓ ମାଡ଼ ଖାଇଲା ପରେ ବି ଭାଙ୍ଗିପଡ଼େ ନାହିଁ।
(୧୦)
ନୋଟ୍ଗୁଡ଼ିକ ଦିନେ ବାବୁଙ୍କ ପର୍ସ ଭିତରେ ଫଡ଼ଫଡ଼ାଉଥିଲେ। ସେମାନଙ୍କର ଏହି ମୃଦୁଗୁଞ୍ଜରଣର ସାରାଂଶ ହେଲା- ସେମାନଙ୍କର ଭାଗ୍ୟ ଯେତେ ଖରାପ ହେଲେ ବି ଡଷ୍ଟବିନ୍ ଭିତରକୁ ନୁହେଁ। ଏ କଥା ଶୁଣି ଡଷ୍ଟବିନ୍ କେବଳ ହସିଥିଲା। ତା’ ପରେ ନୋଟ୍ବନ୍ଦୀ ହେଲା। ବ୍ୟାଙ୍କରୁ ବଦଳାବଦଳିର ତାରିଖ ବି ସରିଯାଇଥିଲା। ବାବୁ ପୁଳେ ପୁରୁଣା ଟଙ୍କା ତାଙ୍କ ଡଷ୍ଟବିନ୍ ଭିତରକୁ ଫିଙ୍ଗି ଦେଉଦେଉ, ସେ ସବୁ ଫ୍ୟାନ୍ ପବନରେ ଉଡ଼ି ତଳେ ପଡ଼ିଗଲା। ବୋଧହୁଏ ଡଷ୍ଟବିନ୍ ତାଙ୍କୁ ନିଜ ଗର୍ଭରେ ସ୍ଥାନ ଦେବାକୁ ଅରାଜି ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/03/05/g0000-2026-03-05-15-48-22.jpg)