ଶହ ଶହ ବର୍ଷ ତଳୁ ବିଶ୍ବର ବିଭିନ୍ନ ମରୁଅଞ୍ଚଳରେ ହୋଇଆସୁଛି ଓଟଦୌଡ଼। ମରୁଭୂମି ବାସିନ୍ଦାଙ୍କର ଏହି ପ୍ରିୟ ଖେଳକୁ ପରମ୍ପରାକ୍ରମେ ପିଢ଼ି ପରେ ପିଢ଼ି ଆଦରି ଆସିଛନ୍ତିି। ଆଧୁନିକ ପରିଭାଷାରେ ‘କ୍ୟାମେଲିଡ୍ ସ୍ପୋର୍ଟସ୍’ ରୂପେ ପରିଚିତି ହାସଲ କରିଥିବା ଏହି ପାରମ୍ପରିକ କ୍ରୀଡ଼ା ଓଟଦୌଡ଼ ଆଜି ଆଧୁନିକତାର ସମ୍ମିଶ୍ରଣରେ ଏକ ନାମୀଦାମୀ କ୍ରୀଡ଼ାରେ ପରିଣତ ହୋଇଛି। କୋଟି କୋଟି ଟଙ୍କା ବାଜି ଲାଗୁଥିବା ଓଟଦୌଡ଼ରେ ଏବେ ଧନାଢ଼୍ୟ ବ୍ୟବସାୟୀ ନିବେଶ କରୁଛନ୍ତି। ଉପସାଗରୀୟ ଦେଶଗୁଡ଼ିକରେ ଓଟଦୌଡ଼ ରେସ୍‌କୋର୍ସରେ ଘୋଡ଼ାଦୌଡ଼କୁ ବହୁ ପଛରେ ପକାଇଦେଇଛି। ଏହି ପାରମ୍ପରିକ କ୍ରୀଡ଼ାର ପୁନରୁତ୍ଥାନ ହୋଇଛି ଏବଂ ଆଜିର ଦିନରେ ସମଗ୍ର ବିଶ୍ୱରେ ଏହାର ଅାଦର ବଢ଼ିବାରେ ଲାଗିଛି। କ୍ୟାମେଲିଡ୍ ସ୍ପୋର୍ଟସ୍‌ରେ ବିଳମ୍ବରେ ହେଲେ ମଧ୍ୟ ଭାରତ ସାମିଲ୍‌ ହେଇଛି। ଏପରିକି ପ୍ରତିଯୋଗିତାମୂଳକ ଏହି ଓଟଦୌଡ଼ରେ ବର୍ତ୍ତମାନ ଭାରତର ପ୍ରବେଶ ଓ ପ୍ରାରମ୍ଭିକ ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ରାଜସ୍ଥାନର ଉଦୟପୁର ଓ ଯୋଧପୁର ଅଞ୍ଚଳର ପାରମ୍ପରିକ କ୍ରୀଡ଼ା ଓଟଦୌଡ଼ ଏବେ ନୂଆ ରୂପରେ ଉଭା ହୋଇଛି। ଯୋଧପୁର ଗସ୍ତକରି ଓଟଦୌଡ଼ର ଏପାଖସେପାଖ ପରଖିଛି  
‘ରବିବାର ସମ୍ବାଦ’

Advertisment

Science Programme: ଓପନ୍ ଡେ- ଆଇଆଇଏସଏଫ କର୍ଟେନ ରେଜର୍ ଇଭେଣ୍ଟରେ ଭାଗ ନେଲେ ୮୦୦ ଛାତ୍ରଛାତ୍ରୀ

କାହିଁ କେଉଁ ଯୁଗରୁ ବିଶ୍ବର ବିଭିନ୍ନ ମରୁ ଅଞ୍ଚଳରେ ଓଟଦୌଡ଼ କରାଯାଇଆସୁଛି। ସଂଯୁକ୍ତ ଆରବ ଏମିରେଟ୍‌ସ୍‌ ବା ୟୁଏଇରୁ ନେଇ ବିଭିନ୍ନ ମରୁଭୂମି ଅଧିବାସୀଙ୍କର ଏହା ଅନ୍ୟତମ ପ୍ରିୟ ପାରମ୍ପରିକ ଖେଳ। ଆଧୁନିକ ପରିଭାଷାରେ ‘କ୍ୟାମେଲିଡ୍ ସ୍ପୋର୍ଟସ୍’ ରୂପେ ପରିଚିତି ହାସଲ କରିଥିବା ଏହି ପ୍ରାଚୀନ କ୍ରୀଡ଼ା ଓଟଦୌଡ଼ ଆଜି ଆଧୁନିକତାର ମିଶ୍ରଣରେ ଏକ ପ୍ରାଚୁର୍ଯ୍ୟଭରା କ୍ରୀଡ଼ାରେ ପରିଣତ ହୋଇଛି। କୋଟି କୋଟି ଟଙ୍କା ବାଜି ଲାଗୁଥିବା ଏହି ଖେଳ ଏବେ ସମ୍ଭ୍ରାନ୍ତ ଶ୍ରେଣୀରେ ବିଶେଷ ଆଦର ଲାଭକରିଛି। ଏପରିକି ଏହି ଓଟଦୌଡ଼ ବର୍ତ୍ତମାନ ରେସ୍‌କୋର୍ସରେ ଘୋଡ଼ାଦୌଡ଼କୁ ବହୁ ପଛରେ ପକାଇ ଦେଇଛି। ପ୍ରାଚୀନ ଖେଳ ଓଟଦୌଡ଼ ପ୍ରତିଯୋଗିତାର ପୁନରୁତ୍ଥାନ ହୋଇଛି ଏବଂ ଆଜିର ଦିନରେ ସମଗ୍ର ବିଶ୍ୱ ଏହାକୁ ଉପଭୋଗ କରୁଛି। କ୍ୟାମେଲିଡ୍ ସ୍ପୋର୍ଟସ୍‌ରେ ଆମର ଯଦିଓ ଭାଗନେବାରେ ବହୁ ବିଳମ୍ବ ହୋଇଛି, କିନ୍ତୁ ବିଳମ୍ବରେ ହେଲେ ବି ପ୍ରତିଯୋଗିତାମୂଳକ ଓଟଦୌଡ଼ରେ ବର୍ତ୍ତମାନ ଭାରତର ପ୍ରବେଶ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜସ୍ଥାନର ଉଦୟପୁର ଓ ଯୋଧପୁର ଅଞ୍ଚଳର ପାରମ୍ପରିକ କ୍ରୀଡ଼ା ଓଟଦୌଡ଼ ଏବେ ନୂଆ ରୂପରେ ଉଭା ହୋଇଛି। 

ମରୁଭୂମିର ପାରମ୍ପରିକ କ୍ରୀଡ଼ା ଓଟଦୌଡ଼ ଏବେ ଅନ୍ତର୍ଜାତୀୟ ସ୍ବୀକୃତିପ୍ରାପ୍ତ କ୍ରୀଡ଼ାରେ ପରିଣତ ହୋଇଛି। ସଂପ୍ରତି ବାହାରିନ୍‌ରେ ଅନୁଷ୍ଠିତ ତୃତୀୟ ଏସୀୟ ଯୁବକ୍ରୀଡ଼ାରେ ପ୍ରଥମଥର ଲାଗି ଏହାକୁ ସାମିଲ କରାଯାଇଛି। ଗତ ଅକ୍ଟୋବରରେ ଅଲିମ୍ପିକ୍‌ କାଉନ୍‌ସିଲ୍‌ ଅଫ୍‌ ଏସିଆ ଦ୍ବାରା ପରିଚାଳିତ ଏହି କ୍ରୀଡ଼ାରେ ଆୟୋଜିତ ଓଟଦୌଡ଼ରେ ଭାରତ ମଧ୍ୟ ପ୍ରଥମଥର ଲାଗି ଅଂଶଗ୍ରହଣ କରିଛି। ବହୁ ବିଳମ୍ବରେ ଓଟଦୌଡ଼କୁ ଭାରତ କ୍ରୀଡ଼ା ଭାବେ ଗ୍ରହଣକରି ମଧ୍ୟ ସଫଳତା ପାଇଛି। ତୃତୀୟ ଏସୀୟ ଯୁବକ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀ କିଶୋର ଋଷଭ ରାକେଶ କଦମ୍‌ ଓ ହିତେନ୍ଦ୍ର ସିଂହ ଭାଗ ନେଇ ଯଥାକ୍ରମେ ୯ମ ଓ ୧୩ଶ ସ୍ଥାନ ହାସଲ କରିଛନ୍ତି। ଶେଷ ମୁହୂର୍ତ୍ତରେ ଦୁବାଇ ବାସିନ୍ଦା ଋଷଭ ଓ ‌ଯୋଧପୁର ବାସିନ୍ଦା ହିତେନ୍ଦ୍ରଙ୍କ ସମେତ ୪ଜଣଙ୍କୁ ବାହାରିନ୍‌ରେ କ୍ୟାମେଲିଡ୍‌ ସ୍ପୋର୍ଟସ୍‌ ପ୍ରତିଯୋଗିତାରେ ଭାଗ ନେବାକୁ ଚୟନ କରାଯାଇଥିଲା। ଦୁଇଜଣ ଦୌଡ଼ରେ ସାମିଲ ହୋଇ ଆଶ୍ବାସନାମୂଳକ ସଫଳତା ପାଇଛନ୍ତି। ଏଥିସହ ଦୁହେଁ ଦୁବାଇରେ ଅନୁଷ୍ଠିତ ହେଉଥିବା ଅଲିମ୍ପିକ୍ କାଉନ୍‌ସିଲ୍ ଅଫ୍ ଏସିଆ (ଓସିଏ) ପରିଚାଳିତ ପରବର୍ତ୍ତୀ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେବାକୁ ଯୋଗ୍ୟତା ହାସଲ କରିଛନ୍ତି।
 ଏସୀୟ ଯୁବ କ୍ରୀଡ଼ା ଅକ୍ଟୋବରରେ ହେବାକୁ ଥିବା ବେଳେ ଅଲିମ୍ପିକ୍ କାଉନ୍‌ସିଲ୍ ଅଫ୍ ଏସିଆ ଜୁଲାଇ ମାସରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍‌କୁ ଓଟଦୌଡ଼ରେ ଅଂଶଗ୍ରହଣ କରିବାକୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ ଜଣାଇଲା। ନିମନ୍ତ୍ରଣ ମିଳିବା ପରେ ଭାରତୀୟ କ୍ୟାମେଲ୍‌ ସ୍ପୋର୍ଟସ୍ ଆସୋସିଏସନ୍ (ସିଏସ୍ଏଆଇ) ଖବରକାଗଜ ଓ ସୋସିଆଲ୍‌ ମିଡିଆ ମାଧ୍ୟମରେ ଓଟଦୌଡ଼ାଳି ଚୟନ ପାଇଁ ବିଜ୍ଞାପନ ପ୍ରକାଶ କରିଥିଲା। ରାଜସ୍ଥାନର ଯୋଧପୁରର ଓସିଆନ୍‌ଠାରେ ଆ‌ୟୋଜିତ ଓଟଦୌଡ଼ାଳି ପରୀକ୍ଷଣରେ ୧୮ବର୍ଷରୁ କମ୍ ବୟସର ୪୦୦ରୁ ଅଧିକ ବାଳକ ଓ ବାଳିକା ଅଂଶଗ୍ରହଣ କରିଥିଲେ।

Maulana Madni : ମୌଲାନା ମଦନୀଙ୍କ ବିବାଦୀୟ ବୟାନ, ବିରୋଧ କଲେ ବିଜେପି, କଂଗ୍ରେସ

ଏହି ପ୍ରତିଯୋଗିତାରେ ପ୍ରଶିକ୍ଷଣପ୍ରାପ୍ତ ଘୋଡ଼ା‌ଦୌଡ଼‌ାଳି ଋଷଭ ଯୋଗଦେଇ ବାହାରିନ୍‌ କ୍ରୀଡ଼ାରେ ଭାଗ ନେବାକୁ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଯୋଗ୍ୟ ବିବେଚିତ ହୋଇଥିଲେ। ଏଥିସହ ହିତେନ୍ଦ୍ର ଓ ଅନ୍ୟ ଦୁଇଜଣ ମଧ୍ୟ ଅନ୍ତର୍ଜାତୀୟ କ୍ୟାମେଲିଡ୍ ସ୍ପୋର୍ଟସ୍‌ରେ ଭାରତର ପ୍ରତିନିଧିତ୍ବ କରିବାଲାଗି ମନୋନୀତ ହୋଇଥିଲେ।
ଓଟଦୌଡ଼ ସଂଘର ସମ୍ପାଦକ ବୈଷ୍ଣବ ନାରାୟଣ କହନ୍ତି, ‘‘ବାହାରିନ୍‌ ଓଟଦୌଡ଼ରେ ଭାଗନେବାକୁ ପ୍ରସ୍ତୁତି ନିମନ୍ତେ ଆମ ହାତରେ ବିଶେଷ ସମୟ ନଥିଲା। ଅତି ତରବରିଆ ଭାବେ ଏହି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିଥିଲୁ। ପ୍ରତିଯୋଗୀ ଚୟନ ପରେ ୪ଜଣଙ୍କୁ ଚୂଡ଼ାନ୍ତ କରିଥିଲୁ। ସେମାନଙ୍କ ଲାଗି ଯୋଧପୁରରେ ପ୍ରଶିକ୍ଷଣ ଶିବିର ମଧ୍ୟ ଆୟୋଜନ କରିଥିଲୁ। ଏହାପରେ ୱାର୍ଲ୍ଡ  କ୍ୟାମେଲିଡ୍ ସ୍ପୋର୍ଟସ୍ (ଡବ୍ଲୁସିଏସ୍) ପକ୍ଷରୁ  ଆବୁଧାବିରେ ସ୍ୱତନ୍ତ୍ର ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମ ଯୋଗାଇଦେବାକୁ ନିମନ୍ତ୍ରଣ ମିଳିଥିଲା। ମଙ୍ଗୋଲିଆ, ଇଣ୍ଡୋନେସିଆ, ଜାପାନ ଓ ଅନ୍ୟ  କେତେକ ଦେଶ ସମେତ ଭାରତୀୟ ପ୍ରତିଯୋଗୀମାନେ ସେଠାକୁ ଯାଇଥିଲେ। ଯେହେତୁ ଆମର ତିନିଜଣ ପ୍ରତିଯୋଗୀ ଗ୍ରାମାଞ୍ଚଳବାସୀ, ସେଠିକା ଭାଷା କହିବା‌ ଓ ବୁଝିବାରେ ସେମାନଙ୍କର ସମସ୍ୟା ଥିଲା। ତେଣୁ ଆମ ପ୍ରଶିକ୍ଷକ ଶୌର୍ଯ୍ୟ ଜୈନ ଉଭୟ ପ୍ରଶିକ୍ଷକ ଓ ଦ୍ବିଭାଷୀ ଭୂମିକା ନିର୍ବାହ କରିଥିଲେ।

ଅନ୍ୟପକ୍ଷରେ ଡବ୍ଲୁସିଏସ୍‌ର ମୁଖ୍ୟ ପ୍ରିନ୍ସ ଫାହଦ୍ ବିନ୍ ଜାଲାୱି ବିନ୍ ଅବ୍‌ଦୁଲାଜିଜ୍ ବିନ୍ ମୁସାଦ୍ ଅଲ୍ ସାଉଦ୍ ଆମକୁ ପ୍ରତିଯୋଗିତା ସାରା ଉତ୍ସାହିତ କରିଥିଲେ।’’
କ୍ୟାମେଲିଡ୍ ସ୍ପୋର୍ଟସ୍‌ରେ ଭାରତର ସଫଳତା ଓ ଭବିଷ୍ୟତ ଉପରେ ଆଲୋକପାତ କରି ପ୍ରଶିକ୍ଷକ ଶୌର୍ଯ୍ୟ ଜୈନ କହନ୍ତି, ‘‘ଋଷଭ ସମ୍ମାନଜନକ ଏମ୍ବାସି ଇଣ୍ଟର୍‌ନ୍ୟାସ୍‌ନାଲ୍‌  ହର୍ସ ରାଇଡିଂ ସ୍କୁଲ୍‌ରେ ତାଲିମ ନେଇଥିଲେ। ସେ ପୂର୍ବରୁ ଦୁବାଇର ବିଭିନ୍ନ ଓଟଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ସେ ଖୁବ୍‌ ଦକ୍ଷ ଓ ଆଗାମୀ ଦିନରେ ଭାରତର ପ୍ରତିନିଧିତ୍ବ କରିବେ। ହିତେନ୍ଦ୍ରଙ୍କ ଭବିଷ୍ୟତ ମଧ୍ୟ ଉଜ୍ଜ୍ବଳ। ଅନ୍ୟ ପ୍ରତିଭାବାନ୍‌ ଖେଳାଳି ମଧ୍ୟ ଯୋଧପୁର ଟ୍ରାଏଲ୍‌ରେ ଚିହ୍ନଟ ହୋଇଛନ୍ତି। ଏଣୁ ଅନ୍ତର୍ଜାତୀୟ କ୍ୟାମେଲିଡ୍ ସ୍ପୋର୍ଟସ୍‌ରେ ଭାରତର ଭବିଷ୍ୟତ ଭଲ। ବାହାରିନ୍‌ରେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ବି ସଫଳତା ପାଇଛୁ।’’

ପ୍ରଥମଥର ଲାଗି ଓଟଦୌଡ଼ରେ ଭାରତୀୟ ଦଳ କେତେକ ସମସ୍ୟାର ସାମ୍ନା କରିଥିଲା। ଭାରତ ପାଇଁ ଓଟଦୌଡ଼ ପ୍ରତିଯୋଗିତା ସମ୍ପୂର୍ଣ୍ଣ ନୂଆ ହୋଇଥିବାରୁ ଆମ ପ୍ରତିଯୋଗୀ, ଆୟୋଜକ ଓ ବୈଷୟିକ ପ୍ରତିନିଧିମାନେ ଖେଳର ନିୟମକାନୁନ ସଂପର୍କରେ ଅବଗତ ନଥିଲେ। ପୁଣି ପ୍ରଥମଥର ପାଇଁ ଏକ ପ୍ରମୁଖ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଫଳସ୍ୱରୂପ ଦୌଡ଼ ଆରମ୍ଭ ହେବା ପର୍ଯ୍ୟନ୍ତ କେତେକ ପ୍ରତିଯୋଗୀ କ’ଣ କରିବାକୁ ପଡ଼ିବ ତାହା ସ୍ପଷ୍ଟ ଜାଣିପାରି ନଥିଲେ। ଫଳରେ ସେମାନେ ଦୌଡ଼ରେ ମିଶିବା ସୁଯୋଗ ହରାଇଥିଲେ। ପ୍ରଶିକ୍ଷକ ଶୌର୍ଯ୍ୟ ଜୈନ ଆହୁରି କହନ୍ତି, ‘‘ଆମର ରେସର୍ସମାନଙ୍କୁ ଗୋଟିଏ ଦିନ ପୂର୍ବରୁ ନିର୍ଦ୍ଦିଷ୍ଟ ଲେନ୍ (ଟ୍ରାକ୍‌) ଆବଣ୍ଟନ କରାଯାଇଥିଲା। ହିତେନ୍ଦ୍ର ଲେନ୍ ନମ୍ବର ୧ ଓ ଋଷଭ ୫ ନମ୍ବରରୁ ଦୌଡ଼ିବା ସ୍ଥିରୀକୃତ ହୋଇଥିଲା। ଦୌଡ଼ର କିଛି ମିନିଟ୍ ପୂର୍ବରୁ ହଠାତ୍‌ ଟ୍ରାକ୍‌ଗୁଡ଼ିକ ଅଦୃଶ୍ୟ ହୋଇଗଲା ଓ ସମସ୍ତ ପ୍ରତିଯୋଗୀ ଟ୍ରାକ୍‌ରୁ ବାହାରି ଏକାଠି ହୋଇଗଲେ। ଦୌଡ଼ ଆରମ୍ଭ ହେବାର ଅଳ୍ପ ସମୟ ପୂର୍ବରୁ ହିତେନ୍ଦ୍ର ତାଙ୍କ ଓଟ ପାଖକୁ ଯାଇ ଦେଖନ୍ତି କି ଲଗାମ ଭାଙ୍ଗିଯାଇଛି। ତେଣୁ ତାଙ୍କୁ କେବଳ ଚାବୁକ ଦ୍ୱାରା ଓଟକୁ ନିୟନ୍ତ୍ରଣ କରିବାକୁ ପଡ଼ିଥିଲା। ଆମେ ଆୟୋଜକଙ୍କ ପ୍ରତିନିଧିମାନଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଲୁ। ସେମାନଙ୍କ ମଧ୍ୟରୁ ଅନେକ ଇଂରାଜୀରେ କଥାବାର୍ତ୍ତା କରିପାରୁ ନଥିଲେ। ଜଣେ ବୁଝିପାରିଲେ, ମାତ୍ର ଲଗାମ ବଦଳାଯିବା ପୂର୍ବରୁ ଦୌଡ଼ ଆରମ୍ଭ ହୋଇଗଲା। ଏତେ ସମସ୍ୟା ଓ କଠିନ ପରିସ୍ଥିତି ଭିତରେ ମଧ୍ୟ ହିତେନ୍ଦ୍ର ନିଜ ଦକ୍ଷତା ବଳରେ ୧୩ଶ ସ୍ଥାନ ହାସଲ କରିବା ବଡ଼କଥା।’’

ଏସୀୟ ଯୁବ କ୍ରୀଡ଼ାରେ ଆୟୋଜିତ ଓଟଦୌଡ଼ରେ ନବମ ସ୍ଥାନ ହାସଲ କରିଥିବା ଋଷଭ କହନ୍ତି,‘‘ଏହି ପ୍ରତିଯୋଗିତା ଆମ ପାଇଁ ଗୋଟିଏ ନୂଆ ଅନୁଭୂତି ଆଣିଦେଇଛି। ଏଥରର ପ୍ରଦର୍ଶନକୁ ନେଇ ନିରାଶ ନହୋଇ ଅଧିକ ଉତ୍ସାହିତ ହୋଇ ଆମକୁ ଅଭ୍ୟାସ ଜାରି ରଖିବାକୁ ପଡ଼ିବ। ଆମକୁ ଆଗାମୀ ଦିନରେ କତାରର ଦୋହାରେ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ଏବଂ ସାଉଦି ଆରବରେ ବିଶ୍ୱ ଓଟଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଛି। ଏହା ଭାରତ ଓ ଆମ ପାଇଁ ସୌଭାଗ୍ୟର ବିଷୟ। ଏହାକୁ ନେଇ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିବ। ଯଦି ଆମେ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିପାରୁ, ତେବେ ଭାରତ ଚମତ୍କାର ପ୍ରଦର୍ଶନ କରିବ ଏବଂ ଅଧିକରୁ ଅଧିକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ହେବେ। ଏସୀୟ ଯୁବ କ୍ରୀଡ଼ାରେ ମୁଁ ବାହାରିନ୍‌ରେ ଅନେକ ଲୋକଙ୍କୁ ଭେଟିଛି। ଦୌଡ଼ ସମୟରେ ଯେପରି ସମସ୍ୟା ଉପୁଜିଥିଲା ସେଥିରୁ ଆମେ ବହୁତ କିଛି ଶିକ୍ଷା ଲାଭକରିଛୁ। ପରିସ୍ଥିତିକୁ ବିଚାରକୁ ନେଇ ଆମେ ତ୍ରୁଟି ସୁଧାରି ପାରିଛୁ।’’

ଏହି ପ୍ରତିଯୋଗିତାରେ ୧୩ଶ ସ୍ଥାନ ହାସଲ କରିଥିବା ହିତେନ୍ଦ୍ର ନିଜର ଅଭିଜ୍ଞତା ବଖାଣି କହନ୍ତି, ‘‘ମୁଁ ଭଲ ଇଂରାଜୀ କହିପାରେ ନାହିଁ ଏବଂ ସେମାନଙ୍କ ମଧ୍ୟରୁ ଅନେକ ମଧ୍ୟ ଇଂରାଜୀ ବୁଝିପାରନ୍ତି ନାହିଁ। ପରସ୍ପରକୁ ସାକ୍ଷାତ କରିବା ସମୟରେ ଯେତେବେ‌େଳ କଥାବାର୍ତ୍ତା କରିବାକୁ ପଡ଼ିଲା ମୁଁ ସେମାନଙ୍କ ସହ ହାତମିଳାଇ ଖଣ୍ଡି ଇଂରାଜୀରେ କଥାହେଲି। ସେମାନେ ବି ଇଂରାଜୀ ବୁଝୁ ନଥିଲେ। ଖଣ୍ଡି ଇଂରାଜୀରେ ଭାବ ବିନିମୟ ସବୁଠାରୁ ମଜାଦାର ଅନୁଭୂତି ଥିଲା। ପଛରେ ଏହାକୁ ନେଇ ଆଲୋଚନାକରି ଆମେ ବହୁତ ହସିଥିଲୁ। ମୋତେ ଜିମ୍ ଉପକରଣ କିପରି ବ୍ୟବହାର କରିବାକୁ ପଡ଼ିବ ତାହା ଶିଖାଇବାକୁ ପ୍ରଶିକ୍ଷକଙ୍କୁ ଅଧିକ ସମୟ ଦେବାକୁ ପଡୁଥିଲା। ପଦକ ହାସଲ କରି ନଥିଲେ ମଧ୍ୟ ଆମେ ଭବିଷ୍ୟତରେ ଆମ ଦେଶର ନାଁ କ୍ୟାମେଲିଡ୍ ସ୍ପୋର୍ଟସ୍‌ରେ ଯୋଡ଼ିବାକୁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିପାରିଛୁ। ପ୍ରଥମ ପଦାର୍ପଣରେ ଆମେ ପଦକ ଜିତିବାକୁ ଆସି ନଥିଲୁ। ମୁଁ ବହୁତ ଖ୍‌ୁସି ଯେ ଆମେ ଏତେ କମ୍ ସମୟ ମଧ୍ୟରେ ଗୋଟିଏ ଦଳ ତିଆରିକରି ତାଲିମ ନେଇ ପାରିଲୁ। ପୁଣି ଗୋଟାଏ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଆମେ ପ୍ରତିପକ୍ଷଙ୍କ ପାଇଁ ଆହ୍ବାନ ସୃଷ୍ଟି କରିପାରିଲୁ। ଏହି ସଫଳତାରୁ ମିଳିଥିବା ପ୍ରେରଣା ଆମମାନଙ୍କୁ ଆଗକୁ ନେବାକୁ ଯଥେଷ୍ଟ।’’

ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଭାରତୀୟ ଓଟଦୌଡ଼ାଳିଙ୍କ ମନରେ ଅନେକ ବିଶ୍ୱାସ ଭରିଦେଇଛି। ପ୍ରାରମ୍ଭିକ ପ୍ରୋତ୍ସାହନ ଓ ସଫଳତା ପରେ ଭାରତୀୟ କ୍ୟାମେଲ୍‌ ସ୍ପୋର୍ଟସ୍ ଆସୋସିଏସନ୍ ଓ ୱାର୍ଲ୍ଡ କ୍ୟାମେଲିଡ୍ ସ୍ପୋର୍ଟସ୍ ଭାରତର କ୍ରୀଡ଼ାବିତ୍‌ଙ୍କୁ ଅନ୍ତର୍ରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ଲାଗି କିପରି ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଉଛନ୍ତି, ତାହା ଦେଖିବାର କଥା। ମାତ୍ର ଏହା ନିଶ୍ଚିତ ଯେ ଯଦି ରାଜସ୍ଥାନର ଯୋଧପୁର, ଜୈସଲ୍‌ମେର୍‌ ଓ ବିକାନେର୍‌ ଏବଂ ଏହାର ଆଖପାଖରେ ଖେଳାଯାଉଥିବା କ୍ୟାମେଲିଡ୍ ସ୍ପୋର୍ଟସ୍‌କୁ ସରକାରୀସ୍ତରରେ ପ୍ରୋତ୍ସାହନ ମିଳେ, ତେବେ ଭାରତ ଏହି କ୍ରୀଡ଼ାରେ ବିଶ୍ୱରେ ଏକ ପ୍ରମୁଖ ତଥା ଶକ୍ତିଶାଳୀ ଦଳ ଭାବେ ଉଭାହେବ। କିନ୍ତୁ ଏଥିପାଇଁ ବିଦ୍ୟାଳୟସ୍ତରରୁ ପିଲାମାନଙ୍କ ମନରେ ଓଟଦୌଡ଼ ପ୍ରତି ଆଗ୍ରହ ସୃଷ୍ଟି କରାଇବାକୁ ପଡ଼ିବ।

କୋଟି କୋଟି ଟଙ୍କାର ଖେଳ
ଆଧୁନିକ ଓଟଦୌଡ଼ର ପେଣ୍ଠ ପାଲଟିଛି ସଂଯୁକ୍ତ ଆରବ ଏମିରେଟ୍‌ସ୍‌। ବିଶେଷକରି ଉପସାଗରୀୟ ଦେଶଗୁଡ଼ିକରେ ଓଟଦୌଡ଼ ଖୁବ୍‌ ଲୋକପ୍ରିୟ। ପାଶ୍ଚାତ୍ୟରେ ଘୋଡ଼ାଦୌଡ଼ ଭଳି ଏଠାରେ ଓଟଦୌଡ଼ରେ ମିଳୁଥିବା ପୁରସ୍କାର ରାଶି ମଧ୍ୟ ଆକାଶଛୁଆଁ। ବୃହତ୍‌ ଓଟଦୌଡ଼ ପ୍ରତିଯୋଗିତାରେ ବିଜେତାଙ୍କ ପାଇଁ ୨ନିୟୁତରୁ ନେଇ ୫ ନିୟୁତ ଡଲାର୍‌ରୁ ଅଧିକ ପୁରସ୍କାର ରାଶି ଦିଆଯାଉଛି। ସୂଚନା ଅନୁଯାୟୀ, କ୍ୟାମେଲିଡ୍ ସ୍ପୋର୍ଟସ୍ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ ସମେତ ସମଗ୍ର ମରୁ ଅଞ୍ଚଳର ପରମ୍ପରା ଓ ସଂସ୍କୃତିର ଅଂଶବିଶେଷ। ଜନସାଧାରଣଙ୍କ ଜୀବନଶୈଳୀ ସହିତ ଅଙ୍ଗାଙ୍ଗି ଜଡ଼ିତ। ସଂଯୁକ୍ତ ଆରବ ଏମିରେଟ୍‌ସ୍‌ରୁ ନେଇ ଅଧିକାଂଶ ଉପସାଗରୀୟ ଦେଶରେ ଆଜି ବି ଏପରି କୌଣସି ଘର ମିଳିବ ନାହିଁ, ଯେଉଁ ଘରେ ଓଟ ନଥିବ। ଏହି ଖେଳ ଶହ ଶହ ବର୍ଷ ଧରି ରହିଆସିଛି, କିନ୍ତୁ ବୈଷୟିକ ପ୍ରଯୁକ୍ତିର ବିକାଶ ଏହି ଖେଳର ସ୍ବରୂପକୁ ବଦଳାଇ ଦେଇଛି। ତୈଳ ଅର୍ଥନୀତି ଯୋଗୁଁ ପ୍ରଚୁର ଅର୍ଥ ଏହି କ୍ରୀଡ଼ାକୁ ଭିନ୍ନସ୍ତରକୁ ନେଇଯାଉଛି। ସୁପରିଚିତ କ୍ୟାମେଲ୍‌ ରାଇଡର୍ ଚମ୍ପିଆନ୍‌ ହୁସେନ୍ ଅଲ୍ ମାର୍ଜୁକି ଓଟଦୌଡ଼ କ୍ରମେ ବ୍ୟୟବହୁଳ ହୋଇଯାଉଛି ବୋଲି ମତ ରଖିଛନ୍ତି।

ଅନ୍ୟପକ୍ଷରେ ଓଟଦୌଡ଼ ପ୍ରତିଯୋଗିତା ବର୍ତ୍ତମାନ ବ୍ୟବସାୟରେ ପରିଣତ ହୋଇଯାଇଛି। ବଡ଼ ବଡ଼ ବ୍ୟବସାୟୀ ଏଥିରେ ନିବେଶ କରୁଛନ୍ତି। କ୍ରୀଡ଼ା ଆୟୋଜନରୁ ନେଇ ଓଟ ପାଳିବା ପର୍ଯ୍ୟନ୍ତ ପ୍ରକ୍ରିୟାରେ ଲକ୍ଷ ଲକ୍ଷ ଡଲାର୍‌ ଖର୍ଚ୍ଚ ହେଉଛି। ସୂଚନା ଅନୁଯାୟୀ, ନିକଟରେ ଦୌଡ଼ରେ ବ୍ୟବହାର ଲାଗି ଗୋଟିଏ ପୁରୁଷ ଓଟକୁ ୯.୫ ନିୟୁତ ଡଲାର୍‌ରୁ ଅଧିକ ମୂଲ୍ୟରେ କ୍ରୟ କରାଯାଇଥିଲା। ଏହି ଦାମୀ ରେସିଂ ଓଟମାନଙ୍କୁ ଫିଟ୍‌ ରଖିବା ଲାଗି ପ୍ରତି ସପ୍ତାହରେ ସେମାନଙ୍କ ରକ୍ତ ପରୀକ୍ଷା କରାଯାଏ ଏବଂ ସ୍ୱତନ୍ତ୍ର ଖାଦ୍ୟ ନିୟମ ବି ଅନୁସରଣ କରାଯାଏ। ଜଣେ ଜଣେ ପାଳକ ଓ ପ୍ରଶିକ୍ଷକ ନିଜ ଓଟ ପାଇଁ କିଲୋପିଛା ପ୍ରାୟ ୩୨୫୦ ଡଲାର୍‌ ମୂଲ୍ୟଦେଇ ପ୍ରଚୁର ପରିମାଣରେ ମହୁ କିଣିଥାନ୍ତି। ପ୍ରତି ୧୫ ଦିନରେ ଥରେ ଓଟର ହୃତ୍‌ପିଣ୍ଡ ପରୀକ୍ଷା ପାଇଁ ମଧ୍ୟ ପ୍ରାୟ ୫୦୦ ଡଲାର୍‌ ଖର୍ଚ୍ଚହୁଏ। ଗୋଟିଏ ଗୋଟିଏ ଓଟ ପାଇଁ ବାର୍ଷିକ ଡାକ୍ତରୀ ପରୀକ୍ଷା ଓ ଯାଞ୍ଚ ଆଦି ଅନ୍ୟାନ୍ୟ ଶାରୀରିକ ସେବା ପାଇଁ ପ୍ରାୟ ୫,୦୦୦ରୁ ୭,୦୦୦ ଡଲାର୍‌ ଖର୍ଚ୍ଚ ହୋଇଥାଏ। ଏହାପରେ ଓଟର ଖାଦ୍ୟ ଓ ଦୈନିକ ବ୍ୟାୟାମ ଓ ତାଲିମର ଖର୍ଚ୍ଚ ଅଲଗା ରହିଛି।

ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ୨୦୧୦ ମସିହାରେ ଜଣେ କ୍ୟାମେଲିଡ୍ ସ୍ପୋର୍ଟସ୍ ପ୍ରଶଂସକ ରେସିଂରେ ତିନୋଟି ଓଟ ଉପରେ ୬୫,୦୦ ,୦୦୦ ପାଉଣ୍ଡ୍‌ ବାଜି ଲଗାଇଥିଲେ। ଭଲ ବଂଶ ପରିଚୟ (ପେଡିଗ୍ରି) ରହିଥିବା ଗୋଟିଏ ଗୋଟିଏ ଓଟ ୪୦,୦୦୦ରୁ ନେଇ ୫୫,୦୦୦ ଡଲାର୍‌ ପର୍ଯ୍ୟନ୍ତ ଦରରେ ବିକ୍ରିହୁଅନ୍ତି। ପୁଣି କୌଣସି ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଓଟର ଦର ଅଧିକ ହୋଇଥାଏ। ସେହିପରି ତାଲିମ ଦେବାକୁ ଓଟ ପ୍ରଶିକ୍ଷକଙ୍କ ମାସିକ ପ୍ରାପ୍ୟ ଓଟ ଦୌଡୁଥିବା ରେସିଂ ଟ୍ରାକ୍‌ର ଲମ୍ବକୁ ନେଇ ସ୍ଥିର କରାଯାଏ। ସାଧାରଣତଃ ୧.୫ ରୁ ୮ କିଲୋମିଟର୍‌ ମଧ୍ୟରେ ଭିନ୍ନ ଭିନ୍ନ ଟ୍ରାକ୍‌ ରହିଥାଏ। ପ୍ରଶିକ୍ଷକଙ୍କ ଅଭିଜ୍ଞତା, ସଫଳତା ଓ ଦକ୍ଷତା ଅନୁସାରେ ସେମାନଙ୍କର ପାରିଶ୍ରମିକ ଧାର୍ଯ୍ୟ କରାଯାଇଥାଏ। ଗୋଟିଏ ଗୋଟିଏ ଓଟ ପାଇଁ ୫୦ ନିୟୁତ ଡଲାର୍‌ (ପ୍ରାୟ ୪୪,୫୭,୮୩,୨୫୦/- ଭାରତୀୟ ଟଙ୍କା) ଦେବାକୁ ପଡ଼ିଥାଏ। ଏହି ରାଶି ଅବିଶ୍ବାସ୍ୟ ମନେହେଲେ ବି ସତ ବୋଲି ସୁପ୍ରସିଦ୍ଧ ଓଟ ତାଲିମଦାତା ଫୈଜଲ୍ କହନ୍ତି।