ଖୋର୍ଦ୍ଧା: ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ଶିଳ୍ପାୟନ ଧୀରେ ଧୀରେ ଗତି ଧରିଛି। ଗଲା ୨ ବର୍ଷ ମଧ୍ୟରେ ଜିଲ୍ଲାର ୭୦୬.୪୦୬ ଏକର ଜମି ଶିଳ୍ପ ହାତକୁ ଟେକି ଦିଆଯାଇଥିବା ବେଳେ ଆହୁରି ୬ ହଜାର ଏକର ଜମିରେ ଶିଳ୍ପ କରିବାକୁ ଇଡ୍କୋ ଆଖି ପକାଇଛି। ଗୋଟିଏ ପଟେ ଜିଲ୍ଲାର ଶିଳ୍ପାୟନ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଚାଷ କିନ୍ତୁ କମୁଛି। ଯଦିଓ ଚାଷ ଜମି କମ୍ ହେବା ପଛର ମୂଳ କାରଣ କେବଳ ଶିଳ୍ପ ନୁହେଁ, ରାଜଧାନୀ ଜିଲ୍ଲାର ଅମୂଲ ମୂଲ କୁହାଯାଉଥିବା ପ୍ରାୟ ଚାଷ ଜମି ପ୍ଲଟିଂକୁ ପରିବର୍ତ୍ତିତ ହୋଇଚାଲିଛି। ତଥାପି ଯେଉଁ ଢଙ୍ଗରେ ଜିଲ୍ଲାରେ ଶିଳ୍ପାୟନର ବିକାଶ ହୋଇ ଚାଲିଛି ଓ ଚାଷ ପ୍ରତି ଲୋକଙ୍କର ବିମୁଖତା ଦେଖାଦେଇଛି, ତାହା ଜିଲ୍ଲାର ଭିନ୍ନ ଅର୍ଥନୈତିକ ଧାରାକୁ ସ୍ପଷ୍ଟ କରୁଛି।
ସୂଚନା ମୁତାବକ, ଗଲା ଠିକ୍ ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା ତହସିଲ୍ର ଦୁଇଟି ନୂଆ ଅଞ୍ଚଳକୁ ଶିଳ୍ପାଞ୍ଚଳ କରାଗଲା।
Sundargarh : ଜଳ ଯନ୍ତ୍ରଣାରେ ଛଟପଟ ସୁନ୍ଦରଗଡ଼
ମୁଣ୍ଡାଆମ୍ବଠାରେ ୧୫ଟି ଶିଳ୍ପ ପାଇଁ ମୋଟ୍ ୩୦୨. ୮୪୦ଏକର ଜମି ଶିଳ୍ପ ନାଁରେ କରି ଦିଆଗଲା। ସେହିପରି କାଳୀବତିର ୨୬୮.୧୦୫ ଏକର ଏବଂ ବେଗୁନିଆ ବ୍ଲକ୍ର ଭୂଇଁପୁର ଇଲାକାର ମୋଟ୍ ୧୩୫.୪୬୧ଏକର ଜମି ବି ଶିଳ୍ପ ହାତକୁ ଗଲା। ମୋଟ୍ ଉପରେ ଖୋର୍ଦ୍ଧା ଏବଂ ବେଗୁନିଆ ବ୍ଲକ୍ର ଉପରୋକ୍ତ ତିନିଟି ନୂଆ ଶିଳ୍ପାଞ୍ଚଳ ପାଇଁ ସରକାର ୭୦୬.୪୦୬ ଜମିକୁ ଶିଳ୍ପ ହାତକୁ ଟେକି ଦେଲେ। ତା’ ସହିତ ଖୋର୍ଦ୍ଧା ସହର ଉପକଣ୍ଠ ହଳଦିପଦାରେ ବି ନୂଆ ଶିଳ୍ପାଞ୍ଚଳ ନୂଆ ସରକାର ପ୍ରତିଷ୍ଠା କରିଛନ୍ତି। ଏବେ ଜିଲ୍ଲାର ଆଉ ୬,୩୯୬ ଏକର ଜମି ଉପରେ ଶିଳ୍ପ ବିଭାଗର ଆଖି ପଡ଼ିଛି। ଏହା ପୂର୍ବରୁ ଖୋର୍ଦ୍ଧା ଶିଳ୍ପାଞ୍ଚଳ, ସାରୁଅ, ଜୟମଙ୍ଗଳ ଆଦି ଅଞ୍ଚଳରେ ଶିଳ୍ପ ବିଭାଗ ନିଜର ଶିଳ୍ପାଞ୍ଚଳ ଗଢ଼ି ସାରିଲାଣି। ନିକଟରେ ତିଆରି ହୋଇଥିବା ଏବଂ ଆଗକୁ ପ୍ରସ୍ତାବିତ ଛଅ ହଜାର ଏକର ଜମିରେ ଯଦି ଶିଳ୍ପ ଠିଆ ହୁଏ, ତେବେ ଜିଲ୍ଲାର ଏକ ସିଂହଭାଗ ଜମି ଉପରେ ଶିଳ୍ପପତି ରାଜୁତି କରିବା ଥୟ । ବିଶେଷ କରି ଖୋର୍ଦ୍ଧା ତହସିଲର ପ୍ରାୟ ଇଲାକା ଶିଳ୍ପମୟ ହେବାର ଅନୁମାନ କରାଯାଉଛି। ସେପାଖେ ଜିଲ୍ଲା କୃଷି ବିଭାଗ ଚାଷକୁ ନେଇ ଭିନ୍ନ ତଥ୍ୟ କହୁଛି। ଜିଲ୍ଲା ଯେଉଁ ହାରରେ ଶିଳ୍ପାୟନମୁହାଁ ହେବାକୁ ବସିଛି, ସେହି ତୁଳନାରେ ଚାଷ କିନ୍ତୁ ବଢ଼ୁନାହିଁ। ବରଂ ଚାଷ ତଳମୁହାଁ ହୋଇ ଚାଲିଛି। ବିଭାଗୀୟ ତଥ୍ୟ କହୁଛି, ଗଲା ଖରିଫ୍ରେ ଜିଲ୍ଲାରେ ମୋଟ୍ ଏକ ଲକ୍ଷ ୨୦ ହଜାର ୪୭୩ ହେକ୍ଟର ଜମିରେ ଚାଷ କରାଯାଇଥିଲା। ଏଥର ତାହା ଏକ ଲକ୍ଷ ୨୦ ହଜାର ୨୮୫ ହେକ୍ଟରକୁ ଖସି ଆସିଛି।
Bharatmala project: ଆଶଙ୍କାରେ ବହୁ ପ୍ରତୀକ୍ଷିତ ଭାରତମାଳା ପ୍ରକଳ୍ପ
ରାଜଧାନୀ ଜିଲ୍ଲା ଖୋର୍ଦ୍ଧାରେ ଜମି ହେଉଛି ଅମୂଲ ମୂଲ। ଶିଳ୍ପଠୁ ଆରମ୍ଭ କରି କୋଠାବାଡ଼ି ନିର୍ମାଣ ଦୃଷ୍ଟିରୁ ସମସ୍ତଙ୍କର ଏହା ଉପରେ ନଜର ରହିଛି। ସେହି ତୁଳନାରେ ଜିଲ୍ଲାର ଜମି ବ୍ୟବହାର ଶିଳ୍ପ ଓ କୋଠାବାଡ଼ିରେ ଧୀରେ ଧୀରେ ଉପରମୁହାଁ ହୋଇଚାଲିଛି ସିନା, ହେଲେ ମୌଳିକ ଅର୍ଥନୀତିକୁ ବୁଝାଉଥିବା କୃଷିରେ ଜମିର ବ୍ୟବହାର ପଛକୁ ଠେଲି ହୋଇଯାଇଛି।
Follow Us