ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ସୂର୍ଯ୍ୟ ଯେତେବେଳେ ଗୋଟିଏ ରାଶିକୁ ଅତିକ୍ରମ କରି ପର ରାଶିରେ ପାଦ ଦିଅନ୍ତି, ତାହାକୁ ସଂକ୍ରାନ୍ତି କୁହାଯାଏ। ୧୨ଟି ସୌର ମାସର ମେଷରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶି ଅନୁସାରେ ସଂକ୍ରାନ୍ତିର ନାମକରଣ ହୋଇଥାଏ। ପ୍ରତ୍ୟେକ ସୌରମାସ ସମ୍ପୃକ୍ତ ରାଶିକୁ ରବିଙ୍କ ଚଳନ ବା ସଂକ୍ରାନ୍ତି ଦିନରୁ ଆରମ୍ଭ ହୋଇ ମାସାନ୍ତ ବା ପର ସଂକ୍ରାନ୍ତିର ପୂର୍ବଦିନ ଶେଷ ହୋଇଥାଏ। ପୁଣି ସୌରମାସର ନାମକରଣ ଚାନ୍ଦ୍ରମାସର ନାମାନୁସାରେ ବି ହୋଇପାରେ। ଯଥା ମେଷ ମାସକୁ ବୈଶାଖ, ବୃଷ ମାସକୁ ଜ୍ୟେଷ୍ଠ ଇତ୍ୟାଦି କ୍ରମରେ ମକର ମାସକୁ ମାଘ, କୁମ୍ଭ ମାସକୁ ଫାଲ୍ଗୁନ ଓ ମୀନ ମାସକୁ ଚୈତ୍ର କୁହାଯାଏ। ଯେହେତୁ ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତି, ତେଣୁ ଏହାର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା।
ମତ୍ସ୍ୟ ଓ ପଶୁର ସମାହାରରେ ଏକ କାଳ୍ପନିକ ଜଳଜୀବ!
ରାଶି କହିଲେ କ୍ରାନ୍ତିବୃତ୍ତରେ ଦେଖାଯାଉଥିବା ୧୨ଟି ନକ୍ଷତ୍ରପୁଞ୍ଜକୁ ବୁଝାଏ। ପ୍ରତ୍ୟେକ ରାଶି ବା ନକ୍ଷତ୍ରପୁଞ୍ଜର ନକ୍ଷତ୍ରଗୁଡ଼ିକୁ ଗୋଟିଏ ଗୋଟିଏ ବିନ୍ଦୁ ବୋଲି ଧରି ସେହି ବିନ୍ଦୁଗୁଡ଼ିକୁ ଯୋଗ କଲେ ଯେଉଁ ଆକୃତି ସୃଷ୍ଟି ହେବ, ସେହି ଅନୁସାରେ ରାଶିର ନାମକରଣ ହୋଇଥାଏ। ଯଦି ଏହା ମେଣ୍ଢା ପରି ଦିଶିଲା, ତେବେ ତାକୁ ମେଷ, ଷଣ୍ଢ ପରି ଦିଶିଲେ ବୃଷ ଇତ୍ୟାଦି କୁହାଯାଏ। ମକର ରାଶିର ବିନ୍ଦୁଗୁଡ଼ିକୁ ଯୋଡ଼ିଲେ ତାହା ମକର ପରି ଦେଖାଯାଏ। ମକର ମାନେ ପୁଣି କ’ଣ? ବାସ୍ତବରେ ଏପରି କୌଣସି ଜନ୍ତୁ ପୃଥିବୀରେ ନାହାନ୍ତି। ଏହା ପୁରାଣବର୍ଣ୍ଣିତ ଏକ ଜଳଜନ୍ତୁ ବିଶେଷ। ଏହାର ଅଧା ଲାଙ୍ଗୁଡ଼ ଭାଗଟା ମାଛ ପରି ଓ ଅପର ଅଧା ବା ମୁଣ୍ଡ ଭାଗଟା ପଶୁ ପରି। କୁହାଯାଏ, ଏହା ହେଉଛି ଗଙ୍ଗାଙ୍କ ବାହନ ଏବଂ କନ୍ଦର୍ପ ବା କାମଦେବଙ୍କ ପତାକାରେ ଏହାର ଚିହ୍ନ ଥିବାରୁ ତାଙ୍କୁ ମକରକେତନ କୁହାଯାଏ। ଭଗବାନ ବିଷ୍ଣୁ କାନରେ ଯେଉଁ କୁଣ୍ଡଳ ପିନ୍ଧିଥାନ୍ତି, ତାକୁ ମକର କୁଣ୍ଡଳ କୁହାଯାଏ, କାରଣ ତାହାର ଆକୃତି ସେହିପରି।
ପୁରାଣ ବର୍ଣ୍ଣନା ଅନୁସାରେ ମକର ନାମକ ଜଳଜନ୍ତୁର ମୁଣ୍ଡରେ ଗୋଟାଏ ଶୁଣ୍ଢ ଅଛି। ଏହାର ମସ୍ତକ ଓ ଆଗ ଗୋଡ଼ଦୁଇଟି କୃଷ୍ଣସାର ମୃଗ ପରି। ଏହାର ଦେହ ଓ ପୁଚ୍ଛ ମାଛ ପରି। କେହି କେହି ଏହାକୁ କୁମ୍ଭୀର ଓ କେହି କେହି ହାଙ୍ଗର କହିଥାନ୍ତି। ପ୍ରାଚୀନକାଳରେ ଅଙ୍କିତ ଚିତ୍ର ଓ ପଥରଖୋଦିତ ମୂର୍ତ୍ତିରେ ଏହାର ଦେହ କୁମ୍ଭୀର ପରି ଓ ହାତୀ ପରି ଶୁଣ୍ଢ ଉପରକୁ ଟେକିଥିବାର ଦେଖିବାକୁ ମିଳେ। ଆମେ ମଗର ମାଛ ବୋଲି ଯେଉଁ ଶବ୍ଦ ବ୍ୟବହାର କରୁ, ତାହା ହେଉଛି ମକର ଶବ୍ଦର ତଦ୍ଭବ ରୂପ। ତାହା ଏକଶୃଙ୍ଗ-ବିଶିଷ୍ଟ ମତ୍ସ୍ୟ ବିଶେଷ। ଏହାକୁ ମଧ୍ୟ ଖଣ୍ଡାମଗର (ସୋର୍ଡ ଫିସ୍), ମୁଣ୍ଡାମଗର ବା ହାଙ୍ଗର (ସାର୍କ) କୁହାଯାଏ। ଏହାର ଉପର ଓଠରୁ ଗୋଟିଏ ଶୃଙ୍ଗ ଦୁଇପାଖେ ପାନିଆ ପରି ଦନ୍ତୁରିତ ହୋଇ ଆଗକୁ ବାହାରିଥାଏ। ମୋଟାମୋଟି ଭାବେ ମକର କହିଲେ ମାଛ ଓ ପଶୁର ସମାହାର ଏକ କାଳ୍ପନିକ ଜଳଜୀବକୁ ବୁଝାଏ।
ଶୁଭକାର୍ଯ୍ୟ ପାଇଁ ଉତ୍ତରାୟଣ ଅନୁକୂଳ
ରବି ଯେତେବେଳେ ମକର ରାଶିରେ ପ୍ରବେଶ କରନ୍ତି, ସେହିଦିନଠାରୁ ତାଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ। ସୂର୍ଯ୍ୟଙ୍କର ଉତ୍ତରାୟଣ ହେଉଛି ମକର (ମାଘ)ରୁ ମିଥୁନ (ଆଷାଢ଼) ପର୍ଯ୍ୟନ୍ତ ୬ ମାସ ଏବଂ ଦକ୍ଷିଣାୟନ ହେଉଛି, କର୍କଟ (ଶ୍ରାବଣ)ରୁ ଧନୁ (ପୌଷ) ପର୍ଯ୍ୟନ୍ତ ୬ ମାସ। ଉତ୍ତରାୟଣରେ ସମସ୍ତ ଶୁଭକାର୍ଯ୍ୟ ଅନୁଷ୍ଠିତ ହୁଏ। ମୀନ (ଚୈତ୍ର) ମାସରେ କେବଳ ବ୍ରତଘର ହୁଏ, ବାହାଘର ହୁଏ ନାହିଁ। ଦକ୍ଷିଣାୟନରେ କେବଳ ମାର୍ଗଶିର (ବିଛା) ମାସ ଛଡ଼ା ଅନ୍ୟମାସରେ କୌଣସି ଶୁଭକର୍ମ ହୁଏ ନାହିଁ। ଦକ୍ଷିଣାୟନକୁ ଅଶୁଦ୍ଧକାଳ ବୋଲି ଧରାଯାଏ। ତେଣୁ ଗୁରୁ-ଶୁକ୍ରଙ୍କ ଅସ୍ତଦୋଷ ନ ଥିଲେ କିମ୍ବା ସିଂହ-ବୃହସ୍ପତି ଯୋଗ ନ ଥିଲେ ମକର ସଂକ୍ରାନ୍ତି ପରଠାରୁ ଶୁଦ୍ଧକାଳ ଆରମ୍ଭ ହୁଏ। ଚଳିତବର୍ଷ ମକର ସଂକ୍ରାନ୍ତି ପୂର୍ବରୁ ଶୁକ୍ର ଅସ୍ତ-ଜନିତ ଅଶୁଦ୍ଧକାଳ ଥିବାରୁ ଜାନୁଆରି ମାସରେ ବିବାହାଦି ଶୁଭକର୍ମ ନାହିଁ। ବାସ୍ତବରେ ଗତ ନଭେମ୍ବର ୨୭ ତାରିଖରୁ ଫେବ୍ରୁଆରି ୧୬ ତାରିଖ ପର୍ଯ୍ୟନ୍ତ ଶୁକ୍ର ବୃଦ୍ଧ-ଅସ୍ତ-ବାଲ୍ୟ ଦୋଷ ହେତୁ ବିବାହାଦି ଶୁଭକର୍ମ ବର୍ଜନୀୟ।
ମିତ୍ରଦ୍ରୋହ ବ୍ୟତୀତ ଆଉ ସବୁ ପାପରୁ ମୁକ୍ତି!
ମକର ସଂକ୍ରାନ୍ତିରୁ ସୌର ମାଘମାସ ଆରମ୍ଭ। ଚାନ୍ଦ୍ର ମାଘମାସ ତା’ର କିଛିଦିନ ପୂର୍ବରୁ ଜାନୁଆରି ୩ ତାରିଖ ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହେଉଛି। ପୌଷ ପୂର୍ଣ୍ଣିମା ଦିନ ମାଘବ୍ରତର ସଂକଳ୍ପ ନେଇ ତା’ପରଦିନ ଔଦୟିକ ମାଘ ଶୁକ୍ଳ ପ୍ରତିପଦାଠାରୁ ମାଘବ୍ରତ ଆରମ୍ଭ କରାଯାଏ ଏବଂ ମାସ ସାରା ପ୍ରାତଃସ୍ନାନ କରି ଜପଧ୍ୟାନ-ଦେବପୂଜା ଆଦି କରାଯାଏ। ତା’ ଭିତରେ ମକର ସଂକ୍ରାନ୍ତି ହେଉଛି ବିଶେଷ ଦିନ, ଯେଉଁଦିନ ମକର ବୁଡ଼ ପକାଯାଏ। ଲୋକମାନେ ମକର ସଂକ୍ରାନ୍ତି ଦିନ ନିଜ ନିଜ ଅଞ୍ଚଳର ନଦୀ ବା ତୀର୍ଥରେ ସ୍ନାନ କରନ୍ତି। ନଦୀକୂଳରେ ବହୁଲୋକଙ୍କ ସମାଗମ ହେଉଥିବାରୁ ଏହାକୁ କେନ୍ଦ୍ର କରି ମେଳା, ଯାତ୍ରା (ନାଟକ) ଆଦି ଅନୁଷ୍ଠିତ ହୁଏ। କୁହାଯାଏ, ମକର ସଂକ୍ରାନ୍ତିରେ ଗଙ୍ଗାସାଗର (ପଶ୍ଚିମବଙ୍ଗରେ ଗଙ୍ଗା ଯେଉଁଠି ସମୁଦ୍ରରେ ପଡ଼ିଛି)ରେ ସ୍ନାନ କଲେ ମହାପୁଣ୍ୟ ହୁଏ ଏବଂ ସବୁ ପାପତାପ ଧୋଇଯାଏ। କାଳିଦାସଙ୍କ ଭାଷାରେ- ସେତୁବନ୍ଧେ ସମୁଦ୍ରେ ଚ ଗଙ୍ଗାସାଗର-ସଂଗମେ, ବ୍ରହ୍ମହା ମୁଚ୍ୟତେ ପାପୈ ମିତ୍ରଦ୍ରୋହୀ ନ ମୁଚ୍ୟତେ। ଅର୍ଥାତ୍ ତାମିଲନାଡୁର ସେତୁବନ୍ଧ (ରାମେଶ୍ବରମ୍), ପୁରୀ ସମୁଦ୍ର, ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣାର ଗଙ୍ଗାସାଗର ଏବଂ ପ୍ରୟାଗରାଜର ତ୍ରିବେଣୀସଂଗମ ପ୍ରଭୃତି ସ୍ଥାନରେ ସ୍ନାନକଲେ ମଣିଷ ବ୍ରହ୍ମହତ୍ୟା ପରି ପାପରୁ ମୁକ୍ତ ହୁଏ ବୋଲି କୁହାଯାଏ। କିନ୍ତୁ ମିତ୍ରଦ୍ରୋହ ପରି ପାପରୁ ମୁକ୍ତି ମିଳେନାହିଁ। ଆଉ ମକର ସଂକ୍ରାନ୍ତିରେ ହିଁ ଲୋକମାନେ ଏସବୁ ସ୍ଥାନରେ ସ୍ନାନ ପାଇଁ ଭିଡ଼ ଜମାନ୍ତି।
Sand Smuggling: ମାଲେମାଲ ବାଲି ମାଫିଆ, ପ୍ରଶାସନ ନୀରବ
ମକର ସ୍ନାନ ପରେ ଠାକୁରଙ୍କ ପାଖରେ ଅସିଦ୍ଧ ଅରୁଆ ଚାଉଳ, ରାଶି, ଗୁଡ଼, କଦଳୀ, ନଡ଼ିଆକୋରା, ଛେନା, ଗଜାମୁଗ ପ୍ରଭୃତିର ଚକଟା (ମକରଚାଉଳ) ଭୋଗ ଲଗାଯାଏ। ଅତ୍ୟନ୍ତ ସୁସ୍ବାଦୁ ଓ ପୁଷ୍ଟିକର ସେହି ଭୋଗକୁ ସମସ୍ତେ ପ୍ରସାଦ ରୂପରେ ପାଆନ୍ତି। ମକରଚାଉଳ ଖୁଆଖୁଇ ହୋଇ ଅନେକେ ମିତ୍ରତା-ସୂତ୍ରରେ ବାନ୍ଧି ହୁଅନ୍ତି। ଏହାସହ ଗୁଡ଼ି ଉଡ଼ାଇବା ମଧ୍ୟ ଏହି ଦିନର ଏକ ମୁଖ୍ୟ ଆକର୍ଷଣ। ଦକ୍ଷିଣଭାରତରେ ମକର ପର୍ବକୁ ପୋଙ୍ଗଲ କୁହାଯାଏ। ଅନ୍ୟତ୍ର ଏହା ଭୋଗୀ ପର୍ବ ଭାବେ ପରିଚିତ।
ମୋ- ୭୦୦୮୯୬୦୫୦୨
Follow Us