ଭୁବନେଶ୍ବର: ବର୍ଷକ ୧୨ ମାସ ମଧ୍ୟରୁ ୪ ମାସ ରାଜଧାନୀ ବାୟୁ ଭଲ ରହୁ ନାହିଁ। ନଭେମ୍ବରରୁ ଫେବ୍ରୁଆରି ମାସ ମଧ୍ୟରେ ସହରର ବାୟୁର ମାନ ମଧ୍ୟମ କିମ୍ବା ଖରାପ ସ୍ତରରେ ରହୁଛି। ବେଳେବେଳେ ଅତ୍ୟନ୍ତ ଖରାପ ସ୍ତରରେ ବି ପହଞ୍ଚି ଯାଉଛି। ଶ୍ବାସ, ଫୁସଫୁସ୍‌ ପରି ମାରାତ୍ମକ ରୋଗରେ ଲୋକେ ଆକ୍ରାନ୍ତ ହେଉଛନ୍ତି। ଅନ୍ୟାନ୍ୟ ସମୟରେ ବି ବାୟୁର ମାନ ମଧ୍ୟମଧରଣ ପ୍ରଦୂଷିତ ଅବସ୍ଥାରେ ରହୁଥିବାରୁ ଲୋକଙ୍କ ଶରୀର ପାଇଁ ପ୍ରତିଦିନ ବିପଦ ସୃଷ୍ଟି ହେଉଛି। ଏକଥା ଆମେ କହୁନୁ, ବରଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ହୋଇଥିବା ଅନୁଧ୍ୟାନରୁ ଏଭଳି ତଥ୍ୟ ସାମନାକୁ ଆସିଛି। କେବଳ ବାୟୁ ନୁହେଁ, ସହର ପାଣି ମଧ୍ୟ ଭଲ ସ୍ଥିତିରେ ନାହିଁ। ଭୁବନେଶ୍ବର ସଂଲଗ୍ନ ସମସ୍ତ ନଦୀଜଳର ମାନ ଅତ୍ୟନ୍ତ ଖରାପ ରହିଛି, ଯାହାକି ବ୍ୟବହାରଯୋଗ୍ୟ ନୁହେଁ। ବିଶୋଧନ ପରେ ମଧ୍ୟ ଏହାକୁ ବ୍ୟବହାର କରିବା ସମ୍ଭବପର ନୁହେଁ। କେବଳ ଯାହା ନଦୀର ଭୂତଳ ଜଳକୁ ଉତ୍ତୋଳନ କରାଯାଇ ବିଶୋଧନ କରାଯିବା ପରେ ବ୍ୟବହାର କରାଯାଇପାରିବ ବୋଲି ପ୍ରଦୂଷଣ ବୋର୍ଡ ମତପ୍ରକାଶ କରିଛି। 
ଭୁବନେଶ୍ବର ସହର ଉପକଣ୍ଠରେ ଥିବା ଜଳ ଉତ୍ସର ମାନ ସମ୍ପୂର୍ଣ୍ଣ ଖରାପ ସ୍ତରରେ ପହଞ୍ଚିଗଲାଣି। କୁଆଖାଇ ସମେତ ଦୟାନଦୀ ପ୍ରଦୂଷଣ ଏତେ ମାତ୍ରାରେ ହୋଇଛି ଯେ ତାହା ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। କୁଶଭଦ୍ରା ଅବସ୍ଥା ମଧ୍ୟ ସମାନ। ସହରର ଅନ୍ୟତମ ଜଳଉତ୍ସ ଗଙ୍ଗୁଆ ନାଳ (ନଦୀ) କଥା ନ କହିବା ଭଲ। ଦଳ ଭିତରେ ଏହାର ଜଳ ଲୁଚିଯାଇଛି। ରାଜ୍ୟ ସରକାର ମଧ୍ୟ ଜାଣିଛନ୍ତି ଯେ ଏହି ନଦୀଗୁଡ଼ିକର ଜଳର ମାନ ଉଦ୍ଦିଷ୍ଟ ମାନ ମଧ୍ୟରେ ରହୁନାହିଁ। ପରିଣାମ ସ୍ବରୂପ ବ୍ୟବହାର କରାଗଲେ ପରବର୍ତ୍ତୀ ସମୟରେ ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଉଛି। ପ୍ରଦୂଷିତ ସ୍ଥାନଗୁଡ଼ିକରେ ନଦୀଜଳ ପ୍ରଦୂଷଣ ମୁଖ୍ୟତଃ ସହରାଞ୍ଚଳ ବର୍ଜ୍ୟଜଳ ନିଷ୍କାସନ ଏବଂ ତାହାର ବ୍ୟବହାର ଯୋଗୁଁ ହେଉଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି। ତେଣୁ ନଦୀରେ ମିଶୁଥିବା ସହରର ବର୍ଜ୍ୟଜଳ ପରିଚାଳନା କରିବାକୁ ସହରର ୫ଟି ସ୍ଥାନରେ ସ୍ବେ‌ରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଇଛି। ମେହେରପଲ୍ଲୀଠାରେ ୫୬ ଦୈନିକ ମିଲିୟନ୍‌ ଲିଟର (ଏମ୍‌ଏଲ୍‌ଡି)ର ଏସ୍‌ଟିପି ହୋଇଥିବା ବେଳେ ବାସୁଆଘାଇଠାରେ ୨୮ ଏମ୍‌ଏଲ୍‌ଡି ଏସ୍‌ଟିପି, କୋଚିଳାପୁଟରେ ୪୩.୫ ଏମ୍‌ଏଲ୍‌ଡିର ଏସ୍‌ଟିପି, ପାଇକରାପୁରଠାରେ ୮ ଏମ୍‌ଏଲ୍‌ଡିର ଏସ୍‌ଟିପି ଓ ରୋକଟରେ ଏମ୍‌ଏଲ୍‌ଡିର ଏସ୍‌ଟିପି ନିର୍ମାଣ ହୋଇଛି।

Advertisment

Dedicated: ଲୋକାର୍ପଣ କଲେ, ଖୋଲିଲେନି

 
ବୋର୍ଡ ଆହୁରି ଦର୍ଶାଇଛି ଯେ ନଦୀଜଳ ପ୍ରଦୂଷଣ ସମ୍ପର୍କରେ କ୍ରମାଗତ ଭାବେ ବିଏମ୍‌ସି ଅଧିକାରୀମାନଙ୍କୁ ଅବଗତ କରାଯାଇ ଜଳର ପ୍ରଦୂଷଣ ନିରାକରଣ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି। ଏଥିସହ ଜିଲ୍ଲା‌ ପ୍ରଶାସନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଜଳ ଯୋଗାଣ ଓ ପରିମଳ ପରିଷଦକୁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଉଛି। ସହରର କଳକାରଖାନାଗୁଡ଼ିକରୁ ଜଳ ପ୍ରଦୂଷଣର ମାତ୍ରା ଧାର୍ଯ୍ୟ ମାନ ନିୟନ୍ତ୍ରଣ କରିବାକୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କନ୍‌ସେଣ୍ଟ ଆଡ୍‌ମିନିଷ୍ଟ୍ରେସନ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସମ୍ମତିପତ୍ର ମାଧ୍ୟମରେ ଜଳ ପ୍ରଦୂଷଣ ହ୍ରାସ ଉପଯୋଗୀ ସର୍ତ୍ତଗୁଡ଼ିକ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥାଏ ଏବଂ ନିୟମିତ ଭାବେ ଯାଞ୍ଚ କରାଯାଏ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି।

Canal water : ଆପାର୍ଟମେଣ୍ଟ ବର୍ଜ୍ୟ ମିଶି କେନାଲ ପାଣି ବିଷାକ୍ତ, ଉତ୍ତେଜନାର ରୂପ ନେଉଛି ଜନ ଆକ୍ରୋଶ


ଅନ୍ୟପକ୍ଷରେ ପ୍ରତିଦିନ ସହରରେ ଗଡ଼ୁଥିବା ଲକ୍ଷାଧିକ ଗାଡ଼ିମଟର ସାଙ୍ଗକୁ କୋଠା ଓ ରାସ୍ତା ନିର୍ମାଣରୁ ବାହାରୁଥିବା ଧୂଳିକଣା ଏବେ ସହରବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ୨୦୨୪ରୁ ୨୦୨୬ (ଏପର୍ଯ୍ୟନ୍ତ) ଏମିତି ଗୋଟିଏ ସପ୍ତାହ ନାହିଁ, ଯେଉଁ ସପ୍ତାହରେ ରାଜଧାନୀର ବାୟୁ ସ୍ବଚ୍ଛ ସ୍ଥିତିରେ ରହିଛି। ମାର୍ଚ୍ଚରୁ ଅକ୍ଟୋବର ମାସ ମଧ୍ୟରେ ହାରାହାରି ଏକ୍ୟୁଆଇ ସନ୍ତୋଷଜନକ ସ୍ତରରେ ରହୁଥିବା ବେଳେ ନଭେମ୍ବରରୁ ଫେବ୍ରୁଆରି ମଧ୍ୟରେ ବାୟୁର ମାନ ମଧ୍ୟମ କିମ୍ବା ଖରାପ ସ୍ତରରେ ରହୁଛି। ପଳାଶୁଣୀ, ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର ଅଞ୍ଚଳ ସବୁଠାରୁ ଅଧିକ ପ୍ରଦୂଷିତ ଚିହ୍ନଟ ହୋଇଛି। ବର୍ଷର ଅଧିକାଂଶ ସମୟ ଏହି ଅଞ୍ଚଳରେ ବାୟୁର ପାର୍ଟିକୁଲେଟ୍‌ ମ୍ୟାଟର୍‌ (ପିଏମ୍‌)-୨.୫ (୨.୫ ମାଇକ୍ରୋମିଟର କିମ୍ବା ତା’ଠାରୁ କମ୍‌ ବ୍ୟାସ ବିଶିଷ୍ଟ ସୂକ୍ଷ୍ମ ନିଶ୍ୱାସଯୋଗ୍ୟ କଣିକା, ଯାହାକି ଫୁସ୍‌ଫୁସ୍‌ରେ ପ୍ରବେଶ କରି ରକ୍ତପ୍ରବାହରେ ବିପଦ ସୃଷ୍ଟି କରେ) ଗମ୍ଭୀର ସ୍ତରରେ ପହଞ୍ଚୁଛି। ପିଏମ୍‌ ୧୦ ମାତ୍ରା ମଧ୍ୟ ଖରାପ ହେଉଛି। ତେଣୁ ଏବେଠାରୁ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ସାଂଘାତିକ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।