ସରସ୍ବତୀ_ମହାଭାଗେ_ବିଦ୍ୟେ_କମଳଲୋଚନେ
“ସରସ୍ବତୀ ମହାଭାଗେ ବିଦ୍ୟେ କମଳଲୋଚନେ
ବିଦ୍ୟାରୂପେ ବିଶାଳାକ୍ଷୀ ବିଦ୍ୟାଂ ଦେହି ନମୋସ୍ତୁତେ”
ମାଘ ଶୁକ୍ଳ ପଞ୍ଚମୀ ତିଥି ମହାଦେବୀ ସରସ୍ବତୀଙ୍କର ପୂଜା ପାଇଁ ପ୍ରସିଦ୍ଧ। ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର କପାଳର ତେଜରୁ ଆବିର୍ଭୂତା ଏହି ଦେବୀ ଜ୍ଞାନ, ପ୍ରଜ୍ଞା, ବାଣୀ, ସୌନ୍ଦର୍ଯ୍ୟ ତଥା ସମସ୍ତ ଗାନ୍ଧର୍ବକଳା ସହ କବିତା ଓ ଅନ୍ୟ ସମସ୍ତ ସୃଜନକ୍ରିୟାର ଅଧିଷ୍ଠାତ୍ରୀ ଅଟନ୍ତି। ଧବଳପଦ୍ମ ଉପରେ ଶ୍ୱେତବସ୍ତ୍ର ପରିଧାନ ପୂର୍ବକ ଚତୁର୍ଭୁଜା ଏହି ଦେବୀ ହଂସବାହିନୀ, ପ୍ରାଣଦାୟିନୀ ଭାବରେ ହିନ୍ଦୁ ଓ ବୌଦ୍ଧ ସମ୍ପ୍ରଦାୟ ଦ୍ୱାରା ପୂଜିତା।
ଆହୁରି ପଢ଼ନ୍ତୁ: କୃଷି ଉତ୍ପାଦନ ବୃଦ୍ଧି ପାଇଁ ଜଳସେଚନର ଆବଶ୍ୟକତା ରହିଛି: ମୁଖ୍ୟମନ୍ତ୍ରୀ
ସରସ୍ବତୀ ଦିବ୍ୟଭାବର ପ୍ରତୀକ, ଉତ୍ତୀର୍ଣ୍ଣ ଚେତନାର ଦ୍ୟୋତକ ଓ ଯୋଗବିଜ୍ଞାନ ଅନୁସାରେ ପଞ୍ଚମଚକ୍ର, ଅର୍ଥାତ୍ ବିଶୁଦ୍ଧଚକ୍ର ବା କଣ୍ଠଚକ୍ରରେ ଅବସ୍ଥାନ କରନ୍ତି। କଣ୍ଠଚକ୍ର ବାଣୀ ଓ ସଙ୍ଗୀତର ଆଧାର। ତେଣୁ ମା’ ସରସ୍ବତୀଙ୍କୁ ପ୍ରାର୍ଥନା କଲାବେଳେ ଓଡ଼ିଆପିଲା କହନ୍ତି, “ସରସ୍ବତୀ ମା ଗୋ, କଣ୍ଠେ ବସିଥା, ବିଦ୍ୟା ନ ଆସିଲେ କହିଦେଉଥା’’। ମାଆ ସରସ୍ବତୀ ଚତୁର୍ଭୁଜା; ଚାରିହାତର ପ୍ରତୀକମାନେ ଯଥାକ୍ରମେ ମନ, ବୁଦ୍ଧି, ବିଚାର ଓ ଚେତନା। ହିନ୍ଦୁ ମୂର୍ତ୍ତିକାରମାନେ ମା’ ସରସ୍ବତୀଙ୍କୁ ସର୍ବଦା ଧଳାପଦ୍ମ, ଶ୍ୱେତହଂସ ବା ଶ୍ୱେତମୟୂର ସହ ସୁସଜ୍ଜିତା କରିଥାଆନ୍ତି। ଶୁଭ୍ରତା ହେଉଛି ପବିତ୍ରତାର ପ୍ରତୀକ, ଶୁଭ୍ର ଶତଦଳ ବା ପଦ୍ମଫୁଲ ବିମଳ ବିଚାରର ପ୍ରତୀକ, ହଂସ ହେଉଛି ପ୍ରାଣଶକ୍ତିର ପ୍ରତୀକ। ତେଣୁ ମା’ଙ୍କର ବନ୍ଦନାରେ “ହଂସବାହିନୀ ପ୍ରାଣଦାୟିନୀ ଅମ୍ବେ ବିମଳ ମତି ଦେ” ଇତ୍ୟାଦି କୁହାଯାଇଛି। ମା’ଙ୍କ ଚାରିହାତରେ ଚାରିବେଦ, କମଣ୍ଡଳୁ ଓ ବୀଣା ଶୋଭା ପାଉଥାଏ। ବୀଣା ମା’ଙ୍କ ଦ୍ୱାରା ସୃଜିତ ଏକ ସୁନ୍ଦର ବାଦ୍ୟଯନ୍ତ୍ର, ଯାହା ସଙ୍ଗୀତଶାସ୍ତ୍ରର ପ୍ରତିନିଧିତ୍ୱ କରେ। କମଣ୍ଡଳୁ ବ୍ରହ୍ମଚର୍ଯ୍ୟର ଓ ଚାରିବେଦ ଜ୍ଞାନର ଭଣ୍ଡାର ଅଟନ୍ତି। ମହାକବି କାଳିଦାସ ଦେବୀ ସରସ୍ବତୀଙ୍କ କରୁଣାରୁ ମହାମୂର୍ଖରୁ ମହାକବି ହୋଇଥିଲେ। ‘‘କଜ୍ଜଳପୂରିତ ଲୋଚନଧାରେ, ସ୍ତନଯୁଗ ଶୋଭିତ ମୁକ୍ତାହାରେ, ବୀଣା ପୁସ୍ତକ ରଞ୍ଜିତ ହସ୍ତେ, ଭଗବତୀ ଭାରତୀ ଦେବୀ ନମସ୍ତେ”। ତାଙ୍କ ରଚିତ ପ୍ରଥମ ଶ୍ଳୋକ ବୋଲି କିମ୍ବଦନ୍ତୀ ରହିଛି। ବିଶିଷ୍ଟ ଚିତ୍ରକର ରାଜା ରବି ବର୍ମା ମା’ ସରସ୍ବତୀଙ୍କର ପ୍ରତିମା ଆଙ୍କି ପ୍ରସିଦ୍ଧ ହୋଇଥିଲେ। କବିଗୁରୁ ରବୀନ୍ଦ୍ରନାଥଙ୍କ ପ୍ରତିଷ୍ଠିତ ଶାନ୍ତିନିକେତନରେ ବସନ୍ତପଞ୍ଚମୀ ଉତ୍ସବ ମହାସମାରୋହରେ ପାଳନ କରାଯାଏ। ଆମ ଓଡ଼ିଶାର ପ୍ରତ୍ୟେକ ଶିକ୍ଷାନୁଷ୍ଠାନ, ସମ୍ବାଦପତ୍ର କାର୍ଯ୍ୟାଳୟ ଓ ସଙ୍ଗୀତ ବିଦ୍ୟାଳୟ ଗୁଡ଼ିକରେ ସରସ୍ବତୀ ପୂଜା ଏକ ଆନନ୍ଦଦାୟକ ଉତ୍ସବ। ଏହିଦିନ ଘରେ ଘରେ ମା’ଙ୍କର ପୂଜା ହୁଏ, ବହି ‘ସଜ’ ବସେ, କୁନିପିଲାଙ୍କ ‘ଖଡ଼ିଛୁଆଁ/ ବିଦ୍ୟାରମ୍ଭ’ ହୁଏ।
ଆହୁରି ପଢ଼ନ୍ତୁ: ରାଜକୀୟ ଚାଲି ପାଇଁ ସାରା ବିଶ୍ଵରେ ପରିଚିତ କାଂକ୍ରେଜ୍ ଷଣ୍ଢ
ଯୁଗ ଯୁଗ ଧରି ମା’ ସରସ୍ବତୀଙ୍କୁ କବିଜିହ୍ୱାଗ୍ରବାସିନୀ ଭାବରେ ବନ୍ଦନା କରାଯାଇଆସୁଛି। ମା’ ସରସ୍ବତୀଙ୍କ ପରି ଗୋଟିଏ ନଦୀ ସରସ୍ବତୀ ମଧ୍ୟ ଆମ ଦେଶରେ ପ୍ରବାହିତ ଯାହା ଏବେ ଅନ୍ତଃସଲୀଳା ହୋଇ ରହିଛି। ସରସ୍ବତୀ ଶବ୍ଦର ଅନ୍ୟ ଏକ ଅର୍ଥ ଅଧିକ ଜଳଧାରଣ କରିଥିବା ଭୂମି, ସ ରସ ବତୀ, ସରସ୍ବତୀ...
ତାମିଲନାଡୁର କୁତ୍ଥାନୁର ଠାରେ ଅଛି ଦେବୀ ସରସ୍ବତୀଙ୍କୁ ସମର୍ପିତ ଗୋଟିଏ ବିଶାଳ ମନ୍ଦିର। ଯାହାକି ଓଟ୍ଟାକୁତ୍ଥର ନାମକ ଜଣେ ପ୍ରସିଦ୍ଧ କବି ନିଜ ଭୂମିରେ ତିଆରି କରେଇଛନ୍ତି। ଏଠି ମା’ଙ୍କର ଚରଣାମୃତ ହେଲା ଘୃତ ବା ଘିଅ। ଘୃତ ମେଧାର ପ୍ରତୀକ ଭାବରେ ମା’ଙ୍କୁ ଲାଗି କରାଯାଏ ଏବଂ ପ୍ରସାଦ ରୂପେ ବଣ୍ଟାଯାଏ। କମ୍ବରାମାୟଣର ପ୍ରଣେତା କମ୍ବର ମଧ୍ୟ ମା’ ସରସ୍ବତୀଙ୍କ ବନ୍ଦନା କରିଛନ୍ତି ତାମିଲ୍ ଭାଷାରେ। ଯିଏ ଯେଉଁ ଭଳି ଅର୍ଥ କରନ୍ତୁ ମା’ ସରସ୍ବତୀ ସମଗ୍ର ଆର୍ଯ୍ୟାବର୍ତ୍ତ ବା ଭାରତବର୍ଷର ବିଦ୍ୟା, ବାଣୀ, ସାହିତ୍ୟ, ସଙ୍ଗୀତର ଅଧିଷ୍ଠାତ୍ରୀ, ବସନ୍ତପଞ୍ଚମୀ ଅବସରରେ ତାଙ୍କୁ ଆଭୂମ ପ୍ରଣାମ।
ଆହୁରି ପଢ଼ନ୍ତୁ: ୧୩ଟି ଦେଶକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବ ପାକିସ୍ତାନ, ଭାରତ ବିରୋଧୀ ଯୁଦ୍ଧରେ ପରୀକ୍ଷା କରିଥିବା ଦାବି କରୁଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113655717z-whatsapp-image-2025-11-13-at-32725-pm-2025-11-15-17-06-55.jpeg)
/sambad/media/media_files/2026/01/22/untitled-2026-01-22-18-22-04.jpeg)