ଛତିଶଗଡ଼
ସିହାବା ସପ୍ତଋଷି ଆଶ୍ରମ
ଛତିଶଗଡ଼ର ଧମତରୀ ଜିଲାର ସିଂହାବାଠାରେ ସାତଟି ପର୍ବତ ରହିଛି। ଏହି ପର୍ବତ ପ୍ରକୃତି ଓ ଆଧ୍ୟାତ୍ମିକତାର ସଙ୍ଗମସ୍ଥଳ। ଘନ ଜଙ୍ଗଲ, ନଦୀ ଓ ମୁନିଋଷିଙ୍କ ତପସ୍ୟାକ୍ଷେତ୍ର ଭାବରେ ଏହା ପ୍ରସିଦ୍ଧ। ଏହା ମହାନଦୀର ଉଦ୍ଗମ ସ୍ଥଳ। ଏହି ସାତ ପର୍ବତ ଉପରେ ଶୃଙ୍ଗୀ, ମୁଚୁକୁନ୍ଦ, ଅଗସ୍ତ୍ୟ, ଲୋମଶ, ଅଙ୍ଗିରା, ଶରଭଙ୍ଗ ଓ ଗୌତମଙ୍କର ଆଶ୍ରମ ରହିଛି। ଏହାକୁ ସିହାବା ସପ୍ତଋଷି ଆଶ୍ରମ କହନ୍ତି।
ଶୃଙ୍ଗୀ ଆଶ୍ରମ
ସିହାବାର ଶୃଙ୍ଗୀ ଆଶ୍ରମ ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନ। କାରଣ ଶୃଙ୍ଗୀ ମୁନି ‘ରାମାୟଣ’ ଓ ‘ମହାଭାରତ’ର ଏକ ମହତ୍ତ୍ବପୂର୍ଣ୍ଣ ଚରିତ୍ର। ଏହି ମୁନି ଋଷ୍ୟଶୃଙ୍ଗ ନାମରେ ମଧ୍ୟ ପରିଚିତ। ଏ ସଂପର୍କରେ କୁହାଯାଏ, ଯେ ଶାପଗ୍ରସ୍ତ ହୋଇ ହରିଣୀ ରୂପରେ ବାସ କରୁଥିବା ଏକ ଅପସରା ଗର୍ଭରୁ ଋଷ୍ୟଶୃଙ୍ଗ ଜନ୍ମଗ୍ରହଣ କରିଥିବାରୁ ଏହାଙ୍କର ମସ୍ତକରେ ଏକ କ୍ଷୁଦ୍ର ଶିଙ୍ଗ ଥିଲା। ତେଣୁ ତାଙ୍କର ନାମ ଶୃଙ୍ଗୀ ହୋଇଥିଲା। ସେ ଥିଲେ ମହର୍ଷି ବିଭାଣ୍ଡକଙ୍କର ପୁତ୍ର। ମହର୍ଷି ବିଭାଣ୍ଡକ ପୁତ୍ର ଋଷ୍ୟଶୃଙ୍ଗଙ୍କୁ ଘଞ୍ଚ ଅରଣ୍ୟ ମଧ୍ୟରେ ରଖି ବ୍ରହ୍ମଚର୍ଯ୍ୟବ୍ରତ ପାଳନ କରାଇଥିଲେ। ଫଳରେ ଋଷ୍ୟଶୃଙ୍ଗ ଅନେକ ଆଶ୍ଚର୍ଯ୍ୟ କ୍ଷମତାର ଅଧିକାରୀ ହୋଇଥିଲେ।
‘ରାମାୟଣ’ର ବର୍ଣ୍ଣନା ଅନୁଯାୟୀ, ଥରେ ଅଙ୍ଗଦେଶରେ ଭୀଷଣ ଦୁର୍ଭିକ୍ଷ ପଡ଼ିଲା। ଅଙ୍ଗରାଜ ରୋମପାଦ ଅତ୍ୟନ୍ତ ବ୍ୟାକୁଳ ହୋଇପଡ଼ିଲେ। ବ୍ରାହ୍ମଣମାନେ ଉପଦେଶ ଦେଲେ ଅଟଳ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥିବା ମହର୍ଷି ବିଭାଣ୍ଡକଙ୍କର ପୁତ୍ର ଋଷ୍ୟଶୃଙ୍ଗଙ୍କୁ ଯଦି କୌଣସି ଉପାୟରେ ଅଙ୍ଗଦେଶକୁ ଅଣାଯାଇପାରେ, ତେବେ ନିଶ୍ଚୟ ବର୍ଷା ହେବ। କିନ୍ତୁ ଏଥିପାଇଁ ବିଭାଣ୍ଡକ କେବେ ବି ଅନୁମତି ଦେବେ ନାହିଁ। କାରଣ ସେ ଋଷ୍ୟଶୃଙ୍ଗଙ୍କୁ ସର୍ବଦା ଲୋକାଳୟଠାରୁ ଦୂରରେ ରଖିଥାନ୍ତି। ଏହି ସମୟରେ ଅଙ୍ଗଦେଶର ଜଣେ ଗଣିକା ଋଷ୍ୟଶୃଙ୍ଗଙ୍କୁ ଆଣିବାକୁ ବାହାରିଲେ। ଯେହେତୁ ଋଷ୍ୟଶୃଙ୍ଗ ପୂର୍ବରୁ କୌଣସି ସ୍ତ୍ରୀଲୋକ ଦେଖି ନଥିଲେ, ସେ ଗଣିକାଙ୍କୁ ଦେବତା ମନେ କରି ତାଙ୍କ ସହିତ ସଂପର୍କ ସ୍ଥାପନ କଲେ ଏବଂ ଗଣିକା ଜରତା ଋଷିଙ୍କୁ ଭୁଲାଇ ଅଙ୍ଗଦେଶକୁ ନେଇ ଆସିଲେ। ଅଙ୍ଗଦେଶରେ ବର୍ଷା ହେଲା। ସେଠାରେ ସେ ରାଜାଙ୍କର ପାଳିତା କନ୍ୟା ଶାନ୍ତାଙ୍କୁ ବିବାହ କରିଥିଲେ।
Nabarangpur: ଶିଶୁ ଗୁରୁତର ମାମଲା: ମାମଲାର ଯାଞ୍ଚ କଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ
ଶାନ୍ତା ଥିଲେ ରାଜା ଦଶରଥ ଓ ସୁମିତ୍ରାଙ୍କର କନ୍ୟା ତଥା ରାମଚନ୍ଦ୍ରଙ୍କର ଜ୍ୟେଷ୍ଠା ଭଗ୍ନୀ। ମୁନି ଋଷ୍ୟଶୃଙ୍ଗ ମହାରାଜ ଦଶରଥଙ୍କ ନିମିତ୍ତ ପୁତ୍ରେଷ୍ଟି ଯଜ୍ଞ କରିଥିଲେ। ତାହା ଫଳରେ ଦଶରଥଙ୍କର ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ- ଚାରିପୁତ୍ର ଜନ୍ମ ଲାଭ କରିଥିଲେ। ତେଣୁ ରାମଙ୍କ ଜୀବନରେ ଶୃଙ୍ଗୀମୁନିଙ୍କର ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଥିଲା। ମହର୍ଷି ଶୃଙ୍ଗୀଙ୍କର ଆଶ୍ରମ ପ୍ରାୟ ୪୨ ଫୁଟ ଉଚ୍ଚ ମହେନ୍ଦ୍ରଗିରି ଉପରେ ଅବସ୍ଥିତ। ଏଠାରେ ଥିବା ଜଳକୁଣ୍ଡ ମଧ୍ୟରୁ ଚିତ୍ରୋତ୍ପଳା-ମହାନଦୀର ଉଦ୍ଗମ ହୋଇଛି। ପ୍ରତ୍ୟେକ ବର୍ଷ ମାଘ ପୂର୍ଣ୍ଣିମାରେ ସେଠାରେ ଏକ ବିଶାଳ ମେଳା ଅନୁଷ୍ଠିତ ହୁଏ।
Asim Munir : ଅସୀମ ମୁନୀର ହେଲେ ପାକିସ୍ତାନର ପ୍ରଥମ ସିଡିଏଫ, ପ୍ରଧାନମନ୍ତ୍ରୀ ସରିଫ ଦେଲେ ମଂଜୁରୀ
ସେଠାରେ ଥିବା ଶୃଙ୍ଗୀ ପର୍ବତସ୍ଥିତ ଗଣେଶ ଘାଟର ଚଟାଣରେ ସୁନ୍ଦର ଚିତ୍ରକଳାମାନ ରହିଛି। ରାମ, ସୀତା, ଶିବ, ଗଣେଶ ଓ ହନୁମାନଙ୍କର ଚିତ୍ର ସହିତ ରାମଙ୍କର ଶିବପୂଜା ଚିତ୍ର ମଧ୍ୟ ଅଛି। ଏହି ଆଶ୍ରମର ଶାନ୍ତ ପରିବେଶ ବହୁ ଶାନ୍ତିପ୍ରିୟଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ଋଷିପତ୍ନୀ ଶାନ୍ତାଙ୍କର ମଧ୍ୟ ଏକ ମନ୍ଦିର ରହିଛି। ବିଶ୍ବାସ ରହିଛି, ନିଃସନ୍ତାନ ଦମ୍ପତିମାନେ ଏଠାକୁ ଆସି ଆଶ୍ରମରେ ରହି ପୂଜା କଲେ ସେମାନଙ୍କୁ ସନ୍ତାନ ପ୍ରାପ୍ତି ହୁଏ। ଏହି ଆଶ୍ରମରେ ପହଞ୍ଚିବାକୁ ହେଲେ ପ୍ରାୟ ୪୦୦ ପାହାଚ ଚଢ଼ିବାକୁ ହୋଇଥାଏ। ସଂପ୍ରତି ଏହି ଆଶ୍ରମର ବହୁ ଉନ୍ନତିକରଣ କରାଯାଇଛି।
-ଡକ୍ଟର ତୁଳସୀ ଓଝା
Follow Us