ଇଟାଲିର ସୁପ୍ରସିଦ୍ଧ ବିଳାସ ସାମଗ୍ରୀ କମ୍ପାନି ‘ପ୍ରାଦ’ ସମ୍ପ୍ରତି ବଜାରକୁ ଛାଡ଼ିଥିବା ଅତର ‘ଇନ୍ଫ୍ୟୁଜନ୍ ଡି ସନ୍ତାଲା ଚାଇ’ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ଉଦ୍ଦୀପନା, ସମାଲୋଚନା, ହାସ୍ୟରୋଳ ଓ ଅବିଶ୍ବାସ ଭଳି ଅନେକ ପ୍ରତିକ୍ରିୟା ଦେଖାଦେଇଛି। ଏ ଉତ୍ପାଦ ହେଉଛି ଭାରତୀୟମାନଙ୍କର ଅତିପ୍ରିୟ ଉଷ୍ଣପାନୀୟ ଚା ସୁଗନ୍ଧଯୁକ୍ତ ଗୋଟାଏ ଅତର। ଉଭୟ ନାରୀ ଓ ପୁରୁଷଙ୍କ ବ୍ୟବହାର ନିମିତ୍ତ ପ୍ରସ୍ତୁତ ଏ ଅତର ବା ପର୍ଫ୍ୟୁମ୍ର ସୁବାସ କାଠ ଓ ଦୁଗ୍ଧବତ୍ ବୋଲି କମ୍ପାନି କହିଛି। ଭାରତୀୟ ମୁଦ୍ରାରେ ୧୦୦ ମିଲିଲିଟର୍ବିଶିଷ୍ଟ ଏହି ଅତର ବୋତଲର ମୂଲ୍ୟ ପ୍ରାୟ ୧୭,୦୦୦ ଟଙ୍କା। ‘ପ୍ରାଦ’ ପୁଣି କହିଛି ଯେ ଏ ଅତରରେ ଚନ୍ଦନ ଓ ଗରମ ଚା ସୁଗନ୍ଧ ସହିତ ଅଳାଇଚ, କାଗଜି ଲେମ୍ବୁ, ଦୁଗ୍ଧ, ମସଲା ଓ ସାମାନ୍ୟ କସ୍ତୁରି ବାସ୍ନା ମିଶ୍ରିତ ହୋଇଛି।
Weekly Horoscope 2026 Jan 18 to 24: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ଏ ଅତର ବୋତଲ ଡିଜାଇନ୍ ଉପରେ ବି ବିଶେଷ ଧ୍ୟାନ ଦିଆଯାଇଛି। ଓଟର ରଙ୍ଗ ଓ ଛାଲ ସଦୃଶ ଠିପି ଲାଗିଥିବା ଗୋଟାଏ ବାଦାମୀରଙ୍ଗର କାଚ ବୋତଲରେ ପ୍ୟାକିଠ ହୋଇ ବଜାରକୁ ଆସିଛି ଏ ଅତର। ତେଣୁ, କେତେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଏହାକୁ ‘କାଚ ପିଆଲାରେ ଗରମ ଚା’ ବୋଲି କହୁଛନ୍ତି। ଏଇଟା ‘ଉଷ୍ଣ, ମାଟିଆଳିଆ ଓ ଉପଭୋଗ୍ୟ’ ବୋଲି ଇନ୍ଷ୍ଟାଗ୍ରାମ୍ରେ ବି ଜଣେ ମନ୍ତବ୍ୟ ଦେଇଛନ୍ତି। କିନ୍ତୁ, ଏହା ଅଧିକାଂଶ ବ୍ୟବହାରକାରୀଙ୍କର ପ୍ରିୟଭାଜନ ହୋଇପାରିନାହିଁ। ତେଣୁ ସେମାନେ ମୋଟ୍ ଉପରେ ମନ୍ତବ୍ୟ ଦେଇଛନ୍ତି- ଏ ରଙ୍ଗ ଦେଖି ମତେ ହସ ମାଡୁଛି। କିନ୍ତୁ, ସୁଗନ୍ଧସଉକୀମାନଙ୍କୁ ଏ ନୂଆ ଅତର ଖୁବ୍ ଉତ୍ସାହିତ କରିଛି। ସେଭଳି ଜଣେ ଅତରରସିକ ଇନ୍ଷ୍ଟାଗ୍ରାମ୍ରେ ଲେଖିଛନ୍ତି- ମୁଁ ଆନନ୍ଦରେ ଆତ୍ମହରା ହୋଇଯାଉଛି। ପରିଶେଷରେ ଯେଉଁ ଚା ସୁଗନ୍ଧ ଆସିଲା ସେଇଟା ସଚ୍ଚା ମସଲା ଚା ଭଳି ଉଷ୍ଣ ବାସ୍ନାପ୍ରଦ।
ଆଉ ଜଣେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି- କୋହ୍ଲାପୁରୀ ଚପଲ, ପୈଠଣି ଶାଢ଼ି, ଖାଦ୍ୟ ସାମଗ୍ରୀ ଆଉ ଚା ଆଦି ସମସ୍ତ ଭାରତୀୟ ସାମଗ୍ରୀ ଭାରି ବଢ଼ିଆ ଏବଂ ସମଗ୍ର ବିଶ୍ବ ନିମନ୍ତେ ବେଶ୍ ଉପାଦେୟ। ସେମିତି ଅନେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଅତ୍ୟଧିକ ମୂଲ୍ୟ କାରଣରୁ ଏହାକୁ ସମାଲୋଚନା ଓ ବିଦ୍ରୂପ ବି କରିଛନ୍ତି। ସେମାନେ ଲେଖିଛନ୍ତି ସାମାନ୍ୟ କେତେ ଟଙ୍କା ବିନିମୟରେ ଚାରିଆଡ଼େ ମିଳୁଥିବା ପାନୀୟ ଦ୍ବାରା ପ୍ରେରିତ ଏ ଅତର ମୂଲ୍ୟ ଏତେ ମହଙ୍ଗା ହେବାର କାରଣ କ’ଣ? ଆଉ ଜଣେ ଇନ୍ଷ୍ଟାଗ୍ରାମ୍ରେ ଲେଖିଛନ୍ତି: ଦୁଇ ମିନିଟ୍ ଚୁଲା ପାଖରେ ଠିଆ ହୋଇଗଲେ ଏ ବାସ୍ନା ମାଗଣାରେ ମିଳୁଥିବା ବେଳେ ଅଯଥାରେ ‘ପ୍ରାଦ’କୁ ୧୯୦ ଡଲାର୍ ଗଣିବୁ କାହିଁକି? ପରିହାସ ଛଳରେ ଆଉ ଜଣେ ଲେଖିଛନ୍ତି: ବିରିୟାନୀ ଅତର ବି ତିଆରି କରନ୍ତୁ।
Government Scheme: ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା: ୧୭,୧୧୦ ପଂଜୀକୃତ, ପାଇବେ ୧୧,୪୭୪
ବିଳାସ ଉପରେ ଧ୍ୟାନ ଦେଉଥିବା ଆପ୍ ‘କଲ୍ଚର୍ ସର୍କଲ୍’ ପ୍ରଥମେ ଇନ୍ଷ୍ଟାଗ୍ରାମ୍ରେ ମନ୍ତବ୍ୟ ଦେବାରୁ ଏ ସଂକ୍ରାନ୍ତ ବିତର୍କ ତୀବ୍ରତର ହେଲା। ‘କଲ୍ଚର୍ ସର୍କଲ୍’ ଲେଖିଥିଲା ଯେ ଏ ଅତର ହେଉଛି ଭାରତୀୟ ସାଂସ୍କୃତିକ ଉପାଦାନ ସବୁରୁ ଅର୍ଥ ଉପାର୍ଜନ କରିବା ଲାଗି ବିଳାସ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନିମାନଙ୍କର ସୁପ୍ରଶସ୍ତ ଧାରାର ଅଂଶବିଶେଷ। ଏଥିସହ କଡ଼ା ବାକ୍ୟ ପ୍ରୟୋଗକରି ‘କଲ୍ଚର୍ ସର୍କଲ୍’ ଆଗରୁ ‘ପ୍ରାଦ’ ପ୍ରସ୍ତୁତ କରିଥିବା କୋହ୍ଲାପୁରୀ ଚପଲ ବିବାଦ କଥା ବି ଉଲ୍ଲେଖ କରିଛି। ‘କଲ୍ଚର୍ ସର୍କଲ୍’ ପଚାରିଛି- ‘ପ୍ରାଦ’ ଅବାଧରେ ଭାରତୀୟ ସଂସ୍କୃତିରେ ବ୍ୟବହୃତ ଦୈନନ୍ଦିନ ସାମଗ୍ରୀ ଓ ପରିପାଟୀ ସବୁକୁ ମହଙ୍ଗା ବିଳାସ ସାମଗ୍ରୀ ଭାବେ ରିପ୍ୟାକେଜିଙ୍ଗ୍ କରୁଛି। ବ୍ୟାବସାୟିକ ଶୋଷଣ ବ୍ୟତିରେକେ ଏତାଦୃଶ ପଦକ୍ଷେପ ସବୁକୁ କେତେଥର ‘ପ୍ରେରଣା’ ପର୍ଯ୍ୟାୟଭୁକ୍ତ କରାଯାଇଛି? ଏ ଅତର ସଂକ୍ରାନ୍ତରେ ଯେତେ ଯାହା ଅନୁକୂଳ ଏବଂ ପ୍ରତିକୂଳ ମତମନ୍ତବ୍ୟ ଆସୁ ପଛକେ, ଅନ୍ଲାଇନ୍ରେ ‘ଇନ୍ଫ୍ୟୁଜନ୍ ଡି ସନ୍ତାଲା ଚାଇ’ ପ୍ରତି ‘ପ୍ରାଦ’ ବ୍ୟାପକ ବ୍ୟବହାରକାରୀଙ୍କୁ ଆକୃଷ୍ଟ କରିପାରିଛି। ଖାଦ୍ୟପାନୀୟ ଦ୍ବାରା ବି ସର୍ଜନଶୀଳତା ଅନୁପ୍ରେରିତ ହୋଇପାରେ- ‘ପ୍ରାଦ’ ପ୍ରସ୍ତୁତ କରିଥିବା ଚା-ଉଦ୍ବୁଦ୍ଧ ଅତର ତା’ର ଅଭିନବ ଦୃଷ୍ଟାନ୍ତ।
Follow Us