ମଧୁମେହ ବା ଡାଏବେଟିସ୍ ଏକ ନିରବ ଘାତକ। ଅଧିକାଂଶ ଲୋକ ଏହାର ଲକ୍ଷଣ ସଂପର୍କରେ ଜାଣିପାରି ନଥାନ୍ତି। ବର୍ତ୍ତମାନ ସମୟରେ ହୃଦ୍ଘାତର ଏକ ପ୍ରମୁଖ କାରଣ ହେଉଛି ମଧୁମେହ। ଅନିୟନ୍ତ୍ରିତ ମଧୁମେହ ମନୁଷ୍ୟର ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ସମସ୍ୟା ଆଣିଥାଏ ବୋଲି ବରିଷ୍ଠ ବିଶେଷଜ୍ଞମାନେ ମତ ରଖିଛନ୍ତି। ‘କନକ ନ୍ୟୁଜ୍ ଓ ସ୍ବାସ୍ଥ୍ୟ ସମ୍ବାଦ’ର ମିଳିତ ଉଦ୍ୟମରେ ଆୟୋଜିତ ଦି ହେଲ୍ଥ କନ୍କ୍ଲେଭ୍-୨୦୨୫ର ପ୍ରଥମ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ଡାଏବେଟିସ୍ ଓ ଏହାର ଅଦୃଶ୍ୟ ଜଟିଳତା’। ଏଥିରେ ଆପୋଲୋ ସୁଗାର କ୍ଲିନିକ୍ର କନ୍ସଲଟାଣ୍ଟ ଡାଏବେଟୋଲୋଜିଷ୍ଟ ଡା. ସୁରଜିତ ପାତ୍ର କହିଲେ, ବର୍ତ୍ତମାନ ସମୟରେ ଖାଲି ପେଟରେ ଓ ଖାଇବା ପରେ ମଧୁମେହର ପରୀକ୍ଷା ପୁରୁଣା ହୋଇଗଲାଣି। ତେଣୁ ଏଚ୍ବି୧ଏସି ସହ ଉଚ୍ଚ ରକ୍ତଚାପ ଓ କୋଲେଷ୍ଟୋରଲ ପରୀକ୍ଷା ଜରୁରି।
ଏହାକୁ ବାଦ୍ ଦେଇ ଚକ୍ଷୁ, ଗୋଡ଼, କିଡ୍ନି, ଫ୍ୟାଟି ଲିଭର ଇତ୍ୟାଦି ମଧ୍ୟ ପରୀକ୍ଷା କରାଇନେବା ଉଚିତ। ଜଣଙ୍କର ଯଦି କୌଣସି ଲକ୍ଷଣ ନାହିଁ, ତାହେଲେ ବର୍ଷକୁ ଥରେ ଏସବୁର ପରୀକ୍ଷା କରିବା ଆବଶ୍ୟକ। ସନ୍ତୁଳିତ ଖାଦ୍ୟ, ବ୍ୟାୟାମ, ଚାପ ହ୍ରାସ ଓ ନିଦ୍ରାକୁ ନିୟନ୍ତ୍ରଣ କଲେ ମଧୁମେହ ନିୟନ୍ତ୍ରଣରେ ରହିପାରିବ। ୮୦-୯୦% ଲୋକ ଟାଇପ୍-୨ ମଧୁମେହରେ ଆକ୍ରାନ୍ତ ହୋଇଥାନ୍ତି। ଟାଇପ୍-୧ରେ ଆକ୍ରାନ୍ତ ଇନ୍ସୁଲିନ୍ ନେବାକୁ ପଡ଼ିଥାଏ। ତେଣୁ ୧୮ବର୍ଷ ବୟସରେ ମଧ୍ୟ ମଧୁମେହର ପରୀକ୍ଷା କରାଇନେବା ଅତ୍ୟନ୍ତ ଜରୁରି। ମଣିପାଲ ହସ୍ପିଟାଲର କନ୍ସଲଟାଣ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା.ଅଙ୍କିତା ତିୱାରି କହିଥିଲେ, ୩୫ବର୍ଷରୁ ଅଧିକ ବ୍ୟକ୍ତିମାନେ ବର୍ଷକୁ ଥରେ ମଧୁମେହ ପରୀକ୍ଷା କରିବା ଉଚିତ।
Memorable 25: ମନେରହିବ ୨୫: ଲୋକ ସାଧାରଣ କାମ ଅସାଧାରଣ
ଏସିଆର ଲୋକମାନେ ମଧୁମେହ ପାଇଁ ଅଧିକ ସମ୍ବେଦନଶୀଳ ଥିବାରୁ କମ୍ ବୟସରେ ମଧୁମେହ ଚିହ୍ନଟ ହୋଇଥାଏ। ଯଦି ପରିବାରରେ ଆକ୍ରାନ୍ତ ବ୍ୟକ୍ତି ରହିଥା’ନ୍ତି ତାହାଲେ ସେମାନେ ଅଧିକ ସତର୍କ ହେବା ଦରକାର। ମଧୁମେହ ହେଲେ ଜଣେ ଥକି ଯିବା ସହ ଓଜନ କମ୍ ହେବା ଭଳି ଲକ୍ଷଣ ଦେଖାଯାଏ। ମାତ୍ର ଅନେକ ଲୋକ ମଧୁମେହରେ ପୀଡ଼ିତ ଥିଲେ ବି ତାଙ୍କର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥାଏ। ପୂର୍ବରୁ ୫୦ବର୍ଷର ଲୋକଙ୍କୁ ମଧୁମେହ ହେଉଥିଲା କିନ୍ତୁ ଏବେ ୨୦ବର୍ଷ ବୟସରେ ବି ଟାଇପ୍-୨ ମଧୁମେହ ଚିହ୍ନଟ ହେଉଛି। ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ, ମାନସିକ ଚାପ ପାଇଁ ମଧୁମେହ ସୃଷ୍ଟି ହେଉଛି। ପ୍ରାରମ୍ଭିକ ପର୍ଯ୍ୟାୟ(୫-୧୦ବର୍ଷ)ରେ ମଧୁମେହକୁ ନିୟନ୍ତ୍ରଣକୁ ରଖିପାରିଲେ ପରବର୍ତ୍ତୀ ଜୀବନରେ ଜଟିଳତା ହ୍ରାସ ପାଇବ।
Follow Us