AIFF-ISL clash: ଛିଡ଼ୁନି ଏଆଇଏଫ୍‌ଏଫ୍‌- ଆଇଏସ୍‌ଏଲ୍‌ କଳି: ଶୋଚନୀୟ ସ୍ଥିତିରେ ଭାରତୀୟ ଫୁଟ୍‌ବଲ୍‌, ଚିନ୍ତାରେ ପ୍ରଶଂସକ

Advertisment

ଚର୍ଚ୍ଚା ହୁଏ ମହାନ ଫୁଟବଲର୍‌ ଲିଓନେଲ ମେସିଙ୍କ ଭାରତ ଗସ୍ତ ଲାଗି ଖର୍ଚ୍ଚ ହୋଇଛି ୨୫୦ କୋଟି ଟଙ୍କା। ବିଡ଼ମ୍ବନାର ବିଷୟ ଯେ ଭାରତୀୟ ଫୁଟବଲର୍‌ମାନେ ଗୋଟିଏ ଗୋଟିଏ ଟଙ୍କା ପାଇଁ ସଂଘ‌ର୍ଷ କରୁଛନ୍ତି।

ଚର୍ଚ୍ଚା ହୁଏ ମହାନ ଫୁଟବଲର୍‌ ଲିଓନେଲ ମେସିଙ୍କ ଭାରତ ଗସ୍ତ ଲାଗି ଖର୍ଚ୍ଚ ହୋଇଛି ୨୫୦ କୋଟି ଟଙ୍କା। ବିଡ଼ମ୍ବନାର ବିଷୟ ଯେ ଭାରତୀୟ ଫୁଟବଲର୍‌ମାନେ ଗୋଟିଏ ଗୋଟିଏ ଟଙ୍କା ପାଇଁ ସଂଘ‌ର୍ଷ କରୁଛନ୍ତି।

football

ଭୁବନେଶ୍ବର: ଚର୍ଚ୍ଚା ହୁଏ ମହାନ ଫୁଟବଲର୍‌ ଲିଓନେଲ ମେସିଙ୍କ ଭାରତ ଗସ୍ତ ଲାଗି ଖର୍ଚ୍ଚ ହୋଇଛି ୨୫୦ କୋଟି ଟଙ୍କା। ବିଡ଼ମ୍ବନାର ବିଷୟ ଯେ ଭାରତୀୟ ଫୁଟବଲର୍‌ମାନେ ଗୋଟିଏ ଗୋଟିଏ ଟଙ୍କା ପାଇଁ ସଂଘ‌ର୍ଷ କରୁଛନ୍ତି। ପୁରୁଷ ସହ ମହିଳା ଅନ୍ତର୍ଜାତୀୟ ଫୁଟବଲର୍‌ମାନେ ଘୋର ଆର୍ଥିକ ଅନଟନ ଦେଇ ଗତି କରୁଥିବାର ଦୃଶ୍ୟ ଭାରତରେ ଯେମିତି ଏକ ସାଧାରଣ ଘଟଣା। ଖେଳାଳିଙ୍କ ଦୁଃସ୍ଥ ଅବସ୍ଥା ସହ ଭାରତୀୟ ଫୁଟବଲ୍‌ର ସ୍ଥିତି ମଧ୍ୟ ଶୋଚନୀୟ। ଯାହା ଭାରତୀୟ ମହିଳା ଓ ପୁରୁଷ ଫୁଟବଲ୍‌ ଦଳର ବିଶ୍ବ ମାନ୍ୟତାରୁ ସ୍ପଷ୍ଟ ହୁଏ। ଭାରତୀୟ ପୁରୁଷ ଦଳ ଏବେ ବିଶ୍ବମାନ୍ୟତାର ୧୪୨ତମ ସ୍ଥାନରେ ରହିଛି। ମହିଳା ଦଳ ସାମାନ୍ୟ ଭଲ ଅର୍ଥାତ୍ ୬୭ତମ ସ୍ଥାନରେ ଅଛି। ତା’ ସହ ଭାରତୀୟ ଫୁଟବଲ୍‌ର ପରିଚାଳନାଗତ ରାଜନୀତି ବି ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘର ସଭାପତି କଲ୍ୟାଣ ଚୌବେ ଜଣେ ବିଜେପି ନେତା ହୋଇଥିବାରୁ ଭାରତୀୟ ଫୁଟବଲର ବିଜେପୀକରଣ ହୋଇଯାଇଥିବାର ଅଭିଯୋଗ ମଧ୍ୟ ଅନେକ ସମୟରେ ହେଉଛି। 

Winter: ଶୀତରେ ଥରୁଛନ୍ତି ୫୨ହଜାର ଅନ୍ତେବାସୀ

ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍) ସହ ଭାରତୀୟ ରାଜନେତାଙ୍କ ସମ୍ପର୍କ ନୂଆ ନୁହେଁ। ପ୍ରିୟରଞ୍ଜନ ଦାସମୁନ୍‌ସୀ ହୁଅନ୍ତୁ କି ପ୍ରଫୁଲ୍ଲ ପଟେଲ୍‌ ସମସ୍ତେ ରାଜନୈତିକ ପୃଷ୍ଠଭୂମିରୁ ଆସି ଏଆଇଏଫ୍‌ଏଫ୍‌ର ମଙ୍ଗ ଧରିଛନ୍ତି। କିନ୍ତୁ ଭାରତୀୟ ଫୁଟବଲ୍‌ କେବଳ ତଳମୁହାଁ ହୋଇ ଚାଲିଛି। ଆଭ୍ୟନ୍ତରୀଣ କ୍ଷମତା‌ କନ୍ଦଳ ପାଇଁ ଭାରତୀୟ ଫୁଟବଲ୍‌ରେ ଦୀର୍ଘ ସମୟ ହେବ ଅସ୍ଥିରତା ଜାରି ରହିଛି। ଆଇନ ଯୁଦ୍ଧ, ଆଇଏସ୍‌ଏଲ୍‌କୁ ନେଇ ବିବାଦ, ବ୍ୟାପକ ଦୁର୍ନୀତି ଅଭିଯୋଗ, କ୍ଲବ୍-କ୍ଲବ୍, ଖେଳାଳି-ଖେଳାଳି ଭିତରେ ଝଗଡ଼ା ଚରମସୀମାରେ ପହଞ୍ଚିଛି। କୋଟିକୋଟି ପ୍ରଶଂସକ ଏବଂ ମହନୀୟ ଇତିହାସ ସତ୍ତ୍ବେ ଭାରତୀୟ ଫୁଟ୍‌ବଲ୍‌ ସମ୍ପ୍ରତି ତା’ର ଉପସ୍ଥିତି ଜାହିର କରିବା ଲାଗି ସଂଘର୍ଷ କରୁଛି। ଏଆଇଏଫ୍‌ଏଫ୍‌ରେ ପରିଚାଳନରେ ସ୍ବଚ୍ଛତା ଲାଗି ନୂଆ ସମ୍ବିଧାନ ପ୍ରଣୟନ ହୋଇଛି, ହେଲେ ମହାସଂଘ ଭିତରେ ଚାଲିଥିବା ରାଜନୀତି ପାଇଁ ଖେଳାଳିଙ୍କ ସୁଯୋଗ ଧୀରେଧୀରେ ସଙ୍କୁଚିତ ହେବାରେ ଲାଗିଛି। ପରିଚାଳନାଗତ ଅସ୍ଥିରତା ସହ ମାତ୍ରାଧିକ ବାହ୍ୟ ହସ୍ତକ୍ଷେପ ଲାଗି ଏଆଇଏଫ୍‌ଏଫ୍‌ ଅତୀତରେ ଏକାଧିକ ଥର ଫିଫା ଦ୍ବାରା ବାସନ୍ଦ ହୋଇସାରିଛି। ଯାହା ଭାରତୀୟ ଫୁଟବଲ୍‌କୁ ପଛକୁ ନେଇଛି। ସଂପ୍ରତି ଭାରତରେ ଫୁଟ୍‌ବଲ୍‌ ଖେଳର ସ୍ଥିତି ନେଇ ଭାରତୀୟ ଦଳର ଦୁଇ ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ ଓ ସୁନୀଲ ଛେତ୍ରୀ ଗଭୀର ଚିନ୍ତା ଜାହିର କରିସାରିଛନ୍ତି। ଏବେ ଦେଶର ସବୁଠାରୁ ଲୋକପ୍ରିୟ ପେସାଦାର ଲିଗ୍ ‘ଆଇଏସ୍ଏ‌ଲ୍‌’ ବନ୍ଦ ହେବା ଦ୍ବାରଦେଶରେ ରହିଛି।

New Year: ନୂଆବର୍ଷରେ ଖାଇଗଲେ କୋଟିଏ ଟଙ୍କାର ଅମିଷ

ଏହା ହେଲେ ଭାରତୀୟ ଫୁଟ୍‌ବଲ୍‌ ଆହୁରି ତଳକୁ ଯିବାର ଯଥେଷ୍ଟ ଆଶଙ୍କା ରହିଛି। ଏଆଇଏଫ୍‌ଏଫ୍ ଓ ଲିଗ୍‌ର ବାଣିଜ୍ୟିକ ପାର୍ଟନର ଫୁଟ୍‌ବଲ୍‌ ‘ସ୍ପୋର୍ଟସ ଡେଭଲପ୍‌ମେଣ୍ଟ୍‌ ଲିମିଟେଡ୍’ (ଏଫ୍ଏ‌ସ୍‌ଡିଏଲ୍) ମଧ୍ୟରେ ଲାଗିଥିବା ଟଣାଓଟରାର ସମାଧାନ ଏ ଯାଏ ହୋଇ ପାରିନି। ଫଳରେ ଲିଗ୍‌ର ଦଳଗୁଡ଼ିକ ଏବେ ଘୋର ଆଶା, ଆଶଙ୍କା ଭିତରେ ରହିଛନ୍ତି। ଏସବୁ ବିବାଦ ପାଇଁ ପ୍ରାୟୋଜକମାନେ ମଧ୍ୟ ଆଇଏସ୍‌ଏଲ୍‌ ସହ ଯୋଡ଼ି ହେବାକୁ ପସନ୍ଦ କରୁନାହାନ୍ତି। ପେସାଦାର ପରିବେଶର ଅଭାବ ଓ ଦଳ ଚୟନ ତଥା ପରିଚାଳନାରେ ବାହ୍ୟ ହସ୍ତକ୍ଷେପ ଲାଗି ଗତ କିଛି ବର୍ଷ ଭିତରେ ଭାରତୀୟ ପୁରୁଷ ଦଳର ଏକାଧିକ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି କିମ୍ବା ବିତାଡ଼ିତ ହୋଇଛନ୍ତି। ତୃଣମୂଳସ୍ତରରେ ଫୁଟ୍‌ବଲ୍‌ ବିକାଶ ଲାଗି ନିରନ୍ତର ପ୍ରୟାସର ଅଭାବ, ଦୁର୍ବଳ ପ୍ରଶିକ୍ଷଣ ଓ ଖେଳାଳି ଚୟନ ଢାଞ୍ଚା ମଧ୍ୟ ଭାରତୀୟ ଫୁଟବଲ୍‌ର ବିକାଶ ଦିଗରେ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ରାଜନୀତି ସହ ଆର୍ଥିକ ଅସ୍ଥିରତା ଲାଗି ମୁମ୍ବାଇ ସିଟି ଭଳି ଦଳରୁ ପ୍ରମୁଖ ନିବେଶକକାରୀ ଓହରିଯିବା ଆଉ ଏକ ଧକ୍କା ହୋଇଛି। ସଂପ୍ରତି ସ୍ଥିତି ଏଭଳି ହୋଇଛି ଯେ କିଛି କ୍ଲବ୍‌ ଭାରତୀୟ ଦଳର ପ୍ରତିନିଧିତ୍ବ କରିବାକୁ ନିଜ ଖେଳାଳିଙ୍କୁ ଛାଡ଼ିବାକୁ ମନା କରି ଦେଉଛନ୍ତି। ମୋହନ ବାଗାନ ଭଳି ଲୋକପ୍ରିୟ ଦଳ ଗୋଟିଏବର୍ଷ ପାଇଁ ଏସୀୟ ଫୁଟବଲ୍‌ ମହାସଂଘ ଦ୍ବାରା ବାସନ୍ଦ ହୋଇ ସାରିଛି। ଫଳରେ ଭାରତୀୟ ଫୁଟବଲ୍‌ର ଭବିଷ୍ୟତ ଏବେ ଅନ୍ଧକାର ଭିତରକୁ ଚାଲି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe