ତିରୁଅନନ୍ତପୁରମ୍: ଟ୍ବେଣ୍ଟି-୨୦ବିଶ୍ବକପ୍ ଆଉ ମାତ୍ର ୭ ଦିନ ପରେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଶେଷ ପରୀକ୍ଷା ଭାବେ ଭାରତ ଓ ନ୍ୟୁଜିଲାଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ତିରୁଅନନ୍ତପୁରମ୍ରେ ଶନିବାର ମୁହାଁମୁହିଁ ହେବେ। ଏହି ଶୃଙ୍ଖଳାର ପ୍ରଥମ ୩ ମ୍ୟାଚ୍କୁ ଭାରତ ଜିତି ଶୃଙ୍ଖଳା କବ୍ଜା କରି ନେଇଥିଲା। ହେଲେ ଚତୁର୍ଥ ମ୍ୟାଚ୍ରେ ଭାରତ ଅତ୍ୟଧିକ ପରୀକ୍ଷନିରୀକ୍ଷା କରି ପରାଜୟର ମୁହଁ ଦେଖିଥିଲା। ତଥାପି ପଞ୍ଚମ ମ୍ୟାଚ୍ରେ ବିଶ୍ବକପ୍ ବେଞ୍ଚ ଷ୍ଟ୍ରେନ୍ଥ ପରୀକ୍ଷା ଲାଗି ଏହି ସମାନ ବ୍ୟବସ୍ଥା ଆପଣାଇପାରେ ସୂର୍ଯ୍ୟକୁମାର ଯାଦବଙ୍କ ଦଳ। ପଞ୍ଚମ ମ୍ୟାଚ୍ରେ ହର୍ଷିତ ରାଣା ସପ୍ତମ ସ୍ଥାନରେ ଖେଳାଇବା ସହ ବରୁଣ ଚକ୍ରବର୍ତ୍ତୀଙ୍କୁ ବିଶ୍ରାମ ଦେବ ଭାରତ। ଅନ୍ୟପକ୍ଷରେ ଲଗାତାର ବିଫଳ ହେଉଥିବା ସଞ୍ଜୁ ସାମ୍ସନ୍ଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ସେ ଏହି ମ୍ୟାଚ୍ରେ ଭଲ କରି ବିଶ୍ବକପ୍ ପୂର୍ବରୁ ନିଜକୁ ପ୍ରମାଣିତ କରିବାର ସୁଯୋଗ ପାଇବେ। ପ୍ରଥମ ମ୍ୟାଚ୍ରେ ଆହତ ହୋଇଥିବା ଉପଅଧିନାୟକ ଅକ୍ଷର ପଟେଲ ଏହି ମ୍ୟାଚ୍କୁ ଫେରିବାର ସମ୍ଭାବନା ରହିଛି।
Good News: ତୁମୁଣିରେ ଘର ତୋଳିବାକୁ ନେଇ ଗାଁ ଏକତା
ଅନ୍ୟପକ୍ଷରେ ମିଚେଲ୍ ସାଣ୍ଟନର୍ଙ୍କ ଦଳ ଓପନର୍ ଟିମ୍ ସେଫର୍ଟଙ୍କ ବ୍ୟାଟିଂ ଉପରେ ଭରସା ରଖିଛି। ସେପଟେ ଲୁକି ଫର୍ଗୁସନ୍ ଯଦି ଫିଟ୍ ହୁଅନ୍ତି ତେବେ ତାହା ଦଳର ବୋଲିଂ ଲାଇନ୍କୁ ଆହୁରି ଦୃଢ଼ କରିବ। ଗ୍ରିନ୍ଫିଲ୍ଡ ଷ୍ଟାଡିୟମ୍ ସାଧାରଣତଃ ନରମ ଓ ହାଇସ୍କୋରିଂ ପିଚ୍। ଏଠାରେ ଭାରତ ୪ ଟ୍ବେଣ୍ଟି-୨୦ ଖେଳି ୩ଟିରେ ବିଜୟୀ ହୋଇଛି। ୨୦୧୭ରେ ମଧ୍ୟ ନ୍ୟୁଜିଲାଣ୍ଡକୁ ଏଠାରେ ହରାଇଛି ଭାରତ।
ସମ୍ଭାବ୍ୟ ଭାରତୀୟ ଦଳ: ଅଭିଷେକ ଶର୍ମା, ସଞ୍ଜୁ ସାମ୍ସନ୍ (ୱିକେଟ୍ରକ୍ଷକ), ଈଶାନ କିଶନ/ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଶିବମ ଦୁବେ, ହର୍ଷିତ ରାଣା/ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ/କୁଲଦୀପ ଯାଦବ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଦଳ: ଫିନ୍ ଆଲେନ୍, ଡେଭନ କନୱେ (ୱିକେଟ୍ରକ୍ଷକ), ରାଚିନ ରବୀନ୍ଦ୍ର, ଡାରିଲ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର (ଅଧିନାୟକ), ଜାକ୍ ଫକ୍ସ/ଜେମ୍ସ ନୀସାମ, ମାଇକେଲ ବ୍ରେସ୍ୱେଲ/ଈଶ ସୋଢ଼ୀ, କାଇଲ ଜାମିସନ୍/ମ୍ୟାଟ୍ ହେନରି, ଜାକବ ଡଫି।
Follow Us