କୋଲକାତା: ଠିକଣା ସମୟରେ ଧମାକା କରିଛନ୍ତି ୱିକେଟ୍ରକ୍ଷକ ବ୍ୟାଟର୍ ସଞ୍ଜୁ ସାମ୍ସନ୍। ତାଙ୍କୁ ଓପନିଂରେ ଛାଡ଼ିବା ଭାରତ ପାଇଁ ଟ୍ରମ୍ପ୍କାର୍ଡ ସାବ୍ୟସ୍ତ ହୋଇଛି। ରବିବାର ଐତିହାସିକ ଇଡେନ୍ ଗର୍ଡେନ୍ସରେ ଧୂଆଁଧାର ବ୍ୟାଟିଂ କରି ଭାରତକୁ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସେମିଫାଇନାଲ୍ରେ ପହଞ୍ଚାଇ ଦେଇଛନ୍ତି ସେ। ସଞ୍ଜୁଙ୍କ ୯୭ ରନ୍ର ଜବରଦସ୍ତ ପାଳି ବଳରେ ନିର୍ଣ୍ଣାୟକ ଶେଷ ସୁପର-୮ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ ୫ ୱିକେଟ୍ରେ ହରାଇ ଲଗାତାର ବିଶ୍ବକପ୍ ଜିତିବା ଦିଗରେ ଆଉ ଏକ ପାଦ ବଢ଼ାଇଛି ସୂର୍ଯ୍ୟକୁମାରଙ୍କ ଆତ୍ମବିଶ୍ବାସରେ ଭରପୂର ସେନା। ଇଡେନ୍ରେ ହାସଲ କରିଥିବା ଏହି ରୋମଞ୍ଚକ ତଥା ଉତ୍କଣ୍ଠାଭରା ବିଜୟ ବଳରେ ଭାରତ ଗ୍ରୁପ୍-୧ ପଏଣ୍ଟ୍ ତାଲିକାର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଫଳରେ ସ୍ବପ୍ନର ସହର ମୁମ୍ବାଇରେ ୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ନେଇଛି। ଭାରତ ୬ଥର ବିଶ୍ବକପ୍ ସେମିଫାଇନାଲ୍କୁ ଯିବାର ଅନନ୍ୟ ସଫଳତା ବି ଲାଭ କରିଛି। ଭାରତୀୟ କ୍ରିକେଟ୍ ଦଳର ଏହି ସଫଳତା ପରେ ସାରା ଦେଶ ଉତ୍ସବ ମୁଖର ହୋଇଯାଇଛି। ଅନ୍ୟ ସେମିଫାଇନାଲ୍ରେ ୪ ତାରିଖରେ କୋଲକାତାରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ଟ୍ରଫି ଟକ୍କର ୮ ତାରିଖରେ ଗୁଜରାଟର ଅହମଦାବାଦରେ ଖେଳାଯିବ।
ଭାରତୀୟ ଦଳ ରବିବାର ୧୯୬ ରନ୍ର ଆହ୍ବାନଭରା ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ୪୧ ରନ୍ରେ ୨ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ସାମ୍ସନ୍ ଗୋଟିଏ ପଟେ ମହାଯୋଦ୍ଧାଙ୍କ ଭଳି ଲଢ଼ି ଭାରତକୁ ୪ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ। ତିଳକ ବର୍ମା ୨୭, ସୂର୍ଯ୍ୟକୁମାର ୧୮ ଓ ହାର୍ଦିକ ପାଣ୍ଡ୍ୟା ୧୭ର ଉପଯୋଗୀ ଯୋଗଦାନ ରଖିଥିଲେ। ସାମ୍ସନ୍ ମଧ୍ୟ ଭାରତର ସଫଳ ପଶ୍ଚାତ୍ଧାବନରେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ। କୋହଲି ୨୦୨୨ରେ ମୋହାଲିଠାରେ ଅଷ୍ଟ୍ରେଲିଆ ବିପକ୍ଷେରେ ୮୨* ରନ୍ କରିଥିଲା ବେଳେ ସାମସନ୍ ୯୭* ରନ୍ କରି ତାଙ୍କଠାରୁ ଢେର୍ ଆଗକୁ ଚାଲି ଯାଇଛନ୍ତି। ଆଜି ବିଜୟ ପାଇଁ ଭାରତକୁ ଶେଷ ଓଭରରୁ ୭ ରନ୍ର ଦରକାର ଥିଲା। ସାମ୍ସନ୍ ପ୍ରଥମ ଦୁଇ ବଲ୍ରେ ଛକା, ଚୌକା ମାରିବା ପରେ ଇଡେନ୍ ଗାର୍ଡେନ୍ସ ଦର୍ଶକ ଖୁସିରେ ଝୁମି ଉଠିଥିଲେ। ନିଜ ଜୀବନର ଶ୍ରେଷ୍ଠ ବିଶ୍ବକପ୍ ପାଳି ଖେଳିଥିବା ସାମ୍ସନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
Horoscope 2026 March 2: ଜାଣନ୍ତୁ ଆଜିର ରାଶିଫଳ
ଯଶପ୍ରୀତ୍ଙ୍କ ଯୁଗଳ ଝଟକା
ରାତି ବଢ଼ିବା ସହ କାକର ପଡ଼ିବା ଭୟ ବଢ଼ିବଢ଼ି ଚାଲିବାର ପୂର୍ବାନୁମାନ ଥିବାରୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ୱେଷ୍ଟଇଣ୍ଡିଜ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଭାରତୀୟ ବୋଲର୍ କିନ୍ତୁ ପ୍ରଥମ କିଛି ଓଭରରେ ପୂରା ସଂଘର୍ଷ କରିଥିଲେ। ପ୍ରଥମେ ଧୈର୍ଯ୍ୟର ସହ ରକ୍ଷଣାତ୍ମକ ବ୍ୟାଟିଂ କରି ପିଚ୍କୁ ତଉଲୁଥିବା ୱେଷ୍ଟଇଣ୍ଡିଜ୍ର ଦୁଇ ଓପନର୍ ସାଇ ହୋପ୍ ଓ ରସ୍ତନ ଚେଜ୍ ପରେ ଗିୟର ବଦଳାଇ ଥିଲେ। ଉଭୟ ପାୱାର ପ୍ଲେ’ରୁ ବିନା କ୍ଷତିରେ ୪୫ ରନ୍ ସଂଗ୍ରହ କରି ନେଇଥିଲେ। ଦୁଇଜଣ ଯାକ ଟେକ୍ନିକ୍ ଓ ଟେମ୍ପ୍ରାମେଣ୍ଟର ଅପୂର୍ବ ସମନ୍ବୟରେ ପ୍ରଥମ ୱିକେଟ୍ରେ ୬୮ ରନ୍ ଅମଳ କରି ଦୃଢ଼ ମୂଳଦୁଆ ପକାଇଥିଲେ। ଏହା ମଧ୍ୟ ଚଳିତ ବିଶ୍ବକପ୍ରେ ୱେଷ୍ଟଇଣ୍ଡିଜ୍ର ସର୍ବୋଚ୍ଚ ପ୍ରଥମ ୱିକେଟ୍ ଭାଗୀଦାର ଥିଲା। ବଡ଼ ପାଳି ଖେଳିବା ଯୋଜନାରେ ଥିବା ହୋପ୍ଙ୍କୁ ବୋଲ୍ଡ କରି ବିସ୍ମୟ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ସେମାନଙ୍କୁ ଅଲଗା କରିଥିଲେ। ତେବେ ଚେଜ୍ ଓ ସିମରନ୍ ହେଟମାୟର କେତେକ ଦର୍ଶନୀୟ ସଟ୍ ଖେଳି ଇଣ୍ଡିଜ୍ର ରନ୍ ହାର ବଢ଼ାଇ ଚାଲିଥିଲେ। ଉଭୟ ବିପଜ୍ଜନକ ହୋଇ ଆସୁଥିଲା ବେଳେ ନିଜ ଦ୍ବିତୀୟ ସ୍ପେଲ୍ରେ ଭାରତର ପ୍ରମୁଖ ଅସ୍ତ୍ର ଯଶପ୍ରୀତ୍ ବୁମ୍ରା ପୁଣି ଥରେ କମାଲ କରିଥିଲେ। ଦ୍ବାଦଶ ଓଭରରେ ମାତ୍ର ତିନିଟି ବଲ୍ ବ୍ୟବଧାନରେ ଚେଜ୍ଙ୍କ ସହ ହେଟମାୟରଙ୍କୁ ପ୍ୟାଭିଲିୟନ୍ ଫେରାଇ ଭାରତର ପଲା ଭାରି କରିଦେଇଥିଲେ। ସେର୍ଫାନ୍ ରଦରଫୋର୍ଡଙ୍କୁ ମଧ୍ୟ ହାର୍ଦିକ ପାଣ୍ଡ୍ୟା ନିଜର ପ୍ରଥମ ଶିକାର କରି ନେଇଥିଲେ। ୧୭ ରନ୍ ଭିତରେ ୩ ୱିକେଟ୍ ହରାଇବା ପରେ ୱେଷ୍ଟଇଣ୍ଡିଜ୍ର ଆତ୍ମବଳ ସାମାନ୍ୟ ଦୋହଲି ଯାଇଥିଲା। ତେବେ ରୋଭମନ ପାୱେଲ ଓ ଜାସନ ହୋଲ୍ଡର ସାହସିକ ସଟ୍’ର ବିସ୍ତୃତ ସମ୍ଭାରରେ କେବଳ ଇଡେନ୍ ଗାର୍ଡେନ୍ସ ଦର୍ଶକଙ୍କର ମନୋରଞ୍ଜନ କରି ନଥିଲେ। ଅବିଭାଜିତ ପଞ୍ଚମ ୱିକେଟ୍ରେ ମାତ୍ର ୩୫ ବଲ୍ରୁ ୭୬ ରନ୍ ସଂଗ୍ରହ କରି ନେଇଥିଲେ। ଫଳରେ ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନ୍ର ଆହ୍ବାନପୂର୍ଣ୍ଣ ସ୍କୋର୍ କରି ନେଇଥିଲା। ବୁମ୍ରା ଯୁଗଳ ଝଟ୍କା ଦେଇ ଯେଉଁ ଚାପ ସୃଷ୍ଟି କରିଥିଲେ ପାୱେଲ ଓ ହୋଲ୍ଡରଙ୍କ ନିର୍ଭୀକ ବ୍ୟାଟିଂ ଯୋଗୁଁ ଶେଷ ୫ ଓଭର ବେଳକୁ ଏକପ୍ରକାର ପ୍ରଭାବହୀନ ମନେ ହୋଇଥିଲା। ହୋପ୍ଙ୍କୁ ଛାଡ଼ି ଅନ୍ୟ ସବୁ ୱେଷ୍ଟଇଣ୍ଡିଜ୍ ବ୍ୟାଟର୍ଙ୍କ ଷ୍ଟ୍ରାଇକ୍ ରେଟ୍ ୧୫୦ ଉପରେ ଥିଲା।
Demand: ଚାନ୍ଦବାଲି ସବ୍ ଡିଭିଜନ୍, ନୌକା ପ୍ରଶିକ୍ଷଣ କଲେଜ ପ୍ରତିଷ୍ଠା ଦାବି
ସଂକ୍ଷିପ୍ତ ସ୍କୋର୍: ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ-୧୯୫/୪ (ରସ୍ତନ ଚେଜ୍ ୪୦, ଜାସନ ହୋଲ୍ଡର ୩୭*, ରୋଭମନ ପାୱେଲ ୩୪*, ସାଇ ହୋପ୍ ୩୨, ସିମରନ୍ ହେଟମାୟର, ଯଶପ୍ରୀତ୍ ବୁମ୍ରା ୨/୩୬, ହାର୍ଦିକ ପାଣ୍ଡ୍ୟା ୧/୪୦, ବରୁଣ ଚକ୍ରବର୍ତ୍ତୀ ୧/୪୦)। ଭାରତ ୧୯.୨ ଓଭରରେ-୧୯୯/୫ (ସଞ୍ଜୁ ସାମ୍ସନ୍ ୯୭*, ତିଳକ ବର୍ମା ୨୭, ସୂର୍ଯ୍ୟକୁମାର ଯାଦବ ୧୮, ଜାସନ ହୋଲଡର ୨/ ୩୮, ସାମର ଯୋଶେଫ ୨/୪୨)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/02/sanju-2026-03-02-02-02-44.jpg)