ଭୁବନେଶ୍ୱର: ନବସୃଜନ, ବଜାର ସଂଯୋଗ ଓ ସ୍ଥାୟୀ ଅଭ୍ୟାସ ମାଧ୍ୟମରେ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ‘କୃଷି ଓଡ଼ିଶା-୨୦୨୬’କୁ ଉଦ୍‌ଘାଟନ କରି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ବରମୁଣ୍ଡା ଖେଳପଡ଼ିଆରେ ଅନୁଷ୍ଠିତ ‌ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଲେ, ଶ୍ରେଷ୍ଠ ଉତ୍ପାଦର ଉତ୍ପାଦନ, ପ୍ରଦର୍ଶନ, ପ୍ରକ୍ରିୟାକରଣ ଓ କାର୍ଯ୍ୟଶୈଳୀ, ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ, କୃଷକ, ବଜାର ଓ କୃଷି ଉଦ୍ୟୋଗୀଙ୍କ ମଧ୍ୟରେ ସଂଯୋଗ ସ୍ଥାପନ ‘କୃଷି ଓଡ଼ିଶା’ର ମୁଖ୍ୟ ଉଦ୍ଦେଶ୍ୟ। କୃଷିକୁ କିପରି ଲାଭଦାୟକ କରିପାରିବା ତାହା ଉପରେ ଗୁରୁତ୍ବ ଦେବାକୁ ହେବ ବୋଲି ସେ କହିଥିଲେ।
ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି ଇକୋସିଷ୍ଟମ୍‌କୁ ସୁଦୃଢ଼ କରିବା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବଜାର ଚାହିଦା ଅନୁଯାୟୀ ସ୍ବତନ୍ତ୍ର ଓ ସୁଗନ୍ଧିତ କିସମର ଧାନ ଚାଷ, ନିରନ୍ତର ବିହନ ଉତ୍ପାଦନକୁ ପ୍ରୋତ୍ସାହନ ଉପରେ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ଆଇସିଆର୍‌ଆଇଏସ୍‌ଏଟିର ଡିଜି ହିମାଂଶୁ ପାଠକ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ପରିଚାଳନା ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଯୋଗଦେଇଥିଲେ। ପରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ ପ୍ରଦର୍ଶନୀ ଉଦ୍‌ଘାଟନ କରିବା ସହ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶୁଭମ ସକ୍ସେନା ଧନ୍ୟବାଦ ଦେଇଥିଲେ।

Advertisment

Climate change : ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ, ବଲାଙ୍ଗୀରରେ ବଢ଼ୁଛି ବାଦୁଡ଼ି ସଂଖ୍ୟା

 
ଉଦ୍‌ଘାଟନୀ ଉତ୍ସବ ଅବସରରେ ଓଡ଼ିଶା ଜାତୀୟ ମରୁଡ଼ି ପ୍ରଶମନ ପ୍ରକଳ୍ପର ଶୁଭାରମ୍ଭ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପରେ ୧୪୧.୫୦ କୋଟି ଟଙ୍କାର ବ୍ୟୟ ନିର୍ଦ୍ଧାରଣ ହୋଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ସହାୟତାରେ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ଜଳ, ମାଟି, ଫସଲ ଆଦି ସୁଦୃଢ଼ ହୋଇପାରିବ। କେନ୍ଦ୍ରୀୟ ଯୋଜନା ସହିତ ସମନ୍ବୟ ମାଧ୍ୟମରେ ନୂଆପଡ଼ାର କୋମନା, ନବରଙ୍ଗପୁରର କୋଷାଗୁମୁଡ଼ା, ମୟୂରଭଞ୍ଜର ରରୁଆଁ ବ୍ଲକରେ ଏହି ପ୍ରକଳ୍ପ ଆରମ୍ଭ ହେବ। ଏହାଦ୍ବାରା ପ୍ରତ୍ୟକ୍ଷ ଭାବେ ପ୍ରାୟ ୨୪ ହଜାର ପରିବାର ଉପକୃତ ହେବେ। କୃଷି କ୍ଷେତ୍ରରେ ଡ୍ରୋନ୍‌, ସର୍ବୋତ୍ତମ କୃଷି ଅଭ୍ୟାସର ପ୍ରଦର୍ଶନୀ, ଲାଭଜନକ ସହଭାଗୀତା ଗଠନ ପାଇଁ କୃଷି ଉଦ୍ୟୋଗୀ, ଅନୁଷ୍ଠାନଗୁଡ଼ିକ ମଧ୍ୟରେ ନେଟ୍‌ୱର୍କିଂ ସୁଯୋଗ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ ହୋଇଥିଲା।

Climate change : ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ, ବଲାଙ୍ଗୀରରେ ବଢ଼ୁଛି ବାଦୁଡ଼ି ସଂଖ୍ୟା

ଶକ୍ତିିମନ୍ତ୍ରୀଙ୍କ ସଭାରେ ବିଦ୍ୟୁତ୍‌ ବିଭ୍ରା‌ଟ

‘କୃଷି ଓଡ଼ିଶା-୨୦୨୬’ ଉଦ୍‌ଘାଟନୀ ମଞ୍ଚରେ କୃଷି ତଥା ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ବିଦ୍ୟୁତ୍‌ ବିଭ୍ରାଟ ଭଳି ସମସ୍ୟା ସୃଷ୍ଟି ହୋଇଥିଲା। ସମ୍ମାନିତ ଅତିଥି ଆଇସିଆର୍‌ଏସ୍‌ଏଟିର ମହାନିର୍ଦ୍ଦେଶକ ହିମାଂଶୁ ପାଠକ ଭାଷଣ ଦେଉଥିବା ସମୟରେ ପର୍ଯ୍ୟାୟକ୍ରମେ ପ୍ରାୟ ୪୦ ମିନିଟ୍ ଧରି ବିଦ୍ୟୁତ୍‌ ବିଭ୍ରାଟ ହୋଇଥିଲା। ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ‌ଦେଓ ଅସନ୍ତୋଷ ପ୍ରକାଶ କରିବା ସହ କାହିଁକି ବିଦ୍ୟୁତ୍‌ କାଟ୍‌ ହେଉଛି ତାହା ଜାଣିବାକୁ ଚାହିଥିଲେ। ସମସ୍ତ ତଥ୍ୟ ଜାଣିବା ପରେ ଉପମୁଖ୍ୟମନ୍ତ୍ରୀ ଭାଷଣ ଦେବାକୁ ଆସିବା ସମୟରେ ସମସ୍ତଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ସହ ଓଭରଲୋଡ୍‌ ଯୋଗୁ ଜେନେରେଟର୍‌ ଟ୍ରିପ୍‌ ହେଉଥିବା କହିଥିଲେ।