ଭୁବନେଶ୍ବର: ବାପା ଓ ପୁଅ ମଧ୍ୟରେ ଯେଉଁ ରକ୍ତ ସମ୍ପର୍କ ରହିଛି, ତା’ଠାରୁ ଅଧିକ ମଧୁର କ’ଣ ଅଛି! ଅଝଟ ପୁଅର ଅଳି ଓ ବାପାଙ୍କ ଗାଳି ଏକ ନିତିଦିନିଆ ଘଟଣା, ଯେଉଁଥିରେ ଭରିରହିଥାଏ ମଧୁର ଅନୁଭବ। ଘରେ ଘରେ ଏମିତି ଅନୁଭବ ରହିଛି ଏବଂ ଏହାକୁ ନେଇ ରେଡିଓ ଚକ୍ଲେଟ୍ ୧୦୪ ଏଫ୍ଏମ୍ରେ ପ୍ରସାରିତ ହେଉଛି ଏକ ସୁନ୍ଦର କାର୍ଯ୍ୟକ୍ରମ ‘ଆରେ ପାପା’। ଏହି କାର୍ଯ୍ୟକ୍ରମ ସଫଳତାର ସହ ୫୦ଟି ଏପିସୋଡ୍ ପୂରଣ କରିଛି। ଶ୍ରୋତାମାନଙ୍କ ଅଜସ୍ର ପ୍ରଶଂସା ସାଉଁଟିଥିବା ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ‘ସମ୍ବାଦ ଭବନ’ ସ୍ଥିତ ରେଡିଓ ଚକ୍ଲେଟ୍ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ କେକ୍ କଟାଯାଇ ଖୁସି ମନାଯାଇଥିଲା। ଚଳିତ ବର୍ଷ ପିତୃ ଦିବସରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୧୦୪ ଏପିସୋଡ୍ କରିବାକୁ ଲକ୍ଷ୍ୟ ରହିଛି।
Miss You Humane: ଆଜି ହ୍ୟୁମାନ ସାଗରଙ୍କ ଜନ୍ମଦିନ… ଝୁରୁଛି ଓଡ଼ିଶା, ଝୁରୁଛନ୍ତି ଫ୍ୟାନ୍
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ରେଡିଓ ଚକ୍ଲେଟ୍ର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଥିଲେ। ରେଡିଓ ଚକ୍ଲେଟ୍ର ୨୪ଘଣ୍ଟିଆ କାର୍ଯ୍ୟକ୍ରମ ପାଇଁ ସେ ଖୁସିବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ଆଜିର ଫୋନ୍ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ଯୋଗୁ ଲୋକମାନଙ୍କ ସହ ଯୋଡ଼ିହେବା ପାଇଁ ନୂଆ ସୁଯୋଗ ତିଆରି ହୋଇଛି। ‘ଆରେ ପାପା’ କାର୍ଯ୍ୟକ୍ରମର ୫୦ ଏପିସୋଡ୍, ଆଜିର ପ୍ରଯୁକ୍ତିବିଦ୍ୟା ଯୁଗର ଅନନ୍ୟ ସୃଜନଶୀଳତାର ପ୍ରମାଣ ବୋଲି ସେ କହିଥିଲେ। ସମ୍ବାଦ ଓ କନକ ନ୍ୟୁଜ୍ର ସମ୍ପାଦକ ତନୟା ପଟ୍ଟନାୟକ ‘ଆରେ ପାପା’ର ସଫଳତା ପାଇଁ ରେଡିଓ ଚକ୍ଲେଟ୍ ଶ୍ରୋତାଙ୍କୁ କୃତଜ୍ଞତା ଜଣାଇଥିଲେ। ରେଡିଓ ମାଧ୍ୟମରେ ଶ୍ରୋତାଙ୍କୁ ନୂଆ ନୂଆ କଥା ଶୁଣାଇବା ସହିତ ଓଡ଼ିଶାର ଭାଷା, କଳା, ସଂସ୍କୃତିର ପ୍ରଚାରପ୍ରସାର ପାଇଁ କାମ କରିବା ଆମର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ। ତେଣୁ ଆଗକୁ ରେଡିଓ ଚକ୍ଲେଟ୍ ଆହୁରି ନୂଆ ନଆ କଥା ଶ୍ରୋତାଙ୍କୁ ଭେଟିଦେବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ କନକ ନ୍ୟୁଜ୍ ସିଇଓ ରତିକାନ୍ତ ଶତପଥୀ, ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, ଆର୍ଜେ ସଂଗ୍ରାମ ମିଶ୍ର, ଗୁରୁ ଶତପଥୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
‘ଆରେ ପାପା’ କାର୍ଯ୍ୟକ୍ରମଟି ମାଷ୍ଟର ସମ୍ପର୍କ ଓ ଆର୍ଜେ ସଂଗ୍ରାମଙ୍କ ଯୁଗଳବନ୍ଦୀକୁ ନେଇ ପ୍ରସ୍ତୁତ ହୋଇଛି। ଆଜିର ଜେନ୍-ଜି ଓ ଜେନ୍-ଆଲ୍ଫା ଯୁଗରେ ପିଲାମାନଙ୍କୁ ସେମାନଙ୍କ ଭାଷାରେ ଓ ବୁଝିବା ଶୈଳୀରେ ନୈତିକତା ଶିଖାଇବା ଗୁରୁ ଦାୟିତ୍ବ ହୋଇଛି। ‘ଆରେ ପାପା’ କାର୍ଯ୍ୟକ୍ରମରେ ଏଭଳି ନୈତିକତା ଶିକ୍ଷା ଶୁଣିବାକୁ ମିଳୁଛି। ଏହି କାର୍ଯ୍ୟକ୍ରମର ସଂଳାପ ଲେଖୁଛନ୍ତି ଲେଖକ ଗୁରୁ ଶତପଥୀ। ସାଉଣ୍ଡ ବିଭାଗରେ ସୌମିତ୍ରୀ ବେଶ୍ ଉଚ୍ଚକୋଟୀର ସୃଜନଶୀଳତା ପ୍ରଦର୍ଶନ କରୁଛନ୍ତି। ସୂଚନାଯୋଗ୍ୟ ଯେ କୋଭିଡ୍ ସମୟରେ ରେଡିଓ ଚକ୍ଲେଟ୍ରେ ‘ଡାଏରି ଅଫ୍ ଏ ହାଉସ୍ୱାଇଫ୍’ ଭଳି କାର୍ଯ୍ୟକ୍ରମକୁ ଶ୍ରୋତାମାନେ ବେଶ୍ ପସନ୍ଦ କରିଥିଲେ।
Follow Us