odisha high court Photograph: (sambad.in)
କଟକ: ଡେଣ୍ଟାଲ୍ ସର୍ଜନ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭଯୋଗ ପ୍ରସଙ୍ଗ ନୂଆ ମୋଡ଼ ନେଇଛି। ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି)ର ପୂର୍ବତନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓପିଏସ୍ସିର ତତ୍କାଳୀନ ସଚିବ କୁମୁଦ ଚନ୍ଦ୍ର ମଲ୍ଲିକଙ୍କୁ ଫେବ୍ରୁଆରି ୯ରେ ଉପସ୍ଥିତ ରହିବାକୁ ପୁଲିସ ଜରୁରି ନୋଟିସ୍ ଜାରି କରିବ ବୋଲି ରେଜିଷ୍ଟ୍ରିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ତାଙ୍କୁ ଖୋଜି ବାହାର କରି ନୋଟିସ୍ ପ୍ରଦାନ କରିବ। ନୋଟିସ୍ ଯଦି ତାଙ୍କୁ ପ୍ରଦାନ କରା ନ ଯାଏ ତେବେ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହିତ ଗ୍ରହଣ କରାଯିବ। ତ୍ରୁଟି କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାକିରିରୁ ଅବସର ଗ୍ରହଣ କରି ସାରିଥିବା ଶ୍ରୀ ମଲ୍ଲିକଙ୍କ ପେନ୍ସନ୍ ରେକର୍ଡରୁ ତାଙ୍କ ସଂପର୍କିତ ତଥ୍ୟ ସରକାରଙ୍କ ତରଫରୁ ପୁଲିସକୁ ତୁରନ୍ତ ପ୍ରଦାନ କରାଯିବ ବୋଲି ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଓ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ଶୁଣାଣି ସମୟରେ ଓପିଏସ୍ସି ସଚିବ ବିଜୟ କୁମାର ଖଣ୍ଡାୟତରାୟ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ଘଟଣା ସମୟରେ ସେ ଓପିଏସ୍ସି ସଚିବ ନଥିଲେ ବୋଲି ହାଇକୋର୍ଟଙ୍କୁ ଅବଗତ କରିଥିଲେ। ତତ୍କାଳୀନ ସଚିବଙ୍କ ଉପସ୍ଥିତି ଆବଶ୍ୟକ ଥିବା ବେଳେ ଶ୍ରୀ ମଲ୍ଲିକ ୨୦୨୧ରୁ ଅବସର ନେଇ ସାରିଥିବା ଜଣାପଡ଼ିଥିଲା।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୭-୧୮ରେ ଓପିଏସ୍ସି ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ (ଡେଣ୍ଟାଲ୍) କ୍ୟାଡର୍ ଗ୍ରୁପ-କ(ଜୁନିୟର୍) ୧୯୮ଟି ଡେଣ୍ଟାଲ୍ ସର୍ଜନ୍ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିଯୁକ୍ତି ପ୍ରକ୍ରିୟାର ଚୂଡ଼ାନ୍ତ ଫଳ ପ୍ରକାଶ ପରେ ୧୭୧ଜଣ ପ୍ରାର୍ଥୀଙ୍କ ନାଁ ଓପିଏସ୍ସି ୨୦୧୮ ଅଗଷ୍ଟ ୯ରେ ସୁପାରିସ କରିବା ପରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ନିଯୁକ୍ତି ପରୀକ୍ଷାରେ ସମ୍ଭାବ୍ୟ ଉତ୍ତର (କି ଆନସାର୍) ଭୁଲ୍ ଥିବା ଅଭିଯୋଗ ପରେ ଓପିଏସ୍ସି ବିଶେଷଜ୍ଞ କମିଟିର ରିପୋର୍ଟ ଆଧାରରେ ପ୍ରାର୍ଥୀଙ୍କ ଖାତାର ପୁନଃମୂଲ୍ୟାୟନ କରାଯାଇ ମାର୍କରେ ସଂଶୋଧନ କରାଯାଇଥିଲା। ସଂଶୋଧନ ପରେ ନିଯୁକ୍ତିରୁ ବାଦ୍ ପଡ଼ିଥିବା କେତେକ ପ୍ରାର୍ଥୀଙ୍କ ମାର୍କଠାରୁ କମ୍ ମାର୍କ ରଖିଥିବା ୧୧ ପ୍ରାର୍ଥୀଙ୍କ ନାଁ ଓପିଏସ୍ସି ଅନୁମୋଦନ କରିଥିବା ଓ ଏପରି କମ୍ ମାର୍କ ରଖିଥିବା ପ୍ରାର୍ଥୀ ନିଯୁକ୍ତି ପାଇ ଚାକିରି କରୁଥିବା ସ୍ପଷ୍ଟ ହୋଇଥିଲା। ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ରାୟ ବିରୋଧରେ ଓପିଏସସି ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ୍ ଦାୟର କରିଥିଲା। ଏହି ୧୧ଜଣଙ୍କୁ ଚାକିରିରୁ ବହିଷ୍କାର ନ କରିବା ପାଇଁ ଓପିଏସ୍ସି ସରକାରଙ୍କୁ ପରାମର୍ଶ ଦେଇଥିଲା। ସମଗ୍ର ସଂଶୋଧିତ ମେଧା ତାଲିକା ଦାଖଲ ପାଇଁ ଓପିଏସ୍ସିକୁ ହାଇକୋର୍ଟ କହିଥିଲେ।
Follow Us