ଭୁବନେଶ୍ବର: ମହାନଦୀ ଜଳ ବିବାଦ ନେଇ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ଟ୍ରିବ୍ୟୁନାଲ୍ ଏହି ବିବାଦର ଶୁଣାଣି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ମହାନଦୀ ପ୍ରସଙ୍ଗ ନେଇ ଆଜି ଛତିଶଗଡ଼ର ରାୟପୁରରେ ଗୋଲ୍ ଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉନ୍ମୋଚିତ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଅନୁଧ୍ୟାନ ରିପୋର୍ଟରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାର ମହାନଦୀ ପ୍ରସଙ୍ଗରେ ସହଯୋଗଭିତ୍ତିକ ଆଲୋଚନାର ଦ୍ବାର ଖୋଲା ରଖିବାକୁ ପରାମର୍ଶ ଦିଆଯାଇଛି। ଏହି ଗୋଲ୍ ଟେବୁଲ୍ ବୈଠକରେ ଅଂଶଗ୍ରହଣ କରିଥିବା ଜଳ ବିଶେଷଜ୍ଞ ରଂଜନ ପଣ୍ଡା ‘ମହାନଦୀ: କୋଇଲା ସମୃଦ୍ଧ, ଜଳ ଉପରେ ବିପଦ’ ଶୀର୍ଷକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ଅନୁସାରେ ସର୍ବସାଧାରଣଙ୍କ ସମ୍ବଳ ମହାନଦୀକୁ ଉଭୟ ରାଜ୍ୟ ଶୋଷଣ କରି ନଦୀର ପ୍ରଭୂତ କ୍ଷତି ସାଧନ କରୁଛନ୍ତି। ବିଶେଷ କରି ମହାନଦୀ ଅବବାହିକାରେ ଥିବା ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ମହାନଦୀ ପାଇଁ ବିପଦ ପାଲଟିଛନ୍ତିି। ସେଗୁଡ଼ିକ ନଦୀର ଜଳ ଶୋଷି ନେଉଛନ୍ତି। ଫଳରେ ଆଗାମୀ ଦିନରେ ନଦୀରେ ବିନ୍ଦୁଏ ବି ଜଳ ରହିବନି। ଏହା ସହିତ ବିବାଦୀୟ ବ୍ୟାରେଜ୍, ନଦୀବନ୍ଧ ନିର୍ମାଣ ଯୋଗୁଁ ନଦୀର ତଳମୁଣ୍ଡକୁ ଜଳପ୍ରବାହରେ ବାଧା ସୃଷ୍ଟି ହେଉଛି ବୋଲି ଶ୍ରୀ ପଣ୍ଡା ଦର୍ଶାଇଛନ୍ତିି। ସେହିପରି ମହାନଦୀ ଜଳବାୟୁ ପରିବର୍ତନ ଯୋଗୁଁ ଘୋର ପ୍ରଭାବିତ ହେଉଛି। କିନ୍ତୁ ଏହି ନଦୀ ଉପରେ ନିର୍ଭରଶୀଳ ଛତିଶଗଡ଼ ହେଉ ବା ଓଡ଼ିଶା କେହି ସଚେତନ ନୁହଁନ୍ତି। ଏକ ବୈଜ୍ଞାନିକ ଆକଳନ ଅନୁଯାୟୀ ମହାନଦୀ ଅବବାହିକାେର ଜଳଧାରଣ କ୍ଷମତା ୧୦ ପ୍ରତିଶତ ହ୍ରାସ ପାଇଛି। ଅବବାହିକା ଆଖପାଖେର ତାପମାତ୍ରା ବୃଦ୍ଧି, ଜଙ୍ଗଲ ଅବକ୍ଷୟ, ମୃର୍ତିକା କ୍ଷୟ, ଶିଳ୍ପାନୁଷ୍ଠାନକୁ ଅଧିକ ପରିମାଣର ଜଳ ପ୍ରଦାନ ଆଦି ଅବବାହିକାର ବିନାଶର ବାର୍ତା ଦେଉଛି। ଏସବୁ ଦୃଷ୍ଟିରୁ ମହାନଦୀ ଅବବାହିକାରେ ଜୈବ ବିବିଧତା ଓ ପ୍ରାକୃତିକ ସଂପଦର ରକ୍ଷଣାବେକ୍ଷଣ ଅପରିହାର୍ଯ୍ୟ ବୋଲି ଜଳ ବିଶେଷଜ୍ଞ କହିଛନ୍ତି। ଏହି ଅବସରରେ ବିଶିଷ୍ଟ ପରିବେଶବିତ୍, ରାଜନେତା, ନାଗରିକ, ସିଭିଲ୍ ସୋସାଇଟି ସଦସ୍ୟ, ସାମ୍ବାଦିକ, ସ୍ବେଚ୍ଛାସେବୀ ସଂଗଠକ, ଶିକ୍ଷାବିତ୍, ସାମାଜିକ କର୍ମୀ ପ୍ରମୁଖ ମହାନଦୀ ଉପରେ ରହିଥିବା ବିପଦ ସଂପର୍କରେ ଆଲୋଚନା କରିଥିଲେ। ଏହି ଗୋଲ୍ ଟେବୁଲ୍ ବୈଠକର ଆୟୋଜନ କରିଥିଲେ ନୂଆଦିଲ୍ଲୀର ହେନ୍ରିଚ୍ ବୋଲ୍ ଫାଉଣ୍ଡେସନ୍ ଓ ମହାନଦୀ ଜଳ ରକ୍ଷକ ସଂସ୍ଥା।
ରାୟପୁରରେ ମହାନଦୀକୁ ନେଇ ଗୋଲ୍ ଟେବୁଲ୍ ବୈଠକ: ଓଡ଼ିଶା-ଛତିଶଗଡ଼ ସରକାରଙ୍କ ଆଲୋଚନା ଜାରି ରହୁ
/sambad/media/post_attachments/wp-content/uploads/2018/09/mahanandi-1_2395088_835x547-m.jpg)