ଭୁବନେଶ୍ବର: ସାଲେପୁରର ଇଂରାଜୀ ବନାନ ଆଉ Salipur ରହିବନି, ଏଣିକି ହେବ Salepur। ଆଳିର ଇଂରାଜୀ ବିକୃତ ବନାନ Aul ଲେଖିବାକୁ ପଡ଼ିବନି, Ali ହିଁ ଲେଖାଯିବ। ସେମିତି ଖୋରଧାର ଠିକ୍ ବନାନ ହେବ Khoradha, ବାଲେଶ୍ବରର ବନାନ ହେବ Baleshwar। ବର୍ଷ ବର୍ଷ ଧରି ରହି ଆସିଥିବା ଏହି ବିକୃତ ବନାନକୁ ସଂଶୋଧନ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥି ପାଇଁ ରାଜସ୍ବ ବିଭାଗ ପକ୍ଷରୁ ସର୍ବସାଧାରଣ ବିଜ୍ଞପ୍ତି ଜାରି କରାଯାଇଛି। ୧୧ଟି ଜିଲ୍ଲାର ୨୫ଟି ଜାଗା ନାମ ଇଂରାଜୀ ବନାନ ଠିକ୍ ଭାବେ ଲେଖିବା ପାଇଁ ତାଲିକା କରାଯାଇଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ଜାଗାଗୁଡ଼ିକର ମୌଳିକ ଓଡ଼ିଆ ନାମ ଇଂରାଜୀରେ ଠିକ୍ ଭାବେ ବନାନ ହେବାର ଆବଶ୍ୟକତା ରହିଛି। ଏହା ଦ୍ବାରା ସରକାରୀ ରେକର୍ଡରେ ରାଜ୍ୟର ଭାଷାଗତ, ଐତିହାସିକ ଓ ସାଂସ୍କୃତିକ ଐତିହ୍ୟ ଠିକ୍ ଭାବେ ପ୍ରତିଫଳିତ ହେବ। ଯଦି ପ୍ରସ୍ତାବିତ ସଂଶୋଧନ ତାଲିକା ଉପରେ ଲୋକଙ୍କର କିଛି ଆପତ୍ତି ଓ ପ୍ରସ୍ତାବ ଥିବ, ସେମାନେ ୧୫ ଦିନ ଭିତରେ ଜଣାଇପାରିବେ।
ଓଡ଼ିଶାର ଜାଗାଗୁଡ଼ିକର ବିକୃତ ଇଂରାଜୀ ବନାନ ବର୍ଷ ବର୍ଷ ଧରି ରହି ଆସିଥିଲା। ଏମିତି ବନାନ ପଛର କିଛି ହିଁ ଯୁକ୍ତି ନଥିଲା। ପିଢ଼ି ପରେ ପିଢ଼ି ଏହି ଭୁଲ୍ ସହିତ ଅଭ୍ୟସ୍ତ ହୋଇ ଚାଲିଥିଲେ। ତେଣୁ ଏସବୁର ସଂଶୋଧନ ପାଇଁ ଲମ୍ବା ସମୟ ଧରି ଦାବି ହୋଇ ଆସୁଥିଲା। ‘ସମ୍ବାଦ’ରେ ଏ ସମ୍ପର୍କରେ ଲଗାତାର କିଛି ବର୍ଷ ହେଲା ଖବର ପ୍ରକାଶ ପାଇ ଆସୁଥିବାବେଳେ ସଚେତନ ନାଗରିକମାନେ ଏ ନେଇ ଉଦ୍ବେଗ ପ୍ରକାଶ କରୁଥିଲେ।
ରାଜସ୍ବ ବିଭାଗ ପକ୍ଷରୁ ଜାରି ହୋଇଥିବା ପ୍ରସ୍ତାବିତ ସଂଶୋଧନ ତାଲିକାରେ ବି ତ୍ରୁଟି ରହିଥିବା ଦେଖିବାକୁ ମିଳିଛି। ନୟାଗଡ଼ର ଇଂରାଜୀ ବନାନ Nayagada ଲେଖା ହୋଇଥିଲା ବେଳେ ଆଠଗଡ଼ର ପ୍ରସ୍ତାବିତ ବନାନ Athagad ବୋଲି ଲେଖାଯାଇଛି। ଏଠାରେ d ପରେ a ଯୋଡ଼ା ଯାଇନାହିଁ। ସେହପରି ଦେବଗଡ଼ର ବନାନ ପୂର୍ବରୁ Deogarh ଲେଖା ଯାଉଥିଲା। ସଂଶୋଧିତ ପ୍ରସ୍ତାବରେ Debagarh ବୋଲି ଲେଖାଯାଇଛି। ଏଠାରେ ମଧ୍ୟ ଶେଷରେ rh କାହିଁକି ଲେଖାଯିବ ବୋଲି ପ୍ରଶ୍ନ ଉଠିଛି।
କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଥିବା ତହସିଲର ନାମ ଖଣ୍ଡମାଳ ରହିଛି। ‘ଖଣ୍ଡମାଳ’ ବୋଲି କୌଣସି ଜାଗା ସ୍ଥାନୀୟ ଅଞ୍ଚଳରେ ନାହିଁ। ବ୍ରିଟିସ୍ ଶାସନ ସମୟରୁ ଏମିତି ନାମ ରହିଯାଇଛି। ରାଜସ୍ବ ବିଭାଗର ବିଜ୍ଞପ୍ତିରେ ଏହି ଶବ୍ଦଟିକୁ ସଂଶୋଧନ କରାଯିବ ବୋଲି ଦର୍ଶାଯାଇଛି। ତେବେ ତହସିଲର ନୂଆ ନାମ Kandhamal ରହିବ ବୋଲି ପ୍ରସ୍ତାବ ଦିଆଯାଇଛି। କଟକର ବନାନ ଏବେ ବି Cuttack ରହିଛି ଓ ବ୍ରହ୍ମପୁରର ବନାନ Berhampur ରହିଛି। ଏହାର ସଂଶୋଧନ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି। କିନ୍ତୁ ରାଜସ୍ବ ବିଭାଗର ଏହି ବିଜ୍ଞପ୍ତିରେ କଟକ ଓ ବ୍ରହ୍ମପୁର ସ୍ଥାନ ପାଇନାହିଁ।
Follow Us