Odisha assembly 2nd day of winter session Photograph: (Sambad.in)
ଭୁବନେଶ୍ବର: ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଏ ନେଇ ମାଳମାଳ ଅଭିଯୋଗ ଆସୁଛି। ଅନେକ ସ୍ଥାନରେ ଚାଷୀ ଆନ୍ଦୋଳନ ଚାଲିଛି। ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ରାଜରାସ୍ତାରେ ଗର୍ଜନ କରୁଛନ୍ତି। ସରକାର ବି ଜଣେ ଚାଷୀଙ୍କଠାରୁ ୧୫୦ କ୍ବିଣ୍ଟାଲ୍ରୁ ଅଧିକ ଧାନ ନ କିଣିବାକୁ ନିୟମ କରିଥିବାରୁ ପଶ୍ଚିମ ଓଡ଼ିଶାର ବିଧାୟକମାନେ ଖପ୍ପା ଅଛନ୍ତି। ଏହି ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ ହୋଇପାରେ।
ମହାନଦୀ ଜଳବିବାଦ ପ୍ରସଙ୍ଗରେ ଓଡ଼ିଶା ଲଗାତାର କ୍ଷତି ସହି ଚାଲିଛି। ଦୁଇ ରାଜ୍ୟ ମଧ୍ୟରେ ଆପୋସ ସମାଧାନ ପ୍ରକ୍ରିୟା ଆଗେଇ ପାରୁନାହିଁ। ମନ୍ତ୍ରୀସ୍ତରୀୟ କମିଟିର ଛତିଶଗଡ଼ ଗସ୍ତ ହୋଇପାରୁନି। ଛତିଶଗଡ଼ ସରକାର ଅସହଯୋଗ କରୁଥିବା ଜଣାପଡ଼ିଛି। ଓଡ଼ିଶା ସରକାର ଏବେ କେନ୍ଦ୍ର ସରକାରଙ୍କ ସିଧାସଳଖ ହସ୍ତକ୍ଷେପ ଲୋଡ଼ିଥିଲେ ମଧ୍ୟ କୌଣସି ଉତ୍ସାହଜନକ ପ୍ରତିକ୍ରିୟା ସେପଟୁ ମିଳିନାହିଁ। ମହାନଦୀ ପ୍ରସଙ୍ଗରେ ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି ଚରମ ସ୍ଥିତିରେ ପହଞ୍ଚିଛି। ବିଧାନସଭାରେ ଦୁଇ ଦଳ ଏହି ପ୍ରସଙ୍ଗରେ ମୁହାଁମୁହିଁ ହେବା ଥୟ। କଂଗ୍ରେସ ଉଭୟଙ୍କୁ ଦାୟୀ କରି ଆକ୍ରମଣ କରିବ। ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ବିଧାନସଭାର ଆସନ୍ତା ଅଧିବେଶନରେ ଉପସ୍ଥାପନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାର ରିପୋର୍ଟ ଉପସ୍ଥାପନ କରିବେ ନା
ଆଉ କିଛି ଆଳ ଦେଖାଇ ପୁଣି ଘୁଞ୍ଚାଇଦେବେ, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ନୂଆ ସରକାର ଆସିଲା ପରେ ପାଞ୍ଚଟି ଅଧିବେଶନ ସରିଛି, ଅଥଚ ସରକାର କାହିଁକି ଏହି ରିପୋର୍ଟ ଉପସ୍ଥାପନ କରିନାହାନ୍ତି ତାହା ରହସ୍ୟଜନକ।
ଅଣ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ: ସି-ପ୍ଲେନ୍ ନିର୍ମାଣ କରିବ ‘ହାଲ୍’
ରାଜ୍ୟରେ ଏମିତି ପ୍ରସଙ୍ଗର ତାଲିକା ଲମ୍ବା। ଗଣମାଧ୍ୟମରେ ଓ ରାଜରାସ୍ତାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ। ଏମିତି ପ୍ରସଙ୍ଗର ପାହାଡ଼ ଉପରେ ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ୨୮ ଦିନ ଚାଲିବ। ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରିବାକୁ ସୋମବାର ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହା ପରେ ପରେ ବିଜେପି, ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସିବ। ସରକାରଙ୍କୁ କେଉଁ ପ୍ରସଙ୍ଗରେ କେମିତି ଘେରାଯିବ, ସେ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛନ୍ତି। ମୁକାବିଲା ପାଇଁ ବିଜେପି ମଧ୍ୟ ରଣନୀତି କରୁଛି। ଏଥର ବିଧାନସଭା ଅଧିବେଶନ ସମୟରେ ରାଜ୍ୟସଭା ନିର୍ବାଚନ ଥିବାରୁ ଅଧିବେଶନଟି ସରଗରମ ରହିବ। ସ୍ମାର୍ଟ ବିଦ୍ୟୁତ୍ ମିଟର ଲଗାଇବା ନିଷ୍ପତ୍ତିକୁ ବିରୋଧୀ ପୂର୍ବରୁ ବିରୋଧ କରୁଥିବାବେଳେ ରାଜ୍ୟ ସରକାର ଏବେ ଟାଟା ପାୱାରକୁ ମିଟର ଲଗାଇବାକୁ ୭୩୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ତେଣୁ ଏହି ପ୍ରସଙ୍ଗ ଉଠିବ। ଏସ୍ଆଇଆର୍ ଓଡ଼ିଶାରେ କେବେ ଆରମ୍ଭ ହେବ ତାହା ଘୋଷଣା ହୋଇନଥିଲେ ହେଁ ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏପରିକି ଏସ୍ଆଇଆର୍ ପାଇଁ ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟା ସରିଲାଣି। ତେଣୁ କ୍ଷେତ୍ର ସ୍ତରରେ ଦେଖାଯାଉଥିବା ସମସ୍ୟାକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ଗୃହରେ ଉଠାଇପାରନ୍ତି।
ଧାନ, ମହାନଦୀ, ସ୍ମାର୍ଟ ମିଟର, ଏସ୍ଆଇଆର୍ ବଡ଼ ପ୍ରସଙ୍ଗ
ସଫଳତାର ତାଲିକା ଧରି ମୁକାବିଲା କରିବେ ଶାସକ
ଅରବିନ୍ଦ, ସନାତନଙ୍କ ଉପରେ ନଜର
ରାଜ୍ୟରେ ବାଲି, ଲଘୁ ଖଣିଜ ଚୋରା ଚାଲାଣ ସାଂଘାତିକ ରୂପ ଧାରଣ କରିଥିବାରୁ ଏହାକୁ ନେଇ ଗୃହ ହୁଲସ୍ତୁଲ ହେବ। ଏସବୁ ବାଦ୍ ଗଜପତିରେ କୁନି ଶିଶୁକୁ ଦୁଷ୍କର୍ମ, ରାଜଧାନୀରେ ଏକାଧିକ ହତ୍ୟାକାଣ୍ଡ, ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ବଢ଼ିବା ଭଳି ପ୍ରସଙ୍ଗ ଉଠିବ। କେଉଁ ଦିନ କିପରି ଢଙ୍ଗରେ କେଉଁ ପ୍ରସଙ୍ଗ ଉଠିବ ତାହାକୁ ନେଇ ବିରୋଧୀ ପୂରା ରଣନୀତି ପ୍ରସ୍ତୁତ କରିଥିବାବେଳେ ଏହାର କିପରି ଠିକ୍ ମୁକାବିଲା କରାଯିବ ସେ ସଂକ୍ରାନ୍ତରେ ଶାସକ ଦଳ ପକ୍ଷରୁ ବିଭିନ୍ନ ବିଧାୟକଙ୍କୁ ଦାୟିତ୍ବ ବଣ୍ଟାଯାଇଛି। କେନ୍ଦ୍ର ସରକାରଙ୍କ ଫୋକସ୍ରେ ଓଡ଼ିଶା ଅଛି, ଚଳିତ ବଜେଟ୍ରେ କେଉଁ ଦିଗକୁ ଫୋକସ୍ କରାଯାଇଛି, କି କି ନୂଆ ଯୋଜନା ହେବ, ପୂର୍ବର ବିଜେଡି ସରକାର ତୁଳନାରେ କିପରି ଏବେ ତ୍ବରିତ ପଦକ୍ଷେପ ନିଆଯାଉଛି, ରାଜ୍ୟ ସରକାର କିପରି ଦୁର୍ନୀତି ଏବଂ ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ଆପଣାଇଛନ୍ତି ତା’ର ତାଲିକା ଦେଇ ବିରୋଧୀଙ୍କ ଚୁପ୍ କରାଇବାକୁ କୁହାଯାଇଛି।
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ
ଏଥର ଅଧିବେଶନରେ ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼ଙ୍କ ଆସନ ବଦଳିବ। ବିଜେଡି ବିଧାୟକଙ୍କ ଗହଣରେ ସେମାନେ ନ ବସି ଅନ୍ୟତ୍ର ବସିବେ। ଆସନ ବଦଳିବା ସହ ସେମାନଙ୍କ ଆଭିମୁଖ୍ୟ ବି ବଦଳିବ। ସନାତନ ଯଦିଓ ବିଧାନସଭାରେ ସେତେ ସକ୍ରିୟ ନଥିଲେ କିନ୍ତୁ ପ୍ରଥମ ଥର ବିଧାୟକ ଅରବିନ୍ଦ ଶାସକ ଦଳକୁ ନୟାନ୍ତ କରୁଥିଲେ। ଯେଉଁ ଆଭିମୁଖ୍ୟ ପାଇଁ ଅରବିନ୍ଦ ବିଜେଡିରୁ ନିଲମ୍ବିତ ହେଲେ ବୋଲି କୁହାଯାଉଛି ତାହାକୁ ସେ କାହା ବିରୋଧରେ ଏବେ ପ୍ରୟୋଗ କରିବେ ତାହା ଉପରେ ସମସ୍ତଙ୍କର ନଜର ରହିବ।
Follow Us