କଣିହାଁ: ଦିନ ଥିଲା ଟିକିରା ଓ ବ୍ରାହ୍ମଣୀ ନଦୀର ପାଣି ସ୍ଥାନୀୟ ଲୋକଙ୍କ ପାଇଁ ଆଶୀର୍ବାଦ ଥିଲା। ଏହି ନଦୀ ପାଣି ସ୍ବଚ୍ଛ ଓ ନିର୍ମଳ ଥିଲା। ସମୟକ୍ରମେ ଅନୁଗୁଳ ଜିଲ୍ଲାରେ ଜଙ୍ଗଲ ନଷ୍ଟ କରି କଳକାରଖାନା ନିର୍ମାଣ କରାଗଲା। ଲୋକଙ୍କୁ ନିଯୁକ୍ତି ମିଳିଲା ସତ, ହେଲେ ଏହାଦ୍ବାରା ସବୁଠାରୁ ଅଧିକ ବିପର୍ଯ୍ୟସ୍ତ ହେଲା ସ୍ଥାନୀୟ ଗ୍ରାମବାସୀଙ୍କ ଜୀବନଜୀବିକା। ଏବେ ଏହି ଦୁଇ ନଦୀ ଯେମିତି ଗ୍ରାମବାସୀଙ୍କୁ ସର୍ବହରା କରିଦେବାକୁ ବସିଛି। ପ୍ରଦୂଷଣ ଜହରରେ ଲୋକେ ଆକ୍ତାମାକ୍ତା। ଜଳ ସମ୍ପଦର ଉପଯୁକ୍ତ ବିନିଯୋଗ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଚିରାଚରିତ ଭାବରେ ଉଭୟ ନଦୀର ଜଳକୁ ବ୍ୟବହାର କରି ଆସୁଥିବା ଅଧିବାସୀ ପ୍ରଦୂଷଣ ପାଇଁ ରୋଗାକ୍ରାନ୍ତ ହେଉଛନ୍ତି। ଏ କ୍ଷେତ୍ରରେ ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେବଳ ନିରବଦ୍ରଷ୍ଟା ସାଜିଛି। ଖାଲି ଚେତାବନୀ ଛଡ଼ା ଆଉ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି।

Advertisment

Paddy: ମଣ୍ଡି ଉପରେ ଭରସା ନାହିଁ! ଆନ୍ଧ୍ର ବେପାରୀଙ୍କୁ ଧାନ ଟେକିଦେଲେଣି ଚାଷୀ

ବ୍ରାହ୍ମଣୀ ଓ ଟିକିରା ନଦୀର ଜଳରାଶି ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। କଣିହାଁ ଅଞ୍ଚଳରେ ଅନେକ କଳକାରଖାନା ଗଢ଼ିଉଠିଛି। କାରଖାନାର ବର୍ଜ୍ୟବସ୍ତୁ, କୋଇଲା ଓ ପାଉଁଶ ଗୁଣ୍ଡ ନିର୍ଗତ ହୋଇ ଉଭୟ ନଦୀରେ ମିଶୁଛି। ଏହାସହ ସହରର ନର୍ଦ୍ଦମା ଜଳ ମଧ୍ୟ ନଦୀରେ ମିଶୁଛି। ବର୍ଷ ବର୍ଷ ଧରି ସହର ଓ ପ୍ଲାଣ୍ଟର ଦୂଷିତ ପାଣି ଟିକିରା ନଦୀ ଦେଇ ବ୍ରାହ୍ମଣୀ ନଦୀରେ ମିଶିବା ଫଳରେ ପାଣି ପ୍ରଦୂଷିତ ହେଉଛି। ନଦୀକୂଳରେ ବସବାସ କରୁଥିବା ଲୋକେ ଏହାଦ୍ବାରା ପ୍ରଭାବିତ ହେଉଛନ୍ତି। ପୂର୍ବରୁ ଟିକିରା ଓ ବ୍ରାହ୍ମଣୀ ନଦୀର ଅବବାହିକା ଗ୍ରାମବାସୀଙ୍କ ପାଇଁ ବରଦାନ ସଦୃଶ୍ୟ ଥିଲା। ଆଜି ପାର୍ଶ୍ୱବର୍ତ୍ତୀ କଳକାରଖାନା ଯୋଗୁଁ ଏହା ଅଭିଶାପ ପାଲଟିଛି। ନଦୀପଠାରେ କାଶତଣ୍ଡି, ବେଣାଘାସ ବଢ଼ି ନଦୀଶଯ୍ୟା ପୋତି ହେବାକୁ ବସିଲାଣି। ଏଥି ସକାଶେ ମଶାବଂଶ ବୃଦ୍ଧି ହେତୁ ଅଞ୍ଚଳବାସୀ ମ୍ୟାଲେରିଆ ଭଳି ଜ୍ବରରେ ଆକ୍ରାନ୍ତ ହେଉଛନ୍ତି। ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ନିୟମ କଡ଼ାକଡ଼ି ପାଳନ କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

3rd hit wicket: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ୨୦୨୬ର ତୃତୀୟ ହିଟ୍‌ ଓ୍ବିକେଟ୍‌