ରାଉରକେଲା: ଛତିଶଗଡ଼ ରାଜ୍ୟର ପ୍ରସିଦ୍ଧ ଯୁବ ପ୍ରବଚକ ଭାଗବତାଚାର୍ଯ୍ୟ ଶ୍ରୀକୃଷ୍ଣ ଶୁଭମ୍ ମହାରାଜ ଟ୍ରେନ୍ ଯାତ୍ରାବେଳେ ସୋମବାର ସକାଳେ ରାଉରକେଲା ଓ ମନୋହରପୁର ରେଳଷ୍ଟେସନ ମଝିରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୩୧ ବର୍ଷ ହୋଇଥିଲା। ସୂଚନା ଅନୁସାରେ, ଶ୍ରୀକୃଷ୍ଣ ଶୁଭମ୍ ମହାରାଜ ଜାନୁଆରି ୧୧ ସନ୍ଧ୍ୟା ୫ଟା ୫୦ରେ ଟ୍ରେନ୍ ସଂଖ୍ୟା ୧୮୦୨୯ ଏଲ୍ଟିଟି–ଶାଲିମାର କୁର୍ଲା ଏକ୍ସପ୍ରେସ୍ରେ ଯାତ୍ରାରମ୍ଭ କରିଥିଲେ। ସେ ପଶ୍ଚିମବଙ୍ଗର ଶାଲିମାରରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ପ୍ରବଚନ ଦେବା ପାଇଁ ଯାଉଥିଲେ। ତାଙ୍କ ସହ ସେବାକାରୀ ଇନ୍ଦ୍ରଜିତ ତିୱାରୀ ମଧ୍ୟ ଥିଲେ। ଟ୍ରେନ୍ଟି ସୋମବାର ସକାଳ ପ୍ରାୟ ସାଢ଼େ ପାଞ୍ଚଟାବେଳେ ରାଉରକେଲା ଛାଡ଼ିଥିଲା। କିଛିସମୟ ପରେ ସେ ନିଜ ବର୍ଥରୁ ଉଠି ଶୌଚାଳୟକୁ ଯାଉଥିଲେ। କିନ୍ତୁ ଶୌଚାଳୟ ଦ୍ୱାର ଖୋଲିବା ପୂର୍ବରୁ ତା’ ସମ୍ମୁଖରେ ତଳେ ପଡ଼ି ଯାଇଥିଲେ। ସେବାକାରୀ ତଳୁ ଉଠାଇ ତାଙ୍କ ବର୍ଥକୁ ନେଇ ଯାଇଥିଲେ। ଏହାପରେ ତାଙ୍କ ଅବସ୍ଥା ଧୀରେଧୀରେ ଗୁରୁତର ହେବାକୁ ଲାଗିଥିଲା।
BJD Strike: ମଣ୍ଡି ଅବ୍ୟବସ୍ଥା ନେଇ ଟ୍ରେଲର ଦେଖାଇଲୁ, ପିଲ୍ମ ଦେଖାଇବୁ: ବିଜେଡି
ଟ୍ରେନ୍ରେ ଥିବା ଟିଟିଇ ତୁରନ୍ତ ଚକ୍ରଧରପୁର ରେଳମଣ୍ଡଳର ନିୟନ୍ତ୍ରଣ କକ୍ଷକୁ ଖବରଦେଇ ଆପତ୍କାଳୀନ ଚିକିତ୍ସା ପାଇଁ ସହାୟତା ମାଗିଥିଲେ। ଟ୍ରେନ୍ଟି ଚକ୍ରଧରପୁର ଷ୍ଟେସନ୍ରେ ପହଞ୍ଚିବା ପରେ ତାଙ୍କୁ ରେଳବାଇ ଡାକ୍ତର ମୃତ ଘୋଷଣା କରିଥିଲେ। ଚକ୍ରଧରପୁର ଜିଆର୍ପି ମୃତଦେହକୁ ଜବତକରି ଚକ୍ରଧରପୁର ଉପବିଭାଗୀୟ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସୂଚନା ପାଇ ପରିବାରଲୋକେ ସଡ଼କମାର୍ଗରେ ଚକ୍ରଧରପୁର ବାହାରିଛନ୍ତି। ସେବାକାରୀ ଇନ୍ଦ୍ରଜିତ ମହାରାଜଙ୍କର ଶ୍ବାସରୋଗ ଥିବା କହିଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ମୃତ୍ୟୁର କାରଣ ସ୍ପଷ୍ଟହେବ ବୋଲି ଜିଆର୍ପି କହିଛି। ଛତିଶଗଡ଼ର ରାଜନନ୍ଦଗାଁ ଜିଲ୍ଲାର ବାସିନ୍ଦା ଶୁଭମ୍ ମହାରାଜ ଜଣେ ଯୁବ, ଲୋକପ୍ରିୟ କଥାବାଚକ ଭାବେ ପରିଚିତ ଥିଲେ। ତାଙ୍କ ହଠାତ୍ ମୃତ୍ୟୁ ଖବର ସମଗ୍ର ଧାର୍ମିକଜଗତକୁ ଶୋକାକୁଳ କରିଦେଇଛି।
Follow Us