କୃଷ୍ଣପ୍ରସାଦ ଦାସ
କଟକ: କୌଣସି ହତ୍ୟାକାଣ୍ଡର ତଦନ୍ତ କରୁଥିବା ଅଧିକାରୀ ୨୫ ହଜାର ଟଙ୍କା ଯାଏଁ ଖର୍ଚ୍ଚ କରିପାରିବେ। ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ଅଧିକାରୀ ରାଜ୍ୟ ଭିତରେ ୧୮ ହଜାର ଟଙ୍କା ଓ ରାଜ୍ୟ ବାହାରେ ୩୭ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ଅପହରଣ ଘଟଣାର ତଦନ୍ତ କରୁଥିବା ଅଧିକାରୀ ରାଜ୍ୟ ଭିତରେ ୧୦ ହଜାର ଟଙ୍କା ଓ ରାଜ୍ୟ ବାହାରେ ୩୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ଅପମୃତ୍ୟୁ ମାମଲାର ତଦନ୍ତ ଅଧିକାରୀ ୧୩ ହଜାର ଟଙ୍କା ଯାଏଁ ଖର୍ଚ୍ଚ କରିପାରିବେ। ସାଇବର୍ ଅପରାଧର ତଦନ୍ତ କରୁଥିବା ଅଧିକାରୀ ରାଜ୍ୟ ଭିତରେ ୨୫ ହଜାର ଟଙ୍କା ଓ ରାଜ୍ୟ ବାହାରେ ୪୫ ହଜାର ଟଙ୍କା ଯାଏଁ ଖର୍ଚ୍ଚ କରିପାରିବେ। ଏନ୍ଡିପିଏସ୍/ଅବକାରୀ ଓ ଅସ୍ତ୍ରଶସ୍ତ୍ର ଅପରାଧର ତଦନ୍ତ କରୁଥିବା ଅଧିକାରୀ ରାଜ୍ୟ ଭିତରେ ୧୫ ହଜାର ଟଙ୍କା ଓ ରାଜ୍ୟ ବାହାରେ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସଂପତ୍ତି ଜନିତ ଅପରାଧର ତଦନ୍ତ କରୁଥିବା ଅଧିକାରୀ ୧୭ ହଜାର ଟଙ୍କା ପର୍ଯ୍ୟନ୍ତ ଏବଂ ଅନ୍ୟାନ୍ୟ ମାମଲାର ତଦନ୍ତ କରୁଥିବା ଅଧିକାରୀ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। କୌଣସି ମାମଲାରେ ଏହାଠାରୁ ଅଧିକ ଖର୍ଚ୍ଚ ଆବଶ୍ୟକ ପଡ଼ିଲେ ସେଥିପାଇଁ ସ୍ବତନ୍ତ୍ର ଆବେଦନ ଓ ଅନୁମତି ନେବାକୁ ପଡ଼ିବ। ସରକାର ୨୦୨୫ ଏପ୍ରିଲ ୪ରୁ ‘ପୁଲିସ ତଦନ୍ତ ପାଣ୍ଠି’ ସଂକ୍ରାନ୍ତରେ ଏହି ନୂଆ ନିୟମ ଲାଗୁ କରିଛନ୍ତି। କିନ୍ତୁ ଗଲା ୯ ମାସ ଭିତରେ ଏହା ବାସ୍ତବରେ କେତେ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି ତାହାକୁ ନେଇ ପ୍ରଶ୍ନ ଉଠୁଛି। ଆପରାଧିକ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସରକାର ପୁଲିସ ପାଇଁ ଏହି ସ୍ବତନ୍ତ୍ର ‘ତଦନ୍ତ ପାଣ୍ଠି’ ଗଠନ କରିଛନ୍ତି। କିନ୍ତୁ ଏ ସଂପର୍କରେ ସାଧାରଣରେ ସଚେତନତା ଅଭାବରୁ ପୂର୍ବ ଭଳି କିଛି ପୁଲିସ ଅଧିକାରୀ ଅଭିଯୋଗକାରୀଙ୍କୁ ଭୁଲ ଧାରଣା ଦେଇ ଚାଲିଛନ୍ତି।
ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ ପ୍ରକ୍ରିୟା ଓ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ହେଉଥିବା ଖର୍ଚ୍ଚ ଭରଣା କରିବା ଅନେକ ସମୟରେ ସମସ୍ୟା ହେଉଥିବାର ପୂର୍ବ ପ୍ରଚଳିତ ଧାରଣାର ଏବେ ବି ସୁଯୋଗ ନିଆଯାଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ କୌଣସି ଅପରାଧର ତଦନ୍ତ ପାଇଁ ଖର୍ଚ୍ଚ ଆବଶ୍ୟକ ହେଲେ, ସେଥିପାଇଁ ସ୍ବତନ୍ତ୍ର ଭାବେ ଆବେଦନ କରିବାକୁ ପଡୁଥିଲା। ଆବେଦନ ମଞ୍ଜୁର ହେବାର କୌଣସି ନିଶ୍ଚିତତା ନଥିଲା। ଫଳରେ ତଦନ୍ତକାରୀ ପୁଲିସ ଅଧିକାରୀ ମାନଙ୍କ ପକେଟ୍ରୁ ଅର୍ଥ ଶ୍ରାଦ୍ଧ ହେବାର ଭୟ ରହୁଥିବାରୁ ଅନେକ କ୍ଷେତ୍ରରେ ଅଭିଯୋଗକାରୀମାନେ ନ୍ୟାୟ ପାଇବା ପାଇଁ ବି ସହଯୋଗ କରିବାକୁ ପ୍ରସ୍ତୁତ ହେଉଥିଲେ। ଏ ପ୍ରକାର ସମସ୍ୟା ଦୂର ପାଇଁ ୨୦୨୫ ଏପ୍ରିଲ ୪ରେ ଅର୍ଥ ବିଭାଗ ପକ୍ଷରୁ ‘ଆର୍ଥିକ କ୍ଷମତା ନିୟମ-୧୯୭୮’ର ସଂଶୋଧନ କରାଯାଇ ବିଜ୍ଞପ୍ତି (ନଂ ୧୦୯୩୫/ଏଫ୍/ଏଫ୍ଆଇଏନ୍-ସିଓଡି-ମିସଲାନିଅସ୍-୦୦୧-୨୦୨୨) ଜାରି କରାଗଲା। ଏହି ବିଜ୍ଞପ୍ତି ଅନୁଯାୟୀ ବିଭିନ୍ନ ଅପରାଧର ତଦନ୍ତ ପାଇଁ ବିଭିନ୍ନ ପରିମାଣର ଖର୍ଚ୍ଚ ଧାର୍ଯ୍ୟ କରାଗଲା।
Rangeilunda Airport: ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ହେବ ଡ୍ରୋନ୍ ବିପ୍ଳବ କେନ୍ଦ୍ର
କୌଣସି ତଦନ୍ତକାରୀ ଅଧିକାରୀ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କଲେ ଥାନା ଅଧିକାରୀଙ୍କ ସ୍ବୀକୃତିରେ ତାହା ମଞ୍ଜୁର ହୋଇଯିବ। ସେହିଭଳି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ପାଇଁ ଏସ୍ଡିପିଓ, ୨୫ ହଜାର ପର୍ଯ୍ୟନ୍ତ ଟଙ୍କା ପାଇଁ ଏସ୍ପି ଓ ୨୫ ହଜାରରୁ ଅଧିକ ଟଙ୍କା ପାଇଁ ଡିଆଇଜିଙ୍କ ସ୍ବୀକୃତିରେ ଅର୍ଥ ମଞ୍ଜୁର ହୋଇଯିବ। ଏହି ଅର୍ଥ ତଦନ୍ତ ଅଧିକାରୀଙ୍କ ଆକାଉଣ୍ଟକୁ ଆସିଯିବ। ଏଭଳି ବ୍ୟବସ୍ଥାରେ ତଦନ୍ତ ପାଇଁ ପୁଲିସ ପାଖରେ ଆଉ ପାଣ୍ଠିର ଅଭାବ ନଥିବା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ତାହା ଏଯାଏଁ ପ୍ରତିଫଳିତ ହୋଇନାହିଁ। ଏ ସଂପର୍କରେ ପୂର୍ବତନ ଏସ୍ପି ପ୍ରମୋଦ ରଥ କହିଛନ୍ତି ଯେ ସରକାରଙ୍କର ଏହି ନୀତିରେ ନିଶ୍ଚିତ ଭାବେ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ଆଶା କରିବା କଥା। ପୂର୍ବରୁ ଏସ୍ପିଙ୍କ ପାଖରୁ ପାଣ୍ଠି ମଞ୍ଜୁରକୁ ଅପେକ୍ଷା କରାଯାଉଥିଲା। ଏସ୍ପିଙ୍କ ଦୟା ଉପରେ ଅନେକ କିଛି ନିର୍ଭର କରୁଥିଲା। ପରିବର୍ତ୍ତିତ ସ୍ଥିତିରେ ସିଧା ତଦନ୍ତ ପାଣ୍ଠିରୁ ଟଙ୍କା ଆସିଲେ ତାହା ନିଶ୍ଚିତ ଉପଯୋଗୀ ହେବ। ତଦନ୍ତକାରୀ ଅଧିକାରୀଙ୍କୁ ଅଧିକ ସ୍ବତନ୍ତ୍ରତା ଏବଂ କାର୍ଯ୍ୟରେ ସ୍ବଚ୍ଛତା ରହିଲେ ନିଶ୍ଚିତ ଭାବେ ସରକାରଙ୍କ ‘ତଦନ୍ତ ପାଣ୍ଠି’ ଯୋଜନା ଅଧିକ ଉପଯୋଗୀ ହେବ।
Follow Us