ଝାରସୁଗୁଡ଼ା: ଜାତୀୟ ରାଜପଥ-୪୯ରେ ପୁଣି ଝଡ଼ିଯାଇଛି ୫ ଅମୂଲ୍ୟ ଜୀବନ। ରବିବାର ଭୋର୍ ପ୍ରାୟ ସାଢ଼େ ୩ଟାରେ ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ଟ୍ରେଲର୍ ସହ ବୋଲେରୋ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଝାରସୁଗୁଡ଼ା ଆର୍ମ ରିଜର୍ଭ ପୁଲିସରେ କାର୍ଯ୍ୟରତ କନେଷ୍ଟବଳ କାଶୀରାମ ଭୋଇ (୪୦), ଡ୍ରିଲ୍ ସବ୍ଇନ୍ସପେକ୍ଟର ନିରଞ୍ଜନ କୁଜୁର (୫୮), କନେଷ୍ଟବଳ ଦେବଦତ୍ତ ସା (୪୦), ହାବିଲଦାର ଲିଙ୍ଗରାଜ ଧୁରୁଆ (୫୦) ଓ ହୋମଗାର୍ଡ ଭକ୍ତବନ୍ଧୁ ମିର୍ଦ୍ଧା (୪୦)। କନେଷ୍ଟବଳ ରାଜୀବ ଭରତସାଗର (୩୦), ଦୁବରାଜ ମିରିଗ (୩୫) ଓ ଆକାଶ ନାଏକ (୨୬)ଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରେଲର୍ ଚାଳକ ଗୋବିନ୍ଦ ଚକ୍ରବର୍ତ୍ତୀ (୩୦)ଙ୍କୁ ପୁଲିସ ହେପାଜତରେ ଭିମସାରକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ରାଜୀବଙ୍କ ପଞ୍ଜରାହାଡ଼ ଭାଙ୍ଗି ଯାଇଥିବାବେଳେ ଦୁବରାଜଙ୍କ ଆଇସିୟୁରେ ଚିକିତ୍ସା ଜାରି ରହିଥିବା ଅତିରିକ୍ତ ଏସ୍ପି ମଧୁସିକ୍ତା ମିଶ୍ର ସୂଚନା ଦେଇଛନ୍ତି।
Paddy: ମଣ୍ଡି ଉପରେ ଭରସା ନାହିଁ! ଆନ୍ଧ୍ର ବେପାରୀଙ୍କୁ ଧାନ ଟେକିଦେଲେଣି ଚାଷୀ
ସୂଚନା ଅନୁଯାୟୀ, ରିଜର୍ଭ ପୁଲିସର ୮ ଜଣ କର୍ମଚାରୀ ଡ୍ୟୁଟି ସାରି ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କୁମର ଗାଁକୁ ଯାଇଥିଲେ। ସେଠାରୁ ବିଳମ୍ବିତ ରାତିରେ ଏକ ବୋଲେରୋ (ଓଡି୦୫ସିସି-୫୪୪୦)ରେ ଫେରୁଥିଲେ। ଝାରସୁଗୁଡ଼ା ସଦର ଥାନାଠାରୁ ମାତ୍ର ୧୦ ମିଟର ଦୂର ଏଚ୍. କଟାପାଲିରେ ସାମନା ପଟୁ ଆସୁଥିବା ଏକ ଚିପ୍ସ ବୋଝେଇ ଟ୍ରେଲର୍ (ସିଜି୦୪ଏଚ୍ଡବ୍ଲୁ-୬୩୮୩) ସହ ବୋଲେରୋର ଖୁବ୍ ଜୋର୍ରେ ଧକ୍କା ହୋଇଥିଲା। ଗାଡ଼ି ଭିତରେ କେବଳ ଆକାଶ ନାଏକଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ଅଚେତନ ଅବସ୍ଥାରେ ଠାବ କରିଥିଲେ ସ୍ଥାନୀୟ ଅଧିବାସୀ। ତୁରନ୍ତ ସେମାନେ ପୁଲିସକୁ ଖବର ଦେବା ସହ ସମସ୍ତ ଆହତଙ୍କୁ ଉଦ୍ଧାର କରି ଭୋର୍ ୪.୩୦ରେ ଡାକ୍ତରଖାନାକୁ ପଠାଇଥିଲେ। ମାତ୍ର ୧୫ ମିନିଟ୍ ମଧ୍ୟରେ ସକାଳ ୪.୪୫ରେ ଜଣେ ପରେ ଜଣେ ୫ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଗୁରୁତର ଆହତ ୨ ଜଣଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ମୃତ ପୁଲିସ କର୍ମଚାରୀଙ୍କ ପରିବାର ଓ ଆତ୍ମୀୟସ୍ବଜନ ଡାକ୍ତରଖାନାରେ ପହଞ୍ଚିଥିଲେ। କାନ୍ଦବୋବାଳିରେ ଡାକ୍ତରଖାନା ପରିସର ଫାଟି ପଡ଼ିଥିଲା।
ବିବାହ ଉତ୍ସବରୁ ଫେରିବା ବେଳେ ଅଘଟଣ
୩ ଗୁରୁତରଙ୍କ ଚିକିତ୍ସା ଜାରି
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ଲକ୍ଷ ଲେଖାଏଁ ସହାୟତା
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ କୁନାଲ ମୋତିରାମ ଚହ୍ବାଣ, ଏସ୍ପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାରବର୍ଗଙ୍କୁ ସାନ୍ତ୍ବନା ଦେଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହଗୁଡ଼ିକୁ ପୂର୍ବାହ୍ଣ ପ୍ରାୟ ୧୧.୧୫ରେ ରିଜର୍ଭ ପୁଲିସ ପଡ଼ିଆକୁ ଅଣାଯାଇଥିଲା। ସେଠାରେ ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଏସ୍ପି ଶ୍ରୀ ରେଡ୍ଡୀ, ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ, ଅବସରପ୍ରାପ୍ତ ଏସ୍ପି ପ୍ରଦୀପ ମହାପାତ୍ର, ଏସ୍ଡିପିଓ ଚିନ୍ତାମଣି ପ୍ରଧାନ, ଉମାଶଙ୍କର ସିଂହ, ସମସ୍ତ ଥାନାର ଥାନା ଅଧିକାରୀ ଓ ପୁଲିସ କର୍ମଚାରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ମରଶରୀରଗୁଡ଼ିକୁ ନିଜ ନିଜ ଗାଁ ଅଭିମୁଖେ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ମୃତ କାଶୀରାମ ଭୋଇଙ୍କ ଘର ଚାରପାଲି ପଞ୍ଚାୟତ ଅଧୀନ ସାଗରପାଲି ଗାଁରେ ହୋଇଥିବାବେଳେ ନିରଞ୍ଜନ କୁଜୁରଙ୍କ ଘର ସୁନ୍ଦରଗଡ଼, ଦେବଦତ୍ତ ସାଙ୍କ ଘର ଟାଙ୍ଗରପାଲି, ଲିଙ୍ଗରାଜ ଧୁରୁଆଙ୍କ ଘର ଲଖନପୁର ପଞ୍ଚାୟତ ଅଧୀନ ମାଉଳିବେର୍ଣ୍ଣା ଓ ଭକ୍ତବନ୍ଧୁ ମିର୍ଦ୍ଧାଙ୍କ ଘର କୁମ୍ଭାରବନ୍ଧ ଗ୍ରାମରେ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ଆଜି ଝାରସୁଗୁଡ଼ା ସହର ଶୋକରେ ବୁଡ଼ିବା ସହ ରାସ୍ତାଘାଟ ଏକପ୍ରକାର ଶୂନଶାନ୍ ହୋଇଯାଇଥିଲା।
Young Man Death Truck Accident ମାଡ଼ିଗଲା ଟ୍ରକ୍, ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ
ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ
ଦୁର୍ଘଟଣାରେ ୫ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ନେଇ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ପ୍ରାଣହାନି ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
Follow Us