ବ୍ୟାସନଗର: ଯାଜପୁର ତଥା ଓଡ଼ିଶାରେ ବ୍ୟାସସରୋବର ପ୍ରକଳ୍ପକୁ ଆକର୍ଷଣୀୟ କରାଯାଇଥିଲା। ଏଥିପାଇଁ ପୂର୍ବ ସରକାରଙ୍କ ସମୟରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍)ରୁ ୬୪ କୋଟି ଟଙ୍କା ଖର୍ଚ୍ଚ କରାଗଲା। ୨୯୪ ଏକର ଜମିରେ ମହାଭାରତର କଥାବସ୍ତୁ, ପୌରାଣିକ ଗାଥା, ସୁନ୍ଦର ଉଦ୍ୟାନ, ପୁଷ୍କରିଣୀ, ନୌକାବିହାର କରିବାକୁ ବ୍ୟବସ୍ଥା ହୋଇଥିଲା। ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରମୁଖ କେନ୍ଦ୍ର ହେବ ବୋଲି ସମସ୍ତ ଯୋଜନା ହୋଇଥିଲା। ଏହି ସୁନ୍ଦର ପ୍ରକଳ୍ପକୁ ଗତବର୍ଷ ଫେବ୍ରୁଆରି ମାସରେ ମୁଖ୍ୟମନ୍ତ୍ରୀ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିଥିଲେ। ତେବେ ଉଦ୍ଘାଟନର ବର୍ଷକ ଭିତରେ ଏହି ପ୍ରକଳ୍ପର ସୌନ୍ଦର୍ଯ୍ୟୀକରଣ ଫିକା ପଡ଼ିଛି। କଳାକୃତି ସବୁ ନଷ୍ଟ ହୋଇଗଲାଣି। କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ (କେଏନ୍ଡିଏ)ଙ୍କ ଦାୟିତ୍ବହୀନତା ପାଇଁ ଏହି ବୃହତ୍ ପ୍ରକଳ୍ପ ଓ ଖଣିଜ ପାଣ୍ଠିର ୬୪ କୋଟି ଟଙ୍କା ଅକାରଣ ନଷ୍ଟ ହେବାକୁ ବସିଛି।
ତଥ୍ୟ ମୁତାବକ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିରୁ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା। ମହାଭାରତର କଥାବସ୍ତୁ ଆଧାରରେ ବ୍ୟାସସରୋବର ପୀଠର ବିକାଶ ହୋଇଥିଲା। ଏଠାରେ ପୂର୍ବରୁ ରହିଥିବା ଗୁପ୍ତଗଙ୍ଗା ପାଣ୍ଡବ-କୌରବଙ୍କ ପ୍ରତିମୂର୍ତ୍ତିର ଉନ୍ନତୀକରଣ କରାଯାଇଥିଲା। ଭୀଷ୍ମଙ୍କ ଶରଶଯ୍ୟା, ଅଭିମନ୍ୟୁଙ୍କ ଚକ୍ରବ୍ୟୂହ, ସୁଦର୍ଶନ ଚକ୍ର ଓ ଅନ୍ୟ ଶିଳାଖଣ୍ଡରେ କଳାକୃତି ସ୍ଥାନ ପାଇଥିଲା। ଶ୍ରୀକୃଷ୍ଣଙ୍କ ବିଶ୍ବରୂପକୁ ମଧ୍ୟ ଏଠାରେ ସ୍ଥାନ ଦିଆଯାଇଥିଲା। ଏହାର ରୂପରେଖ ବେଶ୍ ଆକର୍ଷଣୀୟ ହୋଇଥିଲା।
Environment Warriors: ପରିବେଶ ଯୋଦ୍ଧା: ସ୍ବଚ୍ଛତାର ପୂଜାରୀ ଉବାଚକ
ନିର୍ମାଣର ବହୁଦିନ ପରେ ୨୦୨୫ ଫେବ୍ରୁଆରିରେ ସରୋବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକାର୍ପିତ କରିଥିଲେ। ଉଦ୍ଘାଟନର ବହୁଦିନ ପର୍ଯ୍ୟନ୍ତ ଏଥିରେ ତାଲା ଝୁଲାଇ ରଖାଯାଇଥିଲା। ପରେ ସାଧାରଣ ଲୋକଙ୍କ ପାଇଁ (ପ୍ରବେଶ ଶୁଳ୍କ ୨୦ ଟଙ୍କା) ଧାର୍ଯ୍ୟ କରାଯାଇ ଏହା ଖୋଲିଥିଲା। ଏବେ ଏହାର ରକ୍ଷଣାବେକ୍ଷଣ କରାଯାଉନାହିଁ। ଫୁଲ ବଗିଚା ନଷ୍ଟ ହୋଇଯାଇଛି। ମୂର୍ତ୍ତି ଓ ଅସ୍ତ୍ରଶସ୍ତ୍ରରୁ ରଙ୍ଗ ଛାଡ଼ି ଭାଙ୍ଗିରୁଜି ଗଲାଣି। ବ୍ୟାସଦେବଙ୍କ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଜଳରାଶିରେ ବୋଟିଂ ବ୍ୟବସ୍ଥା କରିବାକୁ ଯୋଜନା ଥିଲେ ବି ତାହା ଏଯାଏଁ ଆରମ୍ଭ ହୋଇପାରିନାହିଁ। ଆଲୋକୀକରଣ ମଧ୍ୟ ଅସଂପୂର୍ଣ୍ଣ ରହିଛି। କେଏନଡିଏ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲେ ବି ଏହାର ସଫେଇ କରୁନାହିଁ। ସେହିପରି ସହର ଭିତରେ ୩ କୋଟି ଟଙ୍କାରେ ନିର୍ମିତ ବାୟୋମାଇନିଂ ପାର୍କ ଏବେ ଘାସବଣ ପାଲଟିଛି। ରକ୍ଷଣାବେକ୍ଷଣ ନହେଲେ ବ୍ୟାସସରୋବର ପ୍ରକଳ୍ପର ସମାନ ସ୍ଥିତି ଉପୁଜିବ ବୋଲି ବୁଦ୍ଧିଜୀବୀ ଆଶଙ୍କା କରୁଛନ୍ତି। ସଂପୂର୍ଣ୍ଣ ନଷ୍ଟ ହେବା ପୂର୍ବରୁ ତୁରନ୍ତ ଏହାର ପୁନରୁଦ୍ଧାର କରିବାକୁ ସହରବାସୀ ମତ ଦେଇଛନ୍ତି।
Follow Us