ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରୁ ବ୍ୟାପକ ପଥର ଲୁଟ୍ ହେଉଛି। ବଡ଼ବଡ଼ ପାହାଡ଼ରୁ ମାଫିଆମାନେ ବେଧଡ଼କ ପଥର ଖୋଳି ନେଉଛନ୍ତି। କେତେକ ପାହାଡ଼ର ଚିହ୍ନବର୍ଣ୍ଣ ନଥିବା ବେଳେ ଉକ୍ତ ସ୍ଥାନ ଏବେ ଜଳାଶୟ ପାଲଟିଛି। ଦିନେ ଯେଉଁଠି ବିଶାଳ ପାହାଡ଼ ଠିଆ ହୋଇଥିଲା ସେଠି ଏବେ ପୋଖରୀ ସୃଷ୍ଟି ହୋଇଛି। ବର୍ଷ କେଇଟା ଭିତରେ ଏଭଳି ସ୍ଥିତି ସମସ୍ତଙ୍କୁ ହତବାକ୍ କରିଛି। ଏ ସଂପର୍କରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ଅସାଧୁ ମେଣ୍ଟକୁ ରୋକା ଯାଇପାରିନାହିଁ।
The shaliyapatni: ବିଲୁପ୍ତ ହୋଇଗଲେଣି ଶାଳିଆପତନି!
ଆନନ୍ଦପୁର ତହସିଲ ଅଧୀନ ବନ୍ଧ ଗାଁରେ ସବୁଜ ପରିବେଶ ମଧ୍ୟରେ ଏକ ବଡ଼ ପାହାଡ଼ ରହିଥିଲା। ଏହା ସ୍ଥାନୀୟ ଲୋକଙ୍କ ଭାବାବେଗ ସହ ମଧ୍ୟ ଜଡ଼ିତ ଥିଲା। ୨୦୧୨ରେ ୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣ କରୁଥିବା ଏକ କମ୍ପାନି ଏହି ପାହାଡ଼ରୁ ପଥର ଖନନ ପାଇଁ ଲିଜ୍ ସୂତ୍ରରେ ନେଇଥିଲା। ଏଠାରୁ ପଥର ଖନନ କରାଯାଇ ପାଣିକୋଇଲି-ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣରେ ବ୍ୟବହାର କରାଯାଇଥିଲା। ଅବଧି ସରିବା ପରେ ଏଠାରୁ କ୍ରସର୍ ୟୁନିଟ୍ ଉଠି ଯାଇଥିଲା। ଏବେ ଏହି ସ୍ଥାନରେ ଆଉ ପାହାଡ଼ର ଚିହ୍ନବର୍ଣ୍ଣ ନାହିଁ। ଜନବସତି ତଥା ଗୋଚର ଜମି ନିକଟରେ ୧୦୦ରୁ ୧୫୦ ଫୁଟ ଗଭୀରର ଜଳାଶୟ ସୃଷ୍ଟି ହୋଇଛି। ଯାହା ଗୃହପାଳିତ ପଶୁ, ବନ୍ୟଜନ୍ତୁ ଓ ସ୍ଥାନୀୟ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏହି ଜଳାଶୟକୁ ପୋତିବା ପାଇଁ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହିପରି ମଦନପୁର କାଜୁ ଜଙ୍ଗଲରୁ ବେଆଇନ ମୋରମ ଓ ମାଙ୍କଡ଼ାପଥର ଚାଲାଣ ନେଇ ଗ୍ରାମବାସୀ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ର ଦ୍ବାରସ୍ଥ ହୋଇଥିଲେ। ମାମଲାର ବିଚାର କରି ୭ କୋଟି ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଆଦାୟ କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଥିଲେ। ଯାହା ଏଯାଏଁ ଆଦାୟ ହୋଇପାରିନି।
Under: ଗଛମୂଳେ, ପାଲତଳେ ଅଙ୍ଗନବାଡ଼ି
ଆନନ୍ଦପୁର ବ୍ୟାରେଜ୍ ନିର୍ମାଣ ପରେ ବୈତରଣୀ ସୁରକ୍ଷା ବନ୍ଧରେ ଚୋରା ପଥର ବ୍ୟବହାର ହୋଇଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ୨୦୨୩ ଅକ୍ଟୋବର ୧୭ରେ କେନ୍ଦୁଝର ବିଧାୟକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଧାନସଭା ପବ୍ଲିକ୍ ଆକାଉଣ୍ଟସ୍ କମିଟିର ଏକ ଟିମ୍ ଆସି ଏହାର ତଦନ୍ତ କରିଥିଲା। ଏହି କମିଟି ଓସ୍ତପୁରା ଓ ଭୋଳନୂଆଗାଁ ପାହାଡ଼ ପରିଦର୍ଶନ କରି ଏଠାରେ ବେଆଇନ ଖନନ ଯୋଗୁଁ ସୃଷ୍ଟି ହୋଇଥିବା ବଡ଼ ପୋଖରୀ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ହେଲେ ତତ୍କାଳୀନ ସରକାରଙ୍କ ଚାପରେ କାର୍ଯ୍ୟାନୁଷ୍ଠାନ ଅଟକି ଯାଇଥିଲା। ଆନନ୍ଦପୁର ଉପଖଣ୍ଡରେ ହୋଇଥିବା ବେଆଇନ ପଥର ଚାଲାଣର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Follow Us