ନୂଆଦିଲ୍ଲୀ: ସରକାର ଆଇଡିବିଆଇ ବ୍ୟାଙ୍କ୍‌ ଲିମିଟେଡ୍‌ରେ ଥିବା ଏହାର ଅଂଶଧନକୁ ବିକ୍ରି କରିବାକୁ ଚାହୁଛନ୍ତି। ବ୍ୟାଙ୍କ୍‌ରେ ସରକାରଙ୍କ ୭.୧ ବିଲିୟନ୍‌ ଡଲାର (ଯାହାକି ୬୦.୭୨% ସହ ସମାନ) ଅଂଶଧନ ରହିଛି। ନିଲାମ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି। ପୂର୍ବରୁ ସମସ୍ୟାରେ ଥିବା ଏହି ବ୍ୟାଙ୍କ୍‌କୁ ଘରୋଇକରଣ କରିବା ଏବଂ ଏହାର ବିନିଯୋଗ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଦୀର୍ଘଦିନ ଧରି ଚାଲି ଆସୁଥିବା ଉଦ୍ୟମରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ସୂତ୍ରାନୁସାରେ, ସମ୍ଭାବିତ କ୍ରେତାଙ୍କ ସହ ଆଲୋଚନା ଆଡ୍‌ଭାନ୍ସ ଷ୍ଟେଜ୍‌ରେ ରହିଛି। ଏହି ମାସରେ ବିଡିଂ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି କୁହାଯାଉଛି। ଯଦି ସବୁକିଛି ଠିକ୍‌ଠାକ୍‌ ଚାଲେ, ତେବେ ଅନେକ ଦଶନ୍ଧି ପରେ କୌଣସି ଏକ ସରକାରୀ ବ୍ୟାଙ୍କ୍‌ର ଏହା ପ୍ରଥମ ଘରୋଇକରଣ ହେବ।

Advertisment

ଆହୁରି ପଢ଼ନ୍ତୁ-ED Action: ଅନୀଲ ଅମ୍ବାନିଙ୍କ ୧୧୨୦ କୋଟିର ସମ୍ପତ୍ତି ଜବତ

ଏହି କିଛି ବର୍ଷଗୁଡ଼ିକରେ ବ୍ୟାଙ୍କ୍‌ର ଅବସ୍ଥା ସୁଧୁରିଛି:

ମୁମ୍ବାଇ ସ୍ଥିତ ଏହି ବ୍ୟାଙ୍କ୍‌ରେ ସରକାର ଏହାର ୬୦.୭୨% ଅଂଶଧନ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାର ମୂଲ୍ୟ ଆଇଡିବିଆଇ ବ୍ୟାଙ୍କ୍‌ର ବର୍ତ୍ତମାନର ବଜାର ମୂଲ୍ୟରେ ପ୍ରାୟ ୭.୧ ବିଲିୟନ୍‌ ଡଲାର ହେବ। ଋଣଭାରରେ ବୁଡ଼ି ରହିଥିବା ଏହି ବ୍ୟାଙ୍କ୍‌ ଗତ କିଛି ବର୍ଷ ମଧ୍ୟରେ କ୍ଲିନ୍‌ଅପ୍‌ ପରିସ୍ଥିତିରୁ ଉଠିଛି। କ୍ୟାପିଟାଲ୍‌ ସ‌ପୋର୍ଟ ଓ ଦ୍ରୁତ ରିକଭରି ଏହାକୁ ନନ୍‌-ପର୍‌ଫର୍‌ମିଂ ଆସେଟ୍‌ରେ ଦ୍ରୁତ ହ୍ରାସ କରିବା ପରେ ବ୍ୟାଙ୍କ ଲାଭଦାୟକ ସ୍ଥିତିରେ ପହଞ୍ଚିଥିଲା।


କେତେ ଦିନ ମଧ୍ୟରେ ହେବ ପ୍ରାଇଭେଟାଇଜେସନ୍‌?

ଯେହେତୁ ବ୍ୟାଙ୍କ୍‌ଟି ଏବେ ଲାଭଦାୟକ ସ୍ଥିତିରେ ଅଛି, ବକେୟା ଋଣ ପରିଶୋଧ କରୁଛି ଏବଂ ଏହାର ବାଲାନ୍ସ-ସିଟ୍‌ ପୂର୍ବଠାରୁ ଭଲ ସ୍ଥିତିରେ ଅଛି, ସେଥିପାଇଁ ସରକାର ଏବେ ଏହାକୁୁ ଘରୋଇକରଣ କରିବାକୁ ପ୍ରସ୍ତୁତ ଅଛନ୍ତି। ତଥାପି, ନିୟାମକ ଅନୁମୋଦନ ପାଇବାରେ ବିଳମ୍ବ ଓ ଅନ୍ୟାନ୍ୟ ଅସୁବିଧା ଯୋଗୁଁ ସରକାର ବିକ୍ରି ସମାପ୍ତିର ପୂର୍ବ ସମୟସୀମା ହରାଇଛନ୍ତି। ଘରୋଇକରଣ ମାର୍ଚ୍ଚ ୨୦୨୬ ସୁଦ୍ଧା ସମାପ୍ତ ହେବ ବୋଲି ସରକାର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ- Education: ପରିବର୍ତ୍ତନ ‌ହୋଇପାରେ ସ୍କୁଲ ପାଠ୍ୟପୁସ୍ତକ, ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

ନିଲାମ ଦୌଡ଼ରେ କେଉଁମାନେ ସାମିଲ ଅଛନ୍ତି?

ସର୍ଟଲିଷ୍ଟେଡ୍‌ ବିଡର୍‌ମାନେ ଏବେ ବ୍ୟାଙ୍କ୍‌ର ଡ୍ୟୁ ଡିଲିଜେନ୍ସ ଅର୍ଥାତ୍‌ ବ୍ୟାଙ୍କ୍‌କୁ  ପୁଙ୍ଖାନୁପୁଙ୍ଖ ପରୀକ୍ଷଣ କରୁଛନ୍ତି। କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ୍‌ ଲିମିଟେଡ୍‌, ଏମିରେଟ୍‌ସ ଏନ୍‌ବିଡି ପିଜେଏସ୍‌ସି ଓ ଫେୟାର୍‌ଫ୍ୟାକ୍ସ ଫାଇନାନ୍ସିଆଲ୍‌ ହୋଲ୍ଡିଂସ୍‌ ଲିମିଟେଡ୍‌ ବ୍ୟାଙ୍କ୍‌କୁ ଅଧିଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କେନ୍ଦ୍ରସରକାର ଓ ରାଷ୍ଟ୍ରାୟତ୍ତ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ମିଳିତ ଭାବେ ଆଇଡିବିଆଇ ବ୍ୟାଙ୍କ୍‌ରେ ପ୍ରାୟ ୯୫% ଅଂଶଧନ ରଖିଛନ୍ତି। ସରକାର ବ୍ୟାଙ୍କ୍‌ରେ ଏହାର ୩୦.୪୮% ଅଂଶଧନ ବିକ୍ରି କରିବେ ଏବଂ ଏଲ୍‌ଆଇସି ପରିଚାଳନା ନିୟନ୍ତ୍ରଣ ହସ୍ତାନ୍ତର ସହିତ ଏହାର ୩୦.୨୪% ଅଂଶଧନ ବିକ୍ରି କରିବ।

ଗ୍ରାହକମାନଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ?

ବ୍ୟାଙ୍କ୍‌ର ବିକ୍ରି ଓ ଘରୋଇକରଣ ହେବା ପରେ, ନିଃସନ୍ଦେହରେ ଅନେକ ପରିବର୍ତ୍ତନ ହେବ। କିନ୍ତୁ ଏହା ବ୍ୟାଙ୍କ୍‌ର ଆକାଉଣ୍ଟଧାରୀଙ୍କୁ ପ୍ରଭାବିତ କରିବନାହିଁ। ବ୍ୟାଙ୍କ୍‌ ଆକାଉଣ୍ଟ ଓ ଋଣ ପରିମାଣ ସମାନ ରହିବ। ଓଲଟା, ଘରୋଇକରଣ ପରେ ଗ୍ରାହକମାନେ ଆହୁରି ଭଲ ସୁବିଧା ପାଇପାରନ୍ତି। କିଛି ଛୋଟମୋଟ ପରିବର୍ତ୍ତନ କରିବାକୁ ପଡ଼ିପାରେ, ଯେମିତିକି ଲଗ୍‌ଇନ୍‌ ଆଇଡି ବଦଳ କିମ୍ବା ଚେକ୍‌ବୁକ୍‌ ବା ପାସ୍‌ବୁକ୍‌ରେ ପରିବର୍ତ୍ତନ। ଏହା ଭବିଷ୍ୟତରେ ବ୍ୟାଙ୍କ୍‌ର ସେୟାର୍‌କୁ ମଧ୍ୟ ପ୍ରଭାବିତ କରିପାରେ।