ନୂଆଦିଲ୍ଲୀ: ଦେଶର ତିନିଟି ବନ୍ଦରକୁ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍‌ ଭାବେ ବିକାଶ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ସେହି ତାଲିକାରେ ଓଡ଼ିଶାର ପାରାଦୀପ, ଗୁଜରାଟର କାଣ୍ଡ୍‌ଲା ଓ ତାମିଲନାଡ଼ୁର ଟୁଟିକୋରିନ ବନ୍ଦରର ନାମ ରହିଛି। ଏହି ତିନି ବନ୍ଦରକୁ ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ ଓ ଗ୍ରିନ୍ ମିଥାନଲ୍‌ ପାଇଁ ରପ୍ତାନି ହବ୍ ଭାବେ ବିକାଶ କରାଯିବ।

Advertisment

ଆସନ୍ତା ସାତ ବର୍ଷ ଭିତରେ ଏହି କାର୍ଯ୍ୟ ସମ୍ପାଦିତ ହେବ। ୨୦୩୦ ସୁଦ୍ଧା ବାର୍ଷିକ ୫ ନିୟୁତ ଟନ୍ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି କରିବା ଲାଗି ସରକାର ଏକ ମହତ୍ବକାଂକ୍ଷୀ ଲକ୍ଷ୍ୟ ରଖିଛନ୍ତି। ତେବେ ସରକାର ଚିହ୍ନଟ କରିଥିବା ବନ୍ଦରଗୁଡ଼ିକରେ ଏହି ପରିବେଶ ମିତବ୍ୟୟୀ ଇନ୍ଧନଗୁଡ଼ିକର ସଂରକ୍ଷଣ, ପରଚାଳନା ଓ ବଙ୍କରିଂ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯିବ। ଗ୍ରିନ୍ ହାଇଡ୍ରୋଜେନ୍ ଓ ଡେରିଭେଟିଭ୍ ଉତ୍ପାଦନକାରୀଙ୍କୁ ପାରାଦୀପ ବନ୍ଦର ନିକଟରେ ଜମି ଆବଣ୍ଟନ କରିବା ଉପରେ ଓଡ଼ିଶା ସରକାର କାର୍ଯ୍ୟ କରୁଛନ୍ତି। ଗ୍ରିନ୍ ଆମୋନିଆ ପରିଚାଳନା କରିବା ଲାଗି ମଧ୍ୟ ଭିତ୍ତିଭୂମି ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଜାହାଜ ମନ୍ତ୍ରାଳୟଠାରୁ ୩୨୫ କୋଟି ଟଙ୍କାର ଅନୁଦାନ ପାଇଁ ନିବେଦନ କରାଯାଇଛି।