ଭୋଟ ବାଣିଜ୍ୟ
ସରୋଜ କୁମାର ସାମଲ
ସମ୍ବାଦ ସଂପାଦକୀୟ ପୃଷ୍ଠା ପଢ଼ିବା ପାଇଁ କ୍ଲିକ୍ କରନ୍ତୁ:
https://sambadepaper.com/epaper/1/71/2026-02-18/1
‘ଗୋରାଙ୍କ ବୋଝ’- ନିଜ କାନ୍ଧକୁ ଦାୟିତ୍ବର ଜୁଆଳି ନେଇଥିବା ଏକ ପ୍ରବଞ୍ଚନା ଥିଲା। ସାମ୍ରାଜ୍ୟବାଦୀ ଅହଂର ଆସ୍ଫାଳନ- ଅସଭ୍ୟ ଭୂଖଣ୍ଡକୁ ସଭ୍ୟ କରିବେ। ଏହି ତଥାକଥିତ ଐଶ୍ବରୀୟ ଭୂମିକାର ସଂପାଦନ ପାଇଁ ବ୍ରିଟିସ ରାଣୀ ଅଧିକାଂଶ ପୃଥିବୀର ମହାରାଣୀ ହେବେ। ଆଭରଣହୀନ ଏହି ଘୋଷଣାର କଥିତ ଲକ୍ଷ୍ୟ ଥିଲା, ସ୍ବଶାସନ ପରିବର୍ତ୍ତେ ସୁଶାସନ। କିନ୍ତୁ ମୁକ୍ତିକାମୀ ସମୁଦାୟ ତୃତୀୟ ବିଶ୍ବରେ ଆତ୍ମାର ଡାକ ହେଲା, ସ୍ବଶାସନ ହିଁ ସୁଶାସନ ଆଣିପାରିବ। ନିଜ ଦ୍ବାରା ନିଜେ ଶାସିତ ହେବାର ସର୍ବୋତ୍କୃଷ୍ଟ ପନ୍ଥା ହେଲା, ପ୍ରତିନିଧିତ୍ବ। ଚୟନ ପ୍ରକ୍ରିୟା ହେଲା ନିର୍ବାଚନ। ୧୯୦୯ ମର୍ଲେ-ମିଣ୍ଟୋ ଶାସନ ସଂସ୍କାରରେ ସଂପତ୍ତି ଓ ଶିକ୍ଷା ଭିତ୍ତିରେ ମାତ୍ର ଶତକଡ଼ା ଏକ ଭାଗ ଲୋକଙ୍କୁ ଭୋଟ ଦାନର ଅଧିକାର ମିଳିଲା। ଭାରତ ସରକାରଙ୍କ ଆଇନ, ୧୯୧୯ରେ ଏହା ଆଉ ଟିକିଏ ପ୍ରଶସ୍ତ ହେଲା। ସ୍ବାଧୀନତା ଆନ୍ଦୋଳନର ବିସ୍ତାର ଓ ଘନୀକରଣ ଦ୍ବାରା ୧୯୩୫ର ଆଇନରେ ରାଜ୍ୟ ପରିଷଦ ଓ ସଂଘୀୟ ସଭା ପାଇଁ ପ୍ରତିନିଧି ବାଛିବାର ଅଧିକାର ପ୍ରାୟ ଶତକଡ଼ା ୧୩ ଭାଗ ଲୋକଙ୍କୁ ପ୍ରାପ୍ତ ହେଲା। ସ୍ବାଧୀନତା ଆନ୍ଦୋଳନର ମହାମଞ୍ଚ ଥିଲା, ବ୍ୟକ୍ତି ସ୍ବାତନ୍ତ୍ର୍ୟ, ଅଧିକାର ଓ ଗୋଷ୍ଠୀଗତ ପରିଚୟର ସମନ୍ବୟ ସ୍ଥଳୀ। ତା’ର ରୂପ ଦିଆଗଲା ସଂବିଧାନରେ। ଶାସନ ବିଧାନ ପ୍ରସ୍ତୁତି ସଭା ସାର୍ବଜନୀନ ସାବାଳକ ଭୋଟାଧିକାରର ସଂକଳ୍ପ ନେଲା। ଫଳତଃ ସଂବିଧାନର ଧାରା ୩୨୫ରେ ବର୍ଗ ନିର୍ବିଶେଷରେ ୧୮ କିମ୍ବା ତା’ ଠାରୁ ଅଧିକ ବୟସ୍କ ନାଗରିକଙ୍କୁ ସମାନ ଭୋଟାଧିକାର ପ୍ରଦତ୍ତ ହୋଇଛି। ଧାରା ୩୨୬ ସଂସଦ ଓ ରାଜ୍ୟ ବିଧାନସଭା ପାଇଁ ନିର୍ବାଚିତ ପ୍ରତିନିଧିତ୍ବର ବ୍ୟବସ୍ଥାକୁ ଆଇନଗତ ଭାବରେ ସୁନିଶ୍ଚିତ କରିଛି। ପଞ୍ଚୟତିରାଜରେ ତ୍ରିସ୍ତରୀୟ ପ୍ରତିନିଧିତ୍ବ ଓ ସହରାଞ୍ଚଳରେ ସ୍ବାୟତ୍ତ ଶାସନ ପାଇଁ ଅନୁରୂପ ବିଧାନ କରାଯାଇଛି। ସଂବିଧାନର ଧାରା ୨୪୩ରେ ଏହାର ବିସ୍ତୃତ ବିନ୍ୟାସ ହୋଇଛି। ଫରାସୀ ବିପ୍ଳବ ପରବର୍ତ୍ତୀ ପୃଥିବୀରେ ନ୍ୟାୟ, ମୁକ୍ତି ଓ ସମାନତା ବ୍ୟକ୍ତି, ଗୋଷ୍ଠୀ ଓ ଜାତିର ପରମ ଧ୍ୟେୟ ହୋଇଥିଲା। ଫଳତଃ, ଊନବିଂଶ ଓ ବିଂଶ ଶତାବ୍ଦୀରେ ଜାତୀୟତାର ରାଜନୀତିକୁ ସ୍ବତନ୍ତ୍ରତା ଓ ସ୍ବାଧୀନତାର ହୋମାଗ୍ନିରେ ଉଷ୍ଣ କରିଥିଲା। ଗଣ-ଅଭ୍ୟୁଦୟରୁ ଜନ୍ମ ନେଇଥିଲା ଗଣତନ୍ତ୍ର। କେଉଁଠି ସଫଳ ତ କେଉଁଠି ବିଫଳ, ପୁଣି କେଉଁଠି ବିପଥଗାମୀ। ଆମ ଦେଶରେ ନାଗରିକଙ୍କର ଏବଂ ନାଗରିକଙ୍କ ପାଇଁ ନିବେଦିତ ବୋଲି ଘୋଷିତ ଏହି ତନ୍ତ୍ରର ସଫଳତାକୁ ମାପିବା ପାଇଁ ଦୁଇଟି ବିେଶ୍ଳଷକ ହିଁ ଯଥେଷ୍ଟ। ଗୋଟିଏ ହେଉଛି ନିର୍ବାଚନର ପ୍ରକ୍ରିୟା। ଅନ୍ୟଟି ହେଉଛି ସଂସଦ ବା ବିଧାନସଭାର କାର୍ଯ୍ୟବାହୀ ସ୍ବରୂପ। କିନ୍ତୁ ପ୍ରଥମଟି ହିଁ ହେଉଛି ଜନ୍ମବେଦି। ତା’ର ପବିତ୍ରତା ଉପରେ ନିର୍ଭରଶୀଳ ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥାର ଉତ୍ତରଦାୟୀ କାର୍ଯ୍ୟକାରିତା।
ଆମର ସାଂବିଧାନିକ ବ୍ୟବସ୍ଥା, ନିଷ୍ପକ୍ଷ ନିର୍ବାଚନ ପାଇଁ ଆଇନକାନୁନ, ଆୟୋଗଗୁଡ଼ିକର ଢାଞ୍ଚାକୁ ଦେଖିଲେ, ପୃଥିବୀରେ ଅପେକ୍ଷାକୃତ ଭାବରେ ସର୍ବୋତ୍କୃଷ୍ଟ ବ୍ୟବସ୍ଥା ବୋଲି କୁହାଯାଇ ପାରିବ। ବ୍ୟବସ୍ଥାର ଏହି ଆନୁଷଙ୍ଗିକ ବିପୁଳତା ଓ ରମ୍ୟତା ପାଇଁ, ଅବକ୍ଷୟମୁଖୀ ହେଲେ ମଧ୍ୟ ଭାରତୀୟ ଗଣତନ୍ତ୍ରର ଗୌରବମୟ ଯାତ୍ରା ଚାଲିଛି ୧୯୫୨ରୁ। ୧୭.୩୨ କୋଟି ନିର୍ବାଚକଙ୍କ ସଂଖ୍ୟା ଗତ ସାଧାରଣ ନିର୍ବାଚନରେ ପ୍ରାୟ ୯୭ କୋଟିରେ ପହଞ୍ଚିଛି। ଏହି ମହାନ ଜାତୀୟ ପର୍ବର ପ୍ରଥମ କାଣ୍ଡାରୀ ସୁକୁମାର ସେନଙ୍କ ଦକ୍ଷ ତତ୍ତ୍ବାବଧାନ ଓ ପରିଚାଳନାରେ ମାତ୍ର ଶତକଡ଼ା ୧୬ ସ୍ବାକ୍ଷରଙ୍କ ଦେଶରେ ସଂଘଟିତ ୧୯୫୨ ନିର୍ବାଚନର ପ୍ରକ୍ରିୟା ଓ ପରିଣତି ବିଷୟରେ ସବୁ ଆଗୁଆ ଦେଶରେ ଉତ୍କଣ୍ଠା ଥିଲା। ଆମେରିକୀୟ ରାଜଦୂତ ଚେଷ୍ଟର ବାଉଲ୍ସ ଯେତେ ବୁଥ୍ରୁ ବୁଥ୍ ଘୂରି ବୁଲୁଥିଲେ, ମହିଳା, ପୁରୁଷ, ଯୁବକ, ବୃଦ୍ଧ, ତତ୍କାଳୀନ ସ୍ପୃଶ୍ୟ-ଅସ୍ପୃଶ୍ୟଙ୍କ ଲମ୍ବା ଧାଡ଼ିରେ ମିଳିତ ଉତ୍ସାହର ଢେଉ ଦେଖି ସେତେ ଆଶ୍ଚର୍ଯ୍ୟଚକିତ ହେଉଥିଲେ। ତାଙ୍କର ସଂକ୍ଷେପୋକ୍ତି ଥିଲା, ‘‘ଶାସିତଙ୍କ ସମ୍ମତିରେ ଶାସକର ଚୟନ ପାଇଁ ଏହାଠାରୁ ମହତ୍ତର ଓ ବୃହତ୍ତର ଦୃଶ୍ୟ ନା ଚକ୍ଷୁରେ ନା ମାନସରେ ମୋ ପାଇଁ ଜୁଟିବାର ଆଉ ଅବକାଶ ଆସିବ ନାହିଁ।’’
ବିଡ଼ମ୍ବନାର ବିଷୟ ହେଉଛି, ନିର୍ବାଚନର ଆନୁଷ୍ଠାନିକ ସଂରଚନା ତ ଠିକ୍ ଅଛି, କିନ୍ତୁ ତା’ର ଆତ୍ମା ଓ ମର୍ମରେ ଚରମ ଅବକ୍ଷୟ ହୋଇଛି। ଖଣ୍ଡିତ ଓ କ୍ଷୁଣ୍ଣ ଗୌରବ ଅନ୍ତର୍ଦୃଷ୍ଟି ପାଇଁ ବାଧ୍ୟ କରୁଛି। ଆମର ଭାଗ୍ୟ ଓ ଭବିତବ୍ୟ ସହିତ ପ୍ରଥମ ପରୀକ୍ଷାର ସନ୍ଧିକ୍ଷଣରେ, ପେଟିକା ଭିତରୁ ଉନ୍ମୀଳିତ ହେଉଥିବା ସମ୍ଭାବନାର ଅଙ୍କୁରଟିର ଶ୍ରେୟ ସବୁ ବ୍ୟୁରୋକ୍ରାସି ଉପରେ ଢାଳି ଦେଇଥିଲେ ସମାଜତତ୍ତ୍ବବିତ୍ ଡି. ପି. ମୁଖାର୍ଜୀ। ଆଜି ସେହି ଅମଲାତନ୍ତ୍ର କ’ଣ, ନିର୍ବାଚନ ଆୟୋଗ ମଧ୍ୟ କିଛିକିଛି ମୀମାଂସିତ। ଆପଣା ଚିନ୍ତା ସର୍ବସ୍ବତା, ଖାଲି ଖାଉଟି ହୋଇ ବଞ୍ଚି ରହିବାର ବଜାର ମାନସିକତା ଅମଲାତନ୍ତ୍ରର ମେରୁଦଣ୍ଡକୁ ପ୍ରତି ନିୟତ ଆଘାତ ଦେଇ ଚାଲିଛି। ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିଜର ଦାୟକୁ ଅଲିଭା କରି ରଖିବାର ମାନସିକତା ଅଧିକରୁ ଅଧିକ ଅପସରି ଯାଉଛି। ପ୍ରଦୂଷଣ ଆରମ୍ଭ ହୋଇଯାଉଛି ନିର୍ଘଣ୍ଟ ଘୋଷଣାର ବହୁ ପୂର୍ବରୁ। ସରକାର ନିଜେ ଦଳର ପ୍ରତିରୂପ ହୋଇ ଉଭା ହେଉଛନ୍ତି। ରାଜନୈତିକ ଘୋଷଣା ସରକାରୀ ନୀତି ହୋଇଯାଉଛି। ନୀତି ପାଇଁ ବୁଦ୍ଧି, ବୌଦ୍ଧିକତା ଓ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ନାହିଁ। କ୍ଷମତାସୀନ ଦଳର ଭୋଟ ଜିତିବା କୌଶଳ ହେଉଛି, ଦେଶ ଓ ରାଜ୍ୟର ଭବିଷ୍ୟତ ପାଇଁ ସରକାରୀ ନୀତି, ରାଜ୍ୟ ଆଉ ଜାତୀୟ ସ୍ତରରେ ଲୋକଙ୍କ ଏକାଉଣ୍ଟକୁ ସିଧା ଅର୍ଥ ପ୍ରଦାନ। ବ୍ୟୁରୋକ୍ରାଟ୍ମାନେ ସଂପୂର୍ଣ୍ଣ ବଶମ୍ବଦ। ଔଚିତ୍ୟ ସଂକ୍ରାନ୍ତରେ ଧାଡ଼ିକିଆ ମନ୍ତବ୍ୟଟିଏ ବି କିଏ କେଉଁଠି ଦେଉନାହାନ୍ତି। ବଡ଼ବଡ଼ ଅଧିକାରୀମାନେ ଛାତି ପିଟା ‘ଷ୍ଟିଲ ଫ୍ରେମ୍’ର ଜ୍ଞାନ ବାଣ୍ଟିବାରେ ବ୍ୟସ୍ତ। କିନ୍ତୁ, ସତରେ ମହମର ଗୁଣକୁ ବି ଯୋଗ୍ୟ ନୁହନ୍ତି। ନେତାଙ୍କର ଯାଏଆସ କ’ଣ? କ୍ଷମତାରେ ଆହ୍ଲାଦିତ ଯେତିକି, ତା’ର ସ୍ବର୍ଣ୍ଣିମ ଅନିଶ୍ଚିତତାରେ ତ୍ରସ୍ତ ସେତିକି। ବାସ୍ତବ ସାମାଜିକ ନେତୃତ୍ବ ଓ ନାୟକତ୍ବ କେତେଜଣଙ୍କ ଠାରେ ଥାଏ? ସୁବିଧାବାଦ ଅଧିକାଂଶଙ୍କ ପାଇଁ ମନ୍ତ୍ର ହେବା ସ୍ବାଭାବିକ।
ଆମ ପାଇଁ ଘନଉଥିବା ଅନ୍ଧାର ହେଉଛି, ଯେଉଁ ୧୬ ଭାଗ ସାକ୍ଷର ଓ ୮୪ ଭାଗ ନିରକ୍ଷରଙ୍କୁ ୧୯୫୨ରେ ଜଣେ ତୁର୍କୀୟ ପର୍ଯ୍ୟବେକ୍ଷକ ଗଣତନ୍ତ୍ରର ପ୍ରକୃତ ‘ହିରୋ’ ବୋଲି ଆଖ୍ୟାୟିତ କରିଥିଲେ, ସେମାନଙ୍କ କ୍ରମବର୍ଦ୍ଧିଷ୍ଣୁ ଭ୍ରଷ୍ଟତା। ବର୍ତ୍ତମାନ ସାକ୍ଷରତାର ସେହି ଅନୁପାତ ଓଲଟି ଗଲାଣି। କିନ୍ତୁ ଚରିତ୍ର ଘୋର ବିପର୍ଯ୍ୟୟର ସମ୍ମୁଖୀନ। ଏକ ବଡ଼ ଅଂଶର ନିର୍ବାଚକ ଭୋଟରର ମହିମାକୁ ବିସର୍ଜନ କରି ଉପଭୋକ୍ତାର ପରିଧାନ ଗ୍ରହଣ କରିବାକୁ ଟିକିଏ ବି ସଂକୋଚ କରୁନାହାନ୍ତି। କୃଷକ, ଜଳସେଚନ କିମ୍ବା ସାର ଓ ବିହନର ସୁଲଭ୍ୟତା, ଉତ୍ପାଦିତ ଫସଲର ନିଶ୍ଚିତ ବଜାର ପାଇଁ ଆକର୍ଷିତ ନୁହେଁ। ବିଭିନ୍ନ ଯୋଜନା ନାଁରେ ଏକାଉଣ୍ଟରେ ଅର୍ଥ ହାସଲ ପାଇଁ ବ୍ୟଗ୍ର। ଶ୍ରମିକ ଶ୍ରମର ଉଚିତ ମୂଲ୍ୟ, ସ୍ଥାୟିତ୍ବ, ସ୍ବାସ୍ଥ୍ୟ, ନିରାପତ୍ତା, ବୋନସ ଓ କାର୍ଯ୍ୟସ୍ଥଳୀର ପରିଚ୍ଛନ୍ନତା ଠାରୁ ଛତା ଜୋତା ପାଇଁ ବେଶୀ ଆଗ୍ରହୀ। ସରକାରୀ କର୍ମଚାରୀଙ୍କ ଆଖି ଖାଲି ପଦୋନ୍ନତି ଓ ଡିଏରେ। ଅଧିକ ନିଯୁକ୍ତି, ପ୍ରଶିକ୍ଷଣ ଓ ସୁସଂହତ କ୍ୟାଡର ବିନ୍ୟାସ ତାଙ୍କ ପାଇଁ ପ୍ରାଥମିକ ନୁହେଁ। ଅବଶ୍ୟ, ମହିଳାଙ୍କ କ୍ଷେତ୍ରରେ, ସିଧାସଳଖ ଅର୍ଥପ୍ରାପ୍ତି ଦ୍ବାରା ଭୋଟ ଦିଆନିଆ ରାଜନୀତି ସହିତ ଅର୍ଥନୈତିକ ଅବଲମ୍ବନର ପ୍ରସଙ୍ଗ ରହିଛି। କିନ୍ତୁ ସହଜ ପ୍ରାପ୍ତି ବଦଳରେ ନିବେଶ, ପୁଞ୍ଜି ବର୍ଦ୍ଧନ ଓ ମାଇକ୍ରୋ-ଫାଇନାନ୍ସର ବିଷ ଆବର୍ତ୍ତରୁ ବାହାରି ଆସିବା ଦିଗରେ ମନୋଯୋଗ ପ୍ରଭାବୀ ଭାବରେ ଦୃଶ୍ୟମାନ ହେଉନାହିଁ। ନିର୍ବାଚନ ପ୍ରଚାର ଅସଦ ଅର୍ଥର ପ୍ରବାହକୁ ଉଲ୍ଲଂଘ କରିଛି। ଆୟୋଗଙ୍କ ଦ୍ବାରା ଧାର୍ଯ୍ୟ ଖର୍ଚ୍ଚର ସୀମା, ଖାତାପତ୍ରରେ ଦର୍ଶେଇବା ପାଇଁ ଓ ନିର୍ବାଚନ ସମାପ୍ତିର ତିରିଶ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ହିସାବ ଦେବା ପାଇଁ। ଭାରତର ପ୍ରତିନିଧିତ୍ବ ଆଇନ ୧୯୫୧ର ଧାରା ୧୦(କ) ଅନୁଯାୟୀ ଦଣ୍ଡ କେବଳ ‘ଧରତି ରାମ ପକଡ୍’ମାନଙ୍କ ପାଇଁ। କୌଣସି ପ୍ରମୁଖ ବିଜୟୀ ଓ ବିଜିତ ପ୍ରାର୍ଥୀଙ୍କ ଭାଗ୍ୟରେ ହିସାବ ଦାଖଲରେ କାଳକ୍ଷେପଣ ଓ ବେହିସାବର ଚୋଟ ପଡ଼େନାହିଁ। ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରେ ଗମ୍ଭୀର ଥିବା ଜଣେ ପ୍ରାର୍ଥୀ ସଂସଦୀୟ କ୍ଷେତ୍ର ପାଇଁ ୯୫ ଲକ୍ଷ ଓ ବିଧାନସଭା ପାଇଁ ୪୦ ଲକ୍ଷ ଟଙ୍କାର ସୀମାରେଖା ଭିତରେ ସୀମିତ ରହୁଛନ୍ତି- ଏହା ଅସତ୍ୟର ନଗ୍ନତାକୁ ହିଁ ପ୍ରଦର୍ଶନ କରେ। ସହର କଥା ଛାଡ଼ନ୍ତୁ, ଗାଁରେ ଗଳିରେ, ଛକ ଓ ହାଟରେ ମଦ ଓ ଭୋଜିର ମହୋତ୍ସବକୁ ଦେଖିଲେ କଥା ଯାଇ କୋଟି କୋଟିରେ ପହଞ୍ଚେ। ନିର୍ବାଚନ ଆୟୋଗଙ୍କ ଉଡ଼ନ୍ତା ଦଳ (ଫ୍ଲାଇଂ ସ୍କ୍ବାର୍ଡ), ସ୍ଥିତିଶୀଳ ଦଳ (ଷ୍ଟାଟିକ୍ ସ୍କ୍ବାର୍ଡ), ପୁଲିସର ନିରୀକ୍ଷଣ ବସ୍ତୁତଃ ପ୍ରଭାବହୀନ। ଯେଉଁଠି ଯୋଗ ଓ ଭୋଗର ହାତ ମିଳି ଯାଏ, ଏ ସବୁ ଅନ୍ତରାୟ ଧୂଆଁର ଅସ୍ତରଣକୁ ପରିବର୍ତ୍ତିତ ହୁଏ। ଆମ୍ବୁଲାନ୍ସ ଓ ପୁଲିସ ଗାଡ଼ିର ଅସାଧୁ ଉପଯୋଗିତା କଥା ଆଲୋଚିତ ହୁଏ। ଏହି ଅନୈତିକ ଅନୁଗ୍ରହର ଅନୁଗ୍ରହୀତା କେବଳ ସଚେତନ ଅସଚେତନ ଭୋଟର ନୁହନ୍ତି, ବିରୋଧୀ ରାଜନୈତିକ ନେତା ଓ କର୍ମୀ ମଧ୍ୟ। ଟଙ୍କା ବାଡ଼ ଡିଏଁ ନିଜ ଦଳର ସମକକ୍ଷ ନେତାକୁ ହରେଇ ଆତ୍ମଘାତୀ ଗୋଲ୍ ଦେବା ପାଇଁ। ଅର୍ଥ ଦ୍ବାରା ଅନର୍ଥ, ଅନର୍ଥରୁ କ୍ଷମତା, ପୁଣି କ୍ଷମତାରୁ ଅର୍ଥ। ବିଧାନସଭା କ୍ଷେତ୍ରର ଜଣେ ପ୍ରାର୍ଥୀଙ୍କ ଦ୍ବାରା ଖର୍ଚ୍ଚ ୨୦ରୁ ୨୫ କୋଟି ଟଙ୍କା। ପଞ୍ଚାୟତ ନିର୍ବାଚନରେ ମଧ୍ୟ ଖର୍ଚ୍ଚ ପଚାଶ ଲକ୍ଷ ଟଙ୍କା ଡେଇଁଲାଣି। ସେଥିପାଇଁ ଛାତ୍ରତ୍ବରୁ ସ୍ବାଭାବିକ ନେତୃତ୍ବ ହାସଲ କରିଥିବା ନେତାଏ ଉଦୟ ହେଉ ହେଉ ଅସ୍ତ। ଦଳର ଟିକେଟ ବେଶୀ ପରିମାଣରେ ବାଲି ଆଉ ଖଣିଜ ବୀର ତଥା ଅସାଧୁ ଠିକାଦାରମାନଙ୍କ ହାତରେ। ଏମାନଙ୍କ ଅର୍ଥନୈତିକ ଉତ୍ଥାନ ମୁଖ୍ୟତଃ ଚୌର୍ଯ୍ୟବୃତ୍ତି ପର୍ଯ୍ୟବସିତ। ନୀତିହୀନତାର ଏହି ଚାହିଦାକୁ ପୂରଣ କରିବାର ସାମର୍ଥ୍ୟ ଆଉ କିଏ ରଖିପାରିବ? ନିର୍ଲଜ୍ଜ ରାଜନୈତିକ ଦଳମାନଙ୍କର ଏମାନେ ସଂପତ୍ତି। ସର୍ବକାଳୀନ ଭିଡ଼ କିନ୍ତୁ ଶାସକ ଦଳ ପାଖରେ। ବିରୋଧୀ ଚିର ଅନଟନ ଭିତରେ।
ଆହୁରି ପଢ଼ନ୍ତୁ- Muslims are worse than dogs: ମୁସଲମାନ୍ କୁକୁରଠାରୁ ମଧ୍ୟ ହୀନ: ଟ୍ରମ୍ପଙ୍କ ସାଂସଦଙ୍କ ବିବାଦୀୟ ପୋଷ୍ଟ ନେଇ ସୋସିଆଲ ମିଡିଆରେ ଝଡ଼
ଭୋଟରମାନେ ଯେତେବେଳେ ଉପଭୋକ୍ତାର ପରିଚୟକୁ ଗରିମା ଭାବରେ ବରଣ କରନ୍ତି, ଭୋଟାଧିକାର ପ୍ରୟୋଗ ଦିଆନିଆର ପ୍ରତ୍ୟକ୍ଷ ବାଣିଜ୍ୟରେ ପରିଣତ ହୁଏ। ବାଣିଜ୍ୟର ବଜାର କେବେ ନିଶବ୍ଦ ହୋଇପାରିବ ନାହିଁ। କୋଳାହଳ ତା’ର ସୂଚନା ଫଳକ। ଚିତ୍କାରର ବିତ୍ପାତରେ ବୁଦ୍ଧି ଓ ଭାବନା ସତ୍ତା ହରାନ୍ତି। ଚେତନା ରହିତ ଭୋଟରଟିଏ ତଡ଼ିତ ଆବେଗରେ ପ୍ରଣୋଦିତ ହୋଇ ଏଭଳି ପ୍ରାର୍ଥୀ ଓ ଦଳକୁ ବାଛନ୍ତି, ଯାହାଙ୍କ ଆଡ଼ମ୍ବର ଓ ପ୍ରଚାରମୁଖୀ ଉପସ୍ଥାପନାରେ ବଶ ହୋଇଥାଆନ୍ତି। ଟଙ୍କା ଓ ମଦ ବାଣ୍ଟିବାକୁ ନେତାଙ୍କ ମନରେ ଜାତିର ଭେଦ ବି ଜମାଟ ବାନ୍ଧେ। ଏହି ଭାବନାରେ ବ୍ରାହ୍ମଣବାଦ ଥାଏ। ସାମାଜିକ ଅନଗ୍ରସରତାକୁ ଅନୁଚିତ ପ୍ରାପ୍ତି ପ୍ରତି ଆସକ୍ତିର ସହଜ ମାପକ ବୋଲି ଧରାଯାଏ। ଦାତା ଓ ଗ୍ରହୀତାଙ୍କ ଚକ୍ରରେ ଗଣତନ୍ତ୍ର ବିପନ୍ନ ହୁଏ। ଏଡ୍ମଣ୍ଡ ବର୍କଙ୍କ ଉକ୍ତି, ‘‘ନିଃଶୁଳ୍କ ଖାଦ୍ୟ ଓ ପାନୀୟର ପ୍ରଭାବରେ ନିର୍ଦ୍ଦିଷ୍ଟ ଭୋଟଦାତାଙ୍କ ଗୋଷ୍ଠୀ ପଶୁ ଭାବାପନ୍ନ ହୋଇଯାଆନ୍ତି’’ ଗ୍ରହଣୀୟ ନ ହେଲେ ମଧ୍ୟ, ଆଲୋଚନା ଓ ଆତ୍ମବିବେଚନା ପାଇଁ ପ୍ରସଙ୍ଗ ରଖୁନାହିଁ କି?
ରାଜନୀତିକୁ ବେଉସା ଓ ଶିଡ଼ି ଭାବିଥିବା ନେତାଙ୍କ ଠାରୁ ମହତ ଆଶା ବୃଥା। ଲୋକେ ନ ଚେତିଲେ, ଇଂରେଜୀ ଭାଷାର ଆପ୍ତବାକ୍ୟ ଖଣ୍ଡ ‘‘ସ୍ବାଇନିସ୍ ମଲ୍ଟିଚ୍ୟୁଡ୍’’ ଅର୍ଥାତ୍ ଘୁଷୁରିଙ୍କ କାଦୁଆ ବେଙ୍ଗଳାରେ ଗଣତନ୍ତ୍ର ଦୁର୍ଦ୍ଦଶାଗ୍ରସ୍ତ ହେବ। ଯେଉଁ କିଛି ନେତା ବିଶେଷ କରି ଶାସକ ଦଳିଆଙ୍କ ଭିତରେ ବିବେକର ଆଲୁଅ ଦିପିଦିପି ହେଲେ ବି ଜଳୁଛି, ସେମାନେ କ୍ଷମତା ଯାଉ ପଛେ, ଲୋକଙ୍କ ଲାଞ୍ଚୁଅାପଣକୁ ଆରୋପିତ ନ କରି ନିଜେ କଳଙ୍କ ଧୋଇବା ଦରକାର। ସାଧାରଣ ଲୋକଙ୍କ ଲୋଭ ବି ସାଧାରଣ। କଥାରେ ଅଛି, ପେଟ ତାତିରେ ନନ୍ଦେ ପଶିଗଲେ ଛୋଟ ଜାତିରେ। ନେତା ବରଂ ଲୋକଙ୍କର ଗୋଲାମ ନ ହୁଅନ୍ତୁ, କିନ୍ତୁ ପାଞ୍ଚବର୍ଷିଆ ନିଲାମ ବନ୍ଦ ହେଉ। ସଚ୍ଚି ରାଉତରାୟଙ୍କ କବିତାର ଦୁଇ ଧାଡ଼ି- ‘‘ଏଠି ପାଞ୍ଚ ବର୍ଷରେ ମଣିଷ ହୁଏ ନିଲାମ, ଗଣତନ୍ତ୍ର ହାଟରେ ଖୋଜାହୁଏ ନୂଆ ଗୋଲାମ’’- ଠିକାଦାରିର ନେତାଙ୍କୁ କିଛି ବାର୍ତ୍ତା ନିଶ୍ଚେ ଦେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/02/18/2159521-2026-02-18-14-21-28.jpg)