ଲୋକେ କ’ଣ କହିବେ!

ସୁଭାଷ ପଟ୍ଟନାୟକ 

ସରସ ରସ

କିଛି ଦିନ ପୂର୍ବେ ଏକ ବିଶ୍ବବିଦ୍ୟାଳୟ ପରିସରରେ ‘ଜେନ୍-ଜି’ କୁହାଯାଉଥିବା ଯୁବ ଛାତ୍ରମାନେ ସ୍ଲୋଗାନ ଦେଇଥିଲେ, “ଛିନ୍ କେ ଲେଙ୍ଗେ ଆଜାଦି।” ଏକ ସ୍ବାଧୀନ ରାଷ୍ଟ୍ରର ନାଗରିକ ତା’ର ଅବଶିଷ୍ଟ ଆଉ କେଉଁ ସ୍ବତନ୍ତ୍ରତାକୁ ଛଡ଼ାଇନେବା କଥା ଉଠାଉଛି? ଆସନ୍ତୁ ଏହାର ଉତ୍ତର ଖୋଜିବା।

Advertisment

ପରିବାରରେ ଝିଅଟି ଯଦି ବାଇଶି-ପଚିଶ ବର୍ଷର ହୋଇଗଲା ସମସ୍ତେ ପ୍ରଶ୍ନ କରନ୍ତି, “ବୟସ ଗଡ଼ିଯାଉଛି, କେବେ ବିବାହ କରିବୁ।’’ ପୁଅ ଯଦି ପଢ଼ା ସାରି ଘରେ ରହି ଚାକିରି ପାଇଁ ପ୍ରସ୍ତୁତି କଲା, ଲୋକେ କହନ୍ତି, “ନିକମାଟା ଘରେ ବସିଛି।’’ ପତ୍ନୀକୁ ସାହାଯ୍ୟ କରିବାକୁ ପତି ଯଦି ବାସନ ମାଜିଦେଲା କୁହାଯାଏ ‘ମାଈଚିଆଟା’। ଅନ୍ୟର ବ୍ୟକ୍ତିଗତ ଇଲାକାରେ ପ୍ରବେଶ କରିବାକୁ ସମାଜ ଏତେ ଉତ୍ସୁକ କାହିଁକି? ସମାଜ କହେ “ଶୁନୋ ସବ୍ କି, କରୋ ମନ୍ କି।’’ କିନ୍ତୁ ନିଜ ଇଚ୍ଛାରେ କିଛି କରିବାକୁ ଗଲାବେଳେ ସେଇ ସମାଜ ବିରୋଧ କରେ କ’ଣ ପାଇଁ? କିଏ କାହାକୁ ବିବାହ କରିବ, କିଏ କେଉଁ ପେସା ଆପଣେଇବ, କିଏ କ’ଣ ପିନ୍ଧିବ, କ’ଣ କହିବ ବା ନ କହିବ, ଏସବୁ ବ୍ୟକ୍ତିଗତ ବିଷୟ ହେଲେ ମଧ୍ୟ ସମାଜ ସେଥିରେ ମୁଣ୍ଡ ଖେଳାଇ ତା’ର ଏକାନ୍ତ ବ୍ୟକ୍ତିଗତ ଇଲାକାରେ ପ୍ରବେଶ କରିବାକୁ ପସନ୍ଦ କରେ। ତେଣୁ ଇଚ୍ଛା ଅନୁସାରେ କିଛି କରିବା ପୂର୍ବରୁ ଆଶଙ୍କା ଜନ୍ମେ, “ଲୋକେ କ’ଣ କହିବେ!’’

ଆହୁରି ପଢ଼ନ୍ତୁ- Dead Body Of Woman Rescued ବନ୍ଦ ଘରଭିତରୁ ମହିଳାଙ୍କ ଗଳିତ ଶବ ଓ ସଂଜ୍ଞାହୀନ ସ୍ୱାମୀଙ୍କୁ ଉଦ୍ଧାର କଲା ପୁଲିସ

ସ୍ବତନ୍ତ୍ରତା ବା ‘ଲିବର୍ଟି’ କ’ଣ? ସ୍ବତନ୍ତ୍ରତା ହେଉଛି ଇଚ୍ଛା ଅନୁଯାୟୀ ମୁଁ ମୋ ନିଜ କାମ କରିବାର ଅଧିକାର। ଅର୍ଥାତ୍, ପ୍ରତ୍ୟେକ ବ୍ୟକ୍ତି ନିକଟରେ ରହିବା କଥା ତା’ର ଗୋଟିଏ ବ୍ୟକ୍ତିଗତ ଇଲାକା ବା ‘ପର୍ସନାଲ ସ୍ପେସ୍’, ବ୍ୟକ୍ତିଗତ ମତ ଓ ବ୍ୟକ୍ତିଗତ ନିର୍ଣ୍ଣୟ। ଏ ତିନିଟିର ମିଶ୍ରଣରେ ଆସେ ସ୍ବତନ୍ତ୍ରତା। ସେ ସ୍ବତନ୍ତ୍ରତାକୁ ବ୍ୟବହାର କରି ସେ ହୁଏ ଜଣେ ମୁକ୍ତ ମଣିଷ, ‘ଫ୍ରି ମ୍ୟାନ୍’। ଏ ମୁକ୍ତ ମଣିଷଟି ହେଉଛି ଆମର ନିଜତ୍ବ, ଆମର ‘ସେଲ୍‌ଫ’। ମୁଁ କିଏ, ମୋର କ’ଣ ଆବଶ୍ୟକ, ମୁଁ କ’ଣ କରିବି, ଏସବୁ କଥା ମନୁଷ୍ୟର ନିଜତ୍ବର ସୀମା ମଧ୍ୟରେ ରହିବା ବିଷୟ। କିନ୍ତୁ ନିଜତ୍ବର ଅନବରତ ସଂଘର୍ଷ ଚାଲିଛି ସଂଖ୍ୟାଗରିଷ୍ଠଙ୍କ ସହିତ। ସଂଖ୍ୟାଗରିଷ୍ଠ ସର୍ବଦା ବହନ କରିଥାଏ କିଛି ସାମୂହିକ ମତ, ଯାହାର ଆଧାରରେ ସୃଷ୍ଟି ହୋଇଛି ସମାଜ। ସମାଜ ହିଁ ସାମୂହିକ ମତ ଆଧାରରେ ସୃଷ୍ଟି କରିଛି ବିଭିନ୍ନ ମାନଦଣ୍ଡ। ସମାଜ ଚାହେଁ ତା’ର ନିର୍ଦ୍ଧାରିତ ମାନଦଣ୍ଡ ଆଧାରରେ ଜଣେ ସମସ୍ତ ବ୍ୟକ୍ତିଗତ କାର୍ଯ୍ୟ କରୁ ଓ ଜୀବନ ଜିଉଁ। ଆଇଆଇଟିରୁ ଉତ୍ତୀର୍ଣ୍ଣ ଯୁବକଟିଏ ଯଦି ଲସି ବ୍ୟବସାୟ କଲା, ସମାଜର ଚକ୍ଷୁଶୂଳ ହୁଏ। କାରଣ ସମାଜର ମାନଦଣ୍ଡ ଆଧାରରେ ତାକୁ ଇଞ୍ଜିନିଅର ଚାକିରି କରିବା କଥା। ବ୍ୟକ୍ତିଗତ ଇଲାକାରେ ସମାଜର ଏପରି ହସ୍ତକ୍ଷେପକୁ ଆମେ କହିପାରିବା ସାମାଜିକ ସ୍ବୈରଚାରିତା ବା ‘ସୋସିଆଲ ଟାୟରାନି’। ଦୁଇଟି ସ୍ବୈରଚାରିତା ମଧ୍ୟରେ ବ୍ୟକ୍ତିଗତ ଜୀବନ ନିଷ୍ପେଷିତ ହେଉଛି। ଅନ୍ୟଟି ହେଉଛି ରାଜନୈତିକ ବା ପ୍ରାଶାସନିକ ସ୍ବୈରଚାର। ଆଇନ ଓ ଆଦେଶ ରୂପରେ ଏହା ଆସିଥାଏ। ଏସବୁ ଆଦେଶ ସାର୍ବଜନୀନ ବ୍ୟବସ୍ଥା ହୋଇଥିବାରୁ ସମସ୍ତେ ପାଳନ କରନ୍ତି, ତେଣୁ ‘ସେଲ୍‌ଫ’ ବା ନିଜତ୍ବ ଏଥିରେ ସୁରକ୍ଷିତ ରହେ। ଜଣେ କ’ଣ ପିନ୍ଧିବ, କ’ଣ କହିବ, କ’ଣ ପଢ଼ିବ, କାହାକୁ ବିବାହ କରିବ ସେକଥା ପ୍ରଶାସନ କହେ ନାହିଁ। ଏଠାରେ ମଧ୍ୟ ସମସ୍ୟା ଆସେ ଯେତେବେଳେ ପ୍ରଶାସନ କିଛି ବ୍ୟକ୍ତିଗତ ଇଲାକାରେ ହସ୍ତକ୍ଷେପ କରେ। ସାମାଜିକ ସ୍ବୈରଚାରିତାର ମୂଳରେ ଅଛି ସାମୂହିକ ବିଚାରଧାରା ବା ‘କଲେକ୍ଟିଭ୍ ଓପିନିଅନ’। ପ୍ରତ୍ୟେକ ମନୁଷ୍ୟର ନିଜସ୍ବ ମତ ଦେବାର, ସ୍ବାଧୀନ ଭାବରେ ଜିଇଁବାର ଓ ଚିନ୍ତା କରିବାର ଅଧିକାର ଥିଲେ ମଧ୍ୟ ଏହାକୁ ନାପସନ୍ଦ କରେ ସମାଜର ସାମୂହିକ ମତ। ତା’ ବଦଳରେ ଏହି ସାମୂହିକ ମତ ବ୍ୟକ୍ତିର ଗଭୀରତମ ପ୍ରଦେଶରେ ପହଞ୍ଚି ତା’ର ନିଜତ୍ବ ବା ‘ସେଲ୍‌ଫ’କୁ ନଷ୍ଟ କରିଦିଏ। ସମାଜର ବିଚାରଧାରା ତର୍କ ଆଧାରିତ ହୋଇ ନଥିବାରୁ ଅନ୍ୟର ବ୍ୟକ୍ତିଗତ ପରିଧି ମଧ୍ୟରେ ହସ୍ତକ୍ଷେପ ସହଜ ହୁଏ। ଅନେକ ଆତ୍ମହତ୍ୟାର କାରଣ ହେଉଛି ସାମାଜିକ ସ୍ବୈରଚାର। ଅନ୍ୟ ସଂପ୍ରଦାୟରେ ବିବାହ କଲେ ସମାଜ ବାସନ୍ଦ କରିଦିଏ, ଝିଅଟିଏ ଯଦି ଆଣ୍ଠୁ ଉପରକୁ ପ୍ୟାଣ୍ଟ ପିନ୍ଧିଲା ସମାଜ ତା’ର ଚରିତ୍ରକୁ ନେଇ ଟିପ୍ପଣୀ କରେ। ଏସବୁ କଥାରେ ସମାଜର କିଛି ଅସୁବିଧା ନଥିଲେ ମଧ୍ୟ ପ୍ରତିବାଦ ଏଇଥିପାଇଁ ଥାଏ ଯେ, ଆମର ସ୍ଥିରୀକୃତ ମାନଦଣ୍ଡଠାରୁ ଭିନ୍ନ ଏକ କାମ ଜଣେ କରିପାରିବ କେମିତି! ଆମେ ତ ନିୟମ ରଖିଛୁ ଏକ ହିଁ ସଂପ୍ରଦାୟରେ ବିବାହ ହେବ ଏବଂ ଝିଅଟିଏ ଦେହଲୁଚା ଶାଢ଼ି ପିନ୍ଧିବ।

ଆହୁରି ପଢ଼ନ୍ତୁ- 🔴 LIVE | News Updates 20 February 2026: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଆଜି; ଭବାନୀପାଟଣା ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କର ତିନିମହଲା ବିଳାସମୟ କୋଠା ସହ ୯ଟି ପ୍ଲଟ୍ ଓ ଏକାଧିକ ବେନାମୀ ଗାଡ଼ି ଠାବ କଲା ଭିଜିଲାନ୍ସ;ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଗଣଧାରଣା ସହ ଦାବିପତ୍ର ପ୍ରଦାନ; ଶିମିଳିପାଳ ଅଭୟାରଣ୍ୟରେ ୩୭ ଶିକାରୀଙ୍କ ଆତ୍ମସମର୍ପଣ; ଓୟେ ରୁମ୍ ଭିତରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ;

ସାମାଜିକ ସ୍ବୈରଚାରିତା ପରିବାରକୁ ମଧ୍ୟ ଗ୍ରାସ କରିଯାଏ। ପିଲାର ଇଚ୍ଛା ଥିବ କୃଷି ଫାର୍ମ କରିବ, ପିତାମାତା କହିବେ, ତା’ ପିଲା ଇଞ୍ଜିନିଅରିଂ ପଢ଼ିଲା ତୁ ମଧ୍ୟ ପଢ଼। ଅନ୍ୟ ଜାତିରେ ବାହା ହେବୁ? ଆମ ନାକ କଟିଯିବ। ପୁଅ ଚାହୁଁଥିବ ପ୍ରଥମେ କ୍ୟାରିଅର ଗଢ଼ି ପରେ ବିବାହ କରିବ, ଘରୁ ଆଦେଶ ମିଳିବ ଜେଜେଙ୍କ ଶେଷ ସମୟ ଆସିଲାଣି। ତାଙ୍କର ଇଚ୍ଛା ତୋ ବାହାଘର ଦେଖିଦେଇ ଯିବେ, ତୁ କ୍ୟାରିଅର କଥା ଛାଡ଼, ବାହା ହେଇଯା’। ଜେଜେଙ୍କ ଶେଷ ଇଚ୍ଛାଟି କାହିଁକି ମୋକ୍ଷପ୍ରାପ୍ତି ନୁହେଁ ଏବଂ ତାଙ୍କର ମାସେ କି ଦୁଇ ମାସର ଆୟୁଷ ପାଇଁ ନାତିର ସାରା ଜୀବନ କାହିଁକି ନଷ୍ଟ ହେବ, ସେ ପ୍ରଶ୍ନର ଉତ୍ତର କାହାରି ପାଖରେ ନଥିବ। ସମାଜ ଚାହେଁ ସେମାନଙ୍କ ପରି ନୂତନ ପିଢ଼ି ମଧ୍ୟ ମେଣ୍ଢା ହୋଇ ରହି ଆଦେଶ ପାଳନ କରୁଥାଉ। ଆଜି ‘ଜେନ୍-ଜି’ର ପ୍ରତିବାଦ ଏହିଠାରେ। ସେ ଚାହେଁ ତା’ର ସଂପ୍ରଭୁତାକୁ ସମ୍ମାନ ମିଳୁ ଏବଂ ସମାଜର ସାମୂହିକ ବିଚାର ଠାରୁ ସେ ମୁକ୍ତ ହେଉ। “ଛିନ୍ କେ ଲେଙ୍ଗେ ଆଜାଦି” ନାରା ଆଜି ସେଥିପାଇଁ। ଏହା ସତ୍ୟ ଯେ, ଜୀବନର ଉନ୍ନତି ନିର୍ଭର କରେ ପାରିବାରିକ ଓ ସାମାଜିକ ସହଭାଗିତା ଉପରେ। ତେଣୁ ଅନେକ ନିଷ୍ପତ୍ତି “ଲୋକେ କ’ଣ କହିବେ” ଚିନ୍ତାରେ ପ୍ରଭାବିତ ହେବା ସ୍ବାଭାବିକ। ସେଥିପାଇଁ ବ୍ୟକ୍ତିଗତ ସ୍ବତନ୍ତ୍ରତା ଓ ସମାଜ ମଧ୍ୟରେ ଏକ ଲକ୍ଷ୍ମଣରେଖା ରହିବା ବିଧେୟ। କେହି କାହାରି ଇଲାକାରେ ଦଖଲ ଦେବା ଅନୁଚିତ। ଯୁବ ପିଢ଼ି ଧ୍ୟାନ ଦେବା କଥା ଯେ, ସେମାନଙ୍କର ହାତମୁଠା ବୁଲାଇବା ଅଧିକାରର ଶେଷ ସୀମା ହେଉଛି ଅନ୍ୟର ନାକ ପର୍ଯ୍ୟନ୍ତ। ‘ଜେନ୍-ଜି’ ଆଜି କହୁଛି, “ହଜାର୍ ଦାୟରୋଁ ମୈଁ ବାନ୍ଧ୍ ଲୋ ତୁମ୍ ଜୀନ୍ଦଗି ମେରି, କି ଜଞ୍ଜିରୋଁ ସେ ଡର୍ ଲଗ୍‌ତା ନହିଁ ଅବ୍ ମୁଝକୋ / ତୁମ୍‌ହାରି କୈଦ ହି ମେରି ରିହାୟି ହୈ, କି ଖୁଦ୍ ସେ ଡର୍ ଲଗତା ନହିଁ ଅବ୍ ମୁଝକୋ...” ହଜାରେ ଶିକୁଳିରେ ତୁମେ ମୋ ଜୀବନକୁ ବାନ୍ଧି ଦେଇପାର, ମୋର ଆଉ ଡର ନାହିଁ, କାରଣ ବନ୍ଧନ ମଧ୍ୟରେ ମୁକ୍ତିର ବାଟ ମୁଁ ଦେଖିସାରିଛି। ଏବେ “ଲୋକେ କ’ଣ କହିବେ”ର ଡର ମନକୁ ଆସିଲେ ଏ ଲେଖାଟି ମନେ ପକାଇ ଆତ୍ମାର ଡାକ ଶୁଣନ୍ତୁ, ମାତ୍ର ହାତମୁଠା ଅନ୍ୟର ନାକରେ ନ ବାଜିଲେ ହେଲା। 

(ମତାମତ ଲେଖକଙ୍କ ନିଜସ୍ବ)

ମୋ:୯୩୩୭୬୪୮୬୩୮