Advertisment

Editorial: ଜାନକୀଶ ବଡ଼ପଣ୍ଡାଙ୍କ ଆଶା ଓ ଆକାଶ ସଂପାଦକୀୟରେ ‘ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସମ୍ଭବ’...

Advertisment

ଶ୍ରୀମନ୍ଦିରକୁ ଦୈନିକ କେତେ ସଂଖ୍ୟକ ଶ୍ରଦ୍ଧାଳୁ ପ୍ରବେଶ କରନ୍ତି, ତାହା ଋତୁ, ଦିନ ଓ ପର୍ବପର୍ବାଣି ଉପରେ ନିର୍ଭରଶୀଳ। ସାଧାରଣ ଦିନମାନଙ୍କରେ ୧୫ରୁ ୨୫ହଜାର, ଶନି, ରବିବାର, ଛୁଟିଦିନ, ଏକାଦଶୀ ଓ ସଂକ୍ରାନ୍ତିରେ ୪୦ରୁ ୬୦ ହଜାର, ବିଶେଷ ମହୋତ୍ସବରେ ଦୈନିକ ୧ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଆସନ୍ତି।

ଶ୍ରୀମନ୍ଦିରକୁ ଦୈନିକ କେତେ ସଂଖ୍ୟକ ଶ୍ରଦ୍ଧାଳୁ ପ୍ରବେଶ କରନ୍ତି, ତାହା ଋତୁ, ଦିନ ଓ ପର୍ବପର୍ବାଣି ଉପରେ ନିର୍ଭରଶୀଳ। ସାଧାରଣ ଦିନମାନଙ୍କରେ ୧୫ରୁ ୨୫ହଜାର, ଶନି, ରବିବାର, ଛୁଟିଦିନ, ଏକାଦଶୀ ଓ ସଂକ୍ରାନ୍ତିରେ ୪୦ରୁ ୬୦ ହଜାର, ବିଶେଷ ମହୋତ୍ସବରେ ଦୈନିକ ୧ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଆସନ୍ତି।

Sampadakiya Prustharu...

Photograph: (Sambad.in)

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସମ୍ଭବ

ଜାନକୀଶ ବଡ଼ପଣ୍ଡା (ଆଶା ଓ ଆକାଶ)

ଦେବଦର୍ଶନ ପାଇଁ ଶ୍ରୀମନ୍ଦିର ମଧ୍ୟକୁ ଦୈନିକ କେତେ ସଂଖ୍ୟକ ଶ୍ରଦ୍ଧାଳୁ ପ୍ରବେଶ କରନ୍ତି, ତାହା ଋତୁ, ଦିନ ଓ ପର୍ବପର୍ବାଣି ଉପରେ ନିର୍ଭରଶୀଳ। ସାଧାରଣ ଦିନମାନଙ୍କରେ ୧୫ରୁ ୨୫ ହଜାର, ଶନି, ରବିବାର, ଛୁଟିଦିନ, ଏକାଦଶୀ ଓ ସଂକ୍ରାନ୍ତିରେ ୪୦ରୁ ୬୦ ହଜାର, ବିଶେଷ ମହୋତ୍ସବ ସମୟରେ ଦୈନିକ ୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଆସିଥାଆନ୍ତି। କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ଡିଜିଟାଲ କ୍ୟାମେରା ମାଧ୍ୟମରେ ଗଣନା କରାଯାଉ ନ ଥିବାରୁ ଏବଂ ଏହି ହିସାବ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଓ ପୁଲିସ ଦ୍ୱାରା ବିଭିନ୍ନ ପ୍ରଶାସନିକ ଉପାୟରେ ସଂଗୃହିତ ହୋଇଥିବାରୁ କେବଳ ଆନୁମାନିକ ସଂଖ୍ୟା କୁହାଯାଇପାରେ। ପ୍ରତିଦିନ କେଉଁ ସମୟରେ ସର୍ବାଧିକ ଭକ୍ତଙ୍କ ଗହଳି ହୁଏ, ତାହା ମଧ୍ୟ କେବଳ ଅନୁମାନସର୍ବସ୍ବ ଆକଳନ। ତେବେ, ବାର୍ଷିକ ପ୍ରାୟ ୩.୫ରୁ ୪ କୋଟି ବା ଦୈନିକ ହାରାହାରି ଏକ ଲକ୍ଷ ଦର୍ଶନାର୍ଥୀ ଶ୍ରୀମନ୍ଦିର ଆସିଥାନ୍ତି ବୋଲି ଜଣାଯାଏ। ଶ୍ରୀମନ୍ଦିର ଭଳି ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରକୁ ମଧ୍ୟ ସମାନ ସଂଖ୍ୟକ ଦର୍ଶନାର୍ଥୀ ଆସିଥାଆନ୍ତି, ଯାହା ତଥ୍ୟସିଦ୍ଧ; ଅନୁମାନ ଆଧାରିତ ନୁହେଁ। ଆକଳନ ତଥ୍ୟସିଦ୍ଧ ହେଲେ, ସୁରକ୍ଷା ବ୍ୟବସ୍ଥା ଓ ଦର୍ଶନ ନିୟନ୍ତ୍ରଣ, ନୀତିକାନ୍ତି ସମୟ ନିର୍ଦ୍ଧାରଣ, ପର୍ବପର୍ବାଣି ସମୟରେ ପୁଲିସ ବନ୍ଦୋବସ୍ତ ତଥା ଠେଲାପେଲା ବିନା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥିତ କରିବା ପାଇଁ ଏହା ଯେ କେତେ ଉପଯୋଗୀ ହୋଇପାରେ, ତାହା ବୁଝାଇ କହିବା ଅନାବଶ୍ୟକ।

ଶ୍ରୀମନ୍ଦିର କେବଳ ଏକ ଦେବାଳୟ ନୁହେଁ, ଏହା କୋଟିକୋଟି ଭକ୍ତଙ୍କ ଆସ୍ଥା ଓ ଆବେଗର କେନ୍ଦ୍ରବିନ୍ଦୁ। ଏଣୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପ୍ରଶାସନ ପାଇଁ ଏକ ବଡ଼ ଆହ୍ବାନ ହୋଇଆସିଛି। ଏଥିପାଇଁ ଡିଜିଟାଲ ବ୍ୟବସ୍ଥାର ସୁଦୃଢ଼ ପ୍ରୟୋଗ, ପୃଥକ ପ୍ରବେଶ ଓ ପ୍ରସ୍ଥାନ ପଥ ବ୍ୟବସ୍ଥା, ପର୍ବପର୍ବାଣି ସମୟରେ ବିଶେଷ ପରିଚାଳନା, ସେବାୟତ ଓ କର୍ମଚାରୀଙ୍କ ପ୍ରଶିକ୍ଷଣ, ଭକ୍ତମାନଙ୍କ ସଚେତନତା ଏବଂ ଭିଆଇପି ସଂସ୍କୃତିର ବିଲୋପ କରି ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବାକୁ ବିଭିନ୍ନ ସମୟରେ ବୁଦ୍ଧିଜୀବୀମାନେ ମତ ଦେଇଆସିଛନ୍ତି। କିଛି ମାସ ତଳେ କୁହାଯାଉଥିଲା ଯେ ଧାଡ଼ି ଦର୍ଶନ ବ୍ୟବସ୍ଥା ହିଁ ଏକମାତ୍ର ସମାଧାନ। ଏଥିପାଇଁ କାଠ ରାମ୍ପ୍‌ ତିଆରି କରାଯାଇ, ସଫଳ ପରୀକ୍ଷଣ ମଧ୍ୟ ହୋଇଥିଲା। ତଥାପି ଏହାକୁ ଆଜି ଯାଏ କାର୍ଯ୍ୟକାରୀ କରାଯାଇ ପାରିନାହିଁ। ଭକ୍ତଙ୍କ ସୁବିଧା ଓ ଶ୍ରୀମନ୍ଦିରର ଗରିମା ମଧ୍ୟରେ ସମନ୍ୱୟ ରଖାଯାଇ ଦର୍ଶନ ବ୍ୟବସ୍ଥା ବ୍ୟବସ୍ଥିତ ହୋଇପାରିଲେ, ସଫଳତା ମିଳିଥାଏ। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଭକ୍ତମାନଙ୍କ ସହଭାଗିତା ଓ ସଚେତନତାର ଉପଲବ୍‌ଧି ହେବା ସହିତ ପ୍ରଶାସନର କର୍ତ୍ତବ୍ୟ ହେବା ମଧ୍ୟ ଆବଶ୍ୟକ।

ଆହୁରି ପଢ଼ନ୍ତୁ- Drone Hidden In A Tunnel: ସୁଡ଼ଙ୍ଗରେ ଲୁଚାଇ ରଖିଥିବା ଡ୍ରୋନ୍‌ ଭିଡିଓ ଜାରି କରି ଇରାନ ହଜାଇଲା ଆମେରିକା-ଇସ୍ରାଏଲ ଆଖିର ନିଦ

ନୂଆ ସରକାର ଆସିବାର ପ୍ରାୟ ଦୁଇ ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇପାରି ନାହିଁ। ପୂର୍ବ ଭଳି ଶ୍ରୀମନ୍ଦିର ଭିତରେ ଓ ବାହାରେ ଭିଡ଼ ଦେଖିବାକୁ ମିଳୁଛି। ଚାରିଦ୍ବାର ଖୋଲାଯାଇ ଥିବାରୁ, ଯେଉଁ ଭକ୍ତଗଣ ଖୁସି ହୋଇଥିଲେ, ସେମାନେ ଦର୍ଶନ କରିବାକୁ ଯାଇ ଯନ୍ତ୍ରଣା ପାଉଛନ୍ତି। ଭାରତୀୟଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ସହ ତାଳ ଦେଇ, ଗମନାଗମନ ସୁବିଧା ଏବଂ ଭକ୍ତଙ୍କ ତୀର୍ଥାଟନ ପାଇଁ ଆଗ୍ରହ ଓ ସାମର୍ଥ୍ୟ ବଢୁଥିବାରୁ ଗହଳି ବଢ଼ି ଚାଲିଛି। ଏବେ ଭକ୍ତମାନଙ୍କୁ ଚାରିଦ୍ବାର ଦେଇ ମନ୍ଦିର ବେଢ଼ାରେ ପ୍ରବେଶ ସୁବିଧା ମିଳୁଥିଲେ ମଧ୍ୟ, ପୂର୍ବଭଳି ସାତପାହାଚ ପାଖରେ ଧାଡ଼ି ବାନ୍ଧିବାକୁ ପଡୁଛି। ସମସ୍ତେ ପୂର୍ବଭଳି ନାଟମଣ୍ଡପ ଦେଇ ଜଗମୋହନରେ ପ୍ରବେଶ କରୁଛନ୍ତି ଏବଂ ପ୍ରବଳ ଭିଡ଼ରେ ଠେଲାପେଲାକୁ ସାମନା କରୁଛନ୍ତି। ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ ହେଉଥିବାର ପୀଡ଼ାଦାୟକ ଅଭିଯୋଗ ଆସୁଛି। ଏଣୁ ଏସବୁ ସମସ୍ୟାର ସମାଧାନ ପାଇଁ ଏହି ପ୍ରବନ୍ଧ ମାଧ୍ୟମରେ କିଛି ବିକଳ୍ପ ପ୍ରସ୍ତାବ ଦେଉଛୁ।

ଏବେ, ସାତପାହାଚ ଠାରୁ ନାଟମଣ୍ଡପ ଦେଇ ଭିତର କାଠ ପର୍ଯ୍ୟନ୍ତ ରହିଥିବା ଚାରିଟି ଦ୍ବାର ମଧ୍ୟରୁ କେବଳ ବେହରଣ ଦ୍ବାରକୁ ଖୋଲା ରଖାଯାଇ ଉତ୍ତର ପାର୍ଶ୍ବରେ ଥିବା ଗାରଦ ଦ୍ବାର ଓ ଘଣ୍ଟି ଦ୍ବାର, ଦକ୍ଷିଣ ପାର୍ଶ୍ବରେ ପଣ୍ଡା ଦ୍ବାର ଓ ମୁଦୁଲି ଦ୍ବାରକୁ ସର୍ବସାଧାରଣ ପ୍ରସ୍ଥାନ ମାର୍ଗ ଭାବେ ବ୍ୟବହାର କରା ଯାଉନାହିଁ। ଏ ସମସ୍ତକୁ କେବଳ ପ୍ରସ୍ଥାନ ଦ୍ବାର ଭାବେ ଖୋଲା ରଖାଗଲେ ବାହାରୁ ଖୋଲା ପବନ ଆସିବ, ଭିଡ଼ ଶୀଘ୍ର କମିଯାଇ ପାରିବ। ନାଟମନ୍ଦିର ଓ ଜଗମୋହନ ମଧ୍ୟରେ ଜନଗହଳିଜନିତ ଦୁର୍ଘଟଣା ଏଡ଼ାଇବାକୁ ମଧ୍ୟ ଏକାଧିକ ପ୍ରସ୍ଥାନ ଦ୍ବାର ଖୋଲା ରଖାଯିବା ଜରୁରି। 

ବହୁ ପ୍ରତୀକ୍ଷା କରି ଥରେ ନାଟମଣ୍ଡପ ମଧ୍ୟକୁ ପ୍ରବେଶ କରିଗଲା ପରେ, ଭକ୍ତଗଣ କାଳିଆ ସାଆନ୍ତଙ୍କୁ ମନଭରି ଦେଖି, ଭକ୍ତିଭାବରେ ତଲ୍ଲୀନ ହୋଇଯିବାକୁ ଚାହାଁନ୍ତି। ଗରୁଡ଼ ସ୍ତମ୍ଭ ପାଖରେ କିଛି ପୂଜାପଣ୍ଡା ଅନଧିକୃତ ଭାବେ ପୂଜାପାଠ କରୁଛନ୍ତି। ଅନେକ ଅଣସେବାୟତ ମଧ୍ୟ ଗହଳି ବଢ଼ାଉଛନ୍ତି, ଯାହା ଠେଲାପେଲା ବଢ଼ିବାର ଅନ୍ୟତମ କାରଣ। ଭକ୍ତମାନଙ୍କ ଭାବାବେଗକୁ ସମ୍ମାନ ଦେଇ କୌଣସି ପ୍ରକାର ବଳପ୍ରୟୋଗ ନ କରି ମନସ୍ତାତ୍ବିକ ଚାପପ୍ରୟୋଗ କରାଯାଇ ଗହଳି ଯଥାଶୀଘ୍ର କମାଇ ଦିଆଯାଇ ପାରିବ; ଯେଉଁଥିପାଇଁ ଆନନ୍ଦ ବଜାରକୁ ସ୍ଥାନାନ୍ତରିତ କରିବା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। 

ଆହୁରି ପଢ଼ନ୍ତୁ- India indies super 8: ସଂଖ୍ୟାରେ ଭାରତ-ଇଣ୍ଡିଜ୍‌ ସୁପର୍-୮ ମ୍ୟାଚ୍‌ ରେକର୍ଡ

ମହାପ୍ରସାଦ ପାଇବାପାଇଁ ଭକ୍ତଙ୍କ ଆକୁଳତା ସହ ଆନନ୍ଦବଜାରର ଅବସ୍ଥିତି କାରଣରୁ ମନ୍ଦିର ବେଢ଼ାରେ ଅତ୍ୟଧିକ ଗହଳି ଲାଗି ରହୁଛି। ଏହା ଉପଲବ୍‌ଧି କଲା ପରେ ଆନନ୍ଦ ବଜାର ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲେ ଗଜପତି ମହାରାଜ। ସେ ‘ଅନ୍ନଯଜ୍ଞ କ୍ଷେତ୍ର ପରିକଳ୍ପନା’ ପ୍ରସ୍ତୁତ କରି ଉତ୍ତର ଦ୍ବାର ମଠରେ ବିକଳ୍ପ ଆନନ୍ଦ ବଜାର ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। ଯେହେତୁ, ଶ୍ରୀମନ୍ଦିରରେ ବିଦ୍ୟମାନ ଭୋଗମଣ୍ଡପ ବା ଭଅଣ୍ଡ, ରୋଷଘର, ସ୍ନାନ ମଣ୍ଡପ ଓ ଆନନ୍ଦ ବଜାର ଏବଂ ପରିକ୍ରମା ମାର୍ଗ ଇତ୍ୟାଦି ମୂଳ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ହେବାର ପରବର୍ତ୍ତୀ କାଳରେ ନିର୍ମିତ ହୋଇଛି, ବିକଳ୍ପ ଆନନ୍ଦ ବଜାର ନିର୍ମାଣ କଲେ, ତାହା ପରମ୍ପରାର ବିରୁଦ୍ଧାଚରଣ କରିବ ନାହିଁ। ଗଜପତିଙ୍କ ପ୍ରସ୍ତାବ ଏହି ଯୁକ୍ତିକୁ ପୁଷ୍ଟ କରୁଛି। ତେବେ, ଏତେ ନିକଟରେ ଗୋଟିଏ ନକରି, ଶ୍ରୀମନ୍ଦିରର ଚାରିଦିଗରେ ଅନ୍ତତଃ ଏକ କିଲୋମିଟର ଦୂରରେ ଚାରିଗୋଟି ବିକଳ୍ପ ଆନନ୍ଦବଜାର ଅତ୍ୟନ୍ତ ବ୍ୟବସ୍ଥିତ, ଭକ୍ତିମୟ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆରାମପ୍ରଦ ଭାବେ ପ୍ରତିଷ୍ଠା କରିବାକୁ ଆମର ପ୍ରସ୍ତାବ ରହିବ। 

ପ୍ରସ୍ତାବିତ ଆନନ୍ଦବଜାର ମଧ୍ୟରୁ ଗୋଟିଏ ବଡ଼ଦାଣ୍ଡରେ ଓ ଆଉ ଗୋଟିଏ ରେଳ ଷ୍ଟେସନ ନିକଟବର୍ତ୍ତୀ ସ୍ଥାନରେ ପ୍ରତିଷ୍ଠା କରାଯିବା ଉଚିତ। ତୃତୀୟଟିକୁ ବାତାନୁକୂଳିତ କରାଯାଇ କାର୍ ରହଣିସ୍ଥଳ ନିକଟରେ ନିର୍ମାଣ କରାଗଲେ ସେଠାରେ ଦେଶବିଦେଶରୁ ଆସୁଥିବା ଭକ୍ତଗଣ ମହାନନ୍ଦରେ ଶ୍ରୀମହାପ୍ରସାଦ ସେବନ କରିବାକୁ ଆଗ୍ରହ ପ୍ରକାଶ କରିବେ। ଚତୁର୍ଥଟି ରଖାଯାଇ ପାରିବ ସହର ବାହାରକୁ ପରିବହନ ହେବାକୁ ଥିବା ବରାଦି ଶ୍ରୀମହାପ୍ରସାଦ ପାଇଁ। ଏହି ସମସ୍ତ ପ୍ରସ୍ତାବିତ ଆନନ୍ଦ ବଜାରକୁ ମହାପ୍ରସାଦ ଉଠିଲା ପରେ ପ୍ରଶାସନ ପକ୍ଷରୁ ବ୍ୟାଟେରିଚାଳିତ ସ୍ୱତନ୍ତ୍ର ଗାଡ଼ିରେ ଯୋଗାଣ ହେଲେ, ଶ୍ରୀମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିୟନ୍ତ୍ରିତ ବିକଳ୍ପ ଆନନ୍ଦ ବଜାରର ତଳ ମହଲାରେ ପ୍ରତୀକ୍ଷାଳୟ, ହାତ-ପାଦଧୁଆ ସୁବିଧା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ନିର୍ମାଲ୍ୟ, ଖଜା, ପଥର ମୂର୍ତ୍ତି, ନାଲିବାଡ଼ି, ପଟ୍ଟଚିତ୍ର, ପୁସ୍ତକ, ଭଜନ ଶିଡ଼ି ଓ ଉପହାର ସାମଗ୍ରୀ ଇତ୍ୟାଦି ବିକ୍ରି କରିବା ପାଇଁ ଦୋକାନ ଏବଂ ଉପର ମହଲାରେ ପରିଚ୍ଛନ୍ନ ଭୋଜନାଳୟ ରହିବ। ଫଳରେ ଭକ୍ତଗଣ ଯଥାଶୀଘ୍ର ଦର୍ଶନ ସାରିବା ମାତ୍ରେ ବାହାରକୁ ଯିବାକୁ ଚାହିଁବେ। ସିସିଟିଭି ନଥିବାରୁ, ଠେଲାପେଲା କରୁଥିବା ଅସାମାଜିକ ଶ୍ରଦ୍ଧାଳୁ ଏବଂ ଏହାକୁ ପ୍ରୋତ୍ସାହିତ କରୁଥିବା ଅଣ-ସେବାୟତ ଓ କିଛି ଶ୍ରୀମନ୍ଦିର ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଇ ପାରୁନାହିଁ। ଶ୍ରୀମନ୍ଦିର ଅଭ୍ୟନ୍ତରରେ ରକ୍ତ, ବାନ୍ତି ଓ ଖଙ୍କାର ପଡ଼ିଥିବା କାରଣରୁ ‘ଶୋଧ’ କରିବାକୁ ପଡୁଛି। ଦିଅଁଙ୍କୁ ମହାସ୍ନାନ କରିବାକୁ ପଡୁଥିବାରୁ ଦର୍ଶନ ବନ୍ଦ ରହୁଛି। ସିସିଟିଭି ବ୍ୟବସ୍ଥା ରହିଲେ ଏବଂ ଧରାଗଲା ପରେ ଦଣ୍ଡବିଧାନ ନିଶ୍ଚିତ ଜାଣିଲେ, ସନ୍ଦିଗ୍‌ଧ ବ୍ୟକ୍ତି ମନ୍ଦିର ଭିତରକୁ ଯିବେ ନାହିଁ।

ରତ୍ନସିଂହାସନ ନିକଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟେଲିଭିଜନ କ୍ୟାମେରା ଖଞ୍ଜାଯାଇ, କେବଳ ଗୋପନ ସେବା ବ୍ୟତିତ ଅନ୍ୟ ସମସ୍ତ ଦୃଶ୍ୟର ସିଧାପ୍ରସାରଣ କରାଗଲେ ବହୁ ଭକ୍ତ ଶ୍ରୀମନ୍ଦିର, ଏପରିକି ଶ୍ରୀକ୍ଷେତ୍ର ବାହାରେ ଥାଇ ଦେବକୃପା ଲାଭ କରିବାକୁ ଚାହିଁବେ।
ପରିକ୍ରମା ମାର୍ଗକୁ ଆମେ ଠିକ୍‌ ଭାବେ ବ୍ୟବହାର କରି ନାହେଁ। ତାହାକୁ ଶ୍ରୀ ଜଗନ୍ନାଥମୟ ତଥା ଆକର୍ଷଣୀୟ କରିପାରିଲେ, ଶ୍ରଦ୍ଧାଳୁଗଣ ମନ୍ଦିର ବେଢ଼ାରେ ଗହଳି ନକରି ପରିକ୍ରମା ମାର୍ଗକୁ ଚାଲି ଆସିବେ। ବେଢ଼ାରେ ଗହଳି କମିଗଲେ, ବାହାର ଓ ଭିତର କାଠ ନିକଟରେ ଠେଲାପେଲା ହେବ ନାହିଁ। ଭକ୍ତମାନେ ପରିକ୍ରମା ମାର୍ଗରେ ରହି ନୀଳଚକ୍ର ଓ ନେତପରିବର୍ତ୍ତନ ଦେଖିପାରିବେ। 

ଆହୁରି ପଢ଼ନ୍ତୁ- Srinivas Murder Life Imprisonment ଶ୍ରୀନିବାସ ହତ୍ୟା ମାମଲା, ହାଇକୋର୍ଟରେ ବଳବତ୍ତର ରହିଲା ଆଜୀବନ କାରାଦଣ୍ଡାଦେଶ

ଶ୍ରୀମନ୍ଦିରକୁ ସବୁବେଳେ, ବହୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଦର୍ଶନ ପାଇଁ ଆସୁଛନ୍ତି। ସେମାନଙ୍କୁ, ବଡ଼ି ଭୋର କିମ୍ବା ପହଡ଼ ପଡ଼ିବା ବେଳେ ଦର୍ଶନ ସୁଯୋଗ ଦିଆଗଲେ, ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସମୟ ନଷ୍ଟ ନ ହୋଇ ଗହଳି ସ୍ବାଭାବିକ ସ୍ତରରେ ରହିବ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରତି ମାସରେ ଦୁଇ ଦିନ ସ୍ୱତନ୍ତ୍ର ଦର୍ଶନ ସୁବିଧା କରାଯାଇ ପାରିବ। ଜଣେ ସେବାୟତ ୧୦ ଜଣ ଯାତ୍ରୀଙ୍କୁ ସାଥିରେ ନେଇ ଦର୍ଶନ କରାଇପାରିବାର ଅନୁମତି ତୁରନ୍ତ ପ୍ରତ୍ୟାହୃତ ହେବା ଆବଶ୍ୟକ।
ସେହିପରି ସୂଚନା ବ୍ୟବସ୍ଥାକୁ ଉନ୍ନତ କରାଗଲେ, ଭକ୍ତଗଣ ଠାକୁରଙ୍କ ନୀତିକାନ୍ତି, ଦର୍ଶନ ସମୟ ଇତ୍ୟାଦି ବିଷୟରେ ଆଗୁଆ ସୂଚନା ପାଇ ସହଯୋଗ କରିବେ, ଅସନ୍ତୁଷ୍ଟ ହେବେ ନାହିଁ।

ଶ୍ରୀମନ୍ଦିର ସହ ଅନ୍ୟ କୌଣସି ମନ୍ଦିର ତୁଳନୀୟ ନୁହେଁ। ଏଣୁ, ତିରୁପତି ଦର୍ଶନ ବ୍ୟବସ୍ଥା ଶ୍ରୀକ୍ଷେତ୍ରରେ ଲାଗୁ କରିବା ଅନାବଶ୍ୟକ। ଭିଡ଼ ଭିତରେ କାଳିଆଠାକୁରଙ୍କ ଦର୍ଶନ ଅନୁଭବ ଅନନ୍ୟ, ଯାହା ଧାଡ଼ିରେ ଯାଇ ଗୋଟିଏ ପଲକରେ ପାଇ ହେବ ନାହିଁ। ଶ୍ରୀଜଗନ୍ନାଥ ଜୀବନ୍ତ ଠାକୁର। ଏତିକି ନିଜେ ବୁଝି, ବୁଝେଇ ଦେଇପାରିଲେ, ଭକ୍ତଗଣ ଚକାନୟନଙ୍କୁ ଦର୍ଶନ କରି ପରମ ସନ୍ତୋଷ ଲାଭ କରିବେ। କ୍ରମବର୍ଦ୍ଧିଷ୍ଣୁ ଭକ୍ତଜନଙ୍କ ପାଇଁ ଚକାଡୋଳା ଦର୍ଶନ ସରଳ, ସୁଗମ ଓ ଭାବଭକ୍ତିପୂର୍ଣ୍ଣ ରହିବ।
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୮୨୯୯୦୩୭  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe