ଶତାଧିକ ଲୋକପ୍ରିୟ ଭଜନ, ସିନେଗୀତ, ଲଘୁ ଓ ସୁଗମ ସଂଗୀତ ସହିତ ବହୁ ଧାରାବାହିକର ଶୀର୍ଷକ ଗୀତ ଗାଇ ୧୯୯୦ ଦଶକେର ସେ ଘରେ ଘରେ ପରିଚିତ ହୋଇଥିଲେ। ଏକ ଶୁଭଲଗ୍ନରେ ଓଡ଼ିଆ ସଂଗୀତରେ ପଦାର୍ପଣ କରିଥିଲେ। କାରଣ ମଳୟ ମିଶ୍ରଙ୍କ ନିର୍ଦ୍ଦେଶନାରେ ‘ପୁନେଇଁ ଜହ୍ନ’ ଆଲ୍ବମ୍ର ‘ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି...’ ଏବଂ ସ୍ବର୍ଗତ ସରୋଜ ନନ୍ଦଙ୍କ ସଂଗୀତରେ ଓ ଅରୁଣ ମନ୍ତ୍ରୀଙ୍କ ଲେଖା ଭଜନ ‘ନୂପୁର ମୋ ରୁଣୁଝୁଣୁ...’ ତାଙ୍କୁ ରାତାରାତ୍ ସଫଳତା ଦେଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଶୈଳଭାମା ମହାପାତ୍ରଙ୍କ ସଂଗୀତଯାତ୍ରା ଜାରି ରହିଛି।
The story behind the song: ଗୀତ ପଛର ଗପ: ଗୀତା ଥିଲେ ପ୍ରଥମ ପସନ୍ଦ
ତେବେ ଏବକା ସମୟର ସଂଗୀତ ସାଧନା ଓ ସଂଗୀତ ପ୍ରସ୍ତୁତିକୁ ନେଇ ସେ ଟିକେ ଅସହଜବୋଧ କରନ୍ତି। ଶୈଳଭାମା କହନ୍ତି, ‘‘ସୋସିଆଲ୍ ମିଡିଆ ଆସିଗଲା ପରେ ଯେ କେହି ବି କଣ୍ଠଶିଳ୍ପୀ ହୋଇପାରୁଛନ୍ତି। ଭଏସ୍ କରେକ୍ଟର୍ ମାଧ୍ୟମରେ ଖରାପ ସ୍ବର ସୁମଧୁର ହୋଇଯାଉଛି। ଭଲ କଣ୍ଠସ୍ବର ନଥିବା ବ୍ୟକ୍ତି ବି ଏବେ ଜଣେ ସୁଗାୟକର ମାନ୍ୟତା ପାଉଛି। ପ୍ରକୃତ ସାଧନା ଛାଡ଼ି ଏବକାର ଯୁବପିଢ଼ି ‘ଭାଇରାଲ୍ ସିଙ୍ଗର୍’ର ସ୍ବୀକୃତି ପାଇବାକୁ ମାତିଛନ୍ତି। ଏ ମାୟାରୁ ବାହାରି ସେମାନେ ସଂଗୀତ ସାଧନା କରିବା ଉଚିତ। ମୋ ଜାଣିବାରେ ଲୋେକ ଗାୟକକୁ ଭୁଲିଯାଆନ୍ତି, ହେଲେ ତା’ ଗୀତଟି ସବୁବେଳେ ଅମର। ଆଗକୁ ସମୟ ବଦଳିବ ଏବଂ ପୁରୁଣା ଧାରା ନିଶ୍ଚେ ଫେରିବ। ଏହାକୁ ମୁଁ ଅପେକ୍ଷା କରି ରହିଛି।’’
ଆଗକୁ ନୂଆପିଢ଼ିର ଦକ୍ଷ ଗାୟକଙ୍କୁ ନେଇ ନୂତନ ଢଙ୍ଗରେ ସଂଗୀତ ପ୍ରସ୍ତୁତ କରିବାକୁ ଇଚ୍ଛା ରଖିଛନ୍ତି ଶୈଳଭାମା। ଏବେ ବି ସେ ନିଜେ ସକାଳୁ ଘଣ୍ଟାଏ ରିଆଜ୍ କରନ୍ତି ଏବଂ ସଂଗୀତ ଶିକ୍ଷା ଜାରି ରଖିଛନ୍ତି। ନିକଟରେ ତାଙ୍କର ନୂଆ ଭଜନ ଓ ଆଧୁନିକ ଗୀତ ୟୁଟ୍ୟୁବ୍ରେ ରିଲିଜ୍ ହେବାକୁ ଯାଉଛି। ଲୋକମାନଙ୍କ ଗ୍ରହଣୀୟତା ତଥା ପରିବାର ଓ ଭଗବାନଙ୍କ ଆଶୀର୍ବାଦ ପାଇଁ ସେ ଏତେବାଟ ଆସିପାରିଛନ୍ତି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ମତ ଦିଅନ୍ତି ଶୈଳଭାମା ମହାପାତ୍ର।
ମାଆ ଓ ବଡ଼ଭଉଣୀ ତାଙ୍କର ଆଦ୍ୟଗୁରୁ। ସେମାନଙ୍କ ଠାରୁ ସଂଗୀତର ଅ..ଆ.. ଶିଖିବା ପରେ ସେ ଗୁରୁ ଶାନ୍ତନୁ ଦାଶ ଓ ଡ. ଅନନ୍ତ ନାରାୟଣ ମିଶ୍ରଙ୍କଠାରୁ ଶାସ୍ତ୍ରୀୟ ସଂଗୀତର ବିଧିବଦ୍ଧ ତାଲିମ ନେଇଥିଲେ। ଡ. ଗିରିଧର ଗମାଙ୍ଗଙ୍କ ଦ୍ବାରା ଗଠିତ ‘ହିଡେନ୍ ଟ୍ୟାଲେଣ୍ଟ୍’ ଗ୍ରୁପ୍ର ସଦସ୍ୟ ଥିବା ବେଳେ ଜଣେ ପ୍ରଯୋଜକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଶୈଳଭାମା। ସେ ତାଙ୍କୁ ସିନେମା ପାଇଁ ଅନୁବନ୍ଧିତ କରିଥିଲେ ଏବଂ ମୁମ୍ବାଇରେ ତାଙ୍କର ପ୍ରଥମ ଗୀତ ରେକର୍ଡ ହୋଇଥିଲା।
Follow Us