ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ସମୟରେ  ଦିଲ୍ଲୀର ପଞ୍ଚତାରକା ହେଟେଲରେ ରହୁଥିବା ଚୀନ ପ୍ରତିନିଧି ଦଳ ଯୋଗୁ ପୁଲିସ ଓ ସୁରକ୍ଷା କର୍ମୀ ବଡ଼ ସମସ୍ୟାରେ ପଡ଼ିଥିଲେ।  ଚୀନ୍ ପ୍ରତିନିଧି ଦଳ ହୋଟେଲରେ ପହଞ୍ଚିବା ପରେ ସୁରକ୍ଷା ଯାଞ୍ଚ ସମୟରେ ଜଣେ ସଦସ୍ୟ “ଅସାଧାରଣ ଆକାର”ର ଏକ  ବ୍ୟାଗ୍ ଧରିଥିବା ନଜରକୁ ଆସିଥିଲେ। ଯେହେତୁ କୂଟନୈତିକ ପ୍ରୋଟୋକଲ ଅନୁସାରେ ସେମାନଙ୍କର ତନଖି କରାଯିବ ନାହିଁ, ତେଣୁ ହୋଟେଲକୁ ଯିବା ଲାଗି ଅନୁମତି ଦିଆଯାଇଥିଲା।

Advertisment

ମାତ୍ର ଏହାପରେ ଚୀନ ପ୍ରତିନିଧି ରହୁଥିବା ଗୋଟିଏ କୋଠରୀରେ ହୋଟେଲ କର୍ମଚାରୀମାନେ ଦୁଇଟି ବ୍ୟାଗରେ “ସନ୍ଦେହଜନକ ଉପକରଣ” ଥିବା ଦେଖିବାକୁ ପାଇଥିଲେ।

ସୁରକ୍ଷା କର୍ମୀଙ୍କୁ ଏ ସଂପର୍କରେ ସୂଚନା ଦିଆଯିବା ପରେ ଅଧିକାରୀମାନେ ଉକ୍ତ ସଦସ୍ୟଙ୍କୁ ବ୍ୟାଗକୁ ସ୍କାନରରେ ରଖିବାକୁ ଅନୁରୋଧ କରିଥିଲେ। ମାତ୍ର ସେମାନେ ଏହାକୁ ବିରୋଧ କରିଥିଲେ ଏବଂ ଏହାକୁ ଚୀନ୍ ପକ୍ଷ 'କୂଟନୈତିକ ବ୍ୟାଗେଜ୍' ବୋଲି ଦର୍ଶାଇଥିଲେ।

ସ୍କାନରରେ ତନଖି କରିବାକୁ ଚୀନ ପ୍ରତିନିଧିଙ୍କ ପ୍ରତ୍ୟାଖ୍ୟାନ ଯୋଗୁ ବିବାଦ ସୃଷ୍ଟି କରିଥିଲା। ଏହାକୁ ସୁରକ୍ଷା ଦୃଷ୍ଟିରୁ ହୋଟେଲରେ ରଖିହେବ ନାହିଁ ବୋଲି କହିବା ପରେ ଚୀନ୍ ଅଧିକାରୀମାନେ ବ୍ୟାଗକୁ ସେମାନଙ୍କ  ଦୂତାବାସକୁ ପଠାଇବାକୁ ରାଜି ହେବା ପରେ ହିଁ ବିବାଦର ସମାଧାନ ହୋଇଥିଲା। ଏହା ପରେ ମଧ୍ୟ ଚୀନ ଅଧିକାରୀମାନେ ବ୍ୟାଗକୁ ସ୍ଥ‌ାନାନ୍ତର କରି ନଥିଲେ। ଫଳରେ ଭାରତୀୟ  ସୁରକ୍ଷା କର୍ମୀମାନେ ହୋଟେଲ ରୁମ ବାହାରେ ପ୍ରାୟ ୧୨ଘଣ୍ଟା ଜଗି ରହିଥିଲେ। ଦୀର୍ଘ ଆଲୋଚନା ପରେ ଚୀନ୍ ପ୍ରତିନିଧୀ ଦଳ ସେମାନଙ୍କ ବ୍ୟାଗକୁ ଦୂତାବାସକୁ ସ୍ଥାନାନ୍ତର କରିଥିଲେ ବୋଲି ସୂତ୍ରରୁ ପ୍ରକାଶ।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୯ ଏବଂ ୧୦ରେ ଜାତୀୟ ରାଜଧାନୀରେ ସଫଳତାର ସହ ଜି ୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।