'Environmental permit: ‘ପିଛିଲା ତାରିଖରେ ପରିବେଶ ଅନୁମତି ବୈଧ’

ପ୍ରକଳ୍ପଗୁଡ଼ିକୁ ପରିବେଶ ମଞ୍ଜୁରି ନେଇ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ୨୦୧୭ ବିଜ୍ଞପ୍ତି ଏବଂ ୨୦୨୧ କାର୍ଯ୍ୟାଳୟ ମେମୋ ଉପରେ ସୁପ୍ରିମକୋର୍ଟ ଚଳିତବର୍ଷ‌ ମେ ମାସରେ ଦେଇଥିବା ରାୟକୁ ଚଳିତମାସ ୧୮ ତାରିଖର ରାୟରେ ପ୍ରତ୍ୟାହାର କରିନେଇଛନ୍ତି।

supreme court

Photograph: (The Economic Times)

ବିଭୂତି ପତି
ନୂଆଦିଲ୍ଲୀ: ପ୍ରକଳ୍ପଗୁଡ଼ିକୁ ପରିବେଶ ମଞ୍ଜୁରି ନେଇ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ୨୦୧୭ ବିଜ୍ଞପ୍ତି ଏବଂ ୨୦୨୧ କାର୍ଯ୍ୟାଳୟ ମେମୋ ଉପରେ ସୁପ୍ରିମକୋର୍ଟ ଚଳିତବର୍ଷ‌ ମେ ମାସରେ ଦେଇଥିବା ରାୟକୁ ଚଳିତମାସ ୧୮ ତାରିଖର ରାୟରେ ପ୍ରତ୍ୟାହାର କରିନେଇଛନ୍ତି। ପରିବେଶ ମନ୍ତ୍ରାଳୟର ନିର୍ଦ୍ଦେଶଗୁଡ଼ିକ ସେହି ପ୍ରକଳ୍ପଗୁଡ଼ିିକ ପାଇଁ ଏକ ମାର୍ଗ ପ୍ରସ୍ତୁତ କରିଥିଲା ଯେଉଁଗୁଡ଼ିକ ପୂର୍ବ ଅନୁମତି ବିନା କାର୍ଯ୍ୟ ଆରମ୍ଭ କରିଥିଲା ଏବଂ କାର୍ଯ୍ୟ ଆରମ୍ଭ କରିସାରିବା ପରେ ମଧ୍ୟ ପିଛିଲା ତାରିଖରେ ପରିବେଶ ମଞ୍ଜୁରି ହାସଲ କରିଥିଲା। ତେବେ ଚଳିତମାସରେ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ମେ ମାସର ରାୟକୁ ପ୍ରତ୍ୟାହାର କରି ନେଇଛନ୍ତି। ତତ୍କାଳୀନ ପ୍ରଧାନ ବିଚାରପତି ବିଆର୍‌ ଗୱାଇ ଏବଂ ବିଚାରପତି କେ ବିନୋଦ ଚନ୍ଦ୍ରନ ରାୟ‌ ସଂପର୍କରେ ମତ ରଖିଛନ୍ତି ଯେ ମେ ମାସର ରାୟ ପ୍ରଚଳିତ ଆଇନର ଅଜ୍ଞାନତାରେ ଦିଆଯାଇଥିଲା। ଖଣ୍ଡପୀଠ ୨:୧ ମତରେ ଏହି ରାୟ ଦେଇଥିଲେ। ବିଚାରପତି ଉଜ୍ଜ୍ବଳ ଭୂୟାଁ ଏହି ରାୟ ଉପରେ ଅସହମତି ପ୍ରକାଶ କରିଥିଲେ। ସେ କହିଥିଲେ, ପରିବେଶ ଆଇନ ଅନୁଯାୟୀ ମେ ମାସର ରାୟ ଠିକ୍‌ ଥିଲା। ପିଛିଲା ତାରିଖରେ ପରିବେଶ ମଞ୍ଜୁରି ପରିବେଶ ଜ୍ଞାନର ମୌଳିକ ନୀତି ବିରୋଧୀ ବୋଲି ସେ କହିଥିଲେ। 

Rubbery: ବନ୍ଧୁକମୁନରେ ଗ୍ରାହକ ସେବା କେନ୍ଦ୍ରରୁ ୭୦ ହଜାର ଟଙ୍କା ଲୁଟ୍‌

Leopard Terror: ରାସ୍ତାରେ ଘୂରି ବୁଲୁଛି ମୃତ୍ୟୁ: ଆତଙ୍କରେ ମୁମ୍ବାଇବାସୀ,ରାତିରେ ଏକୁଟିଆ ବାହାରକୁ ଗଲେ ଜୀବନ ଯିବ

ସୁପ୍ରିମକୋର୍ଟଙ୍କ ମେ ମାସର ରାୟ (ବନଶକ୍ତି ରାୟ ରୂପେ ପରିଚିତ) ପ୍ରତ୍ୟାହାର ବର୍ତ୍ତମାନ ବିତର୍କ ସୃଷ୍ଟି କରିଛି। ଏହି ପଦକ୍ଷେପ ପରିବେଶ ସଂପର୍କିତ ଶାସନର ମୂଳ ଉପରେ ଆଘାତ କରିଛି। ଉତ୍ତରଦାୟିତ୍ବକୁ ସୁଦୃଢ଼ କରିବା ପରିବର୍ତ୍ତେ, ଏହି ରାୟ ଏ କଥାକୁ ସୂଚାଇ ଦେଉଛି ଯେ ଅନୁପାଳନ କରା ନ ଗଲେ ମଧ୍ୟ କାଗଜପତ୍ର ସୃଷ୍ଟି କରି ଏହି ଅପରାଧକୁ କ୍ଷମା କରାଯାଇ ପାରିବ ବୋଲି 
ପରିବେଶ ଆଇନଜ୍ଞ ଶୈବାଳିନୀ ଲେଙ୍କା କହିଛନ୍ତି। ‘‘ପରିବେଶ ମଞ୍ଜୁରି ହେଉଛି ଏକ ପ୍ରତିକାରାତ୍ମକ ସାଧନ, ଏହା ଉପଚାରକାରୀ ନୁହେଁ। ପରିବେଶ ସ୍ବୀକୃତିର ଉଦ୍ଦେଶ୍ୟ ହେଉଛି କୌଣସି ଗୋଟିଏ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ପରିବେଶ, ସାମାଜିକ, ଅର୍ଥନୈତିକ ଏବଂ ସ୍ବାସ୍ଥ୍ୟ ସଂପର୍କିତ ପ୍ରଭାବଗୁଡ଼ିକର କଡ଼ାକଡ଼ି ଭାବେ ଆକଳନ କରାଯିବା। ଯେତେବେଳେ ପିଛିଲା ତାରିଖରେ ଅନୁମୋଦନ ପ୍ରଦାନକୁ ଅନୁମତି ମିଳିଯାଏ, ସେତେବେଳେ ପରିବେଶ ମଞ୍ଜୁରିର ମୂଳନୀତି ଭୁଶୁଡ଼ି ପଡ଼ିଥାଏ। ଉଲ୍ଲଂଘନଗୁଡ଼ିକୁ ପରେ ସଂଶୋଧିତ କରାଯିବା ଦ୍ବାରା କଂପାନିଗୁଡ଼ିକ ବିନା ଯାଞ୍ଚରେ ମଧ୍ୟ ଆଗକୁ ବଢ଼ିପାରିବେ। ଏହା କେବଳ ଏକ ପ୍ରକ୍ରିୟାଗତ ତ୍ରୁଟି ନୁହେଁ, ବରଂ ଏହା ସବୁ ବର୍ଗରେ କ୍ଷତି କରିବାକୁ ପ୍ରୋତ୍ସାହନ ଦେଇଥାଏ’’ ବୋଲି ଶୈବାଳିନୀ ଦର୍ଶାଇଛନ୍ତି।

ଏହି ରାୟ ଭାରତର ପରିବେଶ ସଂପର୍କିତ ନ୍ୟାୟିକ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ ଓ ଜନସାଧାରଣଙ୍କ ଅଂଶଗ୍ରହଣକୁ ମଧ୍ୟ ଦୁର୍ବଳ କରିଦେଇଛି। ପିଛିଲା ତାରିଖରୁ ଯଦି ନିଷ୍ପତ୍ତିଗୁଡ଼ିକୁ ନିୟମିତ କରାଯାଇ ପାରିବ, ତେବେ ବାୟୁ ପ୍ରଦୂଷଣ, ଜଙ୍ଗଲ କ୍ଷୟ କିମ୍ବା ବିସ୍ଥାପନ ସଂପର୍କରେ ସ୍ଥାନୀୟ ସଂପ୍ରଦାୟର ଆପତ୍ତି ଉପସ୍ଥାପନର ଏକମାତ୍ର ସାଧନ ରହିଥିବା ଜନଶୁଣାଣି ତା’ର ଅସ୍ତିତ୍ବ ହରାଇବ। ଖଣିଜ ଉତ୍ତୋଳନ କିମ୍ବା ପ୍ରଦୂଷଣକାରୀ ପ୍ରକଳ୍ପଗୁଡ଼ିକ ଦ୍ବାରା ସର୍ବାଧିକ ପ୍ରଭାବିତ ହେଉଥିବା ସଂପ୍ରଦାୟଗୁଡ଼ିକ ଏବେ ଆହୁରି ଅଧିକ ଅସୁରକ୍ଷିତ ହୋଇପଡ଼ିବେ। ଏଭଳି ନିର୍ଦ୍ଦେଶ ଅତ୍ୟନ୍ତ ଚିନ୍ତାଜନକ ବୋଲି ପରିବେଶ ଆଇନ ବିଶେଷଜ୍ଞମାନେ ମତ ଦେଉଛନ୍ତି। ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପରିବେଶ ଆଇନ ଉଲ୍ଲଂଘନକାରୀମାନଙ୍କୁ ଏକ ଦୃଢ଼ ବାର୍ତ୍ତା ଦେଇଥିଲା ଯେ ପରିବେଶ ସଂପର୍କିତ ମାନଦଣ୍ଡଗୁଡ଼ିକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ମାତ୍ର ସଦ୍ୟତମ ନିଷ୍ପତ୍ତିରେ ପୂର୍ବ ନିଷ୍ପତ୍ତିର ପ୍ରତ୍ୟାହାର ଅଧିକ ଅସ୍ପଷ୍ଟତା ସୃଷ୍ଟି କରୁଛି। ଏହାଦ୍ବାରା ଅନୈତିକ ଉପାୟରେ ଗଳାବାଟ ଖୋଜୁଥିବା କଂପାନିମାନଙ୍କୁ ସାହସ ଯୋଗାଉଛି। ଏହା ପରିବେଶ ସଂପର୍କିତ ତଦାରଖ ଦାୟିତ୍ବ ଦିଆଯାଇଥିବା ଆପିଲେଟ୍ ଏବଂ ବିଶେଷଜ୍ଞ ସଂସ୍ଥାଗୁଡ଼ିକର ବିଶ୍ବସନୀୟତାକୁ ମଧ୍ୟ କ୍ଷୁଣ୍ଣ କରିବାର ନିଶ୍ଚିତ ସମ୍ଭାବନା ସୃଷ୍ଟି କରୁଛି ବୋଲି ଜଣାଶୁଣା ପରିବେଶବିତ୍ ତପନ ପାଢ଼ୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। 

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ ପୂର୍ବ ରାୟକୁ ଏପରି ଏକ ସମୟରେ ପ୍ରତ୍ୟାହାର କରାଯାଉଛି ଯେତେବେଳେ ଭାରତ ପରିବେଶଜନିତ ଗମ୍ଭୀର ଚାପର ସମ୍ମୁଖୀନ ହେଉଛି। ବାୟୁର ମାନ ଚିନ୍ତାଜନକ ଭାବେ ସଂକଟଗ୍ରସ୍ତ ହେବା, ଭୂତଳ ଜଳ ହ୍ରାସ, ଜଳବାୟୁ ସଂକ୍ରାନ୍ତୀୟ ବିପର୍ଯ୍ୟୟ ଏବଂ ଜୈବ ବିବିଧତାର ବିପନ୍ନ ସ୍ଥିତି ଏବେ ଉତ୍କଟ ସ୍ଥିତିରେ ଅଛି। ଏପରି ଏକ ସ୍ଥିତିରେ ଆମେମାନେ ପରି‌ବେଶ ନିୟନ୍ତ୍ରଣକୁ ଦୁର୍ବଳ କରିପାରିବା ନାହିଁ। ଯେତେବେଳେ ସଂବିଧାନ ସୁରକ୍ଷାର ଅନ୍ତିମ ରକ୍ଷକ ନ୍ୟାୟପାଳିକା ପିଛିଲା ତାରିଖରେ ଅନୁମତିକୁ ବୈଧ ବୋଲି ରାୟ ଦେଉଛନ୍ତି, ସେତେବେଳେ ଏହା ଦୀର୍ଘ ଦିନ ଧରି ସମର୍ଥନ କରିଆସୁଥିବା ନିରନ୍ତର ବିକାଶ ନୀତି ସହ ସାଲିସ କରୁଛନ୍ତି ବୋଲି ଅନେକ ପରିବେଶବିତ୍ ମତ ଦେଇଛନ୍ତି।

Supreme Court

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe