କରାଚୀ: ୨୦୧୫ରେ ଜମ୍ମୁ ଓ କଶ୍ମୀରର ଉଧମପୁରରେ ‘ସୀମା ସୁରକ୍ଷା ବଳ’ ଗାଡ଼ି ଉପରେ ଆକ୍ରମଣ ଲାଗି ଷଡ଼ଯନ୍ତ୍ର କରିଥିବା ‘ଲସ୍କର୍-ଏ-ତୈବା’ର ଆତଙ୍କବାଦୀ ହଞ୍ଜ୍ଲା ଆଦ୍ନାନ୍ଙ୍କୁ ପାକିସ୍ତାନର କରାଚୀରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ମାରି ହତ୍ୟା କରିଥିବା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି, ୨୬/୧୧ ମୁମ୍ବାଇ ଆକ୍ରମଣର ‘ମାଷ୍ଟର୍ମାଇଣ୍ଡ୍’ ‘ଲସ୍କର୍-ଏ-ତୈବା’ର ମୁଖ୍ୟ ହାଫିଜ୍ ସଇଦଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଥିବା ହଞ୍ଜ୍ଲା ଆଦନାନଙ୍କୁ ଡିସେମ୍ବର ୨ ତାରିଖ ରାତିରେ ତାଙ୍କ ବାସଭବନ ବାହାରେ ଗୁଳି ମାରି ହତ୍ୟା କରାଯାଇଛି। ତାଙ୍କ ଶବରୁ ୪ଟି ଗୁଳି ବାହାର କରାଯାଇଛି।
ଗୁଳି ଚୋଟରେ ଆହତ ହୋଇଥିବା ହଞ୍ଜ୍ଲାଙ୍କୁ ଗୁପ୍ତରେ କରାଚୀସ୍ଥିତ ପାକିସ୍ତାନୀ ସେନା ଡାକ୍ତରଖାନାକୁ ନିଆଯାଇଥିଲା ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ସେଠରେ ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୫ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଲା।
Image Courtesy of News9
ନିକଟ ଅତୀତରେ ହଞ୍ଜ୍ଲା ତାଙ୍କର ଆଭିଯାନିକ ଆଡ୍ଡା ରାୱଲପିଣ୍ଡିରୁ କରାଚୀକୁ ସ୍ଥାନାନ୍ତରଣ କରିଥିଲେ।
ସ୍ମରଣଯୋଗ୍ୟ, ୨୦୧୫ରେ ହଞ୍ଜ୍ଲା ଆଦ୍ନାନ୍ ଉଧମପୁରରେ ‘ବିଏସ୍ଏଫ୍’ ଗାଡ଼ି ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିଲେ। ଏହି ଆକ୍ରମଣରେ ୨ଜଣ ‘ବିଏସ୍ଏଫ୍’ ଯବାନ ସହିଦ ହୋଇଥିଲେ ଓ ଆଉ ୧୩ଜଣ ଯବାନ ଆହତ ହୋଇଥିଲେ। ‘ଏନ୍ଆଇଏ’ ଏହି ଆକ୍ରମଣ ଉପରେ ତଦନ୍ତ କରି ‘ଚାର୍ଜସିଟ୍’ ଫାଇଲ୍ କରିଥିଲା।
ସେହିପରି, ୨୦୧୬ରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପାମ୍ପୋର୍ ଅଞ୍ଚଳରେ ‘ସିଆର୍ପିଏଫ୍’ ଗାଡ଼ି ଉପରେ କରାଯାଇଥିବା ଆକ୍ରମଣରେ ମଧ୍ୟ ସେ ସହଯୋଗ କରିଥିଲେ। ଏହି ଆକ୍ରମଣରେ ୮ଜଣ ‘ସିଆର୍ପିଏଫ୍’ ଯବାନ ସହିଦ ହୋଇଥିଲେ ଓ ଆଉ ୨୨ଜଣ ଯବାନ ଆହତ ହୋଇଥିଲେ।
Image Courtesy of India Today
ନବ-ନିଯୁକ୍ତ ଆତଙ୍କବାଦୀମାନଙ୍କୁ ପ୍ରବର୍ତ୍ତାଇବା ଲାଗି ହଞ୍ଜ୍ଲା ଆଦନାନ୍ଙ୍କୁ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଗୋଟାଏ ଲସ୍କର୍-ଏ-ତୈବା ଶିବିରକୁ ପଠାଯାଇଥିଲା। ପାକିସ୍ତାନର ଗୁଇନ୍ଦା ଏଜେନ୍ସି, ‘ଆଇଏସ୍ଆଇ’ ଓ ପାକିସ୍ତାନୀ ସେନା ସହାୟତାରେ ସେ ଭାରତରେ ଅନୁପ୍ରବେଶ କରି ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିଲେ।