Photograph: (Mint)
ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସନ୍ଧ୍ୟାରେ ଦୁଇଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀ ପହଞ୍ଚିଛନ୍ତି। ଯୁକ୍ରେନ୍ ଯୁଦ୍ଧ ଆରମ୍ଭ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହୋଇଥିବା ବେଳେ ଏହା ଉପରେ ସମଗ୍ର ବିଶ୍ବର ନଜର ରହିଛି। ପାଲାମ୍ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଉପସ୍ଥିତ ରହି ପୁଟିନଙ୍କୁ ଆଲିଙ୍ଗନ କରି ଭବ୍ୟ ସ୍ୱାଗତ କରିଛନ୍ତି। ଏହି ଉଷ୍ମ ଅଭ୍ୟର୍ଥନା ଭାରତ-ରୁଷ୍ ବନ୍ଧୁତ୍ୱର ଗଭୀରତାକୁ ପୁଣି ଥରେ ସାବ୍ୟସ୍ତ କରିଛି।
Chinese Reusable Rocket : ବିଫଳ ହେଲା ସ୍ପେଶ-ଏକ୍ସର ଚାଇନିଜ୍ ନକଲ
ପୁଟିନଙ୍କ ସ୍ବତନ୍ତ୍ର ବିମାନ ସନ୍ଧ୍ୟା ପ୍ରାୟ ୬:୪୫ରେ ଅବତରଣ କରିଥିଲା। ବିମାନ ଅବତରଣ ପୂର୍ବରୁ ଫ୍ଲାଇଟ୍ ରାଡାର ୨୪ ୱେବ୍ସାଇଟ୍ କହିଥିଲା ଯେ ଏହା ହେଉଛି ବିଶ୍ୱର ସବୁଠାରୁ ଅଧିକ ଟ୍ରାକ୍ ହୋଇଥିବା ଉଡ଼ାଣ। ପୁଟିନ ଦିଲ୍ଲୀ ବିମାନବନ୍ଦରରୁ ମୋଦୀଙ୍କ କାର୍ରେ ଏକାଠି ଯାତ୍ରା କରିଥିଲେ ଏବଂ ୭ ଲୋକକଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ପୁଟିନଙ୍କ କାର୍ ‘ଅରସ୍ ସେନାଟ୍’ ମୋଦୀଙ୍କ ଟୟୋଟା ଫର୍ଚ୍ୟୁନର୍ କାର୍କୁ ଅନୁସରଣ କରି ଏହା ପଛରେ ଯାଇଥିଲା। ପୁଟିନଙ୍କ ସହ ଉଚ୍ଚସ୍ତରୀୟ ସାମରିକ ଓ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଭାରତ ଆସିଛନ୍ତି। ଏହି ଗସ୍ତ ପାଇଁ ଦିଲ୍ଲୀରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଶସ୍ତ୍ର କମାଣ୍ଡୋ ଟିମ୍, ସ୍ନାଇପର୍ ମୁତୟନ ସାଙ୍ଗକୁ ରାଜଧାନୀରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଛି।
ଏହି ଦୁଇଦିନିଆ ଗସ୍ତରେ ପୁଟିନ ୨୩ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ। ଶୁକ୍ରବାର ରାଷ୍ଟ୍ରପତି ଭବନରେ ତିନି ସେନାର ଗାର୍ଡ ଅଫ୍ ଅନର୍ ପରେ ପୁଟିନ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ହାଇଦ୍ରାବାଦ ହାଉସ୍ରେ ମୋଦୀଙ୍କ ସହ ପ୍ରତିନିଧିମଣ୍ଡଳୀସ୍ତରୀୟ ଆଲୋଚନା ଓ ମିଳିତ ସାମ୍ବାଦିକ ସମ୍ମିଳନୀ ରହିଛି। ଆଜି ରାତିରେ ପୁଟିନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ରାତ୍ରି ନୈଶ୍ୟ ଭୋଜିରେ ସାମିଲ ହୋଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରୁଷୀୟ ଭାଷାରେ ଟ୍ବିଟ୍ କରି ମୋଦୀ ଲେଖିଛନ୍ତି, ମୋର ବନ୍ଧୁ ପୁଟିନଙ୍କୁ ଭାରତରେ ସ୍ବାଗତ କରି ମୁଁ ଖୁବ୍ ଆନନ୍ଦିତ। ଆସନ୍ତାକାଲି ତାଙ୍କ ସହିତ ଅଧିକ ଆଲୋଚନା ହେବ। ଭାରତ ଓ ରୁଷ୍ର ବନ୍ଧୁତା ସମୟ ପରୀକ୍ଷିତ ଯାହା ଆମ ଲୋକଙ୍କୁ ବହୁତ ଲାଭ ଦେଇଛି। ଆସନ୍ତାକାଲି ଭାରତ-ରୁଷ୍ ମଧ୍ୟରେ ଐତିହାସିକ ସାମରିକ ଚୁକ୍ତି ସ୍ବାକ୍ଷରିତ ହେବା ଆଶା କରାଯାଉଛି। ଏସ୍-୪୦୦ର ବକେୟା ୟୁନିଟ୍ ହସ୍ତାନ୍ତର, ଏସ୍-୫୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗାଣ, ସୁ-୫୭ ଷ୍ଟେଲ୍ଥ ଯୁଦ୍ଧବିମାନ ଏବଂ ନୌସେନା ପାଇଁ ନୂଆ ସର୍ବାଧୁନିକ ସବ୍ମେରିନ୍ ଚୁକ୍ତି ହେବାର ସମ୍ଭାବନା ରହିଛି। ପରମାଣୁ ଶକ୍ତି କ୍ଷେତ୍ରରେ ବିକାଶ, ଅନ୍ତରୀକ୍ଷ ପ୍ରଯୁକ୍ତି ଓ ୨୦୩୦ ସୁଦ୍ଧା ୧୦୦ ବିଲିୟନ୍ ଡଲାର ବାଣିଜ୍ୟ ଲକ୍ଷ୍ୟ ମଧ୍ୟ ଚୂଡ଼ାନ୍ତ ହେବ। ଚଳିତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ୬୮.୭୨ ବିଲିୟନ୍ ଡଲାର ଅତିକ୍ରମ କରିଛି। ଅନ୍ତରୀକ୍ଷ କ୍ଷେତ୍ରରେ ରୁଷ୍ ଆର୍ଡି-୧୯୧, ସେମି-କ୍ରାୟୋଜେନିକ୍ ରକେଟ୍ ଇଞ୍ଜିନ୍ ଓ ଉତ୍ପାଦନ ପ୍ରଯୁକ୍ତି ଭାରତକୁ ହସ୍ତାନ୍ତର କରିବ।
Follow Us