ଢାକା:  ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ୍‌ ରହମାନ ଲଣ୍ଡନରୁ ୧୭ ବର୍ଷର ନିର୍ବାସନ ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କର ଆଗମନ ସହ ବାଂଲାଦେଶ ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।   ଆଜି ଢାକାରେ ଅନୁଷ୍ଠିତ ବିଶାଳ ସମାବେଶରେ ତାରିକ୍‌ ଏକ ପ୍ରେରଣାଦାୟୀ ଭାଷଣ ଦେଇଛନ୍ତି, ଯାହା ତାଙ୍କର ଲକ୍ଷ ଲକ୍ଷ ସମର୍ଥକଙ୍କୁ ଉତ୍ସାହିତ କରିଛି। ଏହି ଭାଷଣରେ ସେ ଏକ ସହିଷ୍ଣୁ ଓ ସମାବେଶୀ ବାଂଲାଦେଶ ଗଠନର ଆହ୍ୱାନ ଦେଇଛନ୍ତି। ସେ  ନିଜ ଭାଷଣ ‘ପ୍ରିୟ ବାଂଲାଦେଶ’ ସମ୍ବୋଧନରୁ ଆରମ୍ଭ କରିଥିଲେ। ସେ ସମସ୍ତ ସମ୍ପ୍ରଦାୟ ଓ ଜାତିର ଲୋକଙ୍କ ସହଭାଗିତା ସୁନିଶ୍ଚିତ କରି ଏକ ସହିଷ୍ଣୁ ବାଂଲାଦେଶ ଗଠନ ଉପରେ ସର୍ବାଧିକ ଗୁରୁତ୍ବାରୋପ କରିଛନ୍ତି। ମୁସଲମାନ, ବୌଦ୍ଧ, ଖ୍ରୀଷ୍ଟିଆନ ଓ ହିନ୍ଦୁଙ୍କ ମଧ୍ୟରେ ଭାଇଚାରା  ଓ  ସବୁ ଅଂଚଳର ଲୋକଙ୍କ ମଧ୍ୟରେ ସମନ୍ୱୟ ଗଢ଼ିବାକୁ ସେ ଗୁରୁତ୍ୱ ଦେଇଛନ୍ତି।

Advertisment

Army amends: ସୋସିଆଲ୍‌ ମିଡିଆ ନିୟମରେ ସଂଶୋଧନ କଲା ସେନା

Computer science: ଇଞ୍ଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସ ସିଟ୍‌ ସଂଖ୍ୟା କମିବ: ପ୍ରାର୍ଥୀ ମାଳମାଳ, ଚାକିରି କମ୍‌


ତାରିକ୍‌ କହିଛନ୍ତି, ‘ଆମେ ୧୯୭୧ରେ ବାଂଲାଦେଶକୁ ମୁକ୍ତ କରିଥିଲୁ। ଆମେ ଏହାକୁ ୨୦୨୪ରେ ପୁନର୍ବାର ମୁକ୍ତ କରିଛୁ।’ ଏହି ଉକ୍ତି ଦ୍ୱାରା ସେ ୧୯୭୧ର ମୁକ୍ତିଯୁଦ୍ଧକୁ ଶ୍ରଦ୍ଧାଞ୍ଜଳି ଦେଇ ଜୁଲାଇ-ଅଗଷ୍ଟ ୨୦୨୪ର ଛାତ୍ର-ନେତୃତ୍ୱାଧୀନ ବିପ୍ଳବକୁ ଦେଶର ଦ୍ୱିତୀୟ ସ୍ବାଧୀନତା ଭାବେ ବର୍ଣ୍ଣନା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ଛାତ୍ର ନେତା ସରିଫ ଓସମାନ ହାଦିଙ୍କୁ ସ୍ମରଣ କରି ସେ କହିଛନ୍ତି ଯେ ହାଦି ଏକ ଗଣତାନ୍ତ୍ରିକ ବାଂଲାଦେଶର ସ୍ୱପ୍ନ ଦେଖିଥିଲେ ଏବଂ ବିଏନ୍‌ପି ତାହା ପୂରଣ କରିବ। ମାର୍ଟିନ ଲୁଥର କିଙ୍ଗ୍‌ଙ୍କୁ ଉଦ୍ଧୃତ କରି ସେ  କହିଛନ୍ତି ଯେ  ଉନ୍ନତ ବାଂଲାଦେଶ ଗଠନ ପାଇଁ ସେ ଅହରହ ଚିନ୍ତା କରୁଛନ୍ତି।   ବିଏନ୍‌ପି ଦେଶରେ ଶାନ୍ତି ଓ ଅନୁଶାସନ ଆଣିବାକୁ ଅକ୍ଳାନ୍ତ ପରିଶ୍ରମ କରିବ। ଭାଷଣ ପରେ ତାରିକ୍‌ ସିଧାସଳଖ ଏଭର୍‌କେୟାର ହସ୍ପିଟାଲ ଯାଇ ଅସୁସ୍ଥ ମା’ ଖାଲେଦା ଜିଆଙ୍କୁ ଦେଖା କରିଛନ୍ତି।  ଫେବ୍ରୁଆରି ୨୦୨୬ ନିର୍ବାଚନରେ ତାରିକ୍‌ ପ୍ରଧାନମନ୍ତ୍ରୀ ପଦର ସବୁଠାରୁ ବଡ଼ ଦାବିଦାର। ଅନ୍ତରୀଣ ସରକାର ତାରିକ୍‌ଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି ହୋଇଛି।