ବାଲିଅନ୍ତା:୫ମହଲା ବିଶିଷ୍ଟ ସୁଦୃଶ୍ୟ ଆପାର୍ଟମେଣ୍ଟ। ପରିସର ଭିତରେ ସହରର ଚାକଚକ୍ୟ ଜୀବନ। ସୁନ୍ଦର ଫୁଲବଗିଚା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅତ୍ୟାଧୁନିକ କମ୍ୟୁନିଟି ହଲ୍। କିନ୍ତୁ ପରିସର ପଦାକୁ ଗୋଡ଼ କାଢ଼ିଲେ, ଗାଁର ଚିତ୍ର। ଆପାର୍ଟମେଣ୍ଟକୁ ଅଛି ନା ଭଲ ରାସ୍ତା, ନା ନିକଟରେ ମିଳିପାରୁଛି ଭଲ ସ୍ବାସ୍ଥ୍ୟସେବା। ଖାଲଖମାପୂର୍ଣ୍ଣ ରାସ୍ତା ସାଙ୍ଗକୁ ଅସ୍ବାସ୍ଥ୍ୟକର ପରିବେଶ କୌଣସି ଅପହଞ୍ଚ ଗାଁଠାରୁ କମ୍ ନୁହେଁ। ବାଲିଅନ୍ତା ବ୍ଲକ୍ ସତ୍ୟଭାମାପୁର ପଞ୍ଚାୟତରେ ଥିବା ପଣ୍ଡା ରେସିଡେନ୍ସିର ଅବସ୍ଥା ଏମିତି। ନାଁକୁ ସହର, ଅସଲରେ ଏହା ଏକ ନିଆରା ଗାଁ ବୋଲି ଆପାର୍ଟମେଣ୍ଟବାସୀ କହନ୍ତି।
ସତ୍ୟଭାମାପୁର ପଞ୍ଚାୟତ ଅଞ୍ଚଳରେ ବହୁବର୍ଷ ହେବ ଏଭଳି ବହୁ ଆପାର୍ଟମେଣ୍ଟ ଗଢ଼ି ଉଠିଛି। ଆପାର୍ଟମେଣ୍ଟ ଅଞ୍ଚଳରେ ରହୁଥିବା ଲୋକମାନଙ୍କର ପାରିପାର୍ଶ୍ବିକ ଉନ୍ନତୀକରଣ ଦିଗରେ ସ୍ଥାନୀୟ ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଆସୁଛି। ସତ୍ୟଭାମାପୁର ପଞ୍ଚାୟତ ଅଞ୍ଚଳକୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ରେ ଅନ୍ତର୍ଭୁକ୍ତ କରାଯିବା ନେଇ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି। ଅପରପକ୍ଷରେ ଏକାଧିକ ବହୁତଳ ବିଶିଷ୍ଟ ଫ୍ଲାଟ୍ରେ ରହୁଥିବା ଆପାର୍ଟମେଣ୍ଟ ବାସିନ୍ଦାମାନେ ବିଭିନ୍ନ ସମସ୍ୟାରେ ଘାଣ୍ଟି ହେଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ସରକାରଙ୍କର ବିଭିନ୍ନ ସୁବିଧା ସୁଯୋଗରୁ କଲୋନିବାସୀ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଆପାର୍ଟମେଣ୍ଟ ଅଧିବାସୀ ଯାତାୟାତ କରୁଥିବା ଟଙ୍କପାଣି-ବ୍ରାହ୍ମଣଷଡ଼ଙ୍ଗୀ ଗ୍ରାମ୍ୟ ଉନ୍ନୟନ ରାସ୍ତା ଦୀର୍ଘ ବର୍ଷ ହେଲା ମରାମତି ହୋଇନାହିଁ। ତେଣୁ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କେବେ କେବେ ରାସ୍ତାର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଗର୍ତ୍ତରେ ପିଚୁ ପକାଇ ତାଳିପକା କାମ ହେଉଛି ଏବଂ ତାହା ପୁଣି ଅଳ୍ପଦିନ ମଧ୍ୟରେ ନଷ୍ଟ ହୋଇଯାଉଛି। ଆପାର୍ଟମେଣ୍ଟ ସମ୍ମୁଖ ରାସ୍ତା ଆଖପାଖ ଅଞ୍ଚଳରେ ଗଦା ହୋଇଥିବା କୁଢ଼କୁଢ଼ ଅଳିଆ ସଫା କରାଯାଉ ନାହିଁ। ଯାହାଫଳରେ ପଚାସଢ଼ା ଗନ୍ଧ ଓ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ସେହିପରି ଉକ୍ତ ଆପାର୍ଟମେଣ୍ଟ ନିକଟରେ ଥିବା କଲଭର୍ଟ ଚଉଡ଼ା କରାଯିବା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗରେ ସେମାନେ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ ଏଯାଏ କିଛି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଗାଡ଼ିମଟର ପରସ୍ପରକୁ ଅତିକ୍ରମ କରିବା ବେଳେ ବହୁ ସମସ୍ୟା ହେଉଛି।
Odissi: ଓଡ଼ିଶୀରେ ନିଶ ଦାଢ଼ି ରଖିହୁଏ କି ନାହିଁ!
ପଣ୍ଡା ରେସିଡେନ୍ସିର ପ୍ରମୁଖ ସଦସ୍ୟ ବେଣୁଧର ପ୍ରଧାନଙ୍କ କହିବାନୁସାରେ ନିକଟରେ କୌଣସି ହସ୍ପିଟାଲ୍ ନଥିବାରୁ ଜରୁରୀକାଳୀନ ଚିକିତ୍ସା ପାଇଁ ଲୋକଙ୍କୁ ବହୁତ ଦୂରରେ ଥିବା ଡାକ୍ତରଖାନା ଯିବାକୁ ପଡ଼ୁଛି। ଖାଲି ସେତିକି ନୁହେଁ, ଜଳ ନିଷ୍କାସନ ସମସ୍ୟା ବୁକେଇ ପଡ଼ିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବର୍ଷାପାଣି ଜମି ରହୁଥିବାରୁ ଲୋକମାନେ ଯାତାୟାତ କରିବାରେ ଦହଗଞ୍ଜ ହୋଇଥାନ୍ତି। ଡ୍ରେନ୍ ଓ ସ୍ବେରେଜ ବ୍ୟବସ୍ଥା ସୁବିଧା ନଥିବାରୁ ପ୍ରଦୂଷିତ ପରିବେଶରେ ବଞ୍ଚିବାକୁ ପଡ଼ୁଛି। ସେହିପରି ଟଙ୍କପାଣି ବ୍ରିଜ୍ ଫୁଟପାଥ୍ ଜବରଦଖଲ ହୋଇଥିବାରୁ ବ୍ରିଜ୍ରେ ଟ୍ରାଫିକ୍ ଭିଡ଼ କଲବଲ କରୁଛି। ଉକ୍ତ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ରାତିରେ ଘରୁ ବାହାରିବାକୁ କେହି ନିରାପଦ ମଣୁନାହାନ୍ତି। ବିଜେଇଏମ ସ୍କୁଲ ନିକଟରେ ଥିବା ଏହି ୫ ମହଲା ବିଶିଷ୍ଟ ପଣ୍ଡା ରେସିଡେନ୍ସିରେ ୧୦୦ ପରିବାର ରହନ୍ତି। ପିଲାଙ୍କ ପାଇଁ ଖେଳପଡ଼ିଆ ଠାରୁ ଆରମ୍ଭ କରି ଗାର୍ଡେନ ଓ ସାମାଜିକ କାର୍ଯ୍ୟ ପାଇଁ କମ୍ୟୁନିଟି ହଲ୍ ରହିଛି। ପ୍ରତି ମାସରେ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣା ଔଷଧପତ୍ରବଣ୍ଟନ କରାଯାଏ। କଲୋନିବାସୀ ସ୍ବାଧୀନତା ଦିବସ, ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା, ସାଧାରଣତନ୍ତ୍ର ଦିବସ, ରଜ, ଦଶହରା, କୁମାରପୂର୍ଣ୍ଣିମା, ମହାବିଷୁବ ସଂକ୍ରାନ୍ତି, କାର୍ତ୍ତିକ ବ୍ରତ, ଜନ୍ନଦିନ ଆଦି ବିଭିନ୍ନ ପର୍ବପର୍ବାଣୀ ସାମୂହିକ ଭାବେ ପାଳନ କରନ୍ତି ବୋଲି ଶୁଭଲାଲ ପ୍ରଧାନ, ଯୁଧିଷ୍ଠିର ମଲ୍ଲିକ, ଅମିତାଭ ବ୍ରହ୍ମା ପ୍ରମୁଖ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/04/untitled-3-2025-12-04-07-13-50.jpg)