ଭୁବନେଶ୍ବର: ରାତି ପାହିଲା ବେଳକୁ ରାଜଧାନୀରଯୁଆଡ଼େ ଚାହିଁଲେ କୁହୁଡ଼ି ଭଳି ପରିବେଶ। ଦୃଶ୍ୟମାନ ଦୂରତା ୨୦୦ ମିଟର ରହିଥିଲା। ଅଧିକାଂଶ ସ୍ଥାନରେ ଗାଡ଼ିଚାଳକଙ୍କୁ ଠିକ୍ ଭାବେ ରାସ୍ତା ଦେଖାଯାଉ ନଥିଲା। ସହରବାସୀ ଭାବିଥିଲେ କୁହୁଡ଼ି ପଡ଼ିଥିବାରୁ ଧୀରେ ଧୀରେ କମିଯିବ। ମାତ୍ର ତାହା କୁହୁଡ଼ି ନ ଥିଲା। ବାୟୁମଣ୍ଡଳ ପ୍ରଦୂଷଣ ଦ୍ବାରା ମଧ୍ୟାହ୍ନ ୧୨ଟା ବେଳକୁ ମଧ୍ୟ ସମାନ ସ୍ଥିତି ଲାଗିରହିଥିଲା। ଦୃଶ୍ୟମାନ ଦୂରତା ଟିକିଏ ବଢ଼ିଥିଲେ ମଧ୍ୟ ବାୟୁମଣ୍ଡଳରେ କିଛି ବି ଫରକ ଆସି ନଥିଲା। ଧୂଆଁମୟ ପରିବେଶ ବଳବତ୍ତର ରହିଥିଲା।
The 'Patha Utsav': ପୁଣି ଫେରିଲା ‘ପଥ ଉତ୍ସବ’
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଆଜି ଦିନତମାମ ଲିଙ୍ଗରାଜ ମନ୍ଦିର ଅଞ୍ଚଳର ବାୟୁ ବହୁତ ଖରାପ ସ୍ତରରେ ରହିଥିଲା। ଭୋର ୫ଟା ବ୍ୟତୀତ ଅନ୍ୟ ସମସ୍ତ ସମୟରେ ଏଠାରେ ପିଏମ୍୨.୫ ମାତ୍ରା ୩୦୦ ଉପରେ ରହିଥିଲା। ଗତକାଲି ରାତି ୧୦ଟାରୁ ଆଜି ରାତି ୧୦ଟା ମଧ୍ୟରେ ଏହି ଅଞ୍ଚଳରେ ପିଏମ୍୨.୫ ହାରାହାରି ୩୪୨ ରେକର୍ଡ ହୋଇଛି, ଯାହାକି ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରଣ। ଏହି ୨୪ ଘଣ୍ଟାରେ ସର୍ବାଧିକ ସ୍ତର ୩୭୨ରେ ପହଞ୍ଚିଥିବା ବେଳେ ସର୍ବନିମ୍ନ ସ୍ତର ୨୮୭ ଏକ୍ୟୁଆଇ ରହିଥିଲା। ହଠାତ୍ ଏଭଳି ବାୟୁ ପ୍ରଦୂଷଣ ସହରବାସୀଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି। ଏହି ସମୟ ମଧ୍ୟରେ ପଟିଆ ଅଞ୍ଚଳରେ ବାୟୁ ପ୍ରଦୂଷଣ ଖରାପ ସ୍ତର ଦେଇ ଗତି କରିଥିଲେ। ଗତକାଲି ରାତି ୧୨ଟା ପରେ ମଧ୍ୟମଧରଣ ପ୍ରଦୂଷଣ ସ୍ତରକୁ ଫେରିଥିବା ଏଠାକାର ବାୟୁ ଆଜି ଦିନ ୧୧ଟା ପରେ ପୁଣିଥରେ ଖରାପ ସ୍ତରକୁ ଗତି କରିଥିଲା। ୨୪ ଘଣ୍ଟାରେ ହାରାହାରି ବାୟୁ ପ୍ରଦୂଷଣ ୨୫୦ ରହିଥିଲା। ସର୍ବାଧିକ ୩୪୫ ଥିବା ବେଳେ ସର୍ବନିମ୍ନ ୧୧୦ ଏକ୍ୟୁଆଇ ରେକର୍ଡ କରାଯାଇଛି। ଅଫ୍ଲାଇନ୍ରେ ସହରର ୫ଟି ସ୍ଥାନରେ ରେକର୍ଡ ହୋଇଥିବା ଏକ୍ୟୁଆଇ ମାତ୍ରା ଖରାପ ଓ ଅତ୍ୟନ୍ତ ଖରାପ ସ୍ତରରେ ରହିଥିବା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
Vijay Hazare Trophy: ବିଜୟ ହଜାରେ ଟ୍ରଫି: ଆଜି ଦିଲ୍ଲୀକୁ ଭେଟିବ ଓଡ଼ିଶା
ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ଦୁଇ ସପ୍ତାହ ହେଲା ଓଡ଼ିଶାର ବିଭିନ୍ନ ସ୍ଥାନରେ ବାୟୁ ପ୍ରଦୂଷଣ ସର୍ବକାଳୀନ ସ୍ତରରେ ପହଞ୍ଚିଛି। ଏମିତିକି କିଛି ସମୟରେ ନୂଆଦିଲ୍ଲୀଠାରୁ ଅଧିକ ରହୁଛି। ଶୀତ ଦିନେ ଭୂପୃଷ୍ଠ ଉପର ତାପମାତ୍ରା ଉପର ବାୟୁ ଅପେକ୍ଷା କମ୍ ଥାଏ, ଯାହାକୁ ଇନ୍ଭରଜିମ୍ କୁହାଯାଏ। ଭୁବନେଶ୍ବରରେ ବାୟୁର ବେଗ ଘଣ୍ଟାପ୍ରତି ୫ କିମିରୁ କମ୍ ରହୁଛି। ଏଥିସହ ଭୁବନେଶ୍ବରରେ କୁହୁଡ଼ି ହେଉଛି। ତେଣୁ ଭୂପୃଷ୍ଠସ୍ଥ ପ୍ରଦୂଷଣ ଉପରକୁ ଯାଇପାରୁ ନାହିଁ ଏବଂ ବିସ୍ତାରିତ ନ ହୋଇ ଭୂପୃଷ୍ଠ ଉପରେ ଜମିରହୁଛି। ଫଳରେ ବାୟୁ ପ୍ରଦୂଷଣ ଅଧିକ ହେଉଛି। ଆସନ୍ତା କିଛି ଦିନରେ ଭୁବନେଶ୍ବରରେ ସାମୁଦ୍ରିକ ବାୟୁ ହେତୁ ବାୟୁର ବେଗ କିଛି ମାତ୍ରାରେ ବଢ଼ିବ। ତା’ପରେ ବି ବାୟୁ ପ୍ରଦୂଷଣରେ କୌଣସି ଫରକ ଆସିବ ନାହିଁ। ଅନ୍ୟପକ୍ଷରେ ଆଜି ଓଡ଼ିଶାର ୫ଟି ସହରର ବାୟୁ ଅନ୍ୟନ୍ତ ଖରାପ ସ୍ତରରେ ପହଞ୍ଚିଛି। ପୂର୍ବ ଦିନଗୁଡ଼କ ପରି ଆଜି ବାଲେଶ୍ବରର ଏକ୍ୟୁଆଇ ୩୮୮ରେ ପହଞ୍ଚିଥିବା ବେଳେ ଅନୁଗୁଳରେ ୩୪୬, ବାରିପଦାରେ ୩୩୦, କଟକରେ ୩୦୯, ବ୍ୟାସନଗରରେ ୩୦୧ ରେକର୍ଡ ହୋଇଥିଲା। ତାଳଚେରରେ ୨୯୧ ଓ ଭୁବନେଶ୍ବରରେ ୨୯୦ ରହିବା ସହ ଅତ୍ୟନ୍ତ ଖରାପ ସ୍ତରରେ ପହଞ୍ଚିଛି। ଯଦି ଏଭଳି ଆଗକୁ ଜାରି ରହେ ତେବେ ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ପରିବେଶବିତ୍ମାନେ ଚେତାଇ ଦେଇଛନ୍ତି।
ବୈଠକ ଡାକିଲା ବିଏମ୍ସି
କେତେବେଳେ ବାୟୁ ଇଣ୍ଡେକ୍ସରେ ପ୍ରଦୂଷଣ ମାତ୍ରା(ପିଏମ୍) ୨୫୦ ଡେଇଁଯାଉଛି ତ କେବେ ୪ଶହ ଛୁଇଁଲାଣି। ବେଶ କିଛିଦିନ ହେଲାଣି ରାଜଧାନୀ ଭୁବନେଶ୍ବରର ଏଭଳି ବାୟୁ ପ୍ରଦୂଷଣ ଚିନ୍ତା ବଢ଼ାଇଛି। ଲିଙ୍ଗରାଜ ଓ ଖଣ୍ଡଗିରି ଥାନା ଅଞ୍ଚଳରେ ସର୍ବାଧିକ ପ୍ରଦୂଷଣ ସ୍ତର ଚିହ୍ନଟ ହୋଇଛି। ଯାହା ଭୁବନେଶ୍ବର ମହାନଗର ନିଗମର ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଣୁ ଦିଲ୍ଲୀ ଭଳି ସ୍ଥିତି ଉପୁଜିବା ପୂର୍ବରୁ ରାଜଧାନୀର ପ୍ରଦୂଷଣ ମାତ୍ରା କମାଇବାକୁ ବିଏମ୍ସି ଅଣ୍ଟା ଭିଡ଼ିଛି। ପ୍ରଦୂଷଣକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଦୂଷଣ ମାତ୍ରା ବଢ଼ାଉଥିବା ପ୍ରତିଷ୍ଠାନଙ୍କୁ ବଡ଼ ଜରିମାନା ସହ ସିଲ୍ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏ ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବୈଜ୍ଞାନିକ ଦଳ, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରମୁଖଙ୍କ ସହ ଅନୁଷ୍ଠିତ ହୋଇଯାଇଛି। ପ୍ରଦୂଷଣର ମାନଦଣ୍ଡ ଓ ଉଲ୍ଲଂଘନକାରୀଙ୍କ ବିରୋଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯିବ, ତା’ର ରୂପରେଖ ପ୍ରସ୍ତୁତ କରାଯାଇଛି।
ଭୁବନେଶ୍ବରରେ ପ୍ରଦୂଷଣ ମାତ୍ରା ଏତେ ବଢ଼ିଗଲାଣି ଯେ ସକାଳ ୧୧ଟା ପର୍ଯ୍ୟନ୍ତ ବି ଘନ କୁହୁଡ଼ି କାରଣରୁ ରାସ୍ତାଘାଟ ଦିଶୁନି। ରାତି କଥା ନ କହିବା ଭଲ। ରାତି ୧୦ରୁ ଘନ କୁହୁଡ଼ି ରାସ୍ତାକୁ ଆଚ୍ଛାଦିତ କରି ଦେଉଛି। ରାତିରେ ଗାଡ଼ି ଚଲାଇବା କଷ୍ଟକର ହୋଇପଡ଼ୁଛି। ବିଏମ୍ସି ଏହା ଉପରେ କଡ଼ା ନଜର ରଖିବା ଆରମ୍ଭ କରିଛି।
ବିଏମ୍ସି କମିସନର୍ ଚଞ୍ଚଳ ରାଣା କହିଛନ୍ତି, ଅତ୍ୟଧିକ ଶୀତ କାରଣରୁ ଭୁବନେଶ୍ବରରେ ବାୟୁ ପ୍ରଦୂଷଣ ସ୍ତର ବଢ଼ିଚାଲିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଜ୍ଞାନିକ, ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲୁ। ବାୟୁ ପ୍ରଦୂଷଣ ରୋକିବାରେ ବିଏମ୍ସିର କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା। ଚଳିତ ଶୀତଋତୁରେ ଢାବା, ହୋଟେଲ୍, କଲ୍ୟାଣମଣ୍ଡପ, ଆଦି ଯେଉଁ ପ୍ରତିଷ୍ଠାନ ପ୍ରଦୂଷଣ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଶେଷ କରି କୋଇଲା ଅବା କାଠରେ ଯେଉଁମାନେ ରୋଷେଇବାସ କରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କୁ ଜରିମାନା କରାଯିବ। ଆବଶ୍ୟକ ହେଲେ, ସିଲ୍ କରାଯିବ। କନ୍ଷ୍ଟ୍ରକସନ୍ ସାଇଟ୍ ଉପରେ ନଜର ରଖାଯିବ। କନ୍ଷ୍ଟ୍ରକ୍ସନ୍ କମ୍ପାନି ଗ୍ରିନ୍ କଭର୍ କରି ନିର୍ମାଣ କାର୍ଯ୍ୟ କରିବେ। ନିର୍ମାଣରେ ନିୟୋଜିତ ଗାଡ଼ିଗୁଡ଼ିକ ରାସ୍ତାକୁ ଓହ୍ଲାଇବା ପୂର୍ବରୁ ଧୋଇବେ, ଯେଭଳି ରାସ୍ତାଘାଟ ମଇଳା ନହେବ। ଯେଉଁମାନେ ଉଲ୍ଲଂଘନ କରିବେ, ସେମାନଙ୍କଠାରୁ ବଡ଼ ଜରିମାନା ଆଦାୟ କରିବୁ। ଶ୍ରୀ ରାଣା କହିଛନ୍ତି, ଲିଙ୍ଗରାଜ ଥାନା ଅଞ୍ଚଳରେ ଯେହେତୁ ପ୍ରଦୂଷଣ ମାତ୍ରା ଅଧିକ, ସେହି ଜାଗାରେ ଫଗିଂ ମେସିନ୍ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛୁ। ଏହି ଅଞ୍ଚଳରେ ଥିବା ବସ୍ଷ୍ଟାଣ୍ଡ୍ରେ ପ୍ରଦୂଷଣ ମାତ୍ରା ଅଧିକ ଥିବାରୁ ନିୟମିତ ପାଣି ସିଞ୍ଚନ ଯୋଜନା କରିଛୁ। ଇଡ୍କୋକୁ ବି ନିଜ ଅଞ୍ଚଳରେ ନିୟମିତ ପାଣି ସିଞ୍ଚନ କରିବାକୁ କୁହାଯାଇଛି। ତିନିମାସ ପାଇଁ ଏଭଳି ନିୟମିତ କରିବେ। ଇଡ୍କୋ ଶିଳ୍ପାଞ୍ଚଳରେ ଯେଉଁ ସବୁ ପ୍ରିମିକ୍ସ କଂକ୍ରିଟ୍ ପ୍ଲାଣ୍ଟ ଓ ଅନ୍ୟାନ୍ୟ ପ୍ଲାଣ୍ଟ ରହିଛି, ସେମାନେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାର୍ଗଦର୍ଶିକା କଡ଼ାକଡ଼ି ଅନୁପାଳନ କରିବେ। ଭୁବନେଶ୍ବରରେ ଯେଉଁ ଅଞ୍ଚଳ ଅଧିକ ଆବର୍ଜନା ହେଉଛି, ସେଠି ପେଭର୍ ବ୍ଲକ୍ ପକାଇବାକୁ ଯୋଜନା କରିଛୁ। ଖୁବଶୀଘ୍ର ଏନ୍ଫୋର୍ସମେଣ୍ଟ ଟିମ୍ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ବୋଲି ଶ୍ରୀ ରାଣା କହିଛନ୍ତି।
Follow Us